ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶା ରାଜନୀତିକୁ ଆଚ୍ଛନ୍ନ କରି ରଖିଛନ୍ତି ନିର୍ବିବାଦୀୟ ନେତା ନବୀନ ପଟ୍ଟନାୟକ। ପାଲଟିଛନ୍ତି ସେ ପ୍ରବହମାନ ରାଜନୀତିର ଚର୍ଚ୍ଚିତ ଚରିତ୍ର। ଓଡ଼ିଶାରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ ତାଙ୍କ ଚର୍ଚ୍ଚାର ପରିସର। ଶାସନରେ ସ୍ଥିରତା, ଲଗାତାର ବିଜୟ ହୁଏତ ଜଣେ ରାଜନେତାଙ୍କ ପାଇଁ ହୋଇପାରେ ବିରାଟ ସଫଳତା କିନ୍ତୁ ଜନମାନସରେ ଏକ ପ୍ରଭାବୀ ଛାପ ଛାଡ଼ିବା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ। ନିରନ୍ତର ରାଜ୍ୟର ସାମୂହିକ ବିକାଶରେ ନିଜକୁ ନିୟୋଜିତ କରିବା, ଗୋଟିକ ପରେ ଗୋଟିଏ ଦାରିଦ୍ର୍ୟ ଦୂରୀକରଣ ଯୋଜନା ହାତକୁ ନେବା, ନାରୀ ସଶକ୍ତିକରଣ ଓ କୃଷକ କଲ୍ୟାଣକୁ ପ୍ରାଥମିକତା ଦେବା ସହ ସକଳ ବିପର୍ଯ୍ୟୟକୁ ସୁଯୋଗରେ ରୂପାନ୍ତରିତ କରିବାର କଳା ହିଁ ନବୀନଙ୍କ ପାଇଁ ସୃଷ୍ଟି କରିଛି ନିଆରା ପରିଚୟ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିୟୋଗ ସୃଷ୍ଟି କରିଥିଲା ଏକ ବିରାଟ ରାଜନୈତିକ ଶୂନ୍ୟତା। ବିଜୁଙ୍କ ପରେ ଓଡ଼ିଶା ରାଜନୀତି କେଉଁ ମୋଡ଼ ନେବ ତାହା ଥିଲା ଏକ ବିରାଟ ପ୍ରଶ୍ନବାଚୀ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୀତିରେ ନବୀନଙ୍କ ଆକସ୍ମିକ ପ୍ରବେଶ ସହ ବିଜୁ ଜନତା ଦଳର ଆତ୍ମପ୍ରକାଶ ଏହି ସନ୍ଦେହରେ ପୂର୍ଣ୍ଣଚ୍ଛେଦ ଟାଣିବା ପରିବର୍ତ୍ତେ ଏହାକୁ ଦ୍ବିଗୁଣିତ କରିଥିଲା। ୧୯୯୭ ସମୟର ଏହି ଚିତ୍ର ଆଗକୁ ଓଡ଼ିଶାର ଦିଶା ଓ ଦଶାକୁ କେଉଁଆଡ଼କୁ ଟାଣିନେବ ତାକୁ ନେଇ ଅନେକଙ୍କ ମନରେ ଥିଲା ଅସୁମାରି ପ୍ରଶ୍ନ। ରାଜନୀତିରେ ନୂଆକରି ପାଦ ଦେଇଥିବା ‘ନବୀନ’ ଯେ ଦିନେ ‘ପ୍ରବୀଣ’ ହେବେ ଓ ରାଜନୀତିର ସତରଞ୍ଜରେ ଗୋଟି ଚାଳନାରେ ମାହିର୍ ହେବେ ତାହା ସହଜେ କଳନା କରିହେଉ ନ ଥିଲା। ଓଡ଼ିଶା ରାଜନୀତିର ଅସ୍ଥିର ଇତିହାସରେ ସ୍ଥିରତାର ଏକ ଫର୍ଦ୍ଦ ଯୋଡ଼ିହେବ ଏବଂ ଓଡ଼ିଶା ମାଟିରେ ଆଞ୍ଚଳିକ ଦଳର ଏକ ସଫଳ ପରୀକ୍ଷଣ ସମ୍ଭବ ହୋଇପାରିବ, ଏହା ଥିଲା କଳ୍ପନା ବାହାରେ।
