ରାଧାକୃଷ୍ଣ ହୁଅନ୍ତୁ କି କେଦାରଗୌରୀ, ‌ସୋହନିମହିୱାଲ୍‌ ହୁଅନ୍ତୁ କି ହୀର୍‌ରାଞ୍ଝା, ଆମ ପୁରାଣ, ଇତିହାସ ଓ କିଂବଦନ୍ତିର ଏହି ଆଦର୍ଶ ପ୍ରେମକାହାଣୀ ଏବେ ଆଉ ଯୁବପିଢ଼ିଙ୍କୁ ଆକର୍ଷିତ କରୁନାହିଁ। ପ୍ରେମ ପ୍ରଣୟର ଏଇ ଅମର ଗାଥା ସବୁ ପୁରୁଣାକାଳିଆ ପାଲଟିଯାଇଛି। ସମୟ ବଦଳିବା ସହ ବଦଳୁଛି ପ୍ରେମର ପରିଭାଷା। ପରିବର୍ତ୍ତିତ ସାମାଜିକ ଚଳଣି ଓ ଜୀବନଶୈଳୀ, ବୈଷୟିକ ବିପ୍ଳବ ଓ ପାଶ୍ଚାତ୍ୟ ଦୃଷ୍ଟିଭଙ୍ଗୀ ଏବଂ ଭୋଗବାଦୀ ସଂସ୍କୃତିର ବଶବର୍ତ୍ତୀ ଯୁବକଯୁବତୀ ପ୍ରେମରେ ଆବେଗ ଅପେକ୍ଷା ଉପଭୋଗକୁ, ସମର୍ପଣ ଅପେକ୍ଷା ସ୍ବାର୍ଥକୁ ଏବଂ ତ୍ୟାଗ ଅପେକ୍ଷା ଆତ୍ମତୃପ୍ତିକୁ ଗୁରୁତ୍ବ ଦେଉଛନ୍ତି। ସଂପର୍କରେ ବାସ୍ତବ ଲାଭ-କ୍ଷତିର ବିଚାର ଅଗ୍ରାଧିକାର ପାଉଥିବା ବେଳେ ପାଠକୁ ଟପି ଯାଉଛି ଶାଠ। ପ୍ରେମ ଅଭିଧାନରେ ଯୋଡ଼ି ହୋଇଯାଉଛି ନୂଆ ନୂଆ ଶବ୍ଦ। ଆଜିର ‘ଜେନ୍‌ ଜେଡ୍‌’ଙ୍କ ପାଇଁ ପ୍ରେମ ଅଢ଼େଇ ଅକ୍ଷରରୁ ବି କମ୍‌।

Advertisment

ସକଳେ ଡାକନ୍ତି ‘ତମେ’, ‘ତମେ’ ବୋଲି
ସେ ‘ତମେ’ର ମୂଲ ନାହିଁ,
ତୁମେ ଯେବେ ମୋତେ ‘ତମେ’ ବୋଲି କୁହ
      ଏତେ ମିଠା କାହିଁ ପାଇଁ?

ପ୍ରେମ ପ୍ରଣୟର କବି ମାୟାଧର ମାନସିଂହଙ୍କ ‘ତମେ’ କବିତାର ଏହି ପଂକ୍ତି ସଂପର୍କର ମିଠାପଣକୁ ଖୁବ୍‌ ସୁନ୍ଦର ଓ ସାବଲୀଳ ଢଙ୍ଗରେ ବ୍ୟକ୍ତ କରୁଛି! ଆମ ସାହିତ୍ୟରେ ଏମିତି ଅନେକ ଗପ, କବିତା ଓ ଉପନ୍ୟାସ ରହିଛି, ଯାହା ଆମକୁ ପ୍ରେମର ପ୍ରକୃତ ଅର୍ଥ ଓ ପରିଭାଷା ବୁଝାଇ ଦେଉଛି। ହେଲେ ‘ଜେନ୍‌ ଜେଡ୍‌’ କୁହାଯାଉଥିବା ଏବର ବାସ୍ତବବାଦୀ ଏଇ ପରିଭାଷା ସହ ଏକମତ ବୋଲି ମନେହୁଏନା। ପ୍ରେମକୁ ସେମାନେ ହୁଏତ ଆଉ ଜନ୍ମ ଜନ୍ମାନ୍ତରର ବନ୍ଧନ ବୋଲି ଭାବୁନାହାନ୍ତି, ବରଂ ବିଶ୍ବାସ, ସମର୍ପଣ ଓ ତ୍ୟାଗ ଆଦି ଶବ୍ଦ ସେମାନଙ୍କ ପାଇଁ ଅଲୋଡ଼ା ହୋଇଯାଇଛି।

