ଆଜିକାଲି କେବଳ ପୁରୁଷମାନେ ଜିମ୍ରେ ଝାଳ ବୁହାଉନାହାନ୍ତି, ଆକର୍ଷଣୀୟ ପେଶୀବହୁଳ ଶରୀର ଏବେ ଅନେକ ଆଧୁନିକ ନାରୀମାନଙ୍କ ପାଇଁ ‘ସୁନ୍ଦରତାର ନୂଆ ପରିଭାଷା’...
ଗତ ସପ୍ତାହରେ ଭାରତର ପ୍ରସିଦ୍ଧ ସୁନ୍ଦରୀ ବଡି ବିଲ୍ଡର୍ ଓ ଫିଟନେସ୍ ଟ୍ରେନର୍ ଚିତ୍ରା ପୁରୁଷୋତ୍ତମ୍ ନିଜକୁ ବିବାହ ରମଣୀ ବେଶରେ ସଜାଇ ନିଜ ଫଟୋସବୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ଏହାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଛି। ଚିତ୍ରାଙ୍କ ନିକଟକୁ ଦେଶବିଦେଶରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଚିତ୍ରା ବିବାହର ପାରମ୍ପରିକ ବେଶଭୂଷାରେ ନିଜକୁ ସଜାଇବା ସହିତ ନିଜ ଶରୀରର ଶକ୍ତିଶାଳୀ ସୁନ୍ଦର ମାଂସପେଶୀକୁ ପ୍ରଦର୍ଶନ କରିଛନ୍ତି। ଚିତ୍ରା ପୁରୁଷୋତ୍ତମ୍ ଏକ ସୁନ୍ଦର ହଳଦିଆ ଓ ନୀଳ କାଞ୍ଜିଭରମ୍ ଶାଢ଼ି ପିନ୍ଧି ତାଙ୍କ ଶରୀରର ଅବୟବ ସବୁକୁ ପ୍ରଦର୍ଶନ କରିଛନ୍ତି। “ମାନସିକତା ହେଉଛି ସବୁକିଛି। ନାରୀ ଚାହିଲେ ନିଜକୁ ଶକ୍ତିଶାଳୀ କରିପାରିବ। ନାରୀ ହେଉଛି ଆମ ଶକ୍ତିର ପ୍ରତୀକ। ଭାରତୀୟ ଇତିହାସ ଓ ପୌରାଣିକ ବିଷୟବସ୍ତୁ ଆମକୁ ଏହାର ଶିକ୍ଷା ଓ ପ୍ରମାଣ ଦେଇଛି। ନାରୀ ଦୁର୍ବଳା, ଅବଳା କିମ୍ବା ଭୋଗ୍ୟ ସାମଗ୍ରୀ ନୁହେଁ। ସେ ମଧ୍ୟ ବୀର ରମଣୀ ଓ ଅସାଧ୍ୟକୁ ସାଧ୍ୟ କରି ପାରିବ” ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଲକ୍ଷାଧିକ ଅନୁଗାମୀ ଥିବା ଚିତ୍ରା ଅନେକ ସୁନ୍ଦର ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ମିସ୍ ଇଣ୍ଡିଆ ଫିଟନେସ୍, ଇଣ୍ଡିଆ ୱେଲ୍ନେସ୍, ମିସ୍ ସାଉଥ୍ ଇଣ୍ଡିଆ ଓ ମିସ୍ କର୍ଣ୍ଣାଟକ ସମେତ ଅନେକ ଟାଇଟଲ୍ ଜିତିଛନ୍ତି।
ବଡି ବିଲ୍ଡର୍ ଆଶିଷ ନିଧା କହନ୍ତି, “ମୁଁ ଶାରୀରିକ ଭାବେ ଦୁର୍ବଳ ଥିଲି। ମୋ ମା’ବାପା ସ୍କୁଲ ବେଳେ ମୋତେ ବାହାରକୁ ଯାଇ ଅନ୍ୟ ପିଲାଙ୍କ ସହ ଖେଳିବାକୁ ଦେଇନଥିଲେ। ବୟସର ବୃଦ୍ଧି ସାଙ୍ଗକୁ ମୋ ଦୁର୍ବଳ ଶରୀରକୁ ନେଇ ମୁଁ ଚିନ୍ତିତ ହେଲି ଏବଂ ଧୀରେ ଧୀରେ ବ୍ୟାୟାମ କରିବା ଆରମ୍ଭ କଲି। ପରେ ବ୍ୟାୟାମଶାଳାରେ ଯାଇ ତାଲିମ ନେବା ଆରମ୍ଭ କଲି। ମୋର ଅଧ୍ୟବସାୟ ମୋତେ ଆଜି ଜଣେ ସଫଳ ଓ ଆକର୍ଷଣୀୟ ମାଂସପେଶୀ ଥିବା ମହିଳା କରି ଗଢ଼ିତୋଳିଛି”। ସେହିପରି ୨୫ ବର୍ଷ ବୟସ୍କ ସଫଳ ମହିଳା ମଲ୍ଲଯୋଦ୍ଧା ଓ ବଡି ବିଲ୍ଡର୍ ଶାନ୍ଦ୍ରା ଏ.