ବର୍ତ୍ତମାନ ଜଳ ପ୍ରଦୂଷଣ ଭୟଙ୍କର ଆକାର ଧାରଣ କରିବାକୁ ଯାଉଛି। କାରଣ ସରକାରୀ ସୂଚନା ଅନୁସାରେ ଦେଶର ୩୫୧ଟି ନଦୀ ମୁହାଣ ପ୍ରଦୂଷିତ ହୋଇଛି। ବଡ଼ ବଡ଼ ସହର ଓ ଶିଳ୍ପ ନଗରୀ ପାର୍ଶ୍ବରେ ପ୍ରବାହିତ ଜଳସ୍ରୋତଗୁଡ଼ିକ ସର୍ବାଧିକ ପ୍ରଦୂଷିତ। ଏହି କ୍ରମରେ ଆମ ରାଜ୍ୟ ଓଡ଼ିଶାର ଦୃଶ୍ୟପଟ୍ଟ ବି ଚିନ୍ତାଜନକ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ଚିହ୍ନଟ ହୋଇଥିବା ଭାରତର ୩୫୧ଟି ପ୍ରଦୂଷିତ ନଦୀ ମୁହାଣ ମଧ୍ୟରେ ଓଡ଼ିଶାର ୧୯ଟି ନଦୀ ସାମିଲ ଅଛି।
ରାଜ୍ୟର ପ୍ରଦୂଷିତ ନଦୀ :
୨୦୨୧ରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟ ଅନୁସାରେ ଓଡ଼ିଶାରେ ପ୍ରଦୂଷିତ ହୋଇଥିବା ନଦୀଗୁଡ଼ିକ ମଧ୍ୟରେ ଗଙ୍ଗୁଆ, ଗୁରୁଡିନଳା, କାଠଯୋଡ଼ି, ନନ୍ଦିରାଝର, ଦୟା, କୁଆଖାଇ, ବାଙ୍ଗୁରୁନଳା, ଭେଡେନ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମି, ମହାନଦୀ, ମଙ୍ଗଳା, ନାଗାବଳୀ, ଲୁଣା, ରତ୍ନଚିରା, ଋଷିକୂଲ୍ୟା, ସାବୁଲିଆ ଏବଂ ସେରୁଆ ଆଦି ନଦୀ ରହିଛି।
ପ୍ରଦୂଷଣର କାରଣ କ’ଣ ?
ମୁଖ୍ୟତଃ ସହରାଞ୍ଚଳରୁ ବା ବିଭିନ୍ନ କଳକାରଖାନାରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ କାରଣରୁ ନଦୀଗୁଡିକ ପ୍ରଦୂଷିତ ହେଉଛି। ଦ୍ରୁତ ସହରୀକରଣ ଏବଂ ଶିଳ୍ପାୟନ ଏହି ସମସ୍ୟାକୁ ଆହୁରି ଜଟିଳ କରିଛି । ମାର୍ଚ୍ଚ ୨୦୨୧ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶର ସହରାଞ୍ଚଳର ଜଳ ନିଷ୍କାସନ କ୍ଷମତା ଦିନକୁ ୩୧,୮୪୧ ନିୟୁତ ଲିଟର ଥିବା ବେଳେ ପ୍ରତିଦିନ ସହରାଞ୍ଚଳରୁ ଦିନକୁ ୭୨,୩୬୮ ନିୟୁତ ଲିଟର ପ୍ରଦୂଷିତ ଜଳ ନିଷ୍କାସିତ ହେଉଛି। କ୍ଷମତାଠାରୁ ଅଧିକ ପ୍ରଦୂଷିତ ଜଳ ନିଷ୍କାସନ ହେଉଥିବାରୁ ନଦୀଗୁଡ଼ିକରେ ପ୍ରଦୂଷଣ ବୃଦ୍ଧି ପାଉଛି । ଏଥିରୁ ସହଜରେ ଆକଳନ କରାଯାଇପାରେ କି ଖୁବ୍ ଶୀଘ୍ର ଜଳ ପ୍ରଦୂଷଣ ଏକ ବିରାଟ ପାରିବେଶିକ ସଂକଟ ଭାବେ ଉଭା ହେବାକୁ ଯାଉଛି।
ଆଶାର ଆଲୋକ ଟେଡକ୍ସ ଟେକ୍ନୋଲଜି !
