ଏଲନ୍ ମସ୍କଙ୍କ ମସ୍ତିଷ୍କ-ଚିପ୍ କମ୍ପାନି ନ୍ୟୁରାଲିଙ୍କ୍ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ(ଏଫ୍‌ଡିଏ) ଉକ୍ତ କମ୍ପାନିକୁ ଏକ ନୂତନ ମସ୍ତିଷ୍କ-ଚିପ୍ ପ୍ରତିରୋପଣ ପାଇଁ ଅନୁମତି ଦେଇଛି, ଯାହା କଥା କହିପାରୁନଥିବା ଲୋକଙ୍କୁ ବାକ୍‌ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିବ। ନ୍ୟୁରାଲିଙ୍କ୍  ଦ୍ବାରା ଦୃଷ୍ଟିଶକ୍ତି ପୁନଃସ୍ଥାପନ ପାଇଁ ‘ବ୍ଲାଇଣ୍ଡସାଇଟ୍’ର ପ୍ରଥମ ସଫଳ ମାନବ ପ୍ରତିରୋପଣ ପରେ ଏହି ଘୋଷଣା କରାଯାଇଛି। ଏହି ବୈପ୍ଳବିକ ଯୋଗାଯୋଗ ଚିପ୍ ମାନବ ପରୀକ୍ଷଣ ଅପେକ୍ଷାରେ ରହିଛି। କମ୍ପାନିର କହିବାନୁସାରେ, ଏହି ଚିପ୍ ବିଶେଷ କରି ମଲ୍‌ଟିପ୍ଲ ସ୍କ୍ଲିରୋସିସ୍‌, ସେରେବ୍ରାଲ୍ ପାଲ୍‌ସି, ମେରୁଦଣ୍ଡ ଆଘାତ, ମସ୍ତିଷ୍କାଘାତ, ଆମିଓଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲିରୋସିସ୍ ଏବଂ ଅନ୍ୟାନ୍ୟ ସ୍ନାୟୁଗତ ସମସ୍ୟା ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏହି ସମସ୍ତ ଅବସ୍ଥା ମସ୍ତିଷ୍କକୁ ସ୍ବାଭାବିକ ଭାବରେ କାର୍ଯ୍ୟ କରିବା, କଥାବାର୍ତ୍ତା ହେବା ଓ ଗତିବିଧିରେ ବାଧା ଉପୁଜାଇଥାଏ। 

Advertisment

ସମ୍ପ୍ରତି ନ୍ୟୁରାଲିଙ୍କ୍ ଏହାର ମାନବ ପରୀକ୍ଷଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବାରୁ କମ୍ପାନି ଏବେ କଥା କହିବାର କ୍ଷମତା ହରାଇଥିବା ଲୋକଙ୍କୁ ଏହାର ରୋଗୀ ରେଜିଷ୍ଟ୍ରି ମାଧ୍ୟମରେ ପଞ୍ଜୀକରଣ କରିବାକୁ କହିଛି। ଭବିଷ୍ୟତରେ ନ୍ୟୁରାଲିଙ୍କ୍ ଏହି ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ଭାବରେ ଉପଲବ୍ଧ କରାଇବ ଏବଂ ଯେକୌଣସି ବ୍ୟକ୍ତି ଏହାର ଲାଭ ନେଇପାରିବେ ବୋଲି ଏଲନ୍ ମସ୍କ ତାଙ୍କ ‘ଏକ୍ସ’ ପୋଷ୍ଟ୍‌ରେ ଦୃଢ଼ତାର ସହ କହିଛନ୍ତି।