ଚଳିତ ବର୍ଷ ନୂଆ ମୋଟର ଯାନ ଆଇନ ଲାଗୁ ହେବା ରାଜ୍ୟବାସୀଙ୍କୁ ଝଟକା ଦେଇଥିଲା। ନିୟମ ଉଲଂଘନ କଲେ, ଯେଉଁ ମୋଟା ଅଙ୍କର ଜରିମାନା ଲାଗୁ କରିବାକୁ ସ୍ଥିର ହୋଇଥିଲା, ତାହା ଶୁଣି ଅନେକ କାର ଓ ବାଇକ ଚାଳକଙ୍କ ହୋସ ଉଡି ଯାଇଥିଲା। କାଗଜପତ୍ର ପ୍ରସ୍ତୁତ କରିବା ପାଇ ରାଜ୍ୟର ବିଭିନ୍ନ ପରିବହନ କାର୍ଯ୍ୟାଳୟ ନିକଟରେ ଏବେ ବି ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଏହି ନୂଆ ମୋଟର ଯାନ ଆଇନ ଲାଗୁ କରିବାବେଳେ ଉଭୟ ପୁଲିସ ଓ ପରିବହନ ବିଭାଗ ବିଭିନ୍ନ ସ୍ଥାନରେ ବିରୋଧରେ ଶିକାର ହୋଇଥିଲେ। ରାଜ୍ୟ ରାଜଧାନୀଠାରୁ ଆରମ୍ଭ କରି ଆଦିବାସୀ ଅଧ୍ୟୁଷିତ ମାଲାକାନାଗିରିରେ ମଧ୍ୟ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭୁବନେଶ୍ବରରେ ରାଜମହଲ ଛକରେ ଜନତା ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃ୍ଷ୍ଟି ହୋଇଥିଲା। ଫଳରେ ରାଜ୍ୟ ସରକାର ଏହି ମୋଟର ଯାନ ଆଇନ ଲାଗୁ କରିବା ନେଇ ଚିନ୍ତାରେ ପଡ଼ିଯାଇଥିଲେ। ରାଜ୍ୟ ସରକାର ବାଧ୍ୟ ହୋଇ ଏହି ନିୟମକୁ ୩ ମାସ ପାଇଁ କୋହଳ କରିଥିଲେ। କିନ୍ତୁ ୩ ମାସରେ ମଧ୍ୟ ଏଥିରେ କୌଣସି ସୁଧାର ଆସି ନ ଥିଲା। ରାଜ୍ୟର ବିଭିନ୍ନ ପରିବହନ କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ ଲାଗି ଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ପୁଣି ଥରେ ଆସନ୍ତା ଫେବ୍ରୁଆରି ୨୯ ପର୍ଯ୍ୟନ୍ତ ଏହି ଆଇନକୁ କୋହଳ କରିଛନ୍ତି।
ସାରା ରାଜ୍ୟରେ ବ୍ୟାପକ ଅଗ୍ନିଶମ ଚଢ଼ଉ
ଚଳିତ ବର୍ଷ ଅଗ୍ନିଶମ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଚଢ଼ଉ କରାଯାଇଥିଲା। ସପିଂ ମଲଠାରୁ ଆରମ୍ଭ ସିନେମା ହଲ, ମଣ୍ଡପ, ମାର୍କେଟ କଂପ୍ଲେକ୍ସ, ଆପାର୍ଟମେଣ୍ଟରେ ଚଢ଼ଉ କରିଥିଲା ଅଗ୍ନିଶମ ବିଭାଗ। ସମସ୍ତଙ୍କୁ ଅଗ୍ନିଶମ ସାର୍ଟିଫିର୍କେଟ ଓ ଲାଇସେନ୍ସ ବାଧ୍ୟତାମୂଳକ କରିଥିଲା। ଅଗ୍ନିଶମ ବିଭାଗର ଏଭଳି ଚଢ଼ଉରେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଥିଲେ। ଏପରିକି ଅନେକ ଆବେଦନ କରିଥିଲେ ମଧ୍ୟ ଅଗ୍ନିଶମ ବିଭାଗ ସେ ସବୁ ଫାଇଲକୁ ଅଟକାଇ ରଖିଥିଲା। କିନ୍ତୁ କାହିଁକି ଅଟକିଥିଲା ତାର କାରଣ କିଛି ଜଣାପଡ଼ୁ ନ ଥିଲା। ଶେଷରେ ହଠାତ ରାଜ୍ୟ ସରକାର କ୍ଷେତ୍ର ଅଧିକାରୀମାନଙ୍କୁ ଅଗ୍ନିଶମ ସାର୍ଟିଫିକେଟ ପ୍ରଦାନ କରିବା କ୍ଷମତା ଦେଇଥିଲେ। ଏପରିକି କଟକ, ଭୁବନେଶ୍ବରର କେତେକ ଅଗ୍ନିଶମ କର୍ମଚାରୀଙ୍କ ବଦଳି ମଧ୍ୟ ହୋଇଥିଲା। ଯାହା ଏବେ ବି ରହସ୍ୟମୟ ହୋଇ ରହିଛି।
ଆକ୍ସନ ମୁଡ୍ରେ ଏସ୍ଟିଏଫ୍
୨୦୧୯ରେ ମାତିଥିଲା କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍। ଖୋର୍ଦ୍ଧା ବେଆଇନ ଖଣି କାରବାର ଓ ବ୍ରାଉନ ସୁଗାର ବେପାର ଉପରେ ବର୍ଷ ତମାମ୍ ଚଢ଼ାଉ କରିଥିଲା। ବେଆଇନ ଖଣି କାରବାରରେ ସରକାରୀ ଅଧିକାରୀଙ୍କ ସମେତ ୨୧ଜଣଙ୍କୁ ବାନ୍ଧିଥିବା ବେଳେ ବ୍ରାଉନ୍ ସୁଗାର ମାମଲାରେ ବାଲେଶ୍ବରର ମାଷ୍ଟର ମାଇଣ୍ଡ ରାଜା ସମେତ ଖୋର୍ଦ୍ଧାର କୁଖ୍ୟାତ ବେପାରୀ ଛୋଟାକୁ ମଧ୍ୟ ଗିରଫ କରିଥିଲା। ଖୋର୍ଦ୍ଧାରେ ମାଫିଆଙ୍କ ବେଆଇନ ଘର ମଧ୍ୟ ଭାଙ୍ଗିଥିଲା। ଖଣି ମାଫିଆମାନେ ତ୍ରାହି ତ୍ରାହି ଡାକି ଥିଲେ। ଖଣି ମାଫିଆଙ୍କୁ ସହଯୋଗ କରିଥିବା ଦୁଇଜଣ ପୁଲିସ ଅଫିସରଙ୍କୁ ବାନ୍ଧିବା ପାଇଁ ଯୋଜନା କଲାବେେଳ ସେମାନେ ଫେରାର ହୋଇ ଯାଇଥିଲେ। ଜଣେ ‘ଲେଡି ଡନ୍’ଙ୍କ ସମେତ ଜଣେ ରାଜନେତା ଓ ଅନ୍ୟ ୫ ଜଣଙ୍କୁ ବାନ୍ଧିବା ଯୋଜନା କଲାବେଳେ ଭୟରେ ସେମାନେ ହାଇକୋର୍ଟରେ ପହଞ୍ଚି ଯାଇଥିଲେ। ଜାଣି ଜାଣି ଏହି ଅଭିଯୁକ୍ତମାନଙ୍କୁ ସୁଯୋଗ ଦିଆଯାଇଥିବା ନେଇ ଚର୍ଚ୍ଚା ହେବା ପରେ ଏସ୍ଟିଏଫ୍ ନିନ୍ଦିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/violance.jpg-f.jpg)