ମୋନାଲିସା ପରିଡ଼ା

କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)କୁ ନେଇ ଏବେ ଅନେକ ଚର୍ଚ୍ଚା। ଏହା ମାନବ ସମାଜ ପାଇଁ କେ‌ତେ ଲାଭଦାୟକ ବା କେତେ କ୍ଷତିକାରକ, ସେ ବିତର୍କ ଜୋରଦାର ଚାଲିଛି। ଏଆଇ ହେଉଛି ଏକ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ଯାହା ମେସିନ୍‌ଗୁଡ଼ିକୁ ମଣିଷ ପରି ଚିନ୍ତା କରିବା ଏବଂ ତାକୁ କାର୍ଯ୍ୟରେ ରୂପାନ୍ତରିତ କରିବାରେ ସକ୍ଷମ କରିଥାଏ। ମହାକାଶ ବିଜ୍ଞାନରୁ ମାଟିର ଉପଯୋଗ ପର୍ଯ୍ୟନ୍ତ ସବୁ କାର୍ଯ୍ୟକୁ ସହଜ କରିଛି ଏଆଇ। ମଣିଷର ନିର୍ଦ୍ଦେଶରେ ଏସବୁ କାର୍ଯ୍ୟ କରିବା ଭିତରେ ଏଆଇ ଦ୍ବାରା ହେଉଥିବା ସୂଚନା ଚୋରିକୁ ଧରିବା ବିଶେଷଜ୍ଞଙ୍କ ପାଇଁ ଚାଲେଞ୍ଜ ହୋଇଛି। ଏଇ ଚାଲେଞ୍ଜ୍‌କୁ ଗ୍ରହଣକରି ଏଆଇର ତଥ୍ୟ ଚୋରିକୁ ଧରିବାରେ ସକ୍ଷମ ହୋଇଛନ୍ତି ଓଡ଼ିଆ ପୁଅ ତୋଷିତ ପାଣିଗ୍ରାହୀ। ଆମେରିକାର ବୋଷ୍ଟନ୍‌ରେ ରହୁଥିବା ତୋଷିତଙ୍କ ଜନ୍ମ ଭୁବନେଶ୍ବରରେ। ୩ ବର୍ଷ ବୟସରୁ ବି‌ଦେଶରେ ଥିବା ତୋଷିତଙ୍କ କାମ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ବୃତ୍ତିରେ ଜଣେ କମ୍ପ୍ୟୁଟର୍‌ ଇଂଜିନିୟର୍‌ ତୋଷିତ ସଂପ୍ରତି ଏଆଇ ଦ୍ବାରା ହେଉଥିବା ତଥ୍ୟ ଚୋରିରୁ ସାରା ତଥ୍ୟ ପ୍ରସାରଣକାରୀଙ୍କୁ କିଭଳି ସୁରକ୍ଷିତ କରିହେବ ତା’ର ବାଟ ବାହାର କରିଛନ୍ତି। ବିଭିନ୍ନ ପ୍ରକାଶକଙ୍କ ଲେଖା ଚୋରି କରୁଥିବା ଏଆଇକୁ ରୋକିବା ଏବଂ ପ୍ରକାଶକଙ୍କୁ ପ୍ରାପ୍ୟ ଦିଆଇବା କାର୍ଯ୍ୟ କରୁଛି ତାଙ୍କ ସଂସ୍ଥାପିତ କମ୍ପାନି ‘ଟୋଲ୍‌ବିଟ୍‌’। ୨୦୨୩ରେ ଆରମ୍ଭ ହୋଇଥିବା ‘ଟୋଲ୍‌ବିଟ୍‌’ର ଚିନ୍ତାଧାରା ଓ କାର୍ଯ୍ୟପ୍ରଣାଳୀ ସଂପ୍ରତି ବହୁ ନିବେଶକଙ୍କୁ ଆକର୍ଷିତ କରିଛି।

