ଜାନୁଆରି ପହିଲାରୁ ସରକାରଙ୍କ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: ରାତି ପାହିଲେ ନୂଆ ବର୍ଷ। ପୁରୁଣାବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଅନେଇ ବସିଛନ୍ତି । ତେବେ ନୂଆବର୍ଷ ଆରମ୍ଭରୁ ସରକାର କେତେଟି ନୂଆ ନିୟମକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଫାଇଦା ଗ୍ରାହକଙ୍କୁ ମିଳିବ । ଆସନ୍ତୁ ଜାଣିବା ନୂଆ ନିୟମ ଯୋଗୁଁ ଗ୍ରାହକଙ୍କୁ କି ପ୍ରକାର ନୂଆ ସୁବିଧା ମିଳିବ।

ନୂଆବର୍ଷରୁ ଘରେ ବସି ମୋବାଇଲ ସିମ୍‌ ସହିତ ଆଧାର ନମ୍ବରର ସଂଯୋଗ ଗ୍ରାହକମାନେ କରିପାରିବେ । ଏହି ସୁବିଧା ଚଳିତମାସ ୧ ତାରିଖରୁ ଆରମ୍ଭ ହେବାର ଥିଲା । କିନ୍ତୁ ଟେଲିକମ ସେବା ପ୍ରଦାନକାରୀମାନେ ଏଥିପାଇଁ ପ୍ରସ୍ତୁତ ହୋଇ ନପାରିବାରୁ ସରକାର ଏହାକୁ ଆସନ୍ତା ଜାନୁଆରି ପହିଲାରୁ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ଘରେ ବସି ଆଧାର ସଂଯୋଗ କରିବାର ସୁବିଧା ମୋବାଇଲ ଫୋନ ମାଧ୍ୟମରେ ଗ୍ରାହକଙ୍କୁ ମିଳିବ।

ସରକାର ନୂଆବର୍ଷରୁ ୧୪ କ୍ୟାରେଟ, ୧୮ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ଗହଣା ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବା ଯୋଜନା ରଖିଛନ୍ତି । ଫଳରେ ଗ୍ରାହକମାନେ ସୁନା ଗହଣାର ଶୁଦ୍ଧତା ସମ୍ପର୍କରେ ଅବଗତ ହୋଇପାରିବେ । ୩ଟି ପର୍ଯ୍ୟାୟରେ ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୨ଟି ସହର, ଦ୍ୱିତୀୟ ପର୍ଯ୍ୟାୟରେ ୭୦୦ ସହର ଓ ପରେ ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶନାମା ଅନୁଯାୟୀ ଆସନ୍ତା ନୂଆବର୍ଷରୁ ଡେବିଟ କାର୍ଡରେ ଅର୍ଥ ପଇଠ ଶସ୍ତା ହେବ। କାରଣ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ(ଏମଡିଆର) ଚାର୍ଜ ନେଇ ନୂଆ ନିୟମ ଲାଗୁ ହେବ । ଡେବିଟ କାର୍ଡରେ ଅର୍ଥ ପଇଠ ସମୟରେ ଦୋକାନୀଙ୍କ ଉପରେ ୨ ପ୍ରତିଶତ ଚାର୍ଜ ଲାଗୁ କରାଯାଇଥାଏ । ତେବେ କେତେକ ଦୋକାନୀ ଏହି ଚାର୍ଜକୁ ଅନେକ ସମୟରେ ଗ୍ରାହକଙ୍କ ଉପରେ ଲଦି ଦେଇଥାନ୍ତି । ତେବେ ୨୦୦୦ଟଙ୍କା ପର୍ଯ୍ୟନ୍ତ ଅର୍ଥ ପଇଠ କ୍ଷେତ୍ରରେ ସରକାର ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଏମଡିଆର ଚାର୍ଜ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ୨ ହଜାର ଟଙ୍କାର ଡେବିଟ କାର୍ଡରେ ଅର୍ଥ ପଇଠ କ୍ଷେତ୍ରରେ ଗ୍ରାହକ କିମ୍ବା ଦୋକାନୀଙ୍କୁ କୌଣସି ଏମଡିଆର ଚାର୍ଜ ଆସନ୍ତା ନୂଆ ବର୍ଷରୁ ଦେବାକୁ ପଡିବ ନାହିଁ ।

ସମ୍ବନ୍ଧିତ ଖବର