ସାଧାରଣ ଭାବେ ପ୍ରଦୂଷିତ ଜଳକୁ ବିଷମୁକ୍ତ କରିବା ଲାଗି ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଥାଏ। ଏହା ସହରାଞ୍ଚଳର ବର୍ଜ୍ୟ ଜଳକୁ ବିଶୋଧିତ କରିଥାଏ। କେତେକ ଅଞ୍ଚଳରେ ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କ ବର୍ଜ୍ୟ ସାମଗ୍ରୀ ଓ ଜଳକୁ ନଦୀକୁ ସିଧା ଛାଡ଼ୁଥିବାରୁ ଏହାଦ୍ବାରା ପାଣି ଦୂଷିତ ହେଉଛି। ଏହି ଜଳକୁ ବିଶୋଧିତ କରିବା ଲାଗି ସ୍ବତନ୍ତ୍ର ଟ୍ରିଟମେଣ୍ଟ ପ୍ଲାଣ୍ଟ ଆବଶ୍ୟକ ପଡ଼ିଥାଏ। ମାତ୍ର ଏହି ବିଶୋଧନ ବ୍ୟବସ୍ଥା ଅତ୍ୟନ୍ତ ବ୍ୟୟ ବହୁଳ।
/sambad/media/post_attachments/wp-content/uploads/2021/08/tadox.jpg)
ତେବେ ଦୂଷିତ ଜଳକୁ ବିଶୁଦ୍ଧ କରି ଏହାକୁ ପୁନଃବ୍ୟବହାର ଉପଯୋଗୀ କରିବା ପାଇଁ ଏକ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇଛି। ଏହି ପ୍ରଯୁକ୍ତି ବ୍ୟୟବହୁଳ ନୁହେଁ ଏବଂ ସ୍ବଳ୍ପ ଖର୍ଚ୍ଚରେ ଦୂଷିତ ଜଳକୁ ବିଶୁଦ୍ଧ କରିପାରିବ। ନୂଆଦିଲ୍ଲୀର ଦ ଏନର୍ଜି ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଟିଏଆରଆଇ) ପକ୍ଷରୁ ବ୍ୟାପକ ଗବେଷଣା ପରେ ଦ ଆଡଭାନ୍ସଡ୍ ଅକ୍ସିଡେସନ୍ ଟେକ୍ନୋଲୋଜି ବା ‘ଟାଡକ୍ସ’ ବିକଶିତ କରାଯାଇଛି। ଏହି ନୂଆ ଟେକ୍ନୋଲୋଜି ବର୍ଜ୍ୟମିଶ୍ରିତ ଜଳକୁ ପିଇବା ଯୋଗ୍ୟ କରାଇବ। ୟୁଭି- ଫୋଟୋକାଟାଲିସିସ୍ ପ୍ରକ୍ରିୟା ବ୍ୟବହାର କରୁଥିବା ଏହି ଟେକ୍ନୋଲୋଜି ଦ୍ବାରା ସହରର ବର୍ଜ୍ୟ ଜଳ ଏବଂ କଳକାରଖାନରୁ ବାହାରୁଥିବା ପ୍ରଦୂଷିତ ଜଳକୁ ବିଶୁଦ୍ଧ କରାଯାଇପାରିବ। ଦିନକୁ ଦିନ ବୃଦ୍ଧି ପାଉଥିବା ଜଳ ସଙ୍କଟ ପାଇଁ ପ୍ରଦୂଷିତ ଜଳକୁ ପୁନଃବ୍ୟବହାର ଯୋଗ୍ୟ କରିବା ଏକାନ୍ତ ଆବଶ୍ୟକ। ବର୍ତ୍ତମାନ ଜଳକୁ ବିଶୁଦ୍ଧ କରିବା ପାଇଁ ବ୍ୟବହାର କରାଯାଉଥିବା ପ୍ରଣାଳୀର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ଥିବା ବେଳେ ଅଧିକ ପ୍ରଦୂଷିତ ଥିବା ଜଳକୁ ବିଶୁଦ୍ଧ କରିବାକୁ ଏହା ସକ୍ଷମ ନୁହେଁ। ଏଥି ପାଇଁ ବୈଜ୍ଞାନିକମାନେ ଏହି ନୂଆ ପ୍ରଯୁକ୍ତି ବିକଶିତ କରିଛନ୍ତି।