ସମୟର କଷଟି ପଥରରେ ନବୀନ ହେଲେ ପୋଖତ ରାଜନୀତିଜ୍ଞ। ଦିନେ ଯାହାଙ୍କୁ ପର୍ଯ୍ୟବେକ୍ଷକମାନେ ନବାଗତ କହି ନାପସନ୍ଦ କରୁଥିଲେ, ସମୟ କ୍ରମେ ନବୀନଙ୍କ କରିସ୍ମା ଓ ରାଜନୈତିକ ସଫଳତା ସେମାନଙ୍କୁ ଚକିତ କରିଥିଲା। ସଫଳତା ପରେ ସଫଳତା ଅଜାଡ଼ି ହୋଇପଡ଼ିଛି ନବୀନଙ୍କ ପାଦତଳେ। ସୋପାନ ପରେ ସୋପାନ ଅତିକ୍ରମ କରି ବିଗତ ଦୁଇ ଦଶନ୍ଧିରେ ଓଡ଼ିଶା ରାଜନୀତିର ଚିତ୍ର ଓ ଚରିତ୍ରକୁ ସ˚ପୂର୍ଣ୍ଣ ବଦଳାଇ ଦେବାରେ ସକ୍ଷମ ହୋଇଛନ୍ତି ସେ। କେବଳ ପ୍ରାଦେଶିକ ସ୍ତରରେ ସୀମିତ ରହିନାହିଁ ନବୀନଙ୍କ କରିସ୍ମା, ଜାତୀୟ ରାଜନୀତିରେ ମଧ୍ୟ ଏକ ନିର୍ଣ୍ଣାୟକ ଚରିତ୍ର ଭାବେ ଉଭା ହେଇଛନ୍ତି ସେ।
ବିଜୁଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାର ନାରାଦେଇ ରାଜନୀତିରେ ପାଦ ଥାପିଥିବା ନବୀନ ଏ ବାବଦରେ କେତେ ସଫଳ ଓ କେତେ ବିଫଳ ହୋଇଛନ୍ତି ତାର ମୂଲ୍ୟାୟନ ତ ନିଶ୍ଚିତ ଭାବରେ ଆଗାମୀ ସମୟ କରିବ। ତେବେ ସକଳ ସମାଲୋଚନା ଓ ବିରୋଧୀଙ୍କ ଆରୋପ ମଧ୍ୟରେ ନବୀନ ସାଧାରଣ ଲୋକଙ୍କ ମନରେ ଯେଉଁ ପ୍ରଭାବୀ ବିଶ୍ବାସଟିଏ ଜନ୍ମାଇବାରେ ସକ୍ଷମ ହୋଇଛନ୍ତି ତାହା ହିଁ ହୋଇଛି ତାଙ୍କ ସଫଳତାର ଚାବିକାଠି। ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଶାସନ ଡୋରିି ଧରି ରଖିବା ହୁଏତ ନବୀନଙ୍କୁ ସଫଳ ନେତୃତ୍ବର ତାଲିକାର ଶୀର୍ଷରେ ପହଞ୍ଚାଇବାରେ ସହାୟକ ହୋଇଥାଇ ପାରେ କିନ୍ତୁ ତାହା ତାଙ୍କ ସାମଗ୍ରିକ ସଫଳତାର ଏକ ଅ˚ଶବିଶେଷ। ଅଭାବୀ ଓଡ଼ିଶାକୁ ପ୍ରଭାବୀ ରାଜ୍ୟରେ ପରିଣତ କରିବାର ନିରନ୍ତର ପ୍ରୟାସ ଏବଂ ଗରିବ ପରିବାରର ତେଲ ଲୁଣର ସ˚ସାରର ଛବି ବଦଳାଇବାଲାଗି ନିଷ୍ଠାପର ଉଦ୍ୟମ ନବୀନଙ୍କୁ ଏକ ନିଆରା ନେତାର ମାନ୍ୟତା ଦେଇଛି।
