କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଦଳେ ବୈଜ୍ଞାନିକ ଏକ ନୂତନ ରଙ୍ଗ ଆବିଷ୍କାର କରିଛନ୍ତି, ଯାହାକୁ ପୂର୍ବରୁ କେହି ଦେଖିନାହାନ୍ତି! ‘ସାଇନ୍ସ ଆଡ୍ଭାନ୍ସେସ’ ପତ୍ରିକାରେ ପ୍ରକାଶିତ ଏ ସଂକ୍ରାନ୍ତ ବିବରଣୀ ଅନୁଯାୟୀ, ଗବେଷକମାନେ ଉକ୍ତ ରଙ୍ଗର ନାମ ‘ଓଲୋ’ ରଖିଛନ୍ତି। କେବଳ ପାଞ୍ଚ ଜଣ ଦେଖିଥିବା ଏହି ରଙ୍ଗକୁ ସେମାନେ ମୟୂର ନୀଳ ବା ଭଦଭଦଳିଆ ନୀଳ ଭାବେ ବର୍ଣ୍ଣନା କରିଛନ୍ତି। ଉକ୍ତ ରଙ୍ଗ କେବଳ ଆଖିର ରେଟିନାରେ ଲେଜର ପକାଇ ଦେଖିହେବ ବୋଲି ଗବେଷକମାନେ ଦାବି କରିଛନ୍ତି।
ଏଥିପାଇଁ ସେମାନେ ସ୍ବେଚ୍ଛାସେବୀଙ୍କ ଆଖିକୁ ଲେଜର ତରଙ୍ଗ ନିକ୍ଷେପ କରିଥିଲେ, ଯାହା ସେମାନଙ୍କ ଦୃଷ୍ଟିଶକ୍ତିକୁ ପ୍ରାକୃତିକ ସୀମା ଅତିକ୍ରମ କରିବାର ସାମର୍ଥ୍ୟ ପ୍ରଦାନ କରିଥିଲା।
ବାସ୍ତବରେ ଏହି ନୂଆ ରଙ୍ଗ ଦେଖିବାର ଅଭିଜ୍ଞତା ଚମତ୍କାର ଥିଲା ବୋଲି ମୁଖ୍ୟ ଗବେଷକ ରେନ୍ ଏନ୍ଜି କହିଛନ୍ତି। ଉକ୍ତ ଅଭିନବ ରଙ୍ଗର ଏକ ଅନୁଭବ ପ୍ରଦାନ ପାଇଁ ଗବେଷକମାନେ ଏକ ଚିତ୍ର ଛାଡ଼ିଛନ୍ତି। ତେବେ ଏହି ଚିତ୍ରଟି ଏ ପର୍ଯ୍ୟନ୍ତ ସେମାନେ ଦେଖିଥିବା ରଙ୍ଗକୁ ସଂପୂର୍ଣ୍ଣ ଭାବରେ ପ୍ରତିନିଧିତ୍ବ କରୁନାହିଁ ବୋଲି ସେମାନେ ଟିପ୍ପଣୀ କରିଛନ୍ତି। ତାହାକୁ କୌଣସି ଲେଖା ଦ୍ବାରା ବର୍ଣ୍ଣନା କରିବା କିମ୍ବା ମନିଟର୍ ଦ୍ବାରା ଦେଖାଇବା ସମ୍ଭବ ନୁହେଁ।
ପ୍ରାକୃତିକ ଆଲୋକ ରେଟିନାରେ ଥିବା ଏମ୍ କୋନ୍କୁ ଉତ୍ତେଜିତ କରିପାରେନାହିଁ। ତା’ର ଅବସ୍ଥିତି ଠାବ କରି ତା’ଉପରେ ଆଲୁଅ ପକାଇ ଗବେଷକମାନେ ପ୍ରଥମ ଥର ଏକ ଅଦୃଷ୍ଟପୂର୍ବ ରଙ୍ଗ ଦେଖିବାକୁ ସକ୍ଷମ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଯେତେବେଳେ ଆଲୋକରଶ୍ମି ଆଖିର ରେଟିନାରେ ଥିବା କୋନ୍ ନାମକ ରଙ୍ଗ-ସମ୍ବେଦନଶୀଳ କୋଷଗୁଡ଼ିକ ଉପରେ ପଡ଼େ, ସେତେବେଳେ ମଣିଷର ଆଖି ଲକ୍ଷ ଲକ୍ଷ ରଙ୍ଗର ପାର୍ଥକ୍ୟକୁ ଠଉରାଇପାରେ। ସାଧାରଣତଃ ତିନି ପ୍ରକାରର କୋନ୍ ରହିଛି, ଯାହା ଆଲୋକର ଦୀର୍ଘ(ଏଲ୍), ମଧ୍ୟମ(ଏମ୍) ଓ କ୍ଷୁଦ୍ର(ଏସ୍) ପରି ତିନି ପ୍ରକାରର ୱେଭ୍ଲେନ୍ଥ ପ୍ରତି ସମ୍ବେଦନଶୀଳ। ଲୋହିତ ଆଲୋକ ଏଲ୍ କୋନ୍କୁ ଓ ନୀଳ ଆଲୋକ ଏସ୍ କୋନ୍କୁ ଉତ୍ତେଜିତ କରୁଥିବା ବେଳେ କୌଣସି ପ୍ରାକୃତିକ ଆଲୋକ ରେଟିନାର ମଧ୍ୟଭାଗରେ ଥିବା ଏମ୍ କୋନ୍କୁ ଉତ୍ତେଜିତ କରିପାରେନାହିଁ। ଲେଜର୍ ଦ୍ବାରା ଏମ୍ କୋନ୍ର ଅବସ୍ଥିତିକୁ ଠାବ କରି ତା’ ଉପରେ ଆଲୋକରଶ୍ମି ପକାଇ ‘ଓଲୋ’ ରଙ୍ଗ ପ୍ରଦର୍ଶନ କରିବା ସମ୍ଭବ। ତେଣୁ ଏହି ରଙ୍ଗକୁ ପ୍ରାକୃତିକ ଭାବେ ଦେଖିବା ଅସମ୍ଭବ।