ମୁହୂର୍ତ୍ତକରେ ମେଲେରିଆ ଚିହ୍ନଟ କରିବ ନୂଆ ୧୦ ଟଙ୍କିଆ କିଟ୍‌

କୋଲକତା: ଏକ ନୂତନ କିଟ୍‌ ଯୋଗେ ସାଧାରଣ ମଶାବାହିତ ରୋଗ ମେଲେରିଆ ପରୀକ୍ଷା କରିବା ଏବେ ସହଜସାଧ୍ୟ ହୋଇ ପାରିବ ବୋଲି କୋଲକତାର ଦୁଇଟି ପ୍ରତିଷ୍ଠାନର ଗବେଷକମାନେ କହିଛନ୍ତି।

ଶିବପୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଙ୍ଗ୍‌ ଆଣ୍ଡ୍‌ ଟେକ୍ନୋଲଜି ସହାୟତାରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଙ୍ଗ୍‌ ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ୍‌ର ଦଳେ ଗବେଷକ ସ୍ୱଳ୍ପ ମୂଲ୍ୟ ବିଶିଷ୍ଟ ଏକ ମେଲେରିଆ ପରୀକ୍ଷା କିଟ୍‌ ବିକଶିତ କରିଥିବା କଥା ଦାବି କରିଛନ୍ତି। କିଛି ପରିବର୍ତ୍ତନ କରାଗଲେ ଏଥିରେ ଡେଙ୍ଗୁ ମଧ୍ୟ ଚିହ୍ନଟ କରାଯାଇପାରିବ ବୋଲି ସେମାନେ କହିଛନ୍ତି।

କେତେକ କେମିକାଲ୍‌ ଥିବା ଏକ ସ୍ଲାଇଡ୍‌ରେ ଥିବା ରକ୍ତନ ମୁନାର ଫଟୋ ନେବା ନିମନ୍ତେ ବ୍ୟବହାର କରିବାକୁ ଏକ କାଗଜ ଅଣୁବୀକ୍ଷଣ ଯନ୍ତ୍ରରେ ଆମେ ଏକ ମୋବାଇଲ୍‌ ଫୋନ୍‌ କ୍ୟାମେରା ଖଞ୍ଜିଛୁ। ଏହି ଡାଟାକୁ ଏକ ସେଣ୍ଟ୍ରାଲ୍‌ ସର୍ଭରରେ ପ୍ରୋସେସ୍‌ କରି ମେଲେରିଆ ସେଲ୍‌ର ଉପସ୍ଥିତି ଚିହ୍ନଟ କରିହେବ ବୋଲି ଆଇଆଇଇଏସ୍‌ଟି ଆଇଟି ବିଭାଗର ମୁଖ୍ୟ ଡକ୍ଟର୍‌ ଅରିନ୍ଦମ୍‌ ବିଶ୍ୱାସ କହିଛନ୍ତି।

ମାମୁଲି ଉପକରଣ ମିଶାଇ ଗଢ଼ାଯାଉଥିବା କାଗଜ ଅଣୁବୀକ୍ଷଣ ଯନ୍ତ୍ର ‘ଫୋଲ୍‌ଡ୍‌ସ୍କୋପ୍‌’ ନାମରେ ଜଣା। ଆଙ୍ଗଠି ଟିପରୁ ବୁନ୍ଦେ ରକ୍ତ ନେଇ ଏହି ୧୦ ଟଙ୍କିଆ ଟେଷ୍ଟ୍‍ କିଟ୍‌ରେ ପରୀକ୍ଷା କରାଇ ପାରିବେ। ଏଥିରେ ସଂଯୋଗ ହୋଇଥିବା ରିମୋଟ୍‌ ଟେଷ୍ଟିଙ୍ଗ୍‌ ବ୍ୟବସ୍ଥା ଦ୍ୱାରା ମୁହୂର୍ତ୍ତକ ମଧ୍ୟରେ ଫଳାଫଳ ଜାଣିହେବ।

ସମ୍ବନ୍ଧିତ ଖବର