ନବୀନ ଯେତେବେଳେ ରାଜନୀତିରେ ପାଦ ଥାପିଲେ ସେ ସମୟରେ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥିଲା ‘କ˚ଗ୍ରେସ’। ଦୀର୍ଘଦିନ ଧରି ଶାସନରେ ଥିବା କ˚ଗ୍ରେସ ପ୍ରତି ଲୋକଙ୍କ ବିମୁଖ ମନୋଭାବ ଓ ବିପର୍ଯ୍ୟୟ ପରିଚାଳନା ଜନିତ ବିଫଳତା କ˚ଗ୍ରେସକୁ ଲୋକଙ୍କ ଠାରୁ ଦୂରେଇ ନେଇଥିଲା। ସେହି ସମୟରେ ଜାତୀୟ ରାଜନୀତିର ତୁଙ୍ଗ ନେତା ଅଟଳ ବିହାରୀ ବାଜପାୟୀଙ୍କ ପ୍ରବଳ ଲୋକପ୍ରିୟତା ଓ ଦିବଙ୍ଗତ ନେତା ବିଜୁ ବାବୁଙ୍କ ପ୍ରତି ଓଡ଼ିଶା ଜନସାଧାରଣଙ୍କ ଅନନ୍ୟ ଅନୁକମ୍ପା ରାଜ୍ୟରେ ବିଜେଡି-ବିଜେପି ମିଳିତ ସରକାରର ସୁଦୃଢ଼ ଭିିତ୍ତିିଭୂମି ସ୍ଥାପନ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ୨୦୦୯ରେ ଭାଙ୍ଗିଯାଇଥିଲା ବିଜେପି-ବିଜେଡି ମେଣ୍ଟ। ୧୯୯୯ ମହାବାତ୍ୟା ରାଜ୍ୟରେ ନାହିଁ ନ ଥିବା କ୍ଷତି ଘଟାଇଥିଲା, ହେଲେ ଏହି ବିପର୍ଯ୍ୟୟ ନବୀନଙ୍କ ପାଇଁ ରାଜନୈତିକ ସୁଯୋଗରେ ରୂପାନ୍ତରିତ ହୋଇଥିଲା। ବିପର୍ଯ୍ୟୟ ମୁକାବିଲାରେ ବିଫଳତା ଓ ତୀବ୍ର ଗୋଷ୍ଠୀ କନ୍ଦଳ କ˚ଗ୍ରେସକୁ ଶୋଚନୀୟ ସ୍ଥିତି ଆଡ଼କୁ ଟାଣିନେଇଥିଲା। ବିପନ୍ନଙ୍କ ନିକଟରେ ପହଞ୍ଚି ନବୀନ ପାଲଟିଥିଲେ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ଓ ଆଦରର ନେତା।
ମହାବାତ୍ୟାର ପ୍ରଥମ ଝଲକ ପ୍ରଥମେ ଛାରଖାର କରିଥିଲା ଗଞ୍ଜାମକୁ। କାଲିଭଳି ମନେପଡୁଛି, କୁମାର ପୂର୍ଣ୍ଣିମା ରାତିର ସେଇ ଭୟାନକ ବିପର୍ଯ୍ୟୟ। ଛତ୍ରପୁରଠାରୁ ରାସ୍ତା ଉପରେ ପଡ଼ିରହିଥିଲା ଅସ˚ଖ୍ୟ ଗଛ। ନବୀନଙ୍କ ସହ ରାତାରାତି ବାହାରିଥିଲୁ ଗୋପାଳପୁର। ରାସ୍ତାରୁ ଡାଳ ହଟାଇବା ଥିଲା ଏକ ଦୁରୂହ ବ୍ୟାପାର। ସବୁ ପ୍ରକାର ପ୍ରତିବନ୍ଧକକୁ ଦୂରକରି ରାତି ଅଧରେ ପହଞ୍ଚିଲୁ। ଚାରିଆେଡ଼ କିଟିକିଟି ଅନ୍ଧାର। ରାତିରେ ନବୀନଙ୍କ ସହ ବସି ସାମାନ୍ୟ ଖାଦ୍ୟ ଗ୍ରହଣ କରିଥିଲୁ। ରାତି ବିତାଇବା ପରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିଲା ଅଭିଯାନ। ଅନେକ ପ୍ରଭାବିତ ଅଞ୍ଚଳକୁ ଯାଇ ନବୀନ ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିବା ସହ ନିଜେ ରିଲିଫ୍ ବାଣ୍ଟିବା କାର୍ଯ୍ୟରେ ସାମିଲ ହୋଇଥିଲେ। ଏହା ବେଶ୍ ପ୍ରଭାବ ପକାଇଥିଲା ଲୋକଙ୍କ ଉପରେ।
ଓଡ଼ିଶା ରାଜନୀତିର ମୋଡ଼ ବଦଳାଇ ଦେଲେ ନବୀନ। ଭାରତବର୍ଷର ରାଜନୀତିରେ ଯେତେବେଳେ ଘୋର ସ˚କଟ ସେ ସମୟରେ ଯେଉଁ କେତେକ ହାତଗଣତି ନେତା ଭାବମୂର୍ତ୍ତିକୁ ପୁଞ୍ଜିକରି ରାଜନୀତିରେ ଏକ ସ୍ବତନ୍ତ୍ର ଆସନର ଅଧିକାରୀ ହୋଇପାରିଛନ୍ତି ସେମାନଙ୍କ ମଧ୍ୟରେ ନବୀନ ଅନ୍ୟତମ। ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭ କରି ଦାରିଦ୍ର୍ୟ ଦୂରୀକରଣ ଯୋଜନା, ମହିଳା ଓ କୃଷକଙ୍କ ପାଇଁ ତାଙ୍କର ଅଭିଯାନ ତାଙ୍କୁ ନିର୍ବାଚନରେ ସଫଳ କରାଇବା ପୂର୍ବକ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚିତ କରିଛି। ଅନେକ ସମୟରେ ମିଳିଛି ତାଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀର ମାନ୍ୟତା। ବିଶେଷକରି ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ଅନ୍ତର୍ଜାତୀୟ ସ୍ତରରେ ତାଙ୍କୁ ଏକ ରୋଲ୍ ମଡେଲ୍ର ମାନ୍ୟତା ପ୍ରଦାନ କରିଛି। ଏପରିକି ଜାତିସ˚ଘ ମଧ୍ୟ ତାଙ୍କ କାର୍ଯ୍ୟପ୍ରଣାଳୀକୁ ପ୍ରଶଂସା କରିଛି।
ନବୀନଙ୍କ ଦୁଇ ଦଶନ୍ଧିର ଶାସନକାଳ କେବଳ ସ˚ଖ୍ୟାଧିକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିନାହିଁ, ସମ୍ମୁଖୀନ ହୋଇଛି ଅନେକ ରାଜନୈତିକ ସ˚କଟର। ମେଣ୍ଟ ରାଜନୀତିରୁ ଦୂରେଇଯିବା ଠାରୁ ଆରମ୍ଭ କରି ସ˚ସଦରେ ବିଜେଡି ସଂସଦୀୟ ଦଳର ବିଭାଜନ ଉଦ୍ୟମ ଓ ‘ମିଡ୍ନାଇଟ୍ ଅପରେସନ୍’ ପର୍ଯ୍ୟନ୍ତ ସବୁକିଛିକୁ ଦୃଢ଼ତାର ସହ ସାମ୍ନା କରିଛନ୍ତି ନବୀନ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ରାଜନୈତିକ ସ˚କଟ ନବୀନଙ୍କ ପାଇଁ ସବୁ ଦୁର୍ଯୋଗ ରୂପାନ୍ତରିତ ହୋଇଯାଇଛି ସୁଯୋଗରେ। ନବୀନଙ୍କ ଶାସନକାଳର ଏହି ବୈଚିତ୍ର୍ୟ ଅନେକଙ୍କୁ ବିସ୍ମିତ କରିଛି।
