ବଳରାମ ଦାସଙ୍କ ବର୍ଣ୍ଣନାରେ ନୀଳାଦ୍ରିବିଜେ : ‘ନନ୍ଦିଘୋଷ’ ନୁହେଁ, ଗରୁଡ଼ ପିଠିରେ ଲକ୍ଷ୍ମୀଙ୍କୁ ନେଇ ବଡ଼ଦେଉଳକୁ ଫେରିଥିଲେ ଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ତିମପର୍ବ ହେଉଛି ‘ନୀଳାଦ୍ରିବିଜେ’। ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତଦିନର ରହଣି ପରେ, ବାହୁଡ଼ା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି। ପରିଶେଷରେ ଏହିଦିନ ଠାକୁରମାନେ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏଣୁ ଏହାକୁ ‘ନୀଳାଦ୍ରି ବିଜୟ’ ବା ସଂକ୍ଷେପରେ ‘ନୀଳାଦ୍ରିବିଜେ’ କୁହାଯାଏ। ପୂର୍ବେ ଏହା ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଥିଲା। ଏବେ ସାଧାରଣତଃ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଛି।

କିନ୍ତୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଏହି ବାର୍ଷିକ ଉତ୍ସବ ବ୍ୟତୀତ, ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଆଉ ଗୋଟିଏ ‘ନୀଳାଦ୍ରି ବିଜେ’ର ବର୍ଣ୍ଣନା ଅଛି। ତାହା ଏହି ବାର୍ଷିକ ରୀତିନୀତିଠାରୁ ସଂପୂର୍ଣ୍ଣ ଭିନ୍ନ ଓ ଅତ୍ୟନ୍ତ ରୋଚକ।

‘ଲକ୍ଷ୍ମୀପୁରାଣ’ର କାହାଣୀ ସବୁ ଓଡ଼ିଆଙ୍କୁ ଜଣା। ଶ୍ରୀୟାଚଣ୍ଡାଳୁଣୀ ଘରେ ପୂଜା ଘେନିଥିବାରୁ ଦେବୀ ଲକ୍ଷ୍ମୀଙ୍କ ପ୍ରତି ଦେଢ଼ଶୁର ବଳଭଦ୍ର ରୁଷ୍ଟ ହୁଅନ୍ତି ଏବଂ ତାଙ୍କ ଆଦେଶରେ ଜଗନ୍ନାଥ ଲକ୍ଷ୍ମୀଙ୍କୁ ବଡ଼ ଦେଉଳରୁ ବାହାର କରି ଦିଅନ୍ତି। ସେ ଯିବାପରେ ବଡ଼ଦେଉଳ ଲକ୍ଷ୍ମୀଛଡ଼ା ହୋଇଯାଏ। ଫଳରେ ଦୁଇ ଭାଇ ଅନ୍ନ, ଜଳ ନପାଇ ପରିଶେଷରେ ଯାଇ ସେହି ଲକ୍ଷ୍ମୀଙ୍କ ଉଆସରେ ପହଞ୍ଚନ୍ତି ଏବଂ ତାହା ଏକ ଚଣ୍ଡାଳୁଣୀର ଘର ବୋଲି ତାଙ୍କୁ କୁହାଗଲେ ମଧ୍ୟ, ସେହିଠାରେ ଅନ୍ନଜଳ ସେବନ କରନ୍ତି। ପରିଶେଷରେ ପ୍ରକୃତକଥା ଜାଣି ବଳଭଦ୍ରଙ୍କ ସମ୍ମତିରେ ଲକ୍ଷ୍ମୀ ପୁଣି ବଡ଼ଦେଉଳକୁ ଫେରନ୍ତି। ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ବି ଫେରନ୍ତି ବଡ଼ଦେଉଳକୁ। ଏହା ହେଉଛି ‘ଲକ୍ଷ୍ମୀପୁରାଣ’ର ନୀଳାଦ୍ରିବିଜେ।