ପ୍ରେମ ଆଉ ଦୀର୍ଘସ୍ଥାୟୀ ଆବେଗିକ ବନ୍ଧନ ନୁହେଁ, କେଇ ଦିନ, କେଇ ଘଣ୍ଟା, କେଇ ମିନିଟ୍‌ର ସମ୍ପର୍କର ତାସ୍‌ଘରରେ ପରିଣତ ହୋଇଛି ବୋଲି କହନ୍ତି ମୁମ୍ବାଇରେ କାର୍ଯ୍ୟରତ ସମାଜ ବିଜ୍ଞାନୀ ମିନର୍ଭା କୁମାରୀ। ସର୍ବେକ୍ଷଣ କହେ, ଅତ୍ୟାଧୁନିକ ପ୍ରଯୁକ୍ତି ସହ ବଡ଼ ହୋଇଥିବା ଯୁବଗୋଷ୍ଠୀ ସାମଗ୍ରିକ କାମ ପାଇଁ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ଉପ‌େର ନିର୍ଭରଶୀଳ। ଆଉ ସାଥୀ ଖୋଜିବା ପାଇଁ ସେମାନେ ସାମାଜିକ ପରିସର ଅପେକ୍ଷା ବିଭିନ୍ନ ଡେଟିଂ ଆପ୍‌କୁ ଗୁରୁତ୍ବ ଦେଉଛନ୍ତି। ଯୁବକଯୁବତୀ ପରସ୍ପରକୁ ନଭେଟି ବି ପ୍ରେମରେ ପଡୁଛନ୍ତି। ଏହା କ୍ବଚିତ୍ ସ୍ଥାୟୀ ହେଉଛି ତ ଅଧିକାଂଶ କ୍ଷେତ୍ରରେ କ୍ଷଣଭଙ୍ଗୁର। ମିନର୍ଭା କୁମାରୀଙ୍କ ମତରେ ଆଜିକାଲି କିଏ ମାନସିକ ଅବସାଦରୁ ବର୍ତ୍ତିବା ପାଇଁ ତ ପୁଣି କିଏ ସାମୟିକ ରୋମାଞ୍ଚ ସାଉଁଟିବା ପାଇଁ ପ୍ରେମସଂପର୍କ ଖୋଜୁଛନ୍ତି। ଅନେକ ନିିଜକୁ ସାମାଜିକ ପ୍ରତିପତ୍ତି ଓ ସମ୍ଭ୍ରାନ୍ତ ଦେଖାଇ ହେବା ପାଇଁ ଧନାଢ଼୍ୟ ବର୍ଗର ସାଥୀ ଖୋଜି ସମ୍ପର୍କ ଯୋଡୁଛନ୍ତି।

ସାମାଜିକ ପ୍ରତିଷ୍ଠା ପାଇଁ ‘ଥ୍ରୋନିଂ’
ସମୟ ସହିତ ପ୍ରେମୀଯୁଗଳଙ୍କ ମିଳାମିଶା(ଡେଟିଂ)ର ତରିକା ବି ବଦଳିବାରେ ଲାଗିଛି। ଏଭଳି ସ୍ଥିତିରେ କେବଳ ‘କ୍ବାଲିଟି ଟାଇମ୍‌ ପାସ୍‌’ ବା ବିଳାସରେ ସମୟ ଅତିବାହିତ କରିବା ପାଇଁ କେତେକ ସମ୍ଭ୍ରାନ୍ତଶ୍ରେଣୀୟ ବନ୍ଧୁ ବା ବାନ୍ଧବୀ ରଖନ୍ତି। ଜେନ୍‌-ଜେଡ୍‌ ଏହି ପ୍ରେମ ସମ୍ପର୍କକୁ ‘ଥ୍ରୋନିଂ’ ଭାବେ ନାମିତ କରିଛନ୍ତି। ‘ଥ୍ରୋନିଂ’ର ଅର୍ଥ ହେଉଛି ଏମିତି ଜଣେ ବ୍ୟକ୍ତିଙ୍କୁ ବନ୍ଧୁ ବା ବାନ୍ଧବୀ କରିବା, ଯାହା ସହ ଆବେଗିକ ସ୍ତରରେ କୌଣସି