ଏକ ସମୟରେ ଦୁଇ ଭାଇଭଉଣୀ ଦୁଇଟି ଯୁଦ୍ଧପୋତର କମାଣ୍ଡର୍ ପଦବିରେ ଅବସ୍ଥାପିତ ହେବା ଭାରତୀୟ ନୌସେନା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି। ପ୍ରେରଣା ଦେବସ୍ଥଳୀ ‘ଆଇଏନ୍ଏସ୍ ତ୍ରିଙ୍କଟ’ର କମାଣ୍ଡର୍ ଥିବାବେଳେ ତାଙ୍କ ସାନଭାଇ ଈଶାନ ଦେବସ୍ଥଳୀ ‘ଆଇଏନ୍ଏସ୍ ବିଭୂତି’ରେ କମାଣ୍ଡର୍ ଭାବେ କାର୍ଯ୍ୟ କରୁଛନ୍ତି। ଭାରତୀୟ ନୌସେନାର ଇତିହାସରେ ଏହା ପ୍ରଥମ ଘଟଣା। ପାରିବାରିକ ପ୍ରେରଣା, ଦେଶ ପ୍ରତି ସମର୍ପିତ ସେବା ମନୋଭାବ ଏବଂ ସମୁଦ୍ର ପ୍ରତି ଦୁର୍ବାର ଆକର୍ଷଣ ଯୋଗୁଁ ହିଁ ଏହା ସମ୍ଭବପର େହାଇଛି।
ମୁମ୍ବାଇର ଏକ ବହୁକୁଟୁମ୍ବୀ ପରିବାରରେ ପ୍ରେରଣା ଓ ଈଶାନଙ୍କ ଜନ୍ମ। ଶୃଙ୍ଖଳା, ପ୍ରତିବଦ୍ଧତା ଓ ସମୁଦ୍ର ପ୍ରତି ଶ୍ରଦ୍ଧା ହେଉଛି ତାଙ୍କ ପରିବାରର ବିଶେଷ ମୂଲ୍ୟବୋଧ। ବାପା ମୁମ୍ବାଇ ବିଶ୍ବବିଦ୍ୟାଳୟରେ ପ୍ରଫେସର୍ ଓ ମାଆ ମୁମ୍ବାଇ ବନ୍ଦରରେ ଚିଫ୍ ଫାଇନାନ୍ସିଆଲ୍ ଅଫିସର୍ ଭାବେ କାମ କରୁଥିଲେ। ପିତାମାତା ହିଁ ବାଲ୍ୟକାଳରୁ ଦୁହିଁଙ୍କ ମନରେ ବିଭିନ୍ନ ଦୁଃସାହସିକ ଅଭିଯାନ ପ୍ରତି ଆକାଂକ୍ଷା ଉଦ୍ରେକ କରାଇଥିଲେ। ପୁଣି ମୁମ୍ବାଇରେ ବଢ଼ିଥିବାରୁ ପିଲାଦିନରୁ ସମୁଦ୍ର ପ୍ରତି ସେମାନଙ୍କର ଥିଲା ସ୍ବାଭାବିକ ଆକର୍ଷଣ। ପିତାମାତାଙ୍କ ପ୍ରେରଣା ଯୋଗୁଁ ଦୁହେଁ ଭାରତୀୟ ନୌସେନାରେ ଯୋଗଦେବାକୁ ମନବଳାଇଥିଲେ।
ନୌସେନା ଦିବସର ଇତିବୃତ୍ତ
ନୌସେନାର କୃତିତ୍ବ ଏବଂ ଦେଶ ପ୍ରତି ତା’ର ଅବଦାନକୁ ସ୍ବୀକୃତି ଜଣାଇବା ନିମନ୍ତେ ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ଭାରତରେ ପାଳିତ ହୁଏ ନୌସେନା ଦିବସ। ୧୯୭୧ ମସିହାରେ ‘ଅପରେସନ୍ ଟ୍ରାଇଡେଣ୍ଟ୍’ ଚାଲିଥିବା ବେଳେ ଡିସେମ୍ବର ୪ ତାରିଖ ଦିନ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ପରାସ୍ତ କରି ‘ପିଏନ୍ଏସ୍ ଖୈବର୍’ ସମେତ ଚାରିଟି ପାକିସ୍ତାନୀ ଯୁଦ୍ଧପୋତ ବୁଡ଼ାଇ ଦେଇଥିଲା। ସେଥିପାଇଁ ପ୍ରତିବର୍ଷ ସେ ଦିନଟିକୁ ଭାରତୀୟ ନୌସେନା ଦିବସ ଭାବେ ପାଳନ କରାଯାଉଛି। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ମଧ୍ୟ ସେ ଦିନ ସ୍ମରଣ କରାଯାଏ।
