ଫଟୋସିନ୍ଥେସିସ୍‌ ବା ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ପତ୍ର ବୃକ୍ଷ ଲାଗି ଖାଦ୍ୟ ପ୍ରସ୍ତୁତ କରେ। ଆଲୋକସଂଶ୍ଳେଷଣ ପାଇଁ ବୃକ୍ଷ ଆବଶ୍ୟକ କରେ କାର୍ବନ୍‌ ଡାଇଅକ୍ସାଇଡ୍‌ ବା ଗ୍ରିନ୍‌ହାଉସ୍‌ ଗ୍ୟାସ୍‌। ଉତ୍ତାପ ଧାରଣକରି ରଖୁଥିବା ଏହି ବାଷ୍ପକୁ ବାୟୁମଣ୍ଡଳରୁ ହ୍ରାସ କରାଇବାରେ ବୃକ୍ଷ ହିଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ। କିନ୍ତୁ, ସମ୍ପ୍ରତି ବୈଜ୍ଞାନିକମାନେ ବୃକ୍ଷ ଭୂମିକା ନିର୍ବାହକରୁଥିବା ନୂଆ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କରିଛନ୍ତି। ଭୂମି ଉପରେ ସ୍ବଳ୍ପ ଜାଗା ଆବଶ୍ୟକ କରୁଥିବା ଏହି ପ୍ରଯୁକ୍ତିବିଦ୍ୟା ବାୟୁମଣ୍ଡଳରୁ ବିପୁଳ ପରିମାଣର କାର୍ବନ୍‌ ଡାଇଅକ୍ସାଇଡ୍‌ ବିଶୋଷଣ କରିପାରୁଛି।

Advertisment

ଏ ପ୍ରଯୁକ୍ତିବିଦ୍ୟାର ନାଁ ‘ଡାଇରେକ୍ଟ୍‌ ଏୟାର୍‌ କ୍ୟାପ୍‌ଚର୍‌’ (ଡିଏସି) ବା ‘ପ୍ରତ୍ୟକ୍ଷ ବାୟୁ ସଂଗ୍ରାହକ’। ଏହା ବାୟୁରୁ କାର୍ବନ୍‌ ଡାଇଅକ୍ସାଇଡ୍‌ ନେଇଯାଇ ତାହାକୁ ମାଟି ଭିତରେ ଥିବା ଗଭୀର ଭୂତଳ ଗହ୍ବର ବା ‘ଜିଓଲଜିକାଲ୍‌ କେଭ୍‌’ରେ ଗଚ୍ଛିତ ରଖିପାରେ ନଚେତ୍‌ କୃତ୍ରିମ ଇନ୍ଧନ ଉତ୍ପାଦନ କରିବା ଲାଗି ହାଇଡ୍ରୋଜେନ୍‌ ବା ଉଦ୍‌ଜାନ ସହିତ ମିଶ୍ରଣ କରିପାରେ। ଭବିଷ୍ୟତ ପାଇଁ ଏ ପ୍ରଯୁକ୍ତିବିଦ୍ୟା ନିଶ୍ଚୟ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏବେ ଅନେକ ସ୍ଥାନରେ ‘ଡାଇରେକ୍ଟ୍‌ ଏୟାର୍‌ କ୍ୟାପ୍‌ଚର୍‌’ ବ୍ୟବସ୍ଥା ଖୋଲିଛି ଓ କାର୍ଯ୍ୟକରୁଛି, କିନ୍ତୁ ଏଥିରେ ଗୁଡ଼ାଏ ଅସୁବିଧା ବା ଜଟିଳତା ରହିଛି। ସେଥିରୁ ଗୋଟାଏ ହେଲା ସମ୍ପ୍ରତି ଯେଉଁ ମେସିନ୍‌ ଦ୍ବାରା ଏ କାର୍ଯ୍ୟ କରାଯାଉଛି ତାହା ଚାଲିବାକୁ ବିପୁଳ ଶକ୍ତି ଆବଶ୍ୟକ କରୁଛି। ଯଦି ଭବିଷ୍ୟତରେ ଶକ୍ତି ଆବଶ୍ୟକତା ହ୍ରାସ କରାଯାଇପାରେ ତା’ହେଲେ ‘ଡିଏସି’ ପରିବେଶର ଭବିଷ୍ୟତ ନିମନ୍ତେ ଅନ୍ୟତମ ସର୍ବୋତ୍ତମ ବୈଷୟିକ ଅଗ୍ରଗତି ଭାବେ ପରିଗଣିତ ହେବ।