‘ହେରାପଞ୍ଚମୀ’ ପରି ‘ନୀଳାଦ୍ରିବିଜେ’ ମଧ୍ୟ ଶ୍ରୀମନ୍ଦିରର ଓ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଏକ କୌତୁକପୂର୍ଣ୍ଣ ନୀତି। ଏହି ଯାତ୍ରାରେ ମଧ୍ୟ ଦେବୀ ଲକ୍ଷ୍ମୀଙ୍କର ରୋଷର ପରିପ୍ରକାଶ ହୋଇଥାଏ ବୋଲି ସାଧାରଣରେ କଥିତ। ମାତ୍ର ଏହାର ରୀତି ସଂପୂର୍ଣ୍ଣ ଭିନ୍ନ। ବରଂ ଏହା ଏକ କୌତୁକପୂର୍ଣ୍ଣ ନୀତି ବୋଲି ଜଣାଯାଏ। ଶ୍ରୀମନ୍ଦିରର ସ୍ୱତ୍ୱଲିପିରେ ଏ ସଂପର୍କରେ ସଂକ୍ଷିପ୍ତ ଉଲ୍ଲେଖ ଅଛି। କୁହାଯାଇଛି- “ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ହୋଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ (ଦେବୀ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ) ଦେବଦାସୀମାନେ ଯାଇ ସିଂହଦ୍ୱାରକୁ ବନ୍ଦ କରିଦିଅନ୍ତି। ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିଲେ ତାହାକୁ ଫିଟାଇ ଦିଅନ୍ତି।” ଏଥିରୁ ସ୍ପଷ୍ଟ ସୂଚିତ ହୁଏ, ଯେ ସିଂହଦ୍ୱାରଠାରେ କୌଣସି ବଚନିକା ହୋଇ ନ ଥାଏ।

Advertisment

ପ୍ରକୃତରେ, ନୀଳାଦ୍ରିବିଜେର ‘ଲକ୍ଷ୍ମୀ-ନାରାୟଣ କଳି’ ବୋଲି ଯାହାକୁ କୁହାଯାଏ, ତାହା ହୋଇଥାଏ ଜୟବିଜୟ ଦ୍ୱାରଠାରେ। ସ୍ୱତ୍ୱଲିପି ଅନୁସାରେ, ସେଠାରେ “ଦଇତା ଓ ଦେବଦାସୀଙ୍କ ମଧ୍ୟରେ ବଚନିକା ଆରମ୍ଭ ହୁଏ ଏବଂ ଦେବଦାସୀମାନେ ଦଇତାଙ୍କୁ ଲଣ୍ଡଭଣ୍ଡ କରନ୍ତି।” କିନ୍ତୁ ‘ନୀଳାଦ୍ରି ମହୋଦୟ’ ଓ ‘ବାମଦେବ ସଂହିତା’ରେ ଏ ସଂପର୍କରେ କିଂଚିତ୍ ସୂଚନା ଅଛି। ସେଥିରେ କୁହାଯାଇଛି- ଗରୁଡ଼ଙ୍କ ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କୁ ଦକ୍ଷିଣାଭିମୁଖ ବନ୍ଦାପନା କରାଯିବା ସମୟରେ ଦେବୀ ଲକ୍ଷ୍ମୀ ଦ୍ରୁତଗତିରେ ଯାଇ କୌତୁକବଶତଃ ଭିତରଦ୍ୱାର (ଜୟବିଜୟଦ୍ୱାର) ବନ୍ଦ କରିଦିଅନ୍ତି। ଏହାପରେ ଶ୍ରୀଜଗନ୍ନାଥ ଘଣ୍ଟା, ବାଦ୍ୟ ଆଦି ଧ୍ୱନି ସହିତ ଧୀରେ ଧୀରେ ଯାଇ ଦ୍ୱାର ନିକଟରେ ପହଞ୍ଚନ୍ତି। ଦେବୀ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ଦ୍ୱାର ବନ୍ଦ ହୋଇଥିବାରୁ ବିଦ୍ୟାପତି ବଂଶଜ ସେବକ ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇ କବାଟ ଖୋଲିବାପାଇଁ ଦେବୀ ଲକ୍ଷ୍ମୀଙ୍କୁ କହନ୍ତି। ତାହା ପରେ ପରିଚାରିକାମାନେ ଲକ୍ଷ୍ମୀଙ୍କ ଇଙ୍ଗିତରେ “ନୀଳାଚଳ ଛାଡ଼ି କୁଆଡ଼େ ଯାଇଥିଲ” ବୋଲି ପଚାରନ୍ତି। “ଗୁଣ୍ଡିଚା ମଣ୍ଡପ ଯାଇଥିଲୁ” ବୋଲି ଶ୍ରୀଜଗନ୍ନାଥଙ୍କ ପକ୍ଷରୁ କୁହାଯିବା କ୍ଷଣି ଦ୍ୱାର ଖୋଲି ଦିଅନ୍ତି।

‘ବାମଦେବ ସଂହିତା’ରେ ଏ ପ୍ରସଙ୍ଗରେ ବର୍ଣ୍ଣିତ ଅଛି- କବାଟର ଅର୍ଗଳିକୁ ଦୃଢ଼ ଭାବରେ ବନ୍ଦ କରାଇ ଶ୍ରୀଦେବୀ (ଲକ୍ଷ୍ମୀ) ଦାସୀବର୍ଗଙ୍କୁ ଡାକି ଅଭିମାନଭରା ଆଦେଶ ଦେଇ କହିଲେ, “ହେ ଦାସୀମାନେ! ତୁମ୍ଭେ ଯାଇ ଶ୍ରୀଜଗନ୍ନାଥଙ୍କୁ କୁହ ଯେ ଏହି ସ୍ଥାନରେ ଚଣ୍ଡରୂପା ଦେବୀ ଅବସ୍ଥାନ କରୁଛନ୍ତି। ଏହା ହେଉଛି ବିରହିଣୀପୁର। ଚନ୍ଦନାଦି ସୁଗନ୍ଧ ପଦାର୍ଥ, ମନଲାଖି ପାନ, ଭୋଜନ କିଛି ଏଠାରେ ନାହିଁ। ଏଣୁ ହେ ବିଭୁ! ଯେଉଁଠାରେ ଆପଣଙ୍କୁ ଏସବୁ ମିଳିବ, ଆପଣ ସେଠାକୁ ଯାଆନ୍ତୁ।” ଏତିକି ମାତ୍ର କଥାକୁ ନେଇ ଓଡ଼ିଆରେ ଅନେକ ରୋଚକ ସାହିତ୍ୟ ରଚିତ ହୋଇଛି। କିନ୍ତୁ ଏହା ଅଭିମାନ ଓ କୌତୁକର କଥା। ଏଥିରେ କଳି ଝଗଡ଼ାର କଥା କିଛି ନଥାଏ।