ନିକଟରେ ସରିଛି ସାଧାରଣ ନିର୍ବାଚନ। କେନ୍ଦ୍ର ଓ ଓଡ଼ିଶାରେ ଉଡ଼ିଛି ବିଜେପିର ବିଜୟ ବାନା। ସରକାର ଚଳାଇବା ନେଇ ଦଳ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ। ତେବେ ପ୍ରଶ୍ନ ଉଠୁଛି; ନାରୀ ସଶକ୍ତୀକରଣର କଥା କହି ଭୋଟ୍ ହାତେଇଥିବା ବିଜେପି ମହିଳାଙ୍କ ସୁରକ୍ଷା ଓ ସଫଳତା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାଗୁଡ଼ିକର ସଫଳ ରୂପାୟନ କିପରି କରିବ?
ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି; ବେଟି ବଚାଓ-ବେଟି ପଢ଼ାଓ, ୱାର୍କିଂ ୱିମେନ୍ ହଷ୍ଟେଲ୍, ୱାନ୍ ଷ୍ଟପ୍ ସେଣ୍ଟର୍, ୱିମେନ୍ ହେଲ୍ପ୍ଲାଇନ୍, ମହିଳା ପୁଲିସ ଭଲ୍ୟୁଣ୍ଟିୟର୍ସ, ମହିଳା ଇ-ହାଟ, ସପୋର୍ଟ ଟୁ ଟ୍ରେନିଂ ଆଣ୍ଡ୍ ଏମ୍ପ୍ଲୋଏମେଣ୍ଟ୍ ପ୍ରୋଗ୍ରାମ୍ ଫର୍ ୱିମେନ୍, ସ୍ବଧାର ଗୃହ, ମହିଳା ଶକ୍ତିକେନ୍ଦ୍ର ଓ ରାଜୀବ ଗାନ୍ଧୀ ନାସ୍ନାଲ୍ କ୍ରେଚ୍। ‘ବେଟି ବଚାଓ-ବେଟି ପଢ଼ାଓ’ ଯୋଜନାର ଲକ୍ଷ୍ୟ ମହିଳାଙ୍କ ସୁରକ୍ଷା ସହ ଲିଙ୍ଗଗତ ତାରତମ୍ୟ ଦୂର ପାଇଁ ଶିକ୍ଷାକୁ ସୁନିଶ୍ଚିତ କରିବା। ସେହିପରି ‘ୱାର୍କିଂ ୱିମେନ୍ ହଷ୍ଟେଲ୍’ ଯୋଜନାର ଉଦ୍ଦେଶ୍ୟ; କର୍ମଜୀବୀ ମହିଳାଙ୍କ ପାଇଁ ସୁରକ୍ଷିତ ରହଣି ସହ ସେମାନଙ୍କର ପିଲାଙ୍କ ଦିବାଯତ୍ନ ନେବା। ନିର୍ଭୟା ଫଣ୍ଡ୍ରେ ପରିଚାଳିତ ‘ୱାନ୍ ଷ୍ଟପ୍ ସେଣ୍ଟର୍’ ଯୋଜନା କହେ, ଲିଙ୍ଗଗତ ହିଂସାର ଶିକାର ମହିଳାଙ୍କୁ ସୁରକ୍ଷା ଦେବା ସହ ଆପାତ୍କାଳୀନ ଚିକିତ୍ସା, ଆଇନ ସହାୟତା ଓ ପରାମର୍ଶ ସେବା ଯୋଗାଇବା। ‘ୱିମେନ୍ ହେଲ୍ପଲାଇନ୍’ ଯୋଜନାର ଉଦ୍ଦେଶ୍ୟ ମହିଳାଙ୍କୁ ଚବିଶ ଘଣ୍ଟିଆ ସୁରକ୍ଷା ପ୍ରଦାନ କରିବା, ଯେଉଁଥିପାଇଁ ୧୮୧ ନମ୍ବର ଜାରି କରାଯାଇଛି। ଅନ୍ୟପକ୍ଷରେ ମହିଳାମାନଙ୍କ କ୍ଷେତ୍ରରେ ହେଉଥିବା ଆପରାଧିକ ମାମଲାଗୁଡ଼ିକର ତର୍ଜମା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଓ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ‘ମହିଳା ପୁଲିସ ଭଲ୍ୟୁଣ୍ଟିଅର୍ସ’ ଯୋଜନାର ଲକ୍ଷ୍ୟ। ସେହିପରି ‘ମହିଳା ଇ-ହାଟ’ ଯୋଜନା ଦ୍ବାରା ମହିଳାମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଇଣ୍ଟର୍ନେଟ୍ ଓ ସୋସିଆଲ୍ ମିଡିଆ ମାଧ୍ୟମରେ ବିକ୍ରୟ କରନ୍ତି। ‘ସପୋର୍ଟ ଟୁ ଟ୍ରେନିଂ ଆଣ୍ଡ୍ ଏମ୍ପ୍ଲୋଏମେଣ୍ଟ୍ ପ୍ରୋଗ୍ରାମ୍ ଫର୍ ୱିମେନ୍’ ଏପରି ଏକ ଯୋଜନା, ଯାହା ମହିଳାଙ୍କୁ ତାଲିମ ଦିଏ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରେ। ଗୋଟିଏ ଛାତ ତଳେ ଅସହାୟ ମହିଳାଙ୍କୁ ଖାଦ୍ୟ ଓ ବସ୍ତ୍ର ଯୋଗାଇବା ଏବଂ ସାମାଜିକ, ଅର୍ଥନୈତିକ ଓ ସ୍ବାସ୍ଥ୍ୟଗତ ସୁରକ୍ଷା ପ୍ରଦାନ କରିବା ହେଉଛି ‘ସ୍ବଧାର ଗୃହ’ ଯୋଜନାର ଆଭିମୁଖ୍ୟ। ‘ମହିଳା ଶକ୍ତିକେନ୍ଦ୍ର’ ଯୋଜନା ଦ୍ବାରା ମହିଳାଙ୍କ ଦକ୍ଷତା ବିକାଶ ସହ ବୈଷୟିକ ଜ୍ଞାନ ବୃଦ୍ଧି ଓ ଚାକିରି ସୁଯୋଗ ସୃଷ୍ଟି କରାଯାଏ। ରାଜୀବ ଗାନ୍ଧୀ ନ୍ୟାସ୍ନାଲ୍ କ୍ରେଚ୍ ଯୋଜନା ମାଧ୍ୟମରେ କର୍ମଜୀବୀ ମହିଳାମାନଙ୍କ ପିଲାଙ୍କୁ ଦିବାଯତ୍ନ ସେବା ପ୍ରଦାନ କରିବାର ପ୍ରାବଧାନ ରହିଛି। ବିଗତ ଦିନଗୁଡ଼ିକରେ ଦେଖାଯାଇଛି; ମହିଳାମାନଙ୍କ ସୁରକ୍ଷା ଓ ସଫଳତା ପାଇଁ ପ୍ରସ୍ତୁତ ଯୋଜନାର ପରିଚାଳନା ହତୋତ୍ସାହିତ କଲା ପରି। ତେବେ ନୂଆ ବିଜେପି ସରକାର ଆସିଲା ପରେ ମହିଳାମାନେ ସଂପୃକ୍ତ ଯୋଜନାଗୁଡ଼ିକର ଲାଭ ପାଉଛନ୍ତି ନା ନିରାଶ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।
ଉଲ୍ଲେଖ ଥାଉକି, ଓଡ଼ିଶାର ସାମାଜିକ ସଂଗଠନ ‘ଜିଏମ୍ଏସ୍ପି’ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ସେହି ସର୍ଭେରେ ମହିଳାମାନଙ୍କୁ ଦୁଇଟି ପ୍ରଶ୍ନ ପଚରାଯାଇଥିଲା। ମହିଳାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସରକାରୀ ଯୋଜନାଗୁଡ଼ିକର ଲାଭ ମିଳୁଛି କି ବୋଲି ପଚରାଯାଇଥିବା ପ୍ରଥମ ପ୍ରଶ୍ନର ଉତ୍ତରରେ ୬୩ ପ୍ରତିଶତ ମହିଳା ନକାରାତ୍ମକ ମତ ରଖିଥିବା ବେଳେ ୩୭ ପ୍ରତିଶତ ମହିଳା ସକାରାତ୍ମକ ମତ ଦେଇଛନ୍ତି। ସେହିପରି ନୂଆ ସରକାର ଆଗାମୀ ଦିନରେ ଯୋଜନାଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଇବାରେ ସକ୍ଷମ ହେବେ କି ବୋଲି ପଚରାଯାଇଥିବା ଦ୍ବିତୀୟ ପ୍ରଶ୍ନର ଉତ୍ତରରେ ୨୪ ପ୍ରତିଶତ ମହିଳା ନକାରାତ୍ମକ ମତ ରଖିଥିବା ବେଳେ ୭୬ ପ୍ରତିଶତ ମହିଳା ସକାରାତ୍ମକ ମତ ଦେଇଛନ୍ତି।
-ରୁଦ୍ରରଂଜନ ଶେଜପଡ଼ା