ନୂଆବର୍ଷର ଆଗମନ ଅବସରରେ ନିଜର ସ୍ବାସ୍ଥ୍ୟ ଓ ଜାବନଶୈଳୀର ପୁନଃମୂଲ୍ୟାୟନ କରି ଯଥାର୍ଥ ପସନ୍ଦ ଆପଣେଇବାର ଏହା ହେଉଛି ପ୍ରକୃଷ୍ଟ ସମୟ। ସେଥିପାଇଁ ୨୦୨୫ ଲାଗି ସ୍ବାସ୍ଥ୍ୟ ସଂକଳ୍ପ ଗ୍ରହଣ କରିବା ବେଳେ କୌଣସି ଗତାନୁଗତିକ ଧାରାକୁ ଅନୁସରଣ ନକରି ଦୀର୍ଘସ୍ଥାୟୀ ସୁସ୍ଥତା ଆହରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ଜରୁରି। ନିଜ ଶାରୀରିକ ଦକ୍ଷତାରେ ଉନ୍ନତି ସହ ମାନସିକ ସ୍ବାସ୍ଥ୍ୟରକ୍ଷାର ସଂକଳ୍ପ ହିଁ ଜଣକୁ ଏକ ସନ୍ତୁଳିତ ଜୀବନଧାରଣ ପାଇଁ ପ୍ରୋତ୍ସାହିତ କରିପାରିବ। ଆଜି ସେଭଳି କିଛି ସ୍ବାସ୍ଥ୍ୟ ସଂକଳ୍ପ ପ୍ରସଙ୍ଗରେ ଆଲୋଚନା କରିବା, ଯାହାକୁ ବାସ୍ତବରେ ଜଣେ ସହଜରେ ଆପଣେଇପାରିବ ଏବଂ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ସୁଦକ୍ଷ ରଖିପାରିବ। 

Advertisment

ଦୀର୍ଘସ୍ଥାୟୀ ମାନସିକ ଓ ଶାରୀରିକ ସୁସ୍ଥତା ଆହରଣର ଲକ୍ଷ୍ୟ ଧାର୍ଯ୍ୟ କରି ନୂଆ ବର୍ଷ ଆରମ୍ଭ କରିବା ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ। ସେଭଳି କିଛି ସାଧାରଣ ଓ ସହଜ ସଂକଳ୍ପରୁ ଏ ବର୍ଷ ଆରମ୍ଭ କରନ୍ତୁ। 