ବନ୍ଧନ ନଥିବ। କେବଳ ତାଙ୍କ ସଙ୍ଗସାନ୍ନିଧ୍ୟରେ ନିଜର ଖ୍ୟାତି ବଢ଼ାଇ ହେବ ଓ ବଡ଼ପଣିଆ ଜାହିର କରିହେବ। ‘ସାଇନ୍ସ ଆଡ୍‌ଭାନ୍ସ ଜର୍ଣ୍ଣାଲ୍‌’ରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡ଼ିଛି, ଡେଟିଂ ଆପ୍ ବ୍ୟବହାରକାରୀ ନିଜଠାରୁ ପ୍ରାୟ ୨୫% ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ନିଜ ସାଥୀ ଭାବେ ବାଛିବାକୁ ପସନ୍ଦ କରିଥାନ୍ତି। ସାମାଜିକ ଗଣମାଧ୍ୟମରେ ଷ୍ଟାଟସ୍‌ ଓ ଲୋକପ୍ରିୟତା ବଢ଼ାଇବା ପାଇଁ ‘ଥ୍ରୋନିଂ’ଏକ ମାଧ୍ୟମ। ଦେଶର ବଡ଼ ବଡ଼ ସହର  ଓ ଅତି ସମ୍ଭ୍ରାନ୍ତୀୟ ବର୍ଗରେ ପ୍ରାୟତଃ ଏଭଳି ସମ୍ପର୍କ ‌ଦେଖିବାକୁ ମିଳିଥ‌ାଏ।  

ମନ୍ଥର ଗତିରେ ପ୍ରେମ: ସିମର୍‌ ଡେଟିଂ
ପ୍ରେମରେ ମନ୍ଥରତା, ସମ୍ପର୍କରେ ମଧୁରତା ଭରେ। ଏଭଳି ମନୋଭାବସଂପନ୍ନ ଯୁବକଯୁବତୀ ପ୍ରେମରେ ମନ୍ଥର ଗତିକୁ ଆପଣାଉଛନ୍ତି। ଏମାନେ ତ୍ବରିତ ପ୍ରେମର ମୋହ ଛାଡ଼ି ପୁରୁଣାଶୈଳୀରେ ଧୀରେସୁସ୍ଥେ ସମ୍ପର୍କ ଗଢ଼ିବାର ପ୍ରକ୍ରିୟା ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି। ଏହାକୁ ‘ସିମର୍‌ ଡେଟିଂ’ କୁହାଯାଉଛି। ‘ସିମର୍‌ ଡେଟିଂ’ରେ ବହୁଦିନ ଧରି ଜଣଙ୍କ ସହ ମିଶିବା ଓ ତାକୁ ପରଖିବା ପରେ ସମ୍ପର୍କ ଆଗକୁ ବଢ଼େ।
ଏକ ବହୁରାଷ୍ଟ୍ରୀୟ କମ୍ପାନିରେ କାର୍ଯ୍ୟରତ ମହିଳା ରଞ୍ଜନା ଶ୍ରୀବାସ୍ତବ କହନ୍ତି, ‘‘ଏହି ଚିନ୍ତାଧାରା ବେଶ୍‌ ପୁରୁଣା ଓ ରକ୍ଷଣଶୀଳ। ୯୦ ଦଶକରେ ଯୁବପିଢ଼ି ଏହି ପ୍ରକ୍ରିୟାରେ ପରସ୍ପରଙ୍କୁ ଜାଣି, ବୁଝି ବିବାହ ନିଷ୍ପତ୍ତି ନେଉଥିଲେ। ଯେଉଁ କାରଣରୁ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ରହୁଥିଲା। ତେବେ ଆଧୁନିକ ସମୟର ସମ୍ପର୍କ ଟି-୨୦ କ୍ରିକେଟ୍‌ ଭଳି ଫଟାଫଟ୍ ମଡେଲ୍‌ର। ଆଜି ପରିଚୟ, କାଲି ଡିନର୍‌, ପଅରଦିନ ଲଙ୍ଗ୍ ଡ୍ରାଇଭ୍। ସପ୍ତାହକ ପରେ ବ୍ରେକ୍‌ଅପ୍। ଆଜିର ଯୁବପିଢ଼ି ଦୀର୍ଘ ସମୟ ଗୋଟିଏ ସମ୍ପର୍କରେ ରହିବା କଷ୍ଟକର ହୋଇପଡୁଛି।’’ ତେବେ ଜେନ୍‌-ଜେଡ୍‌ ବିଳମ୍ବରେ ହେଉ ପଛେ ବୁଝିଲେଣି ଯେ ‘ପରସ୍ପରଙ୍କ ଦୋଷତ୍ରୁଟି ଗ୍ରହଣ କରିନେବା ହେଉଛି ‘ପ୍ରେମ’ ଓ ‘ବିବାହ’ ପରି ବନ୍ଧନର ପ୍ରକୃତ କେନ୍ଦ୍ର।  ତେଣୁ ସେମାନେ ପରସ୍ପରଙ୍କୁ ବୁଝିବା ଲାଗି ସମୟ ଓ ଧୈର୍ଯ୍ୟ ବିନିଯୋଗ କରିବାକୁ ପ୍ରସ୍ତୁତ ହେଲେଣି।

ଦୂରରେ ରହି ପ୍ରେମ: ଲିଭିଂ ଆପାର୍ଟ ଟୁଗେଦର୍‌
କେହି କେହି କହନ୍ତି ଦର୍ପଣକୁ ଅତି ପାଖରୁ ଦେଖିଲେ ମୁହଁର ସାମଗ୍ରିକ ସୌନ୍ଦର୍ଯ୍ୟ ପରଖି ହୁଏନାହିଁ। ସଂପର୍କରେ ବି ଠିକ୍ ସେମିତି କଥା। ଏବେ କେତେକ ଦମ୍ପତି/ପ୍ରେମୀଯୁଗଳ ନିଜ ସମ୍ପର୍କକୁ ମଧୁର କରିବାକୁ ପରସ୍ପରଠାରୁ ସୁରକ୍ଷିତ ଦୂରତା ରକ୍ଷା କରୁଛନ୍ତି।  ଏହାକୁ କୁହାଯାଉଛି ‘ଲିଭିଂ ଆପାର୍ଟ ଟୁଗେଦର୍‌’। ସମସ୍ତେ ‘ମି-ଟାଇମ୍‌’ ବା ‘ନିଜ-ସମୟ’ ଖୋଜୁଛନ୍ତି। ପରିବାର ଭିତରେ ଏକାଠି ରହି ପ୍ରତିଦିନ ଝଗଡ଼ାଝାଟିରୁ ତ୍ରାହି ପାଇବା ପାଇଁ କେତେକ ଏହି ଟ୍ରେଣ୍ଡ୍‌କୁ ଆ‌ପଣାଇଲେଣି। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ଜୀବନଶୈଳୀକୁ ବଜାୟ ରଖିବା ଅନୁମତି ଦେଇଥାଏ। ଏଭଳି ଜୀବନ ଅତିବାହିତ କରୁଥିବା ୫୦ ବର୍ଷୀୟ  ଅଭିଜିତ କହନ୍ତି,‘‘ଆମେ ଲିଭିଂ ଟୁଗେଦର୍‌ ପରେ ବିବାହ କଲୁ। କିନ୍ତୁ କ୍ରମେ ସଂପର୍କ ତିକ୍ତତା ଆଡ଼କୁ ଗଲା। ମୋ ସ୍ତ୍ରୀ ଜଣେ ସଫ୍ଟୱେର୍‌ ଇଂଜିନିୟର୍‌। ଦୁହେଁ ଥରେ ଏକାଠି ବସି କିଛି ଦିନ ଅଲଗା ରହିବାକୁ ନିଷ୍ପତ୍ତି କଲୁ। ଇତିମଧ୍ୟରେ ପ୍ରାୟ ବର୍ଷେ ହୋଇଗଲାଣି। ଏବେ ଆମେ ଦେଖୁଛୁ ପୁରୁଣା ସଂପର୍କ ଧୀରେ ଧୀରେ ଫେରୁଛି।’’ ବ୍ୟକ୍ତିଗତ ସ୍ୱାଧୀନତା ବଜାୟ ରଖିବା ଦ୍ୱାରା ସେମାନଙ୍କର ସାମଗ୍ରିକ ସୁଖ ବୃଦ୍ଧି ପାଇଥାଏ। ଲିଭିଂ ଆପାର୍ଟ ଟୁଗେଦର୍‌ କିଛି ଦମ୍ପତିଙ୍କ ପାଇଁ ଭଲ କାମ କରୁଥିବା ଦେଖାଯାଉଛି।