ଏସ୍. କହନ୍ତି, “ଦିନେ ଆମକୁ ଏହି ସ୍ଥାନରେ ପହଞ୍ଚିବାକୁ ସମାଜ ଓ ପରିବାରରେ ସଂଘର୍ଷ କରିବାକୁ ପଡୁଥିଲା। ଆଜି ଦୃଢ଼ ମନୋବଳ ଓ ଅଭ୍ୟାସ ବଳରେ ଏହାକୁ ଅକ୍ତିଆର କରିପାରୁଛୁ। ମୁଁ ଭାବୁଛି ଆମ ସଂଘର୍ଷ କାହାଣୀଗୁଡ଼ିକୁ ଆଗାମୀ ପିଢ଼ିର କିଶୋରୀମାନେ ଜାଣିବା ଉଚିତ। ତା’ହେଲେ ହୁଏତ ସେମାନେ ଏଥିପ୍ରତି ଆଗ୍ରହୀ ହେବେ। ମୁଁ ବର୍ତ୍ତମାନ ୪ ବର୍ଷ ଧରି ବଡି ବିଲ୍ଡିଂ ଅଭ୍ୟାସ ଜାରିରଖି ଅନେକ ସଫଳତା ପାଇଛି। ବିଭିନ୍ନ ବର୍ଗର ମହିଳାମାନଙ୍କୁ ମୁଁ ଏବେ ତାଲିମ ଦେଉଛି। ଫଳରେ କେରଳରେ ବର୍ତ୍ତମାନ ବଡି ବିଲ୍ଡିଂ ପ୍ରତି ମହିଳାମାନଙ୍କ ଆଗ୍ରହ ବଢୁଛି। ଅତୀତରେ ବଡି ବିଲ୍ଡିଂ ତାଲିମ କେବଳ ପୁରୁଷମାନେ ଦେଉଥିବାରୁ ବହୁତ ବାଳିକା ଓ କିଶୋରୀ ତଥା ମହିଳାଙ୍କ ଘରେ ଏଥିପ୍ରତି ସମର୍ଥନ ମିଳୁନଥିଲା”।
କେରଳର କୋଚି ସହରରେ ରହୁଥିବା ୨୨ ବର୍ଷ ବୟସ୍କା ଭୂମିକା କୁମାର କହିଛନ୍ତି, “ବଡି ବିଲ୍ଡିଂ ପ୍ରତି ମୋର ଜିଦ୍ ଓ ଆଗ୍ରହ ମୋତେ ମୋ ପରିବାର ସଦସ୍ୟଙ୍କ ସହ ମତଭେଦ ସୃଷ୍ଟି କରିଛି। ତଥାପି ମୁଁ ଅନେକ ସମ୍ମାନ ଓ ପୁରସ୍କାର ଜିତିବା ଜାରି ରଖିଛି ଏବଂ ବର୍ତ୍ତମାନ ବଡି ବିଲ୍ଡର୍ସମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଇ ସମାଜରେ ଏକ ଆନ୍ଦୋଳନ ସୃଷ୍ଟି କରିଛି। କିନ୍ତୁ ଆଜିବି ଏହାକୁ ମୋ ପରିବାରର କିଛି ସଦସ୍ୟ ସହଜରେ ଗ୍ରହଣ କରି ପାରୁନାହାନ୍ତି। ବଡି ବିଲ୍ଡିଂ ପ୍ରତିଯୋଗିତା ପାଇଁ ତାଲିମ ଦେଇ ଜଣେ ପ୍ରଶିକ୍ଷକ ହେବାର ଇଚ୍ଛା ପୂରଣ ହୋଇଛି। ପିଲାଦିନେ ଅନୁମତି ଦିଆଯାଇ ନଥିବା ମୋ ସ୍ବପ୍ନକୁ ଆଜି ମୁଁ ବାସ୍ତବରେ ପରିଣତ କରିଛି।’’ ବର୍ତ୍ତମାନ ମିସ୍ କେରଳ ଓ ମିସ୍ ଏର୍ଣ୍ଣାକୁଲମ୍ ପରି ପ୍ରତିଯୋଗିତାରେ ଭୂମିକା ସ୍ୱର୍ଣ୍ଣପଦକ ବିଜେତା ହୋଇପାରିଛନ୍ତି। ସେ ଅନ୍ତର୍ଜାତୀୟ ସ୍ତରରେ ବୃତ୍ତିଗତ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟତା ଅର୍ଜନ କରି ମହିଳା ପ୍ରତିଯୋଗୀଙ୍କ ପାଇଁ ରହିଥିବା ପ୍ରତିବନ୍ଧକ ଭାଙ୍ଗିବାକୁ ଆଶା ରଖିଛନ୍ତି।