ଟିଏଆରଆଇ ଦ୍ବାରା ବିକଶିତ ଟାଡକ୍ସ ଟେକ୍ନୋଲୋଜିର ସ୍ବାତନ୍ତ୍ର ହେଲା ଏହା ପାରମ୍ପରିକ ଜୈବିକ ଏବଂ ତୃତୀୟସ୍ତରର ବିଶୋଧନ ପ୍ରଣାଳୀ ଉପରେ ନିର୍ଭରଶୀଳ ନୁହେଁ । ଏଥିସହ ଏହା ଜିରୋ ଲିକ୍ୱିଡ୍ ଡିସଚାର୍ଜ(ଜେଏଲଡି) ହାସଲ କରିବା ଦକ୍ଷତା ରଖିଛି । ଏହି ଜେଏଲଡି ପ୍ରଣାଳୀର ବିଶେଷତ୍ବ ହେଲା, ଜଳ ବିଶୋଧନ ପରେ ବର୍ଜ୍ୟ ଭାବେ କୌଣସି ତରଳ ଦ୍ରବ୍ୟ ନିର୍ଗତ ହୁଏ ନାହିଁ, ଅର୍ଥାତ ଶତପ୍ରତିଶତ ଜଳ ବିଶୁଦ୍ଧ ହୋଇଯାଏ। ଟାଡକ୍ସର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ମିତବ୍ୟୟିତା। ଶିଳ୍ପ ବର୍ଜ୍ୟଜଳ ବିଶୋଧନ ଲାଗି ଟାଡକ୍ସ ଟେକ୍ନୋଲୋଜି ଉପଯୋଗରେ ପୁଞ୍ଜି ବିନିଯୋଗ ବାବତ ବ୍ୟୟ ୨୫-୩୦% କମ୍ ହେଉଥିବା ବେଳେ ପରିଚାଳନାଗତ ବ୍ୟୟ ୩୦-୪୦% କମ୍ ରହିବ। ଏଣୁ ଏହାକୁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ବ୍ୟବହାର କରିପାରିବେ।
ଟାଡକ୍ସ ଟେକ୍ନୋଲୋଜି ବିକଶିତ କରିବାରେ ଟିଏଆରଆଇକୁ ଏହି ଦିଗରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ବିଭାଗ, ୱାଟର ଟେକ୍ନୋଲୋଜି ଇନିସିଏଟିଭ୍ (ଡବ୍ଲୁଟିଆଇ), ଓଏନଜିସି ଏନର୍ଜି ସେଣ୍ଟର (ଓଇସି) ସହାୟତା କରିଛନ୍ତି । ଆଗାମୀ ଦିନରେ ଅବ୍ୟବହୃତ ପର୍ଯ୍ୟାୟଭୁକ୍ତ ପ୍ରଦୂଷିତ ଜଳକୁ ଏକ ନୂଆ ଜୀବନ ଦେବାରେ ଟାଡକ୍ସ ଟେକ୍ନୋଲୋଜି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଇପାରେ।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/pp-tadox.jpg)