ସାମର୍ଥ୍ୟ ଓ ବିପୁଳ ଗ୍ରହଣୀୟତା ଥାଇ ମଧ୍ୟ ଜାତୀୟ ରାଜନୀତିରେ ସାମିଲ ହେବାର କୌଣସି ଅଭିଳାଷ ରଖିନାହାନ୍ତି ନବୀନ। ତେବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଲୋକସଭାର ପୂର୍ବତନ ବାଚସ୍ପତି ପି.ଏ. ସାଙ୍ଗମାଙ୍କୁ ଉପସ୍ଥାପନ କରାଇବା, ବିଭିନ୍ନ ଖଣିଜ ଉତ୍ପାଦନକାରୀ ରାଜ୍ୟଙ୍କୁ ରୟାଲ୍ଟି ବୃଦ୍ଧି ଦାବିରେ ଏକଜୁଟ୍ କରାଇବା, କୋଭିଡ୍ ପରିଚାଳନା ସମୟରେ ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ଟିକା ସ˚ଗ୍ରହ କରୁ ଦାବିକୁ ନେଇ ସବୁ ରାଜ୍ୟକୁ ଯୋଡ଼ିବାର ପ୍ରୟାସ ଜାତୀୟ ସ୍ତରରେ ନବୀନଙ୍କ ଗ୍ରହଣୀୟତା ଓ ପ୍ରଭାବର ଦୃଷ୍ଟାନ୍ତ ସୃଷ୍ଟି କରିଛି। ରାଜ୍ୟ ରାଜନୀତିରେ ନିଜକୁ ସୀମାବଦ୍ଧ କରି ରଖିଥିଲେ ମଧ୍ୟ ଜାତୀୟ ସ୍ତରରେ ସମଭାବାପନ୍ନ ନେତାମାନଙ୍କୁ ଏକଜୁଟ୍ କରିବାର ଯଥେଷ୍ଟ ସାମର୍ଥ୍ୟ ରହିଛି ତାଙ୍କର। ଏହି କାରଣରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନେକ ସମୟରେ ନବୀନଙ୍କ ପ୍ରଶ˚ସାରେ ଶତମୁଖ ହୋଇପଡ଼ିଥିଲା ବେଳେ ଜାତୀୟ ରାଜନୀତିରେ ବିକଳ୍ପ ସନ୍ଧାନରେ ଥିବା ଶକ୍ତି ସବୁ ସମୟରେ ନବୀନଙ୍କ ଉପରେ ନଜର ରଖିଆସିଛନ୍ତି। ହେଲେ ସମ ଦୂରତାର ନାରା ଦେଇ ନବୀନ ନିଜକୁ ନିରାପଦ ଦୂରତ୍ବରେ ରଖିବାକୁ ଉଚିତ ମନେକରି ଆସିଛନ୍ତି।
ନବୀନଙ୍କ ଲଗାତାର ସଫଳତା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଓଡ଼ିଶା ରାଜନୀତିରେ ‘ବିକଳ୍ପ’ର ଅଭାବ ନବୀନଙ୍କୁ ଅଧିକ ସୁହାଇଛି ବୋଲି ମତ ରଖନ୍ତି କେତେକ ରାଜନୈତିକ ପର୍ଯ୍ୟବେକ୍ଷକ।
