‘ନୀଳାଦ୍ରିବିଜେ’ର ‘ରସଗୋଲା’କୁ ନେଇ ଦିନଟିଏ!

ରଥ କଥା - ଅସିତ ମହାନ୍ତି

‘ନୀଳାଦ୍ରିବିଜେ’ର ନୈବେଦ୍ୟ ହେଉଛି ‘ରସଗୋଲା’ । କାରଣ ସେଦିନ ଏହା ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ଭୋଗ କରାଯାଇଥାଏ । ଶ୍ରୀମନ୍ଦିର ‘ସ୍ୱତ୍ୱଲିପି’ ଅନୁସାରେ, ନୀଳାଦ୍ରିବିଜେ ସମୟରେ ଶ୍ରୀମନ୍ଦିରର ଭଣ୍ଡାରଘରଠାରେ ରୁକ୍ମିଣୀ ବିବାହର ଗଇଣ୍ଠାଳ ଫିଟା ଯିବା ବେଳେ ଏହା ଭୋଗ ହୁଏ । କିନ୍ତୁ ‘ନୀଳାଦ୍ରିବିଜେ’ ପାଇଁ ଶ୍ରୀଜଗନ୍ନାଥ ରଥ ଉପରୁ ଓହ୍ଲାଇବା ପୂର୍ବରୁ, ଭେଟମଣ୍ଡପ ଠାରେ ମଧ୍ୟ ଏହା ଭୋଗ ହେଉଥିବା ଦେଖାଯାଏ ।

‘ନୀଳାଦ୍ରିବିଜେ’ର ନୀତି ଅନୁସାରେ, ଶ୍ରୀଜଗନ୍ନାଥ ରଥ ଉପରେ ଟାହିଆ ପିନ୍ଧି ପହଣ୍ଡିପାଇଁ ପ୍ରସ୍ତୁତ ହେବା ବେଳକୁ, ଦେବୀ ଲକ୍ଷ୍ମୀ (ଶ୍ରୀଦେବୀ) ମହାଜନ ସେବକଙ୍କ ହାତରେ ବିଜେ ହୋଇ ଆସି ଭେଟମଣ୍ଡପଠାରେ ଡମ୍ବରୁ ଆକୃତିର ଏକ ଆସନ ଉପରେ ବସନ୍ତି । ସେତେବେଳେ ଏକସମୟରେ ଦେବୀ ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କୁ ବନ୍ଦାପନା କରାଯାଇଥାଏ । ଭେଟମଣ୍ଡପଠାରେ ଭିତରଛ ମହାପାତ୍ର ବନ୍ଦାପନା କଲାବେଳେ, ରଥ ଉପରେ ପତି ମହାପାତ୍ର ବନ୍ଦାପନା କରିଥାଆନ୍ତି । ସେହି ଅବସରରେ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ କରାଯାଇଥାଏ । ରସଗୋଲା କୁଡ଼ୁଆକୁ ପ୍ରଥମେ ରଥରେ ଥିବା ଜଗନ୍ନାଥଙ୍କୁ ଦେଖାଇ ତାହା ପରେ ଦେବୀ ଲକ୍ଷ୍ମୀଙ୍କୁ ସମର୍ପଣ କରାଯାଏ । ଏହା ସୂଚାଏ ଯେ ଏହି ଭୋଗ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରାଗଲା । ଏହି ରସଗୋଲା ଭୋଗଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ମାନଭଞ୍ଜନ ହୋଇଥାଏ ବୋଲି କୁହାଯାଏ।