The Economic Times

ଶ୍ରୀଜଗନ୍ନାଥଙ୍କ ବାର୍ଷିକ ଗୁଣ୍ଡିଚା ମହୋତ୍ସବର ବାହୁଡ଼ାଯାତ୍ରାରେ, ତାଳଧ୍ୱଜ ରଥରେ ବଳଭଦ୍ର, ନନ୍ଦିଘୋଷ ରଥରେ ଜଗନ୍ନାଥ ଏବଂ ଦେବଦଳନ ରଥରେ ସୁଭଦ୍ରା ଓ ସୁଦର୍ଶନ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ସିଂହଦ୍ୱାରକୁ ଫେରିଥାଆନ୍ତି। ପରିଶେଷରେ ଗୋଟିପହଣ୍ଡିରେ ସେମାନେ ରଥରୁ ରତ୍ନସିଂହାସନକୁ ଯାଆନ୍ତି।

କିନ୍ତୁ ‘ଲକ୍ଷ୍ମୀପୁରାଣ’ର ଏ ନୀଳାଦ୍ରି ବିଜେ ଅଲଗା। ବଳରାମ ଦାସଙ୍କ ବର୍ଣ୍ଣନା ଅନୁସାରେ, ଏଥିରେ ବଳଭଦ୍ର ତାଙ୍କ ‘ତାଳଧ୍ୱଜ’ ରଥରେ ଏବଂ ସୁଭଦ୍ରା ତାଙ୍କ ‘ବିଜୟା’ ରଥରେ ବଡ଼ଦେଉଳକୁ ଫେରିଛନ୍ତି। କିନ୍ତୁ ଜଗନ୍ନାଥ ତାଙ୍କ ‘ନନ୍ଦିଘୋଷ’ ରଥରେ ଫେରି ନାହାନ୍ତି।

ଏ ପ୍ରସଙ୍ଗରେ ବର୍ଣ୍ଣନା ଅଛି, ଏହି ପାରିବାରିକ ବିବାଦର ସମାଧାନ ପରେ ଯେତେବେଳେ ଲକ୍ଷ୍ମୀଙ୍କୁ ନେଇ ବଡ଼ଦେଉଳକୁ ଫେରିବା କଥା ହୋଇଛି, ସେତେବେଳେ ଜଗନ୍ନାଥ ତାଙ୍କର ବାହନ ଗରୁଡ଼କୁ ସ୍ମରଣ କରିଛନ୍ତି। ରମ୍ୟକ ଦ୍ୱୀପରେ ଥିବା ଗରୁଡ଼ ତାହା ଜାଣିପାରି ତୁରନ୍ତ ଆସି ତାଙ୍କ ନିକଟରେ ପହଞ୍ଚିଛନ୍ତି। ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ସେହି ଗରୁଡ଼ ପିଠିରେ ହିଁ ଜଗନ୍ନାଥ ବଡ଼ଦେଉଳକୁ ଫେରିଛନ୍ତି।

ବଳରାମ ଦାସ ଏହାର ବର୍ଣ୍ଣନା କରି କହିଛନ୍ତି-
“ବିଜୟା ରଥରେ ଯେ ସୋଭଦ୍ରା ବିଜେ କଲେ
ଗରୁଡ଼ ପୃଷ୍ଠରେ ଜଗନାଥ କମଳାଙ୍କୁ ନେଲେ।
ବଡ଼ ଦେଉଳକୁ ପ୍ରମଲକ୍ଷ୍ମୀ ବିଜେ କଲେ
ତେତ୍ରିଶକୋଟି ଦେବତା ସଙ୍ଗରେ ଯେ ଗଲେ।
ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ
ସଂସାରର ଲୋକମାନେ ହୋ ହୋଇଲେ ସାନନ୍ଦ।”

ସମ୍ବନ୍ଧିତ ଖବର