hghgghgh

ପ୍ରଥମେ ଏକ ସନ୍ତୁଳିତ ଆହାର ପାଇଁ ସଂକଳ୍ପ କରିପାରିବା। ସେଥି ସକାଶେ ‌ଦୈନନ୍ଦିନ ଖାଦ୍ୟ ସାରଣୀ‌େର ବିଭିନ୍ନ ପ୍ରକାର ପ୍ରକ୍ରିୟାକୃତ ଖାଦ୍ୟ ବଦଳରେ ଶସ୍ୟବୀଜ, ଫଳମୂଳ ଓ ପନିପରିବା ସମ୍ବଳିତ ଭୋଜନ ଯୋଡ଼ିବାକୁ ହେବ। ସେହିପରି ପ୍ରତ୍ୟହ ଅତି କମ୍‌ରେ ୩୦ ମିନିଟ୍‌ ଶାରୀରିକ ପରିଶ୍ରମ କରିବାକୁ ହେବ। କାରଣ ତାହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ମନୋଭାବରେ ଉନ୍ନତି ଆଣି ସମଗ୍ର ଶକ୍ତି ସ୍ତରକୁ ବର୍ଦ୍ଧିତ କରିପାରିବ। ଏଥିସହିତ ଯୋଗ, ଜର୍ନାଲିଂ (ବ୍ୟକ୍ତିଗତ ଚିନ୍ତାଧାରା, ଅନୁଭବ ଓ ଅଭିବ୍ୟକ୍ତିକୁ ଲିପିବଦ୍ଧ କରିବା) କିମ୍ବା ଶ୍ବାସକ୍ରିୟା ବ୍ୟାୟାମ ଦ୍ବାରା ମାନସିକ ସୁସ୍ଥତାକୁ ବଜାୟ ରଖିହେବ। ସେହିପରି ଦୈନିକ ୮ରୁ ୧୦ ଗିଲାସ ପାଣି ପିଇ ଦିନ ତମାମ ଶରୀରର ଜଳୀୟଅଂଶ ବଜାୟ ରଖିବାକୁ ଶପଥ କରିବା ଉଚିତ। ଏହା ବିଭିନ୍ନ ଶାରୀରିକ କ୍ରିୟାକୁ ସୁଗମ କରିବା ସହ ତ୍ବଚାକୁ ସୁସ୍ଥ ରଖେ ଏବଂ ଶକ୍ତି ସ୍ତରକୁ ମଧ୍ୟ ବଢ଼ାଇଥାଏ। ଯାବତୀୟ କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ଦୈନିକ ୮ରୁ ୧୦ ଘଣ୍ଟା ସୁନିଦ୍ରା ଯିବାର ଯୋଜନା ନିହାତି ଜରୁରି। ଉପରୋକ୍ତ ସ୍ବାସ୍ଥ୍ୟପ୍ରଦ ପ୍ରକ୍ରିୟା ଆପଣେଇବା ସହିତ ନିୟମିତ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଉଚିତ। କୌଣସି ପ୍ରକାର ଶାରୀରିକ ପ୍ରତିକୂଳତାକୁ ଏହା ଦୂରେଇଦେଇ ପାରିବ। ସେହିପରି ନିଜର ମୋବାଇଲ ଫୋନ୍‌, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଗ୍ୟାଜେଟ୍‌ର ପରଦାରେ ଦୃଷ୍ଟି ନିକ୍ଷେପ କରି ରହିବାର ସମୟକୁ ଧୀରେ ଧୀରେ ହ୍ରାସ କରିବାକୁ ପଡ଼ିବ। ଏହାଦ୍ବାରା ଆଖି ଉପରେ ପଡୁଥିବା ଚାପକୁ କମାଇ ଦୃଷ୍ଟିଶକ୍ତିକୁ ଶାଣିତ କରିହେବ। ସେହିପରି ତ୍ବଚାକୁ ସଫା ରଖିବା ଲାଗି ଏହାର ନିୟମିତ ଯତ୍ନ ମଧ୍ୟ ଆବଶ୍ୟକ।

ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନଶୈଳୀ ପାଇଁ ବର୍ଜ୍ୟପଦାର୍ଥ ଫିଙ୍ଗିବାରେ ହ୍ରାସ, ପୁନର୍ବ୍ୟବହାରକ୍ଷମ ପଦାର୍ଥର ବ୍ୟବହାର ଏବଂ ଅଧିକ ଉଦ୍ଭିଦଜାତ ଖାଦ୍ୟ ଗ୍ରହଣ ପରି ପରିବେଶ-ଅନୁକୂଳ କାର୍ଯ୍ୟକଳାପ ଉପରେ ଗୁରୁତ୍ବ ଦେବାକୁ ସଂକଳ୍ପ କରିବା। ଏଥିସହିତ ରୋଷେଇ, ବଗିଚା କାମ, ଲେଖାପଢ଼ା କି ସଂଗୀତଶିକ୍ଷା ପରି ମନପସନ୍ଦ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ବିଧେୟ। ସର୍ବୋପରି ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ସାମାଜିକ ସମ୍ପର୍କକୁ ପ୍ରାଧାନ୍ୟ ଦେବା ବି ଜରୁରି। ଏହି ସଂକଳ୍ପଗୁଡ଼ିକୁ ଯଥାସାଧ୍ୟ ଗ୍ରହଣ କରି ଆମେ ଏକ ସୁସ୍ଥ, ନିରାମୟ ତଥା କାର୍ଯ୍ୟକ୍ଷମ ଜୀବନ ଜିଇପାରିବା ବୋଲି ଆଶା କରାଯାଇପାରେ।