ନୂତନ ଜାତୀୟ ଶିକ୍ଷା ନୀତି : ଏମିତି ବଦଳିଯିବ ସବୁକିଛି

ଚାରି ଭାଗରେ ସ୍କୁଲ୍‌ ଶିକ୍ଷା, ୧୦+୨ର ଯୁଗ ଶେଷ, ଏଣିକି ୫+୩+୩+୪

ଜୁଲାଇ ୨୯ ତାରିଖରେ କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷା ନୀତି-୨୦୨୦’ ପ୍ରଣୟନ କରିଛନ୍ତି। ସ୍ବାଧୀନ ଭାରତରେ ତୃତୀୟ ଥର ପାଇଁ ଶିକ୍ଷା ନୀତି କରାଯାଇଛି। ପୂର୍ବରୁ ୧୯୬୮ ଓ ୧୯୮୬ରେ ଶିକ୍ଷା ନୀତି ପ୍ରଣୟନ କରାଯାଇଥିଲା। ନୂଆ ନୀତିରେ ଉଭୟ ସ୍କୁଲ୍‌ ଶିକ୍ଷା ଓ ଉଚ୍ଚଶିକ୍ଷାର ପାଠ୍ୟକ୍ରମ, ପରୀକ୍ଷା ପ୍ରଣାଳୀ ସବୁଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏପରିକି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ବଦଳାଯାଇ ‘ଶିକ୍ଷା ମନ୍ତ୍ରଣାଳୟ’ ନାମରେ ନାମିତ କରାଯାଇଛି। ଦୀର୍ଘ ୩୪ ବର୍ଷ ପରେ ଶିକ୍ଷା ନୀତି ବଦଳୁଥିବାରୁ ତାହାକୁ ନେଇ ଦେଶବ୍ୟାପୀ ଆଲୋଚନା, ସମାଲୋଚନା ଆରମ୍ଭ ହୋଇଯାଇଛି। ଶିକ୍ଷାବିତ୍‌ମାନେ ବିଭିନ୍ନ ଦୃଷ୍ଟିକୋଣରୁ ତାହାର ତର୍ଜମା ଆରମ୍ଭ କରିଛନ୍ତି। ତେବେ ଶିକ୍ଷା ନୀତିକୁ ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏ ଯାଏ ସ୍ପଷ୍ଟ ହୋଇ ନାହିଁ। ଭାରତରେ ସ୍କୁଲ୍‌ ଶିକ୍ଷାର ଭିତ୍ତିଭୂମିକୁ କିପରି ବିକଶିତ କରାଯାଇ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ନୂଆ ଶିକ୍ଷା ନୀତିର ବିଭିନ୍ନ ଦିଗକୁ ନେଇ ‘ସମ୍ବାଦ’ର ଏହି ସ୍ବତନ୍ତ୍ର ଉପସ୍ଥାପନା।

ଜାତୀୟ ଶିକ୍ଷ‌ା‌ ନୀତି-୨୦୨୦ରେ ସ୍କୁଲ୍‌ ଶିକ୍ଷା ଆଉ ୧୦+୨ ଢାଞ୍ଚାରେ ଚାଲିବ ନାହିଁ। ୧୨ ବର୍ଷର ସ୍କୁଲ୍‌ ଶିକ୍ଷା ଏବଂ ୩ ବର୍ଷର ଅଙ୍ଗନବାଡ଼ି/ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସହିତ ୫+୩+୩+୪ ଢାଞ୍ଚାରେ ଶିକ୍ଷା ପ୍ରଦାନ କରାଯିବ। ୩ ବର୍ଷ ବୟସରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ସ୍କୁଲ୍‌ ଶିକ୍ଷା ଅଧୀନକୁ ଅଣାଯାଇଛି।

ନୂତନ ଢାଞ୍ଚାରେ ପ୍ରଥମ ୫ବର୍ଷ ପର୍ଯ୍ୟାୟରେ ରହିବେ ୩ ବର୍ଷରୁ ୮ ବର୍ଷ ପର୍ଯ୍ୟନ୍ତ ପିଲା। ଏହାକୁ ମୌଳିକ ପର୍ଯ୍ୟାୟ କୁହାଯାଉଛି। ଏହି ପର୍ଯ୍ୟାୟରେ ଦୁଇଟି ଭାଗରେ ପିଲା ପାଠ ପଢ଼ିବେ। ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା, ନିରାପଦ ଓ ଉଚ୍ଚମାନର ‌ଶୈଶବ ଯତ୍ନ ଓ ଶିକ୍ଷା ପ୍ରଦାନ କରାଯିବ। ଏଥି ପାଇଁ ଅଙ୍ଗନବାଡ଼ି, ପ୍ରାକ୍ ବିଦ୍ୟାଳୟ ଓ ବାଲ୍‌ ବାଟିକାଗୁଡ଼ିକୁ ଦକ୍ଷ ଓ ସମ୍ପ୍ରସାରିତ କରାଯିବ। ୬ରୁ ୮ ବର୍ଷ ପର୍ଯ୍ୟନ୍ତ ପିଲା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ପଢ଼ିବେ। ମାନବ ସମ୍ବଳ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ଆଦିବାସୀ ମନ୍ତ୍ରଣାଳୟ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିବେ।

