ରାଜସ୍ଥାନ ସ୍ଥିତ ଶ୍ରୀଗଙ୍ଗାନଗରର ଏକ ସାଧାରଣ ପରିବାରର ୨୨ ବର୍ଷୀୟା ଝିଅ ମନିକା ବିଶ୍ୱକର୍ମା। ସେ ବର୍ତ୍ତମାନ ଦିଲ୍ଲୀରେ ରହି ମଡେଲିଂ ପ୍ରତି ଥିବା ରୁଚିକୁ ପୂରା କରୁଛନ୍ତି। ମନିକା ଚଳିତବର୍ଷର ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ର ମୁକୁଟ ହାସଲ କରିଛନ୍ତି। ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ରିଆ ସିଂହାଙ୍କ ଦ୍ୱାରା ତାଙ୍କୁ ମୁକୁଟ ପିନ୍ଧାଯାଇଛି। ଏଥିସହିତ ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ-ଅପ୍, ହରିୟାଣାର ମେହକ ଧିଙ୍ଗରା ଦ୍ୱିତୀୟ ରନର୍ସ-ଅପ୍ ଓ ଅମିଶୀ କୌଶିକ ତୃତୀୟ ରନର୍ସ-ଅପ୍ ଭାବେ ସ୍ଥାନ ପାଇଛନ୍ତି। ଫାଇନାଲ୍‌ ରାଉଣ୍ଡରେ ମନିକାଙ୍କୁ ଏକ କଠିନ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଲା: ଯଦି ତାଙ୍କୁ ମହିଳା ଶିକ୍ଷା ପାଇଁ ଓକିଲାତି କରିବା କିମ୍ବା ଗରିବ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ମଧ୍ୟରୁ କୌଣସି ଗୋଟିଏ ବାଛିବାକୁ ପଡ଼େ, ତେବେ ସେ କାହାକୁ ପ୍ରାଥମିକତା ଦେବେ ଏବଂ କାହିଁକି? ସେ ମହିଳା ଶିକ୍ଷାକୁ ବାଛିଥିଲେ, ଏହାକୁ ଦାରିଦ୍ର୍ୟର ଚକ୍ର ଭାଙ୍ଗିବାର ଚାବିକାଠି ବୋଲି କହିଥିଲେ। ସେ କହିଥିଲେ, “ମହିଳାମାନଙ୍କୁ ଶିକ୍ଷା ଦେବା କେବଳ ଗୋଟିଏ ଜୀବନକୁ ପରିବର୍ତ୍ତନ କରେ ନାହିଁ, ଏହା ପରିବାର, ସମ୍ପ୍ରଦାୟ ଏବଂ ରାଷ୍ଟ୍ରର ଭବିଷ୍ୟତକୁ ପରିବର୍ତ୍ତନ କରେ। 

Advertisment

ମନିକା ପୂର୍ବରୁ ମିସ୍‌ ୟୁନିଭର୍ସ ରାଜସ୍ଥାନ ୨୦୨୪ ମୁକୁଟ ମଧ୍ୟ ହାସଲ କରିଛନ୍ତି। ସେ ରାଜନୀତି ଓ ଅର୍ଥନୀତିର ଶେଷବର୍ଷର ଛାତ୍ରୀ। ପାଠପଢ଼ା ଓ ଫ୍ୟାସନ୍‌ ସହିତ, ମନିକା ଜଣେ ଜାତୀୟ ପୁରସ୍କାର ବିଜେତା କଳାକାର ମଧ୍ୟ। ଏହାବ୍ୟତୀତ ସେ ସାମାଜିକ କାର୍ଯ୍ୟରେ ଜଡ଼ିତ। ପାଠପଢ଼ା ସହିତ ମନିକା ଚିତ୍ରକଳା ଓ ନୃତ୍ୟରେ ଅନେକ ପୁରସ୍କାର ବି ଜିତିଛନ୍ତି। ୨୦୨୫ର ମିସ୍ ୟୁନିଭର୍ସ ଇଣ୍ଡିଆର ଟାଇଟଲ୍‌ ହାସଲ କରିବା ପରେ ଏବେ ସେ ଲମ୍ବା ଉଡ଼‌ାଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଥାଇଲାଣ୍ଡରେ ହେବାକୁ ଯାଉଥିବା ୭୪ତମ ବିଶ୍ବସ୍ତରୀୟ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ବ କରିବେ ମନିକା ବିଶ୍ୱକର୍ମା।