ଆଧୁନିକା ନାରୀ ଶିକ୍ଷିତା, ସ୍ୱାବଲମ୍ବୀ। ପରିବାର ହେଉ କି କାର୍ଯ୍ୟପରିସର ସବୁ ଜାଗାରେ ତା’ ଦକ୍ଷ ହାତର ଛାପ। ଅର୍ଥନୀତିଠୁ ରାଜନୀତି, ସ୍ବାସ୍ଥ୍ୟଠୁ ସମାଜକଲ୍ୟାଣ; କ୍ରୀଡ଼ାଠୁ ମନୋରଞ୍ଜନ; ସାମ୍ବାଦିକଠୁ ବୈଜ୍ଞାନିକ ସବୁ କ୍ଷେତ୍ରରେ ତା’ର ଦୃପ୍ତ ଯୋଗଦାନ। ତେବେ ଆମ ସମାଜରେ ଝିଅଟିଏ ଭଲ ପଢ଼ିବା, ଭଲ କର୍ମନିଯୁକ୍ତି, ଭଲ ଜୀବନସାଥୀ ପାଇବା ପ୍ରଥମ ଆବଶ୍ୟକତା। ଏବର ନାରୀ ପରିବାର ସହ ବୃତ୍ତିର ସନ୍ତୁଳନ ରକ୍ଷା କରି ନିଜର ଶତ ପ୍ରତିଶତ ଦେବା ଭିତରେ ନିଜକୁ ସୁପରଓମେନ୍ ବା ନିଖୁଣ ନାରୀ ବୋଲି ଭାବୁଛି। କିନ୍ତୁ ଅତ୍ୟଧିକ କାମ ଚାପରେ କ୍ରମଶଃ ଏକାକୀ ହୋଇଯାଉଛି, ଥକି ପଡୁଛି, ମାନସିକ ଓ ଶାରୀରିକସ୍ତରରେ। କରୋନା ପରବର୍ତ୍ତୀ ପୃଥିବୀରେ ଘରୁ ଅଫିସ କାମ କରିବାରେ ଅଭ୍ୟସ୍ତ ନାରୀର ବାହାରକୁ ଯିବାର ମାନସିକତା ହ୍ରାସ ପାଇଛି ବୋଲି ଗବେଷଣା କହୁଛି। ଏଣେ ପରିସଂଖ୍ୟାନ ଅନୁସାରେ ନିଯୁକ୍ତି, ବେତନ, ମାତୃତ୍ବ ଛୁଟି, କାର୍ଯ୍ୟ ନିର୍ଘଣ୍ଟ, ପଦୋନ୍ନତି ପ୍ରଭୃତି କ୍ଷେତ୍ରରେ ନାରୀ ପୁରୁଷର ତାରତମ୍ୟ ଏଯାଏ ଦୂରହୋଇ ପାରିନାହିଁ। ଏଣେ ଦୁଆର ବାହାରେ ଉଭା ଚୀରସୁନ୍ଦରୀ, ବିଚକ୍ଷଣ ଯନ୍ତ୍ରନାରୀ। ଏସପ୍ତାହର ନୂଆନାରୀ...

Advertisment

ପୁରୁଷ ପ୍ରଧାନ ହେଉଛି ଶ୍ରମ ଶକ୍ତି। ଦେଶର ସମୁଦାୟ କାର୍ଯ୍ୟବଳରେ ମହିଳାଙ୍କ ଭାଗିଦାରୀ ମାତ୍ର ୨୯.୪ ପ୍ରତିଶତ ରହିଛି। ସେଥିରେ ପୁଣି କାର୍ଯ୍ୟ କରିବା ପାଇଁ ମହିଳାଙ୍କ ସଂଖ୍ୟା ମାତ୍ର ୮.୮ ପ୍ରତିଶତ ରହିଛି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମିର ଏହି ରିପୋର୍ଟ ଅର୍ଥନୀତି ବିଶାରଦମାନଙ୍କୁ ଚିନ୍ତାରେ ପକାଇଛି। କୃଷିପ୍ରଧାନ ଅର୍ଥ ବ୍ୟବସ୍ଥା, ମହାମାରୀରେ ମହିଳାଙ୍କ ସର୍ବାଧିକ ଛଟେଇ ଏବଂ କାର୍ଯ୍ୟକ୍ଷେତ୍ରରେ ମହିଳା ନିଯୁକ୍ତି ସଙ୍କୁଚିତ ହେଉଥିବାରୁ ମହିଳାମାନଙ୍କ ମଧ୍ୟରେ ନିଯୁକ୍ତି ପାଇବାର ଆଗ୍ରହ କମିବାରେ ଲାଗିଛି। ଓଡ଼ିଶାରେ ଏହି ସ୍ଥିତି ଆହୁରି ଚିନ୍ତାଜନକ ରହିଛି। ୨୦୨୧ ମସିହାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗ୍ରାମୀଣ ଓଡ଼ିଶାରେ ମାତ୍ର ୨୪ ପ୍ରତିଶତ ମହିଳା ଉଚ୍ଚପଦରେ ଅଛନ୍ତି। ମହିଳା ନିଯୁକ୍ତିକୁ ବିରୋଧ କରୁଥିବା ଅନେକ ବ୍ୟକ୍ତି ଏଥିରେ ଖୁସି ବ୍ୟକ୍ତ କରିପାରନ୍ତି। ମାତ୍ର ଜନସଂଖ୍ୟାର ଅଧା ଯଦି କାର୍ଯ୍ୟ କରିବେ ନାହିଁ ବା କାର୍ଯ୍ୟ କରିବାପାଇଁ ଚାହିଁବେ ନାହିଁ କିମ୍ବା ସେମାନଙ୍କୁ ଯଦି ସୁଯୋଗ ମିଳୁନାହିଁ ତେବେ ଏହା ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବ। ବିଶ୍ବର ଯେଉଁ ରାଷ୍ଟ୍ର ଯେତେ ଉନ୍ନତ ସେଠାରେ ସେତେ ଅଧିକ ମହିଳା କାର୍ଯ୍ୟ କ୍ଷେତ୍ରରେ ସୁଯୋଗ ପାଆନ୍ତି।

publive-image The News Minute

ଶ୍ରମଶକ୍ତିରେ ମହିଳା ପଛରେ

 ୨୦୧୯ ମସିହା ସୁଦ୍ଧା ସମୁଦାୟ ବିଶ୍ବରେ କାର୍ଯ୍ୟକ୍ଷେତ୍ରରେ ଥିବା ମହିଳାଙ୍କ ସଂଖ୍ୟା ୪୭.୭%କୁ ହ୍ରାସ ପାଇଛି। ୧୯୯୦ ମସିହା ବେଳକୁ ଏହା ୫୦.୯ % ରହିଥିଲା।

 ୨୦୨୦ ମସିହା ସୁଦ୍ଧା, ଯୁକ୍ତରାଷ୍ଟ୍ର ଆମେରିକାର ସବୁ ଚାକିରିରେ ମହିଳାଙ୍କ ଅନୁପାତ ୫୦.୦୪% ରହିଛି। ୨୦୧୯ ମସିହାରେ ଏହା ୪୯.୭% ଥିଲା।

 କାନାଡ଼ାରେ ଶ୍ରମଶକ୍ତିର ସର୍ବାଧିକ ୬୧.୩% ଏବଂ ଅଷ୍ଟ୍ରେଲିଆରେ ୬୧.୧% ହେଉଛନ୍ତି ମହିଳା ଯାହାକି ଯୁକ୍ତରାଷ୍ଟ୍ର ଆମେରିକାଠାରୁ ମଧ୍ୟ ଅଧିକ।

 ଯୁକ୍ତରାଷ୍ଟ୍ର ଆମେରିକାରେ ୧କୋଟି ବ୍ୟବସାୟ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି।

 ୫୧ଟି ଦେଶରେ ସନ୍ତାନ ନଥିବା ୫୩.୨% ମହିଳା ଏବଂ ସନ୍ତାନ ଥିବା ୪୬ % ମହିଳା କାର୍ଯ୍ୟ କରିପାରୁଛନ୍ତି।

 ବିଶ୍ବର ସବୁ ଦେଶରେ ମାତୃତ୍ବ ଛୁଟି ଦିଆଯାଏ ନାହିଁ। ୧୮୪ଟି ଦେଶରେ ଏହି ସୁବିଧା ରହିଛି। ଏଠାରେ ହାରାହାରି ୯୮ ଦିନ ମାତୃତ୍ବ ଛୁଟି ମିଳିଥାଏ।

 ମାତ୍ର ୨୭.୧% ପ୍ରବନ୍ଧନ ଶ୍ରେଣୀରେ ଅଛନ୍ତି।

 ମାତୃତ୍ବ ଯୋଗୁଁ ୬୧% ମହିଳାଙ୍କ ଅଭିବୃଦ୍ଧି ବାଧାପ୍ରାପ୍ତ ହେଉଛି।

 ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ବେତନର ବ୍ୟବଧାନ ୨୦%।

 ୨୦ ବର୍ଷ ମଧ୍ୟରେ ସଫ୍ଟୱେୟାର ମହିଳା ଇଞ୍ଜିନିୟରଙ୍କ ସଂଖ୍ୟା ୨% ବଢିଛି। ଏଥିରେ କେବଳ ଏସିଆରେ ୬% ରହିଛି।

 ୪୨% ମହିଳାଙ୍କ ଅଭିଯୋଗ ଅନୁସାରେ ସେମାନେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ଭେଦଭାବର ଶିକାର ହୋଇଥାଆନ୍ତି।

 ମାନବସମ୍ବଳ ବିଭାଗ ମହିଳା କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଯୋଗ୍ୟ କିମ୍ବା ସ୍ବଳ୍ପ ଦକ୍ଷତା ଥିବା ବିଚାର କରନ୍ତି। ସେଥିପାଇଁ ପଦୋନ୍ନତି ପ୍ରାୟତଃ ମିଳେନାହିଁ।

 ୩୭% ମହିଳା ନିଜ ପଦୋନ୍ନତି ପାଇଁ ଆଲୋଚନା କରିପାରନ୍ତି।