ନୂଆଦିଲ୍ଲୀ: ୨ ଦିନ ହେବ ଜନ୍ମ ହୋଇଥିବା ନାତୁଣୀକୁ ଜଣେ ‘ମଲ୍ଟି ମିଲିୟନେୟାର୍’ ୧୦.୪୪ କୋଟି ଟଙ୍କା ମୂଲ୍ୟର ଘର ଓ ୫୨ କୋଟି ଟଙ୍କାର ‘ଟ୍ରଷ୍ଟ୍ ଫଣ୍ଡ୍’ ଉପହାର ଦେଇଥିବା କଥା ‘ଟାଇମ୍ସ୍ ନାଓଁ’ ରିପୋର୍ଟ କରିଛି।
ଇନ୍ଷ୍ଟାଗ୍ରାମ୍ରେ ଉକ୍ତ ୫୧ ବର୍ଷିୟ ‘ମଲ୍ଟି ମିଲିୟନେୟାର୍’ ବ୍ୟାରି ଡ୍ରିୱିଟ୍-ବାର୍ଲୋ ଘୋଷଣା କରିଛନ୍ତି ଯେ, ତାଙ୍କ ୨୩ ବର୍ଷୀୟ ଝିଅ ସାଫ୍ରୋନ୍ ଡ୍ରିୱିଟ୍-ବାର୍ଲୋ ଶନିବାର ଦିନ ଝିଅଟିଏ ଜନ୍ମ କରିଛନ୍ତି। ତାଙ୍କ ଭାଷାରେ- ଆଜି ମୋ ଝିଅର ଝିଅଟିଏ ହୋଇଛି।
‘ଦି ସନ୍’ ସମ୍ବାଦପତ୍ରକୁ ବ୍ୟାରି କହିଛନ୍ତି, ସାଫ୍ରୋନ୍ ଓ ତା’ର ସ୍ବାମୀ କନୋର୍ଙ୍କ ପାଇଁ ମୁଁ ଖୁବ୍ ସୁଖୀ। ସେମାନେ ପରସ୍ପରର ସୁନ୍ଦର ଯୋଡ଼ି। ଅଭ୍ୟର୍ଥନା ପାଇବା ଲାଗି ମୋ ପାଖରେ ଆଉ ଜଣେ ରାଜଜେମା ଆସି ଜୁଟିଗଲେ। ମୋର ତ ତର ସହିଲା ନାହିଁ (ଉପହାର ଦେବାକୁ ଅପେକ୍ଷା କରି ପାରିଲିନାହିଁ)।
/sambad/media/post_attachments/wp-content/uploads/2023/06/princess.jpg)
ସେଥିପାଇଁ ଶନିବାର ଦିନ ମୁଁ ତା ଲାଗି ୧୦.୪୪ କୋଟି ଟଙ୍କା ମୂଲ୍ୟର ଘରଟିଏ କିଣିଦେଲି। ଖାଲି ସେତିକି ନୁହେଁ, ସେ ଘରର ଅଭ୍ୟନ୍ତରୀଣ ସାଜସଜା ସମ୍ପୂର୍ଣ୍ଣରୂପେ ବଦଳାଇ ଅତ୍ୟାଧୁନିକ କରିବା ପାଇଁ ମଧ୍ୟ ମୁଁ ‘ଇଣ୍ଟେରିୟର୍ ଡିଜାଇନର୍’ମାନଙ୍କୁ ନିର୍ଦେଶ ଦେଇଛି। ସାଫ୍ରୋନ୍ର ଭାଇ ଆସ୍ପେନ୍ ୫,୦୦୦ ପାଉଣ୍ଡ୍ ଦେଇ ରାଜଜେମା ପାଇଁ ‘ଡାୟୋର୍ ପ୍ରାମ୍’ ଓ ‘ପୁସ୍ଚେୟାର୍’ ଆଣିଛି ବୋଲି ସେ କହିଛନ୍ତି।
ବ୍ୟାରି କହିଛନ୍ତି, ପରିବାର ପିଛେ ମୁଁ ଟଙ୍କା ଖର୍ଚ୍ଚ କରିବାକୁ ଚାହେଁ। କାରଣ, ମୁଁ ଏକ ଦୀନଦୁଃଖୀ ଘରେ ଜନ୍ମ ହୋଇଥିଲି। ମତେ କେହି କିଛି ଦେଇ ନ ଥିଲେ। ଲୋକେ ଯାହା ଭାବନ୍ତୁ। ଏସବୁ ହେଉଛି ଦୈନିକ ୨୦ ଘଣ୍ଟା ପର୍ଯ୍ୟନ୍ତ କାମ କରି ମୁଁ ଉପାର୍ଜନ କରିଥିବା ଟଙ୍କା। ତେଣୁ, ମୋ ପିଲାମାନଙ୍କୁ ଯାହା ଇଚ୍ଛା ତାହା କିଣି ଦେବାକୁ ମୋର ମନବଳୁଛି।