ନୂଆଦିଲ୍ଲୀ: ମାଲେସିଆର ଆଞ୍ଜେଲିନା ଫ୍ରାନ୍ସିସ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଉକ୍ତ ଯୁବତୀ ଜଣକ ତାଙ୍କ ଭଲ ପାଇବାକୁ ପାଇବା ପାଇଁ ବାପା-ମା’ଙ୍କ ସମେତ କୋଟିଏରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଛାଡ଼ି ଚାଲି ଯାଇଥିଲେ। ଏହି କାରଣରୁ ସେ ଚର୍ଚ୍ଚାରେ ଥିଲେ।
ଏହି ଯୁବତୀଙ୍କ ନାମ ଆଞ୍ଜେଲିନା ଫ୍ରାନ୍ସିସ। ଆଞ୍ଜେଲିନା ଜେଡିଡିଆ ଫ୍ରାନ୍ସିସ୍ ନାମକ ଯୁବକଙ୍କୁ ଭଲ ପାଉଥିଲେ। ଜେଡିଡିଆଙ୍କୁ ବିବାହ କରିବା ପାଇଁ ସେ ପାଖାପାଖି ୨୪୮୪କୋଟିର ସମ୍ପତ୍ତି ଛାଡ଼ି ଚାଲି ଯାଇଥିଲେ। ଆଞ୍ଜେଲିନା ମାଲେସିଆର ବିଜନେସ ଟାଇକୁନ ଖୋ କେ ପେଙ୍ଗ ଏବଂ ପୂର୍ବତନ ମିସ୍ ମାଲେସିଆ ପାଉଲିନ୍ ଚାଇଙ୍କ କନ୍ୟା।
ଅକ୍ସଫୋର୍ଡରେ ପାଠପଢ଼ିବା ସମୟରେ ଆଞ୍ଜେଲିନା ଫ୍ରାନ୍ସିସ ପୁରୁଷ ବନ୍ଧୁ ଜେଡିଡିଆ ଫ୍ରାନ୍ସିସଙ୍କ ପ୍ରେମରେ ପଡ଼ିଯାଇଥିଲେ। ଜେଡିଡିଆ ଫ୍ରାନ୍ସିସଙ୍କ ପରିବାର ଧନୀ ଶ୍ରେଣୀର ଲୋକ ନଥିବାରୁ ଆଞ୍ଜେଲିନାଙ୍କ ପରିବାର ଏପ୍ରସ୍ତାବରେ ରାଜି ନଥିଲେ। ଆଞ୍ଜେଲିନା ନିଜ ଭଲ ପାଇବାକୁ ପାଇବା ପାଇଁ ପରିବାରଲୋକଙ୍କୁ ବହୁତ ବୁଝାଇ ଥିଲେ, ସେମାନେ କିନ୍ତୁ ଝିଅ ଚୟନ କରିଥିବା ପୁଅକୁ ପସନ୍ଦ କରି ନଥିଲେ। ଆଉ ଏ ସମ୍ପର୍କକୁ ସେମାନେ ସମର୍ଥନ କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ।
ଏହାପରେ ଆଞ୍ଜେଲିନା ତାଙ୍କ ଘର ପରିବାର ସମସ୍ତଙ୍କୁ ଛାଡ଼ି ପ୍ରେମିକ ଜେଡିଡିଆ ଫ୍ରାନ୍ସିସଙ୍କ ପାଖକୁ ଚାଲି ଆସିଥିଲେ। ଦୁହେଁ ୨୦୦୮ରେ ବିବାହ କରିଥିଲେ ହେଁ ଆଜି ଯାଏଁ ଆଞ୍ଜେଲିନା ନିଜ ପରିବାରଠାରୁ ଦୂରରେ ରହିଛନ୍ତି।
ଦୀର୍ଘବର୍ଷ ପରେ ଆଞ୍ଜେଲିନା କୋର୍ଟରେ ବାପା ଓ ମା’ଙ୍କୁ ନେଇ ଦେଇଥିବା ବୟାନ ପାଇଁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କାରଣ ତାଙ୍କ ବାପା ଓ ମା’ଙ୍କ ନିକଟାରେ ବିବାହ ବିଚ୍ଛେଦ ହୋଇଯାଇଛି।
ତେଣୁ ଏହି ଘଟଣାକୁ ନେଇ କୋର୍ଟ ଆଞ୍ଜେଲିନାଙ୍କୁ ସାକ୍ଷୀ ଭାବେ ହାଜର ହେବାକୁ କହିଥିଲେ। ଏହି ଆଦେଶ ରକ୍ଷା କରି ଆଞ୍ଜେଲିନା କୋର୍ଟରେ ପହଞ୍ଚି ମା’ଙ୍କ ସପକ୍ଷରେ କହିଥିଲେ, ‘ ମା’ ହିଁ ଘରକୁ ସମ୍ଭାଳି ରଖିଥିଲେ। ସମସ୍ତଙ୍କ କଥା ସେ ଏକା ବୁଝୁଥିଲେ। ବାପା ତ ସବୁବେଳେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ଥିଲେ। କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇଯାଇଛି। ମୁଁ ଆଶା କରୁଛି କି ପୁଣି ଦୁହେଁ ନିଶ୍ଚୟ ଏକାଠି ହୋଇଯିବେ।’