ଗ୍ରହମାନଙ୍କରେ ଏକ ସ୍ବାଭାବିକ ପ୍ରକ୍ରିୟା ସ୍ବରୂପ ମାନବ ଭଳି ଏକ ବୁଦ୍ଧିମାନ ଜୀବ ସୃଷ୍ଟି ହୋଇପାରେ ଏବଂ ତାହା କୌଣସି ବିରଳ ଘଟଣା ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି। ଅର୍ଥାତ୍‌ ପୃଥିବୀ ବାହାରେ ବିଶ୍ବ ବ୍ରହ୍ମାଣ୍ଡର ଅନ୍ୟତ୍ର ମଧ୍ୟ ମାନବରୂପୀ ସଭ୍ୟତାର ସମ୍ଭାବନା ରହିଛି ବୋଲି ପେନ୍‌ ଷ୍ଟେଟ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଆକଳନ କରିଛନ୍ତି। ଏ ପରିପ୍ରେକ୍ଷୀରେ ଅନ୍ୟ ଗ୍ରହରେ ପୃଥିବୀ ଅନୁରୂପ ପରିବେଶ ବିକଶିତ ହୋଇ ମାନବ ସଦୃଶ ବୁଦ୍ଧିମାନ ଜୀବ ତିଷ୍ଠିବାର ସମ୍ଭାବନା କ୍ଷୀଣ ବୋଲି ୧୯୮୩ ମସିହାରୁ ଗୃହୀତ ହୋଇ ଆସିଥିବା ପଦାର୍ଥ ବିଜ୍ଞାନୀ ବ୍ରାଣ୍ଡନ୍‌ କାର୍ଟଙ୍କ “ହାର୍ଡ ଷ୍ଟେପ୍‌ସ’’ ତତ୍ତ୍ବକୁ ସଦ୍ୟ ଚ୍ୟାଲେଞ୍ଜ୍‌ କରାଯାଇଛି। ଏହି ବୈଜ୍ଞାନିକଗଣ କହିଛନ୍ତି ଯେ ମାନବ ଅନୁରୂପ ବୁଦ୍ଧିମାନ ଜୀବର ଆବିର୍ଭାବ ହେଉଛି ଏକ ଗ୍ରହରେ ସଂଘଟିତ ପ୍ରାକୃତିକ ବିବର୍ତ୍ତନର ପରିଣାମ। ମାନବ ସଦୃଶ ବୁଦ୍ଧିମାନ ଜୀବର ଆବିର୍ଭାବ ହୁଏତ ଅସମ୍ଭବ ନୁହେଁ ବୋଲି ଏହି ନୂତନ ଦୃଷ୍ଟିକୋଣ ସୂଚନା ଦିଏ। 

Advertisment

 ଯେପରି ଉଦ୍ଭିଦ ଜୀବନରେ ଆଲୋକ ସଂଶ୍ଳେଷଣର ଆବିର୍ଭାବ ଯୋଗୁଁ ଏକ ଅମ୍ଳଜାନ ସମୃଦ୍ଧ ବାୟୁମଣ୍ଡଳ ସୃଷ୍ଟି ହୋଇ ପୃଥିବୀରେ ଜୀବଜଗତ ବିସ୍ତାରର ପଥ ପ୍ରଶସ୍ତ ହୋଇଥିଲା,  ଠିକ୍ ସେପରି ଅନ୍ୟ ଗ୍ରହରେ ଅନୁକୂଳ ବାତାବରଣ ସୃଷ୍ଟି ହେବା ଫଳରେ ମାନବ ଭଳି ବୁଦ୍ଧିମାନ ଜୀବ ଜନ୍ମ ନେବାରେ ଅସୁବିଧା ନାହିଁ।

‘ସାଇନ୍ସ ଆଡ୍‌ଭାନ୍‌ସେସ୍‌’ ପତ୍ରିକାରେ ପ୍ରକାଶିତ ଏ ସଂକ୍ରାନ୍ତ ସନ୍ଦର୍ଭ ଅନୁସାରେ, ବିବର୍ତ୍ତନ ଏକ ପୂର୍ବନିର୍ଦ୍ଧାରିତ ପ୍ରକ୍ରିୟା, ଯାହା ବିଶ୍ବ ପରିସ୍ଥିତି ଅନୁସାରେ ପ୍ରକାଶ ପାଇଥାଏ। ଏହି ନୂତନ ଆକଳନ କେବଳ ପୃଥିବୀ ପାଇଁ ନୁହେଁ, ବରଂ ଅନ୍ୟ ଗ୍ରହଗୁଡ଼ିକ ପାଇଁ ମଧ୍ୟ ପ୍ରଯୁଜ୍ୟ, ଯାହା ଆମ ଭଳି ଜୀବ ଅନ୍ତରୀକ୍ଷରେ ଅନ୍ୟତ୍ର ବି ରହିଥିବାର ସମ୍ଭାବନାକୁ ବଢ଼ାଇ ଦେଇଛି। ଗବେଷକମାନଙ୍କ ଏହି ନୂତନ ସିଦ୍ଧାନ୍ତ ଅନୁଯାୟୀ, ପୃଥିବୀରେ ମାନବର ଆବିର୍ଭାବ ଯେଉଁ ସମୟରେ ଅସମ୍ଭବ ବୋଲି କୁହାଯାଉଥିଲା, ହୁଏତ ଅନ୍ୟ ଗ୍ରହରେ ସେହି ସମୟରେ ମାନବ ଭଳି ବୁଦ୍ଧିମାନ ଜୀବ ସୃଷ୍ଟି ହୋଇସାରିଥିଲା। ଗବେଷକମାନଙ୍କର ଯୁକ୍ତି ହେଲା, ବୁଦ୍ଧିମାନ ଜୀବର ସୃଷ୍ଟି ପାଇଁ ଏକ ଭାଗ୍ୟଶାଳୀ କାଳଖଣ୍ଡର ଆବଶ୍ୟକତା ନାହିଁ, ବରଂ ଏକ ଅନୁକୂଳ ପରିବେଶ ଲୋଡ଼ା। ପୃଥିବୀ ଇତିହାସରେ ମନୁଷ୍ୟର ବିବର୍ତ୍ତନ ‘ପ୍ରାରମ୍ଭିକ’ କି ‘ଅନ୍ତିମ’ ନୁହେଁ, ମାତ୍ର ତାହା ସମ୍ଭବ ହୋଇଥିଲା ଯେତେବେଳେ ପରିସ୍ଥିତିଗୁଡ଼ିକ ‘ସମୟାନୁକୂଳ’ ରହିଥିଲା। ଏଣୁ ପୃଥିବୀ ତୁଳନାରେ ଅନ୍ୟ ଗ୍ରହମାନେ ଏହି ପରିସ୍ଥିତିକୁ ଅଧିକ ଦ୍ରୁତ ଗତିରେ ହାସଲ କରିପାରିଥା’ନ୍ତି, ଅଥବା ସେଥିପାଇଁ ଆହୁରି ଅଧିକ ସମୟ ନେଇପାରନ୍ତି।