ପରବର୍ତ୍ତୀ ୩ ବର୍ଷ ପର୍ଯ୍ୟାୟରେ ୮ ବର୍ଷରୁ ୧୧ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ନେଇ ‘ପ୍ରସ୍ତୁତି ପର୍ଯ୍ୟାୟ’ ରହିବ। ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ବର୍ଗରେ ରହିବେ। ଏଥିରେ ପିଲାମାନଙ୍କୁ ମୁଖ୍ୟତଃ ବିଭିନ୍ନ ଖେଳ, ଉଦ୍‌ଭାବନ ଓ ଆଲୋଚନା ଭିତ୍ତିକ ଶିକ୍ଷା ଦିଆଯିବ।

The Indian Express

ଦ୍ବିତୀୟ ୩ ବର୍ଷ ପର୍ଯ୍ୟାୟରେ ୧୧ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ନେଇ ‘ମଧ୍ୟମ ପର୍ଯ୍ୟାୟ’ ରହିବ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ବର୍ଗରେ ରହିବେ। ଏଥିରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ, ଗଣିତ, କଳା, ସାମାଜିକ ବିଜ୍ଞାନ ଆଦି ବିଷୟରେ ଶିକ୍ଷା ପ୍ରଦାନ କରାଯିବ। ପରବର୍ତ୍ତୀ ୪ ବର୍ଷ ପର୍ଯ୍ୟାୟରେ ୧୪ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ନେଇ ‘ମାଧ୍ୟମିକ ପର୍ଯ୍ୟାୟ’ ରହିବ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ବର୍ଗରେ ରହିବେ। ଏଥିରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟ ପସନ୍ଦ କରିବାର ବିକଳ୍ପ ଦିଆଯିବ। ଏଥିରେ ବିଭିନ୍ନ ବିଭାଗରେ ପାଠ୍ୟକ୍ରମ ରହିବ।

ଏମିତି ହେବ ପାଠ୍ୟକ୍ରମର ଢାଞ୍ଚା
୩ରୁ ୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାର ଜାତୀୟ ପାଠ୍ୟ ଖସଡ଼ା ଓ ଢାଞ୍ଚା ପ୍ରସ୍ତୁତ କରିବାକୁ ଏନ୍‌ସିଇଆର୍‌ଟିକୁ ଦାୟିତ୍ବ ଦିଆଯାଇଛି। ଏଥିରେ ଭାଷା, ସଂଖ୍ୟା, ରଙ୍ଗ, ଆକାର, ଖେଳ, ପଜଲ୍‌, ବିଭିନ୍ନ ଭାବନା, ସମସ୍ୟା ସମାଧାନ, ଚିତ୍ରାଙ୍କନ, ନାଟକ, ସଙ୍ଗୀତ ଆଦିକୁ ଗୁରୁ୍ତ୍ବ ଦିଆଯାଇ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯିବ। ପାରମ୍ପରିକ ଶିକ୍ଷା ପ୍ରଣାଳୀକୁ କମ୍ କରାଯାଇ ଦକ୍ଷତା ଭିତ୍ତିକ ପାଠ୍ୟକ୍ରମ ପ୍ରସ୍ତୁତ ଉପରେ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ବ ଦିଆଯାଇଛି। ସବୁ ଶିକ୍ଷା ଅନୁଭୂତିସମ୍ପନ୍ନ ହେବା ଉପରେ ଗୁରୁତ୍ବାରୋପ କରାଯାଇଛି। ସମସ୍ତ ବିଷୟରେ ପାଠ୍ୟକ୍ରମକୁ କମ୍ କରାଯାଇ ମୌଳିକ ତତ୍ତ୍ବକୁ ଯଥାରୀତି ରଖାଯିବ। ବହୁ ଭାଷାଭିତ୍ତିକ ଶିକ୍ଷାକୁ ପାଠ୍ୟକ୍ରମରେ ଗୁରୁତ୍ବ ଦିଆଯାଇଛି। ଡିଜିଟାଲ୍‌ ସାକ୍ଷରତା ଓ ସମନ୍ବିତ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ସ୍ବାସ୍ଥ୍ୟ, ପୁଷ୍ଟି, ଶାରୀରିକ ଶିକ୍ଷା, ଫିଟ୍‌ନେସ୍‌ ଓ କ୍ରୀଡ଼ାରେ ସବୁ ଛାତ୍ରଛାତ୍ରୀ ଦକ୍ଷତା ହାସଲ କରିବା ବାଧ୍ୟତାମୂଳକ। ସ୍କୁଲ୍‌ ବ୍ୟାଗ୍ ଓଜନ ହ୍ରାସ କରାଯିବା ସହ ସ୍ବାସ୍ଥ୍ୟ ପ୍ରତି ସେମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ସବୁ ଛାତ୍ରଛାତ୍ରୀଙ୍କ ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ପାଠ୍ୟ ପୁସ୍ତକଗୁଡ଼ିକରେ ସ୍ଥାନୀୟ ବିଷୟବସ୍ତୁ ରଖାଯିବା ଉପରେ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ବ ଦିଆଯାଇଛି। ରାଜ୍ୟଗୁଡ଼ିକ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମକୁ ଭିତ୍ତି କରି ନିଜର ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ତିଆରି କରିବେ। ଏଥିରେ ରାଜ୍ୟ ବିଷୟବସ୍ତୁଗୁଡ଼ିକୁ ଗୁରୁତ୍ବ ଦିଆଯିବ। ଉଚ୍ଚମାନର ଗୁରୁତ୍ବପୂର୍ଣ୍ଣ ବହିଗୁଡ଼ିକ ଦୀକ୍ଷା ପ୍ଲାଟ୍‌ଫର୍ମରେ ଡିଜିଟାଲ୍‌ ମୋଡ୍‌ରେ ଉପଲବ୍ଧ କରାଯିବ।