Advertisment

ବାପା ମୋବାଇଲ୍ ଇଞ୍ଜିନିୟର୍‌ ହୋଇଥିବାରୁ ୩ ବର୍ଷ ବୟସରୁ ବିଦେଶରେ ରହିବା ଆରମ୍ଭ କରିଥିଲେ ତୋଷିତ। ପ୍ରଥମେ ଆବୁଧାବି ଓ ପରେ ସେଠାରୁ ପରିବାର ସହ ଯାଇଥିଲେ କାଲିଫର୍ଣ୍ଣିଆ। ୨୦୦୫ରେ ବାପା ବୋଷ୍ଟନ୍‌ରେ ସ୍ଥାୟୀ ଭାବେ ରହିବା ପରେ ସେଠାରେ ପଢ଼ାପଢ଼ି କରିଥିଲେ ତୋଷିତ। ହେଲେ ୨୦୦୭ରେ କେବଳ ଗୋଟେ ବର୍ଷ ପାଇଁ ଓଡ଼ିଶା ଆସି ଏଠାରେ ସପ୍ତମ ଶ୍ରେଣୀରେ ପଢ଼ିଥିଲେ ସେ। ମାତ୍ର ୨୦୦୮ରେ ସେ ପୁଣି ଫେରିଯାଇଥିଲେ ଆମେରିକା। ବୋଷ୍ଟନ୍‌ ବିଶ୍ବବିଦ୍ୟାଳୟରେ କମ୍ପ୍ୟୁଟର୍‌ ସାଇନ୍ସ ଓ ବିଜ୍‌ନେସ୍‌ରେ ବ୍ୟାଚେଲର୍‌ ପଢ଼ିବା ବେଳେ ଏକ ଷ୍ଟାର୍ଟଅପ୍ କମ୍ପାନିରେ ସେ ଚାକିରି ପାଇଲେ। ସେହି ଚାକିରି ତାଙ୍କ ଜୀବନର ମୋଡ଼ ବଦଳାଇବା ସହ ତାଙ୍କୁ ନୂଆ ଲକ୍ଷ୍ୟ ଦେଇଥିଲା। ଚାକିରି କାଳରେ ସେ ଅନେକ ନୂଆ ଜିନିଷ ଶିଖିଲେ। ‌ପ୍ରଡକ୍ଟ ଡିଜାଇନ୍‌ର୍‌ ଭାବେ କାମ ଆରମ୍ଭ କରିଥିବା ତୋଷିତ ପଦୋନ୍ନତି ପାଇ ବଡ଼ ବଡ଼ ପଦବିକୁ ଗଲେ। ଏହି ସମୟରେ ସେ ଏଆଇ କାର୍ଯ୍ୟକଳାପ ଦ୍ବାରା ପ୍ରକାଶକମାନଙ୍କୁ ହେଉଥିବା କ୍ଷତି ବିଷୟରେ ଜାଣିବାକୁ ପାଇଲେ ଏବଂ ଏହାର ନିରାକରଣ ପାଇଁ ଟୋଲ୍‌ବିଟ୍‌୍‌ର ପରିକଳ୍ପନା କଲେ। ୯ବର୍ଷର ଚାକିରି ଜୀବନ ‌ଶେଷକରି ସେ ୨୦୨୩ ଡିସେମ୍ବରରେ ଟୋଲ୍‌ବିଟ୍‌ ଆରମ୍ଭ କଲେ। ହେ‌ଲେ କମ୍ପାନି ଆରମ୍ଭ କରିବା ସହଜ ନଥିଲା। ଆର୍ଥିକ ସହାୟତା ପାଇଁ ତାଙ୍କୁ ନିବେଶକଙ୍କ ଆବଶ୍ୟକତା ଥିଲା। ଏଭଳି ଏକ ନୂଆ ସମସ୍ୟାକୁ ବୁଝି ସେଥିରେ ପୁଞ୍ଜି ନିବେଶ କରିବାକୁ କେହି ରାଜି ହୋଇ ନଥିଲେ।

