ହାତୀଙ୍କ ଭାଷା ନେଇ ନୂଆ ତଥ୍ୟ

ମନୁଷ୍ୟ ସମେତ ଅନେକ ସ୍ତନ୍ୟପାୟୀ ପ୍ରାଣୀ ଭାବ ବିନିମୟ ପାଇଁ ଶବ୍ଦ ସହ ଅଙ୍ଗଭଙ୍ଗୀ ବ୍ୟବହାର କରିଥା’ନ୍ତି। ଆଫ୍ରିକୀୟ ହାତୀ (ଲୋକ୍ସୋଡୋଣ୍ଟା ଆଫ୍ରିକାନା)ମାନେ ବି ଭାବ ବ୍ୟକ୍ତ କରିବା ଲାଗି ଅଙ୍ଗଭଙ୍ଗୀ ଓ ସ୍ବରର ସମ୍ମିଶ୍ରଣ ବ୍ୟବହାର କରନ୍ତି। ‘କମ୍ୟୁନିକେସନ୍‌ସ ବାୟୋଲୋଜି’ ପତ୍ରିକାରେ ଏ ବାବଦରେ ସବିଶେଷ ବିବରଣୀ ପ୍ରକାଶିତ ହୋଇଛି।

ଅଷ୍ଟ୍ରିଆର ଭିଏନା ବିଶ୍ବବିଦ୍ୟାଳୟର ଦଳେ ଗବେଷକ ଜିମ୍ବାୱେର ଜାଫୁତା ଜଙ୍ଗଲର ଆଫ୍ରିକୀୟ ହାତୀମାନଙ୍କର ୧,୦୧୪ ପ୍ରକାର ଶାରୀରିକ ପ୍ରତିକ୍ରିୟା ଓ ୨୬୮ ପ୍ରକାର କଣ୍ଠସ୍ବରକୁ ତର୍ଜମା କରି ଏପରି ନିର୍ଯାସ ପାଇଛନ୍ତି। ଗବେଷକଙ୍କ କହିବାନୁଯାୟୀ, ଆମେ ଯେପରି କୌଣସି କପ୍‌ ବଢ଼ାଇବାକୁ କହିଲା ବେଳେ ତା’ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଉ ଏବଂ ଆମେ ଗମ୍ଭୀର ନୁହେଁ ବୋଲି ଜଣାଇବା ଲାଗି ନିର୍ଦ୍ଦିଷ୍ଟ ବ୍ୟଙ୍ଗାତ୍ମକ ସ୍ବର କି ଅଙ୍ଗଭଙ୍ଗୀ ବ୍ୟବହାର କରୁ, ହାତୀମାନେ ସେମିତି କାନ ହଲାଇବା ବା କାନକୁ ଠିଆ କରିବା ପରି ଅଙ୍ଗଭଙ୍ଗୀ ସହ ନିର୍ଦ୍ଦିଷ୍ଟ ସ୍ବର ସୃଷ୍ଟିକରି ପରସ୍ପର ସହ ଭାବବିନିମୟ କରିଥାନ୍ତି।

ହାତୀମାନେ ଗର୍ଜନ କରିବା ସହ କାନକୁ ପିଟିବାର ମିଶ୍ର ପ୍ରତିକ୍ରିୟା ବେଶୀ ଦେଖାଇଥା’ନ୍ତି। କିନ୍ତୁ ଅଣ୍ଡିରା ହାତୀମାନଙ୍କ ଅପେକ୍ଷା ମାଈ ହାତୀଙ୍କ କ୍ଷେତ୍ରରେ ଏହା ବେଶୀ ଦେଖାଯାଇଥାଏ। ସେହିପରି ୭୧ ପ୍ରତିଶତ ଅଭିବାଦନରେ ସେମାନେ ପରିସ୍ରା, ମଳତ୍ୟାଗ ବା ଝାଳ ନିର୍ଗତ କରିଥା’ନ୍ତି ବୋଲି ଜଣାଯାଇଛି। ଅନ୍ୟ ହାତୀ ଦେଖୁଛି କି ନାହିଁ, ତାହା ଉପରେ ନିର୍ଭର କରି ସେମାନେ ନିଜ ଯୋଗାଯୋଗ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଥା’ନ୍ତି। ଏହିସବୁ ପ୍ରତିକ୍ରିୟା ହାତୀମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ବୀକୃତି ଓ ସାମାଜିକ ବନ୍ଧନକୁ ପ୍ରୋତ୍ସାହିତ କରେ ବୋଲି ଗବେଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର