ଗ୍ରହମାନଙ୍କ ପୃଷ୍ଠକୁ ଜଳ କେବଳ ଧୂମକେତୁ ଓ ଗ୍ରହାଣୁରୁ ଆସେ ନାହିଁ, ବରଂ ସମୟାନୁକ୍ରମେ ଗ୍ରହରେ ପ୍ରାକୃତିକ ଭାବେ ଜଳ ମଧ୍ୟ ସୃଷ୍ଟି ହୋଇଥାଏ ବୋଲି କାର୍ନେଗି ଇନଷ୍ଟିଚ୍ୟୁସନ୍ ଫର୍ ସାଇନ୍ସର ବୈଜ୍ଞାନିକମାନେ ଚଳାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ସେମାନେ ଗ୍ରହଗୁଡ଼ିକର ପ୍ରାରମ୍ଭିକ ପରିସ୍ଥିତିକୁ ଅନୁକରଣ କରିବା ପାଇଁ ପ୍ରୟୋଗଶାଳାରେ ତରଳ ଲୌହପଥରକୁ ଉଦ୍ଜାନ ବାଷ୍ପ ସଂସ୍ପର୍ଶରେ ଆଣି ତୀବ୍ର ଉତ୍ତାପ ଓ ଚାପ ପ୍ରୟୋଗ କରିଥିଲେ। ସେହି ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଗ୍ରହଗୁଡ଼ିକ ଗଠନ ହେବା ସହିତ ତରଳ ଜଳ ମଧ୍ୟ ତହିଁରେ ସୃଷ୍ଟି ହୋଇଥାଏ। ଏହା ପୃଥିବୀ ଓ ଅନ୍ୟ ଗ୍ରହକୁ ଜଳ କିପରି ଆସିପାରେ ସେ ବାବଦରେ ନୂତନ ଧାରଣା ପ୍ରଦାନ କରିଛି। ଏହି ଫଳାଫଳ ବ୍ରହ୍ମାଣ୍ଡରେ ସମ୍ଭାବ୍ୟ ବାସଯୋଗ୍ୟ ପରିବେଶ ସଂକ୍ରାନ୍ତ ବୁଝାମଣାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି।
‘ନେଚର’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗବେଷକମାନେ ଏକ ‘ଡାଏମଣ୍ଡ୍ ଆନ୍ଭିଲ୍ ସେଲ୍’ରେ ତରଳ ଲୁହା ପଥରକୁ ପୃଥିବୀର ବାୟୁମଣ୍ଡଳୀୟ ଚାପର ପ୍ରାୟ ୬ ଲକ୍ଷ ଗୁଣ ଅଧିକ ଚାପ ଏବଂ ୭,୨୦୦ ଡିଗ୍ରି ଫାରେନ୍ହାଇଟ୍ରୁ ଅଧିକ ତାପମାତ୍ରାରେ ଗରମ କରିଥିଲେ। ପରୀକ୍ଷଣରୁ ଦେଖାଯାଇଥିଲା ଯେ ତରଳ ପଥରରେ ଥିବା ଲୌହ ଅକ୍ସାଇଡ୍ ସହ ଉଦ୍ଜାନ ପ୍ରତିକ୍ରିୟା କରି ପ୍ରଚୁର ପରିମାଣର ଜଳ ସୃଷ୍ଟି କରିଥିଲା। ସୁତରାଂ ଗ୍ରହ ଗଠନ ସମୟରେ ଜଳ ପ୍ରାକୃତିକ ଭାବରେ ସୃଷ୍ଟି ହୋଇଥିବା ତତ୍ତ୍ୱକୁ ଏହା ସମର୍ଥନ କରୁଛି। ତେଣୁ ଆମ ସୌରମଣ୍ଡଳ ବାହାରେ ଅନେକ ବାସଯୋଗ୍ୟ ଗ୍ରହ ରହିଥିବା ଆଶାକୁ ଏହା ଅଧିକ ଶକ୍ତିଶାଳୀ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/12/sfshfshhfsfs-2025-11-12-23-56-57.jpg)