ଏଇଥିପାଇଁ ହିଁ ଏବେ ‘ନୀଳାଦ୍ରିବିଜେ’ ଦିନଟିକୁ ‘ରସଗୋଲା ଦିବସ’ ଭାବରେ ପାଳନ କରାଯାଉଛି ।

ଉଲ୍ଲେଖନୀୟ ଯେ ଏହି ‘ରସଗୋଲା ଦିବସ’ ପାଳନ ପାଇଁ ‘ସୋସିଆଲ୍‍ ମିଡ଼ିଆ’ରେ ୨୦୧୫ରେ ଗୋଟିଏ ‘କ୍ୟାମ୍ପେନ୍‍’ ଆରମ୍ଭ କରିଥିଲେ ଡକ୍ଟର ଅନିତା ସାବତ । ସେ ବର୍ଷ ଥିଲା ଶ୍ରୀଜଗନ୍ନାଥଙ୍କର ନବକଳେବର ବର୍ଷ । ତା’ ପୂର୍ବରୁ ପାହାଳ ରସଗୋଲାକୁ ଜି.ଆଇ. ମାନ୍ୟତା ଦିଆଯିବାପାଇଁ ଉଦ୍ୟମ କରାଯିବ ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ତାହାକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ପକ୍ଷରୁ ପ୍ରତିବାଦର ସ୍ୱର ବି ଶୁଭିଥିଲା । ପଶ୍ଚିମବଙ୍ଗର କହିବା କଥା ଥିଲା, ରସଗୋଲା ତାଙ୍କର । କାରଣ ୧୮୬୮ ମସିହାରେ କଲିକତାରେ ନବୀନ ଚନ୍ଦ୍ର ଦାଶ ପ୍ରଥମେ ରସଗୋଲା ତିଆରି କଲେ ।

‘ରସଗୋଲା ଦିବସ’ ପାଳନ ପାଇଁ ସାମାଜିକ ଗଣମାଧ୍ୟମର ପ୍ରଚାର ସହିତ, ପ୍ରମାଣର ଆବଶ୍ୟକତା ବି ଥିଲା । ତେଣୁ ୨୬ ଜୁଲାଇ, ଶ୍ରୀଜଗନ୍ନାଥଙ୍କ ସଂଧ୍ୟାଦର୍ଶନ ଅବସରରେ ‘ରବିବାର ସମ୍ବାଦ’ରେ ଏହି ଲେଖକର ଗୋଟିଏ ଲେଖା ଥିଲା ‘ଓଡ଼ିଶାର ରସଗୋଲା: ମିଠାଯୁଦ୍ଧ’ । ସେଥିରେ ସାବ୍ୟସ୍ତ କରାଯାଇଥିଲା ଯେ ରସଗୋଲା ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେର ଭୋଗ । ତେଣୁ ଏହା ଶ୍ରୀଜଗନ୍ନାଥଙ୍କର ଓ ଓଡ଼ିଶାର ।

ସୁଦର୍ଶନ ପଟ୍ଟନାୟକଙ୍କ ‘ପ୍ରଥମ ରସଗୋଲା ଦିବସ’ର ବାଲୁକା କଳା (୨୦୧୫)

‘ନୀଳାଦ୍ରିବିଜେ’ ଦିନ ‘ରସଗୋଲା ଦିବସ’ ପାଳନ କରି ତାହାକୁ ଏକ ‘ବ୍ରାଣ୍ଡିଂ’ ଦେବାର ଆବଶ୍ୟକତା ଥିଲା । ତେଣୁ ‘ସମ୍ବାଦ’ ପକ୍ଷରୁ ପ୍ରଥମ କରି ‘ରସଗୋଲା ଦିବସ’ ପାଳନ ପାଇଁ ଉଦ୍ୟମ କଲେ ତନୟା ପଟ୍ଟନାୟକ । ସେଥିରେ ଏଫ୍‍.ଏମ୍‍. ଚ୍ୟାନେଲ୍‍ ‘ରେଡ଼ିଓ ଚକଲେଟ୍‍’ ବି ସହଯୋଗୀ ହେଲା । ଉଭୟ ଭୁବନେଶ୍ୱର ଓ ପାହାଳରେ ମହା ଉତ୍ସାହରେ ପାଳିତ ହେଲା ‘ପ୍ରଥମ ରସଗୋଲା ଦିବସ’ । ସେହି ଅବସରରେ ବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ବେଳାଭୂମିରେ ପ୍ରସ୍ତୁତ କଲେ ଏକ ଆକର୍ଷଣୀୟ ବାଲୁକା କଳା ।

ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘ରସଗୋଲା ଦିବସ’ ପୋଷାକରେ ଡକ୍ଟର ଅନୀତା ସାବତ

ଏହା ପରଠାରୁ, ପ୍ରତି ବର୍ଷର ‘ନୀଳାଦ୍ରିବିଜେ’କୁ ‘ରସଗୋଲା ଦିବସ’ ଭାବରେ ପାଳନ କରାହୋଇଆସୁଛି । ୧୭ ଜୁଲାଇ ୨୦୧୬, ୬ ଜୁଲାଇ ୨୦୧୭ ଓ ୨୫ ଜୁଲାଇ ୨୦୧୮ ପରେ ଏବର୍ଷ ୧୫ ଜୁଲାଇ ୨୦୧୯ରେ ପାଳିତ ହୋଇଛି ‘ପଞ୍ଚମ ରସଗୋଲା ଦିବସ’ । ଗତ କିଛି ବର୍ଷ ହେଲା ମକର ସଂକ୍ରାନ୍ତିରେ ମଧ୍ୟ ‘ଓଡ଼ିଶା ଟେଲିଭିଜନ ପରିବାର’ ସ୍ୱତନ୍ତ୍ର ଭାବରେ ‘ରସଗୋଲା ମହୋତ୍ସବ’ ପାଳନ କରୁଛନ୍ତି ।

୨୦୧୫ ମସିହା ‘ନୀଳାଦ୍ରିବିଜେ’ ପର୍ଯ୍ୟନ୍ତ, କେବଳ ବାହାର ଲୋକଙ୍କର କାହିଁକି, ଓଡ଼ିଶାରେ ବି ଅନେକଙ୍କର ଧାରଣା ନଥିଲା ଯେ ରସଗୋଲା ପାରମ୍ପରିକ ଭାବରେ ‘ନୀଳାଦ୍ରିବିଜେ’ର ଭୋଗ । କିନ୍ତୁ ଆଜି ‘ନୀଳାଦ୍ରିବିଜେର ନୈବେଦ୍ୟ’ ଓ ଦେବୀ ଲକ୍ଷ୍ମୀଙ୍କ ‘ମାନଭଞ୍ଜନର ମହୌଷଧି’ ଭାବରେ ରସଗୋଲା ଯେ ଶ୍ରୀଜଗନ୍ନାଥଙ୍କର ଓ ସେ ଦୃଷ୍ଟିରୁ ଓଡ଼ିଶାର, ସେ ନେଇ ଆଉ କାହାରି ମଧ୍ୟରେ ସନ୍ଦେହ ନାହିଁ । ସେଥିପାଇଁ ସାଲେପୁର ରସଗୋଲା ପକ୍ଷରୁ ପ୍ରଶାନ୍ତ କୁମାର କର ଗୋଟିଏ ସ୍ଲୋଗାନ୍‍ ପ୍ରସ୍ତୁତ କରିଛନ୍ତି, “ରଥଯାତ୍ରା ଯେବେଠୁ, ରସଗୋଲା ସେବେଠୁ ।” ଏବର୍ଷ ଓଡ଼ିଶା ବାହାରର ଲୋକେ ବି ଏହାର ପ୍ରଚାରରେ ଭାଗନେଇ କହିଛନ୍ତି, “ଶ୍ରୀଜଗନ୍ନାଥ ତ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଉଛନ୍ତି, ଆପଣ ବି ଆପଣଙ୍କ ସ୍ତ୍ରୀଙ୍କୁ ରସଗୋଲା ଖୁଆନ୍ତୁ !”

ସମ୍ବନ୍ଧିତ ଖବର