India.com

ତିନିଟି ଶ୍ରେଣୀରେ ପରୀକ୍ଷା, ଦୁଇଟି ବୋର୍ଡ ପରୀକ୍ଷା
ସ୍କୁଲ୍‌ରେ ସବୁ ଶ୍ରେଣୀରେ ପରୀକ୍ଷା କରାଯିବ ନାହିଁ। ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲାଙ୍କୁ ପରୀକ୍ଷା ଦେବାକୁ ପଡ଼ିବ। ତେବେ ଏଥିରେ ପାସ୍, ଫେଲ୍‌ ବ୍ୟବସ୍ଥା ରହିବ ନାହିଁ। କେବଳ ପିଲାଙ୍କ ପ୍ରଦର୍ଶନକୁ ଟ୍ରାକିଂ କରିବା ସହ ସେମାନଙ୍କ କ୍ୟାରିୟର୍‌ର ବିକାଶ ଉଦ୍ଦେଶ୍ୟରେ ତଦାରଖ କରିବାକୁ ଏହାର ବ୍ୟବହାର କରାଯିବ। ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମଧ୍ୟ ସଂସ୍କାର ଅଣାଯିବ। ପରୀକ୍ଷା ପାଇଁ ଦେଶ ସାରା ଯେପରି ସମାନ ପ୍ରଣାଳୀ ଗ୍ରହଣ କରାଯିବ, ସେଥିପାଇଁ ନୂ୍ଆ ଶିକ୍ଷା ନୀତିରେ ଗୁରୁତ୍ବ ଦିଆଯାଇଛି। ବୋର୍ଡ ପରୀକ୍ଷା ପାଇଁ କୋଚିଂର ଆବଶ୍ୟକତାକୁ ଯେପରି ଛାତ୍ରଛାତ୍ରୀ ଅନୁଭବ ନ କରିବେ, ତାହାକୁ ଲକ୍ଷ୍ୟରେ ରଖି ଉଚ୍ଚ ମାନର କମନ୍ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ର ବ୍ୟବସ୍ଥା କରାଯିବ। ଏ ଦିଗରେ ‘ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି’ କାମ କରିବ।

ପଞ୍ଚମ ଯାଏ ମାତୃଭାଷାକୁ ଗୁରୁତ୍ବ
ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା/ସ୍ଥାନୀୟ ଭାଷାରେ ଶିକ୍ଷା ଦିଆଯିବ। ଅଷ୍ଟମ ଶ୍ରେଣୀ କିମ୍ବା ତାହାଠାରୁ ଅଧିକ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷା ଦିଆଗଲେ ଭଲ। ପ୍ରତି ଛାତ୍ରଛାତ୍ରୀ ‘ଭାରତୀୟ ଭାଷା’ ବିଷୟକୁ ଏକ ପ୍ରକଳ୍ପ ଭାବେ ନେବେ। ପ୍ରତି ରାଜ୍ୟରେ ତିନିଟି ଭାଷା ଶିକ୍ଷା ଦିଆଯିବ। ଏହି ତିନିଟି ଭାଷା କ’ଣ ହେବ, ତାହା ରାଜ୍ୟ ସରକାର ସ୍ଥିର କରିବେ। ସବୁ ଶାସ୍ତ୍ରୀୟ ଭାଷା ଏକ ବିକଳ୍ପ ଭାଷା ବିଷୟ ଭାବେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର