ଆମ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପଟେ ଘୂରୁଥିବା ଗ୍ରହମାନଙ୍କ ମଧ୍ୟରେ ବୃହସ୍ପତି ହେଉଛି ସବୁଠାରୁ ବଡ଼। ବିଭିନ୍ନ କାରଣରୁ ଏହା ଅନ୍ୟ ଗ୍ରହମାନଙ୍କ ତୁଳନାରେ ଆଗରେ ରହି ଆସିଛି। ବିଶେଷ କରି ପ୍ରାକୃତିକ ଉପଗ୍ରହ ବା ଚନ୍ଦ୍ର ସଂଖ୍ୟା ଅନୁସାରେ ଏହା ଅନ୍ୟ ଗ୍ରହମାନଙ୍କ ଠାରୁ ଢେର ଆଗରେ। ଯେପରି ବୁଧ ଓ ଶୁକ୍ରର ଆଦୌ ପ୍ରାକୃତିକ ଉପଗ୍ରହ ନଥିବା ବେଳେ ଆମ ପୃଥିବୀର ଗୋଟିଏ ମାତ୍ର ଚନ୍ଦ୍ର, ମଙ୍ଗଳର ଦୁଇଟି, ନେପଚ୍ୟୁନ୍‌ର ୧୩ଟି, ୟୁରାନସ୍‌ର ୨୭ଟି, ଶନିର ୬୧ଟି ଓ ବୃହସ୍ପତିର ସର୍ବାଧିକ ୬୩ଟି ଚନ୍ଦ୍ର ରହିଥିବା ଆମେ ଜାଣିଥିଲେ। ସମୟାନୁକ୍ରମେ ଅଧିକ ପ୍ରାକୃତିକ ଉପଗ୍ରହର ଆବିଷ୍କାର ପରେ ଶନିର ଚନ୍ଦ୍ର ସଂଖ୍ୟା ୮୩ରେ ପହଞ୍ଚିଥିବା ବେଳେ ବୃହସ୍ପତି ଚାରିପାଖେ ୯୫ଟି ପ୍ରାକୃତିକ ଉପଗ୍ରହ ଘୂରୁଥିବା ଜଣାଯାଇଛି। ତେବେ ନିକଟରେ ବଳୟ ଗ୍ରହ ଶନି ଚାରିପାଖେ ଆଉ ୬୨ଟି ଉପଗ୍ରହ ଘୂରୁଥିବା ଠାବ ହୋଇଛି।

Advertisment

ଫଳରେ ଏହାର ଚନ୍ଦ୍ର ସଂଖ୍ୟା ୧୪୫ରେ ପହଞ୍ଚିବା ସହ ଉପଗ୍ରହ ସଂଖ୍ୟା ହିସାବରେ ଏହା ବୃହତ୍ତମ ଗ୍ରହ ବୃହସ୍ପତିକୁ ଟପିଯାଇଛି। ଫଳରେ ଏହା ବୃହସ୍ପତି ଠାରୁ ‘ଉପଗ୍ରହ ସମ୍ରାଟ’ ମୁକୁଟ ଛଡ଼ାଇ ନେଇଛି। ଶନିର ଏହି ସଦ୍ୟ ଆବିଷ୍କୃତ ଚନ୍ଦ୍ରଗୁଡ଼ିକ ଆଳୁ ପରି ନିର୍ଦ୍ଦିଷ୍ଟ ଆକାରର ନହେବା ସହ କାହାର ବ୍ୟାସ ଦୁଇ ମାଇଲ୍‌ରୁ ଅଧିକ ନୁହେଁ। ସେମାନେ ଶନି ଚାରିପଟେ ୬ ନିୟୁତ ମାଇଲ୍‌ରୁ ୧୮ ନିୟୁତ ମାଇଲ୍‌ ଦୂରରେ ପରିକ୍ରମା କରୁଥିବା ଜଣାଯାଇଛି। ତେବେ ଏହି ସଂଖ୍ୟା ମଧ୍ୟ କ୍ଷଣସ୍ଥାୟୀ ବୋଲି ଗବେଷକମାନେ କହିଛନ୍ତି। ଶନିର ମୋଟ ଆବିଷ୍କୃତ ଉପଗ୍ରହମାନଙ୍କ ଭିତରୁ ୧୨୧ଟି ସ୍ଥାୟୀ ଚନ୍ଦ୍ର ହୋଇଥିବା ବେଳେ ୨୪ଟି ହେଉଛନ୍ତି ଅସ୍ଥାୟୀ।