gdjjgdgjjg

କ୍ଷଣିକ ସମ୍ପର୍କର ନୂଆ ସୂତ୍ର ‘ନାନୋସିପ୍‌’
ଆଗରୁ ପ୍ରେମ ନିବେଦନ କରିବା ପାଇଁ ମାସ ମାସ, ବର୍ଷ ବର୍ଷ ସମୟ ଲାଗିଯାଉଥିଲା। ଦୀର୍ଘଦିନର ପ୍ରେମ ସମ୍ପର୍କ ଯଦି ବିବାହର ରୂପ ନେଉଥିଲା ତେବେ ଜୀବନ ଅର୍ଥପୂର୍ଣ୍ଣ ପ୍ରତୀତ ହେଉଥିଲା। କିନ୍ତୁ ଆଜିକାଲିର ପ୍ରେମ ଯେତେ ଶୀଘ୍ର ଗଢ଼ିଉଠେ ସେତେ ଶୀଘ୍ର ମଧ୍ୟ ଭାଙ୍ଗିଯାଏ। ଏବେ ସାମାଜିକ ଗଣମାଧ୍ୟମରେ ଏହିଭଳି ସମ୍ପର୍କର ଚର୍ଚ୍ଚା ମୁଣ୍ଡ ଟେକିଛି- ନାଁ ତା’ର ‘ନାନୋସିପ୍‌’। ‘ନାନୋ’ର ଅର୍ଥ କମ୍‌/କ୍ଷୁଦ୍ର ଓ ‘ସିପ୍‌’ ଅର୍ଥ ସମ୍ପର୍କ। ଏଭଳି ସମ୍ପର୍କ ମୁଖ୍ୟତଃ ପାର୍ଟି, କ୍ଲବ୍‌ କିମ୍ବା ରେସ୍ତୋରାଁରୁ ଆରମ୍ଭ ହୋଇଥାଏ। ଏହା କିଛି ଘଣ୍ଟା ବା କିଛି ଦିନ ଭିତରେ ଶେଷ ହୋଇଯାଏ। ଜଣାଶୁଣା ଡେଟିଂ ଆପ୍‌ ‘ଟିଣ୍ଡର୍‌’ ୨୦୨୪ରେ ଜାରି କରିଥିବା ରିପୋର୍ଟ ଅନୁସାରେ, ଅତି କମ୍‌ ସମୟର ସମ୍ପର୍କକୁ ଯୁବପିଢ଼ି ଅଧିକ ପସନ୍ଦ କରୁଛନ୍ତି। ଏହି ସର୍ଭେରେ ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ ଓ ଅଷ୍ଟ୍ରେଲିଆର ୮୦୦୦ ଯୁବକଯୁବତୀଙ୍କୁ ସାମିଲ କରାଯାଇଥିଲା। ସେଥିରରୁ ଜଣାପଡ଼ିଥିଲା, ଯୁବକଯୁବତୀ ଜଣଙ୍କ ସହିତ ସଂପୂର୍ଣ୍ଣ ବ୍ୟାପୃତ ହେବା ବଦଳରେ ଅଳ୍ପକଥା, ଦେଖ‌ାଚାହଁା ଓ କ୍ବଚିତ୍‌ ଡେଟିଂ  ଭିତରେ ସଂପର୍କକୁ ସୀମିତ ରଖିବାକୁ ଚାହୁଛନ୍ତି। ଦୀର୍ଘ ନୁହେଁ, ସ୍ବଳ୍ପ ମଧୁର ମୁହୂର୍ତ୍ତ ହିଁ ଏହି ସମ୍ପର୍କର ଫଣ୍ଡା। ଏହି କ୍ଷଣଭଙ୍ଗୁର ସମ୍ପର୍କ ହେଉଛି ‘ନାନୋସିପ୍‌’।