ପାରିବାରିକ ଶାସନର ଘୋର ବିରୋଧୀ ଥିଲେ ବିଜୁ ବାବୁ। ତାଙ୍କ ଶାସନକାଳ ସମୟରେ ବଡ଼ ପୁଅ ପ୍ରେମ୍ ପଟ୍ଟନାୟକ ଓ ଥରେ ଅଧେ ନବୀନ ବାବୁଙ୍କ ନାଁ ମଧ୍ୟ ଉଠିଥିଲା ପ୍ରାର୍ଥୀ ହେବା ପାଇଁ। ହେଲେ ବିଜୁ ବାବୁ ସିଧାସଳଖ ପ୍ରତ୍ୟାଖାନ କରିଦେଇଥିଲେ ବୋଲି ତାଙ୍କ ଅନୁଗାମୀମାନଙ୍କ ଠାରୁ ଶୁଣିବାକୁ ମିଳେ। ଏବେ ବିଜେଡି ରାଜନୀତିରେ ଉତ୍ତରାଧିକାରୀ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଅନେକ ସମୟରେ ନବୀନ ବାବୁଙ୍କ ପୁତୁରା ଅରୁଣଙ୍କୁ ନେଇ ଉଠିଛି ଅନେକ ଚର୍ଚ୍ଚା। କିନ୍ତୁ ନବୀନ ବାବୁ ନିଜେ ଏହାକୁ ଖୋଲାଖୋଲି ପ୍ରତ୍ୟାଖାନ କରିଥିଲେ। ସେ କହିଥିଲେ ଯେ, ତାଙ୍କର ଉତ୍ତରାଧିକାରୀ ସେ ନୁହେଁ ବର˚ ଓଡ଼ିଶାର ଜନସାଧାରଣ ବାଛିବେ। ଏପରିକି ରାଜ୍ୟସଭା ଯିବାଲାଗି ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ଚର୍ଚ୍ଚାକୁ ଆସିବାବେଳେ ମଧ୍ୟ ସେ ଏହାକୁ ଖୋଲାଖୋଲି ଏଡ଼ାଇ ଦେଇଛନ୍ତି।
ରାଜନୀତିରେ ଆଲୋଚନା ସମାଲୋଚନା, ବିରୋଧ ଓ ପ୍ରତିରୋଧ ଏକ ଗତାନୁଗତିକ ପ୍ରକ୍ରିୟା। ଯଦି ଏହାର ଊର୍ଦ୍ଧ୍ବରେ ରହି ବିଗତ ଦୁଇ ଦଶନ୍ଧିର ଶାସନକୁ ତର୍ଜମା କରାଯାଏ ସେଥିରେ ନବୀନଙ୍କୁ ଏକ ସ୍ବତନ୍ତ୍ର ସ୍ଥାନର ମର୍ଯ୍ୟାଦା ଦେବାରେ କାହାରି ମନରେ କୌଣସି କୁଣ୍ଠା ରହିବା ଅନୁଚିତ। ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ ଭଳି କେତେକ ଉଲ୍ଲେଖନୀୟ କାର୍ଯ୍ୟ ତାଙ୍କ ରାଜନୈତିକ ଇତିହାସରେ ସଫଳତାର ଗୋଟିଏ ଗୋଟିଏ ଫର୍ଦ୍ଦ ଭାବେ ଯୋଡ଼ି ହେଇଯାଇଛି। ତେବେ ଓଡ଼ିଶାର ସୀମା ଆରପଟୁ ଭାଷା ଓ ସୀମାକୁ ନେଇ ଯେଉଁ ସ˚କଟ ଦେଖାଦେଇଛି ଉପଯୁକ୍ତ ଜବାବ ଦେଇ ତାର ସଫଳ ମୁକାବିଲା କରିବା ନବୀନଙ୍କ ପାଇଁ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ବାନ। ଏଭଳି ସ˚କଟକୁ ସେ କିଭଳି ଦୃଢ଼ତାର ସହ ମୁକାବିଲା କରୁଛନ୍ତି ତାହା ଉପରେ ରହିଛି ସାରା ରାଜ୍ୟର ନଜର।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ)
ମୋ: ୯୪୩୭୬୩୬୧୪୦