ପ୍ରକୃତି ଓ ପରିବେଶକୁ ଭଲପାଉଥିବା ପର୍ଯ୍ୟଟକଙ୍କ ପାଇଁ କେନ୍ଦୁଝର ଜିଲ୍ଲାର ଦରଗୁଡ଼ିଶିଳା ଏକ ଆକର୍ଷଣୀୟ ସ୍ଥାନ। ଯଦି ଆପଣ ସହରର ପ୍ରଦୂଷିତ ପରିବେଶଠାରୁ ଦୂରକୁ ଯାଇ କିଛି ସମୟ ପ୍ରକୃତି କୋଳରେ କଟାଇବାକୁ ଚାହୁଥାଆନ୍ତି, ତେବେ ଦରଗୁଡ଼ିଶିଳାରେ ପହଞ୍ଚିଲେ ନିଶ୍ଚୟ ଆନନ୍ଦ ଅନୁଭବ କରିବେ। ସେଠାକାର ମନୋରମ ପ୍ରାକୃତିକ ଶୋଭା କୌଣସି ଏକ ବଲିଉଡ୍ ସିନେମାରେ ପ୍ରଦର୍ଶିତ ଦୃଶ୍ୟ ପରି ମନେ ହେବ।
କ’ଣ ଦେଖିବେ?
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ର କାଦବାହାଳୀ ଗାଁର ଗୋଟିଏ ଛୋଟିଆ ଶାଖା ଗାଁ ବା ପଡ଼ାଗ୍ରାମ ହେଉଛି ଦରଗୁଡ଼ିଶିଳା। ଏହି ଗାଁଟି ଘଞ୍ଚ ଜଙ୍ଗଲ ଭିତରେ ରହିଛି। ପୁଣି ଏହି ଜଙ୍ଗଲ ଭିତର ଦେଇ ବହି ଯାଇଛି ବୈତରଣୀ ନଦୀ। ଆଉ ବୈତରଣୀ ନଦୀ ଜଙ୍ଗଲ ଦେଇ ଦରଗୁଡ଼ିଶିଳା ଅତିକ୍ରମ କଲା ବେଳେ ଏକାଧିକ ବୃକ୍ଷରାଜିକୁ ଛୁଇଁ ଅତିକ୍ରମ କରିଛି। ସବୁଜିମା ଓ ନୀଳ ଜଳରାଶିର ସମନ୍ବୟ ସୃଷ୍ଟି କରିଛି ଅତ୍ୟନ୍ତ ମନୋରମ ଦୃଶ୍ୟ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦରଗୁଡ଼ିଶିଳାରେ ବୈତରଣୀ ସ୍ରୋତ ପ୍ରଖର, କିନ୍ତୁ ଜଳର ଗଭୀରତା କମ୍। ତେଣୁ ପଥର ଚଟାଣରେ ବୈତରଣୀର ପାଣି ଧକ୍କା ଖାଇ ଯେଉଁ କୁଳୁକୁଳୁ ଶବ୍ଦ ସୃଷ୍ଟି କରେ, ତାହା ମଧ୍ୟ ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିବାକୁ ଯଥେଷ୍ଟ।
/sambad/media/post_attachments/wp-content/uploads/2024/01/ସ_files-178-300x200.jpg)
କେଉଁମାନେ ଓ କାହିଁକି ପସନ୍ଦ କରନ୍ତି?
ବିଶେଷ କରି ଯେଉଁମାନେ ସହରର କୋଳାହଳ ଭିତରେ ରହି ନିରୋଳାରେ ମୁକ୍ତ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ଦରଗୁଡ଼ିଶିଳା ପ୍ରକୃଷ୍ଟ ସ୍ଥାନ। ଏଠାରେ ସେମାେନ ବଣଭୋଜି ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପାଖରୁ ଅନୁଭବ କରି ପାରିବେ। ଏଥିସହ ସେଠାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ ମଧ୍ୟ ହୋଇଥାଏ। ତେଣୁ ପକ୍ଷୀପ୍ରେମୀଙ୍କ ଲାଗି ଦରଗୁଡ଼ିଶିଳା ଏକ ଅନୁପମ ସ୍ଥଳ। ସେହିପରି ପ୍ରାକୃତିକ ଦୃଶ୍ୟକୁ କ୍ୟାମେରା ଲେନ୍ସରେ କଏଦ୍ କରୁଥିବା ଫଟୋଗ୍ରାଫରଙ୍କୁ ସେଠାରେ ଖୋରାକ ମିଳିବ।
କେମିତି ଯିବେ?
ରାଜଧାନୀ ଭୁବନେଶ୍ବରରୁ ଏହି ପର୍ଯ୍ୟଟନସ୍ଥଳୀ ପାଖାପାଖି ୧୯୦ କି.ମି. ଦୂର। ଭୁବନେଶ୍ବରରୁ କାର୍ ଯୋଗେ ଆସୁଥିବା ପର୍ଯ୍ୟଟକମାନେ କୋଳିମାଟି ନିକଟସ୍ଥ କୁମଡ଼ ଛକଠାରୁ ଡାହାଣକୁ ପ୍ରାୟ ୧୮ କିଲୋମିଟର ଗଲେ ଦରଗୁଡ଼ିଶିଳା ପଡ଼େ। ଏଠାକୁ ଯିବା ପାଇଁ ଯଦିଓ ସବୁଦିନିଆ ରାସ୍ତା ନାହିଁ, ମାତ୍ର ପର୍ଯ୍ୟଟନ ଋତୁରେ ଏଠାକୁ ଯାଇ ହେବ ଏବଂ ସେଠାରେ ବଣଭୋଜି କରିହେବ। ଏଠାରେ ଯେଉଁମାନେ ବଣଭୋଜି କରିଥାନ୍ତି, ସାଧାରଣତଃ ନିଜ ସହିତ ସମସ୍ତ ଭୋଜି ସାମଗ୍ରୀ ସାଥିରେ ନେଇଥାନ୍ତି ଏବଂ ସେଠାରୁ କାଠ ସଂଗ୍ରହ କରି ଭୋଜି କରିଥାନ୍ତି।
/sambad/media/post_attachments/wp-content/uploads/2024/01/ସ_files-179-300x200.jpg)
ଦରଗୁଡ଼ିଶିଳାକୁ ଏପର୍ଯ୍ୟନ୍ତ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି କୌଣସି ଉଦ୍ୟମ ହୋଇନାହିଁ। ପର୍ଯ୍ୟଟକଙ୍କ ବିଶ୍ରାମ ଓ ଶୌଚାଦି ଲାଗି ବ୍ୟବସ୍ଥା ମଧ୍ୟ ନାହିଁ। ଏକ ଅଳ୍ପଆଲୋଚିତ ସ୍ଥଳୀ ହୋଇଥିବାରୁ ପ୍ରଶାସନ ତତ୍ପରତା ପ୍ରକାଶ କରିନାହିଁ।
ସୁବ୍ରତ ସ୍ବାଇଁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/ସ_files-177.jpg)