ଏହା ସାଧାରଣତଃ ଶୁଭସକାଳ, ଶୁଭରାତ୍ରି ଭଳି ବାର୍ତ୍ତା ଦିଆନିଆରୁ ଏହା ଆରମ୍ଭ ହୋଇ କିଛି ଦିନ କଥାବର୍ତ୍ତା ପରେ ବନ୍ଦ ହୋଇଯାଏ। ଏଥିରେ ଅନେକ ବ୍ୟକ୍ତି ନିଜର ପରିଚୟ ଓ ଅସ୍ତିତ୍ବକୁ ଗୋପନୀୟ ରଖିବା ସହ ନିଜ ସମ୍ପର୍କକୁ ସୀମା ମଧ୍ୟରେ ରଖିଥାଆନ୍ତି। ଅବସାଦ ମେଣ୍ଟାଇବା ପାଇଁ ଏଭଳି ସମ୍ପର୍କକୁ କେତେକ ବାଛୁଥିବା ବେଳେ କେତେକ ଏପରି ସଂପର୍କ ଦ୍ବାରା ଅବସାଦଗ୍ରସ୍ତ ହେଉଥିବା ମନସ୍ତତ୍ବବିତ୍‌ କହିଛନ୍ତି।

ପିରିସ୍ଥିତିରେ ପଡ଼ି ସମ୍ପର୍କ: ସିଚୁଏସନ୍‌ସିପ୍‌
ପରିସ୍ଥିତିରେ ପଡ଼ି ଦୁଇଜଣ ବ୍ୟକ୍ତି ପରସ୍ପର ସହ ସମ୍ପର୍କରେ ଥିଲେ ଏହାକୁ ‘ସିଚୁଏସନ୍‌ସିପ୍‌’ କୁହାଯାଉଛି। ଏଥିରେ ଦୁଇ ଜଣଙ୍କ ମଧ୍ୟରେ ରୋମାଣ୍ଟିକ୍ ସମ୍ପର୍କ ତ ରହିଥାଏ, କିନ୍ତୁ ଉଭୟ ଉଭୟକୁ ନିଜର ସ୍ଥାୟୀ ସାଥୀ ବୋଲି ଭାବନ୍ତି ନାହିଁ। ପାରସ୍ପରିକ ସମ୍ପର୍କ ବନ୍ଧୁତାଠାରୁ ଅଧିକ ରହିଥାଏ। ଉଭୟ ଉଭୟଙ୍କ ଉପସ୍ଥିତିକୁ ଉପଭୋଗ କରନ୍ତି; ତଥାପି ସେମାନେ ସମ୍ପର୍କକୁ ପରିଚୟ ଦେବାକୁ କଷ୍ଟକର ମନେକରନ୍ତି। ‘ସିଚୁଏସନ୍‌ସିପ୍‌’ କୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ ବା ‌ପ୍ରେମୀଯୁଗଳ ପରସ୍ପରକୁ ନ ଜଣାଇ ଅନ୍ୟ ଏକ ବନ୍ଧନରେ ବାନ୍ଧି ହୋଇପାରନ୍ତି।

ଏଆଇ ବି ଦେଉଛି ଜୀବନସାଥୀ
ପ୍ରଥମ ଦେଖାରେ ପ୍ରେମ! ୮୦ ଓ ୯୦ ଦଶକରେ ଏହା ବେଶ୍‌ ରୋମାଞ୍ଚକର ଅନୁଭୂତି ଦେଉଥିଲା। ହେଲେ ଏବେର ଜେନ୍‌-ଜେଡ୍‌ ଏହାଠୁ ୪ ପାହୁଣ୍ଡ ଆଗରେ ଅଛନ୍ତି। ବ୍ୟକ୍ତିଗତ ଭାବେ ଜଣକୁ ନ ଦେଖି ବି ଏବେ ପ୍ରେମ ହୋଇପାରୁଛି। ସେ ପୁଣି ଅସ୍ତିତ୍ବରେ ଥିବା ବ୍ୟକ୍ତି ସହ ନୁହେଁ, ଏଆଇ ପ୍ରସ୍ତୁତ ଫଟୋଚିତ୍ର ସହ। ମଣିଷକୁ ଛାଡ଼ି ଆଜିକାଲି ଏଆଇ ପ୍ରସ୍ତୁତ ଚିତ୍ର ପ୍ରେମରେ ପାଗଳ ହେଉଛନ୍ତି