ମୂଷାମାନଙ୍କ ଉପଦ୍ରବରେ ବର୍ଷକୁ ବର୍ଷ ଅତିଷ୍ଠ ହୋଇ ପଡୁଥିବା ଆମେରିକାର ନ୍ୟୁୟର୍କ ସହର ଏବେ ତାହାର ଏକ ସକାରାତ୍ମକ ଦିଗକୁ ଉପଯୋଗ କରିବା ଆରମ୍ଭ କରିଛି। ସହରର ବିଭିନ୍ନ ମୂଷା ଉପଦ୍ରବସ୍ଥଳକୁ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣରେ ପରିଣତ କରାଯାଇଛି। କେନ୍ନି ବୋଲୱର୍କ ନାମକ ସହରର ଜଣେ ମୂଷାପ୍ରେମୀ ପର୍ଯ୍ୟଟକମାନଙ୍କୁ ଏପରି ଏକ ନିଆରା ଅନୁଭୂତି ଦେବା ଲାଗି ସ୍ବତନ୍ତ୍ର ଭ୍ରମଣ ସୂଚୀ ପ୍ରସ୍ତୁତ କରିଛନ୍ତି। ସେଥିରେ ବିଭିନ୍ନ ଜନପଥ, ନିର୍ମାଣସ୍ଥଳୀ ଓ ରେସ୍ତୋରାଁ କଡ଼ ରହିଛି ଯେଉଁଠାରେ ପଲ ପଲ ମୂଷାଙ୍କୁ ଡିଆଁଡେଇଁ କରୁଥିବା ଦେଖିହେବ। ବୋଲୱର୍କଙ୍କର ପ୍ରାରମ୍ଭିକ ଉଦ୍ଦେଶ୍ୟ ଥିଲା ସହରକୁ ମୂଷାମୁକ୍ତ କରାଇବା।
ସେ ତେଣୁ ଲୋକଙ୍କୁ ସହରର ୩୧୧ ଫୋନ୍ ସେବା ସମ୍ପର୍କରେ ଅବଗତ କରାଇଥିଲେ, ଯାହା ସାହାଯ୍ୟରେ ମୂଷା ଉପଦ୍ରବ ବାବଦରେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ। ମାତ୍ର ଏ ପ୍ରକ୍ରିୟାରେ ସେ ଅନେକ ମୂଷାପ୍ରେମୀଙ୍କୁ ଭେଟିଲେ ଯେଉଁମାନେ ବିଭିନ୍ନ ସ୍ଥାନରେ ମୂଷାପଲଙ୍କୁ ଭିତ୍ତି କରି ଚଳଚ୍ଚିତ୍ର ନିର୍ମାଣ କରିବାକୁ ପରାମର୍ଶ କରିଥିଲେ। ମୂଷାମାନଙ୍କୁ ନ୍ୟୁୟର୍କ ସହରର ମାସ୍କଟ ବୋଲି କହୁଥିବା ବୋଲୱର୍କ ଏବେ ଟିକ୍ଟକ୍ରେ ମୂଷାଙ୍କର ପ୍ରତ୍ୟକ୍ଷଦର୍ଶୀ ଉପଦ୍ରବର ଦୃଶ୍ୟ ଛାଡ଼ି ଚାଲିଛନ୍ତି। ତାଙ୍କ ପରି ଆଉ କେତେଜଣ ମୂଷାପ୍ରେମୀ ଅନୁରୂପ ଭାବେ ପର୍ଯ୍ୟଟକମାନଙ୍କୁ ମୂଷା ଉପଦ୍ରବର ଦୃଶ୍ୟ ଉପଭୋଗର ସୁବିଧା ଯୋଗାଉଛନ୍ତି।
ଉଲ୍ଲେଖଯୋଗ୍ୟ, ନ୍ୟୁୟର୍କରେ କୋଭିଡ୍ ମହାମାରୀ ସମୟରେ ମୂଷା ସଂଖ୍ୟା କଳ୍ପନାତୀତ ଭାବେ ବଢ଼ିଯାଇଥିଲା। ଏବେ ସହରର ମୂଷା ସଂଖ୍ୟା ୩୦ ଲକ୍ଷ ଟପିସାରିଲାଣି।