ଫାଇବର୍-ଅପ୍ଟିକ୍ ତାର ମାଧ୍ୟମରେ ଡାଟା ପ୍ରେରଣର ବେଗ ବଢ଼ାଇବା ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ୟୁନାଇଟେଡ୍ କିଙ୍ଗ୍ଡମ୍ ଅନ୍ତର୍ଗତ ଆଷ୍ଟନ୍ ବିଶ୍ବବିଦ୍ୟାଳୟ ଅଧୀନ କମ୍ପ୍ୟୁଟର ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ବିଭାଗର ବୈଜ୍ଞାନିକମାନେ ସେକେଣ୍ଡ୍କୁ ୪୦୨ ଟେରାବିଟ୍ସ୍ ବା ଟ୍ରିଲିଅନ୍ (ଏକ ଲକ୍ଷ କୋଟି) ବିଟ୍ସ ଭଳି ଅସମ୍ଭବ ମନେ ହେଉଥିବା ଡାଟା ପଠାଇ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ବେଗ ଘରୋଇ ବ୍ରଡ୍ବ୍ୟାଣ୍ଡ୍ର ବେଗ ଠାରୁ ୧୬ ଲକ୍ଷ ଗୁଣ ଅଧିକ!
ଚଳିତବର୍ଷ ମାର୍ଚ୍ଚ ମାସରେ ଏହି ବୈଜ୍ଞାନିକ ଦଳ ସେକେଣ୍ଡକୁ ୩୦୧ ଟେରାବିଟ୍ସ ତଥ୍ୟ ପ୍ରେରଣ କରି ରେକର୍ଡ କରିଥିଲେ। ଏଥର ସେମାନେ ୨୫ ପ୍ରତିଶତ ଅଧିକ ବେଗ ହାସଲ କରି ନୂଆ ରେକର୍ଡ କରିଛନ୍ତି। ଅଧିକାଂଶ ଫାଇବର-ଅପ୍ଟିକ୍ ଯୋଗାଯୋଗରେ କେବଳ ଗୋଟିଏ କିମ୍ବା ଦୁଇଟି ବ୍ୟାଣ୍ଡ୍ର ଉପଯୋଗ କରାଯାଉଥିବା ବେଳେ ବୈଜ୍ଞାନିକମାନେ ଏଥିରେ ସମସ୍ତ ପ୍ରକାର ୱେଭ୍ଲେଙ୍ଗଥ୍ ବ୍ୟାଣ୍ଡ୍କୁ ବ୍ୟବହାର କରିଥିଲେ। ତଥ୍ୟପ୍ରେରଣ ସେବାର ଚାହିଦା ଦିନକୁ ଦିନ ଦ୍ରୁତ ବେଗରେ ବଢ଼ି ଚାଲିଥିବା ବେଳେ ଆଷ୍ଟନ୍ ବିଶ୍ବବିଦ୍ୟାଳୟ ଗବେଷକମାନଙ୍କର ଏହି ସଫଳ କୃତି ଆଗାମୀ ଦିନରେ ଅପ୍ଟିକାଲ୍ ଫାଇବର୍ ଯୋଗାଯୋଗ ଭିତ୍ତିଭୂମିର ଦକ୍ଷତାକୁ ବହୁଗୁଣିତ କରିବ ବୋଲି ଆଶା କରାଯାଉଛି।