ଯୁବପିଢ଼ି। ବାସ୍ତବରେ ଟିଣ୍ଡର୍‌, ବମ୍ବଲ୍‌ ଭଳି ଏଆଇ ଚାଳିତ ଡେଟିଂ ଆପ୍‌ରେ ‘ଫଟୋ ଫିଲ୍ଟର୍‌’ ସୁବିଧା ଉପଲବ୍ଧ। ଯେଉଁଥିରେ ଜଣେ ନିଜ ମନ ମୁତାବକ ଫଟୋଟିଏ କରି ପ୍ରୋଫାଇଲ୍‌ ତିଆରି କରିପାରୁଛି। ଏହି ପ୍ରୋଫାଇଲ୍‌ ଦେଖି ଅନ୍ୟମାନେ ଆକର୍ଷିତ ହେବା ସହ ‌କଥା ହେବାକୁ ଆଗଭର ହୁଅନ୍ତି। ଡେଟିଂ ଆପ୍‌ରୁ ସୁନ୍ଦର ଓ ଆକର୍ଷଣୀୟ ଫଟୋ ଦେଖି ଯୁବପିଢ଼ି ସାଥୀ ଚୟନ କରି ଅନ୍‌ଲାଇନ୍‌ ପ୍ରେମ ନିବେଦନ କରୁଛନ୍ତି। ୨୦୧୪ ମସିହାରେ ଟିଣ୍ଡର୍‌ ‘ଫଟୋ ସିଲେକ୍ଟର୍‌’ର ଆପ୍‌ ବଜାରକୁ ଛାଡ଼ିବା ପରେ ଏହି ଧାରା ଲୋକପ୍ରିୟ ହୋଇଥିଲା। ତେବେ ଭର୍ଚୁଆଲ୍‌ ଡେଟିଂ ପାଇଁ ଏଆଇ ବ୍ୟବହାର କରିବା ସବୁବେଳେ ସମସ୍ତଙ୍କ ପାଇଁ ଉଚିତ ହୋଇ ନଥାଏ। ଆଜିକାଲି ନିଜର ଏକାକୀପଣକୁ ଦୂରେଇବା ପାଇଁ ଏଆଇକୁ ଏକ ମାଧ୍ୟମ କରାଯାଉଛି।

ଆଧୁନିକତା ବଦଳରେ ପାଶ୍ଚାତ୍ୟତାକୁ ଆପଣାଉଛନ୍ତି ଯୁବପିଢ଼ି
ପ୍ରେମ ସ୍ବତଃ ହୁଏ। ଏହା କେବେ ବସ୍ତୁସର୍ବସ୍ବ ହୋଇପାରିବ ନାହିଁ। ଏହା ମାନସିକ ଶାନ୍ତି ଆଣେ। ସମାଜକୁ ସୁବାର୍ତ୍ତା ଦିଏ। ସେଥିପାଇଁ ଆ‌ମେ ମୀରାବାଈଙ୍କୁ ପୂଜୁଛେ, ଶବରୀର ପ୍ରେମ ସମର୍ପଣ ପାଇଁ ତାଙ୍କୁ ସ୍ମରୁଛେ ଆଉ ରାଧାକୃଷ୍ଣଙ୍କୁ ଭକ୍ତି କରୁଛେ। କିନ୍ତୁ ଆଜିର ଯୁବପିଢ଼ି ପ୍ରେମକୁ ଲୋକଦେଖାଣିଆ କରିଦେଲେଣି। ପ୍ରେମକୁ ଏବେ ଦାମୀ ଉପହାର, ରଙ୍ଗିନ ଜୀବନଧାରା ଓ ସାମାଜିକ ପ୍ରତିଷ୍ଠାର ମାଧ୍ୟମ କରାଯାଉଛି। ଏବେ ସମ୍ପର୍କରେ ତ୍ୟାଗ, ସମର୍ପଣ ଓ ବୁଝାମଣା ରହୁନାହିଁ। ପରୋକ୍ଷରେ ଏଭଳି ସଂପର୍କ ସମାଜ ଉପରେ କୁପ୍ରଭାବ ପକାଏ। ଆମ ଯୁବପିଢ଼ି ଆଧୁନିକତା ବଦଳରେ ପାଶ୍ଚାତ୍ୟତାକୁ ଅଧିକ ଆପଣାଉଛନ୍ତି। ଏବେ ଶହେ ଥର ସମ୍ପର୍କ ଭାଙ୍ଗୁଛି ଓ ନୂଆ ସମ୍ପର୍କ ଗଢ଼ିହେଉଛି। ଅବଶ୍ୟ ଏହା ବେଶି ଦିନ ଚାଲିବ ନାହିଁ, ଏଥିରେ ପରିବର୍ତ୍ତନ ଆସିବ। ପୁଣି ଲୋକ ଆମ ପୁରୁଣା ପରମ୍ପରା ଓ ସମ୍ପର୍କର ପରିଭାଷାକୁ ଆଦରିବେ। ଏମିତି ହିଁ ଘଟେ ସାମାଜିକ ପରିବର୍ତ୍ତନ। ‘ଓଲ୍‌ଡ୍‌ ଇଜ୍‌ ଗୋଲ୍‌ଡ୍‌ କହି’ ଲୋକେ ପୁଣି ପୁରୁଣା ଧାରାକୁ ଫେରିବେ।
-ନବନୀତା ରଥ, ସମାଜ ବିଜ୍ଞାନୀ ତଥା ଅଧ୍ୟକ୍ଷା, 
ପିଜି କାଉନ୍‌ସିଲ୍‌, ଉତ୍କଳ ବିଶ୍ବବିଦ୍ୟାଳୟ

ବୁଝାମଣା ଓ ଗ୍ରହଣୀୟତା ହିଁ ସୁସ୍ଥ ସମ୍ପର୍କ ଗଢ଼ିପାରିବ
ପ୍ରତିଟି ସଂପର୍କ ମଣିଷକୁ ମାନସିକ ସ୍ତରରେ ଶାନ୍ତି ଓ ସୁରକ୍ଷା ଦେଇଥାଏ। ଏଣୁ ଏବେ ଗଢ଼ି ଉଠୁଥିବା ସମସ୍ତ ସମ୍ପର୍କକୁ ମନ୍ଦ କୁହାଯାଇପାରିବ ନାହିଁ। ଏଭଳି ସମ୍ପର୍କ ସବୁ ଅବସ‌ାଦଗ୍ରସ୍ତ ମନକୁ ସାନ୍ତ୍ବନା ଦେବା ସହ ଭାବଗତ ସୁରକ୍ଷା ଦେଇଥାଏ। କିନ୍ତୁ ସମସ୍ତ ସମ୍ପର୍କରେ ବୁଝାମଣା ଓ ଗ୍ରହଣୀୟତା ରହିବା ଅତ୍ୟାବଶ୍ୟକ। ଆଜିକାଲିର ଯୁବପିଢ଼ି କିଛି ମୁହୂର୍ତ୍ତର ଆବେଶରେ ବଶୀଭୂତ ହୋଇ ପ୍ରେମ କରୁଛନ୍ତି ଏବଂ ସମ୍ପର୍କରେ ପରିପକ୍ବତା ଅଭାବରୁ ତାହା ଭାଙ୍ଗି ବି ଯାଉଛି। ଝଗଡ଼ା ବି ଅଧିକ ହେଉଛି। ଫଳରେ ମାନସିକ ଅଶାନ୍ତି ବଢ଼ି ମାନସିକ ଅବସାଦ, ଉଦ୍‌ବେଗ ଭଳି ସମସ୍ୟା ଏବେ ବୃଦ୍ଧିପାଉଛି। ଆଜିକାଲି ପ୍ରେମର ଅଜବଗଜବ ସଂଜ୍ଞା ଯୋଗୁଁ ସମ୍ପର୍କରୁ ବହୁ ଆଶା ରଖିଥିବା ଯୁବପିଢ଼ି ଧୋକାଖାଇ ଅନେକ ସମୟରେ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣାଉଛନ୍ତି। ଏଣୁ କୌଣସି ସମ୍ପର୍କ ମଧ୍ୟକୁ ପ୍ରବେଶ ପୂର୍ବରୁ ଯୁବପିଢ଼ି ମାନସିକ ସ୍ତରରେ ସବଳ ହେବା ସହ ପରିପକ୍ବତା ବଜାୟ ରଖନ୍ତୁ।
-ତନ୍ମୟିନୀ ଦାସ, ଅତିରିକ୍ତ ନିର୍ଦ୍ଦେଶିକା, ମେଣ୍ଟାଲ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ୍‌, ଏସ୍‌ସିବି ମେଡିକାଲ କଲେଜ, କଟକ