ନୌସେନା ଦିବସ ଅବ୍ୟବହିତ ପୂର୍ବରୁ, ନୌସେନା ସପ୍ତାହରେ ଏବଂ ତା’ ପରବର୍ତ୍ତୀ ଦିନମାନଙ୍କରେ ‘ଓପନ୍ ସି ସୁଇମିଙ୍ଗ୍ ପ୍ରତିଯୋଗିତା’ ଭଳି କେତେକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏ ସମୟରେ ନୌସେନାର ଯୁଦ୍ଧଜାହାଜ ସବୁ ଦର୍ଶକ ଓ ସ୍କୁଲ୍ ପିଲାଙ୍କ ନିମନ୍ତେ ଉନ୍ମୁକ୍ତ ରଖାଯାଏ। ଅବସରପ୍ରାପ୍ତ ନୌସେନା କର୍ମଚାରୀଙ୍କ ଲାଗି ବିଶେଷ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୁଏ। ‘ନେଭାଲ୍ ସିମ୍ଫୋନିକ୍ ଅର୍କେଷ୍ଟ୍ରା’ ମଧ୍ୟ ବାଦ୍ୟ ପରିବେଷଣ କରେ। ‘ଇଣ୍ଡିଆନ୍ ନେଭି ଇଣ୍ଟର୍ ସ୍କୁଲ୍ କୁଇଜ୍ ପ୍ରତିଯୋଗିତା’ ଅନୁଷ୍ଠିତ ହୁଏ। ‘ନେଭି ହାଫ୍ ମାରାଥନ୍’ ଏବଂ ସ୍କୁଲ୍ ପିଲାଙ୍କ ନିମନ୍ତେ ‘ଏୟାର୍ ଡିସ୍ପ୍ଲେ’ ଆୟୋଜନ କରାଯାଏ। ଶେଷରେ ହୁଏ ‘ବିଟିଙ୍ଗ୍ ରିଟ୍ରିଟ୍’ ଏବଂ ‘ଟାଟୁ’ ବା ‘ବାଦ୍ୟ ବଜାଣ’ ଉତ୍ସବ।
ପ୍ରେରଣା ଓ ଈଶାନଙ୍କ ପିଲାବେଳର ବହୁ ସମୟ ସମୁଦ୍ର କୂଳରେ ଅତିବାହିତ ହୋଇଛି। ଦୁହେଁ ବେଳାଭୂମି ବାଲିରେ ବସି ଦୂରଦିଗନ୍ତରେ ଭାସମାନ ଜାହାଜ ସବୁ ଦେଖୁଥିଲେ ଏବଂ ମନେ ମନେ ବିଚାର କରୁଥିଲେ ଏମିତି ଗୋଟାଏ ଜାହାଜ ଚଳାଇ ଊର୍ମିମାଳା କାଟି ପାଣିରେ ବୁଲନ୍ତେ ନି! କେବଳ ସେତିକି ନୁହେଁ, ପରିବାର ସଦସ୍ୟଙ୍କ ପାଖରୁ ଦୁଃସାହସିକ କାହାଣୀ ଶୁଣି ଶୁଣି ନୌସେନାରେ ଯୋଗଦେବା ନିମନ୍ତେ ଦୁହେଁ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରିଥିଲେ। ଲକ୍ଷ୍ୟ ହାସଲ ନିମନ୍ତେ ବାଧାବନ୍ଧନ ପ୍ରତିହତ କରିବାକୁ ପ୍ରତିବଦ୍ଧ ପ୍ରେରଣାଙ୍କ ପାଇଁ ନୌସେନାରେ ଯୋଗଦେବା ମାର୍ଗ ଅଚିରେ ସୁଗମ ହୋଇଯାଇଥିଲା। ସେ ୨୦୦୯ରେ ନୌସେନାରେ ଯୋଗ ଦେଇଥିଲେ। ଏହାପରେ ନିଷ୍ଠାପର ଭାବେ କାର୍ଯ୍ୟକରି ୨୦୨୩ରେ ପ୍ରଥମ ମହିଳା କମାଣ୍ଡର୍ ଭାବେ ମିସାଇଲ୍ବାହୀ ଯୁଦ୍ଧପୋତ ଆଇଏନ୍ଏସ୍ ତ୍ରିଙ୍କଟ୍ରେ ଅବସ୍ଥାପିତ ହୋଇଥିଲେ। ଭଉଣୀ ପ୍ରେରଣାଙ୍କଠାରୁ ସମୁଦ୍ର ସମ୍ବନ୍ଧୀୟ କାହାଣୀ ସବୁ ଶୁଣି ସେ ମଧ୍ୟ ନୌସେନାରେ ଯୋଗ ଦେବା ଲାଗି ଆଗ୍ରହୀ ହୋଇଥିଲେ।
ନୌସେନା ଜାହାଜରେ ପ୍ରଥମ ମହିଳା କମାଣ୍ଡର୍ ହୋଇ ପ୍ରେରଣା ଗତବର୍ଷ ଇତିହାସ ରଚିଥିଲେ। ତାଙ୍କ କୃତିତ୍ବ ଖାଲି ତାଙ୍କ ପରିବାର ଲାଗି ନୁହେଁ ସମଗ୍ର ଦେଶର ମହିଳାଙ୍କ ମନରେ ଉତ୍ସାହ ଭରିଥିଲା। ଈଶାନ ନୌସେନାରେ ଯୋଗ ଦେବା ପରେ ୨୦୨୪ ନଭେମ୍ବର ୧୪ ତାରିଖରେ ‘ଆଇଏନ୍ଏସ୍ ବିଭୂତି’ରେ କମାଣ୍ଡର୍ ଭାବେ ଯୋଗ ଦେଇଛନ୍ତି। ଭାରତୀୟ ନୌସେନାର ୱେଷ୍ଟର୍ଣ୍ଣ କମାଣ୍ଡ୍ ଅଧୀନରେ ଥିବା ଯୁଦ୍ଧ ଜାହାଜ ଦୁଇଟିର ନିର୍ମାଣ ଓ ଉଦ୍ଦେଶ୍ୟ ପୃଥକ୍ ହୋଇଥିଲେ ବି ଭାଇଭଉଣୀ ଦୁହେଁ ଏକ ସମୟରେ ସେଥିରେ କମାଣ୍ଡର୍ ଭାବେ ଅବସ୍ଥାପିତ ହେବା ବାସ୍ତବିକ ବିରଳ ଘଟଣା। ପ୍ରେରଣାଙ୍କ ‘ଆଇଏନ୍ଏସ୍ ତ୍ରିଙ୍କଟ’ ‘ଫାଷ୍ଟ୍ ଆଟାକ୍ ମିସନ୍’ ନିମନ୍ତେ ନିର୍ମିତ ହୋଇଥିବାରୁ ଅପେକ୍ଷାକୃତ କ୍ଷିପ୍ର। କ୍ଷେପଣାସ୍ତ୍ର ସଜ୍ଜିତ ଈଶାନଙ୍କ ଜାହାଜ ‘ଆଇଏନ୍ଏସ୍ ବିଭୂତି’ର ପ୍ରାଧାନ୍ୟ ମଧ୍ୟ କିଛି କମ୍ ନୁହେଁ। ପ୍ରେରଣା ଓ ଈଶାନଙ୍କ ଜୀବନଯାତ୍ରା ଖୁବ୍ ନିଆରା। ପିଲାମାନେ ନିଜ ନିଜର ଲକ୍ଷ୍ୟପଥରେ ଯାଇ ଏଭଳି ପଦବିରେ ଅବସ୍ଥାପିତ ହେବେ ବୋଲି ସେମାନଙ୍କ ପିତାମାତା ମଧ୍ୟ କଳ୍ପନା କରି ନ ଥିଲେ। ସମ୍ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିବା ଏକ ‘ଷ୍ଟିମ୍-ପାଷ୍ଟ୍’ କାର୍ଯ୍ୟକ୍ରମରେ ‘ଆଇଏନ୍ଏସ୍ ବିଭୂତି’ ଯୋଗ ଦେଇଥିଲା। ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଈଶାନ ସେ ଜାହାଜର ଦିଗ୍ଦର୍ଶନ ଦେଉଥିବା ଦେଖି ପ୍ରେରଣା ଆନନ୍ଦରେ ଉଲ୍ଲସିତ ହୋଇପଡୁଥିଲେ।