ଏହି ସମୟରେ ତାଙ୍କ ପାଇଁ ବରଦାନ ପାଲଟିଲା ନ୍ୟୁୟର୍କ ଟାଇମ୍‌ସ୍‌। ଓପନ୍‌ ଏଆଇ ଲେଖା ଚୋରି କରୁଥିବା ନେଇ ନ୍ୟୁୟର୍କ ଟାଇମ୍‌ସ୍‌ ଏକ ମାମଲା କୋର୍ଟରେ ରୁଜୁ କରିବା ପରେ ନିବେଶକମାନେ ତୋଷିତଙ୍କ କମ୍ପାନିର କାମକୁ ବୁଝିପାରିଥିଲେ। ଭବିଷ୍ୟତରେ ଏହା ସେମାନଙ୍କୁ କେତେ ଲାଭ ଦେବ ତାହା ଜାଣିବା ପରେ ଟୋଲ୍‌ବିଟ୍‌ ପାଇଁ ନିବେଶକଙ୍କ ଲାଇନ୍ ଲାଗିଥିଲା। ଟୋଲ୍‌ବିଟ୍‌ର କାର୍ଯ୍ୟ ସଂପର୍କରେ ପଚରାଯିବାରୁ ତୋଷିତ କହନ୍ତି, ‘‘ସହଜ ଭାଷାରେ କହିବାକୁ ଗଲେ ଆମ କମ୍ପାନି ଏଆଇ ଚୋରିକୁ ଧରୁଛି। ମୁଁ ଆପଣଙ୍କୁ ଏକ ଉଦାହରଣ ଦେଇ ବୁଝାଇବି। ଆଜିକାଲି ଅନେକ ଖବରକାଗଜ ନିଜର ଡିଜିଟାଲ୍‌ ସାଇଟ୍ ଆରମ୍ଭ କଲେଣି। ଖବରକାଗଜରେ ବିଜ୍ଞାପନ ଦେଇ ପ୍ରକାଶକମାନେ ଟଙ୍କା ଆୟ କରନ୍ତି। ହେଲେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଜଣେ ବ୍ୟକ୍ତି ଲିଙ୍କ୍‌ ଉପରେ କ୍ଲିକ୍‌କରି ଖବର ଭିତରକୁ ଗଲେ ହିଁ ବିଜ୍ଞାପନ ଦେଖିପାରିବ ଏବଂ ଏଭଳି ହେଲେ ୱେବ୍‌ସାଇଟ୍ ମାଲିକ ଟଙ୍କା ଆୟ କରିପାରିବେ। ହେଲେ ଏଆଇ ଏବେ କମ୍‌ ସମୟରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ବିଭିନ୍ନ ଖବରକାଗଜର ଡିଜିଟାଲ୍‌ ପ୍ଲାଟ୍‌ଫର୍ମରୁ ତଥ୍ୟ ନେଇଥାଏ। ଏଆଇ ଇଂଜିନ୍‌ ଆସିି ୱେବସାଇଟ୍‌‌ରୁ ଖବର ପଢ଼ିଲେ ବିଜ୍ଞାପନରୁ ଆୟ ‌ହୁଏନାହିଁ। କାରଣ ସେ ଲୁଚି ଲୁଚି ଏହା କରିଥାଏ। ଏଆଇ ୱେବ୍‌ସାଇଟକୁ ଆସି ଖବର ପଢୁଥିବା କଥା ୱେବ୍‌ସାଇଟ୍‌ ଚଳାଉଥିବା ସଂସ୍ଥା ଜାଣିପାରେ ନାହିଁ। ଏହାଦ୍ବାରା ତଥ୍ୟ ଚୋରିହେବା ସହ ୱେବ୍‌ସାଇଟ୍ ମାଲିକଙ୍କୁ ସେମାନଙ୍କ ପ୍ରାପ୍ୟ ମିଳେନାହିଁ।’’ 

‘‘ଏହି ସମସ୍ୟାର ସମାଧାନ ପାଇଁ ଆମେ ଟୋଲ୍‌ବିଟ୍‌ ଆରମ୍ଭ କରିଛୁ। ଆମେ ଏଆଇ ରୋବୋଟ୍‌କୁ ବ୍ଲକ୍ କରିପାରିବୁ, ଯାହାଦ୍ବାରା ଅନୁମତି ବିନା ସେ ୱେବ୍‌ସାଇଟ୍‌କୁ ଆସି ଖବର ପଢ଼ିପାରିବ ନାହିଁ। ଖବର ପଢ଼ିବା ପାଇଁ ହେଲେ ଏଆଇ କମ୍ପାନିକୁ ଟଙ୍କା ଦେବାକୁ ହେବ। ଟୋଲ୍‌ବିଟ୍‌ ପ୍ରକାଶକଙ୍କ ପାଇଁ ଏହି କାମ କରୁଛି। ପ୍ରକାଶକ ବିଭିନ୍ନ ଖବର ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରନ୍ତି। ଏହା ସହ ଟୋଲ୍‌ବିଟ୍‌ର ଏକ ଫି’ ଲାଗୁହୁଏ। ଆମେ ଏଆଇ କମ୍ପାନିମାନଙ୍କ ପାଇଁ ୱେବ୍‌ସାଇଟ୍ ବ୍ଲକ୍ କରି ତାକୁ ପ୍ରକାଶକ ଓ ଟୋଲ୍‌ବିଟ୍‌ ମିଶି ଧାର୍ଯ୍ୟ କରିଥିବା ମୂଲ୍ୟ ଦେବାକୁ କହୁ। ଏଆଇ କମ୍ପାନି ଏହି ମୂଲ୍ୟ ଦେବା ପରେ ସେମାନେ ଖବର ପଢ଼ିପାରନ୍ତି। ଯେତେ‌ ଥର ଏଆଇ ଆସି ୱେବସାଇଟ୍ ପରିଦର୍ଶନ କରିବ ସେତେ ଥର ତାକୁ ଟଙ୍କା ଦେବାକୁ ହେବ।’’