ଦିନକୁ ଦିନ ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ସରି ସରି ଆସୁଥିବା ବେଳେ ବୈଜ୍ଞାନିକମାନେ ନୂତନ ଧରଣର ଅଣପାରମ୍ପରିକ ବା ନବୀକରଣକ୍ଷମ ଶକ୍ତି ଉତ୍ସର ସନ୍ଧାନ ଜାରି ରଖିଛନ୍ତି। ଏହି କ୍ରମରେ ଗୋବରକୁ ବ୍ୟବହାର କରି ପ୍ରସ୍ତୁତ ନିର୍ମଳ ଉଦଜାନ ବାଷ୍ପ ଅନ୍ୟତମ ଅଣପାରମ୍ପରିକ ଜାଳେଣି ରୂପେ ଏହି ଦୌଡ଼ରେ ସାମିଲ ହୋଇଛି। ଚିକାଗୋସ୍ଥିତ ଇଲିନଏ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ଅଭିନବ ପ୍ରଣାଳୀରେ ଗୋବର ଓ ଅନ୍ୟାନ୍ୟ କୃଷିବର୍ଜ୍ୟଗୁଡ଼ିକୁ ମିଶାଇ ଏଭଳି ଜାଳେଣି ଉଦ୍ଭାବନ କରିଛନ୍ତି,ଯାହା ଉଦଜାନ ବାଷ୍ପ ପ୍ରସ୍ତୁତିରେ ପାରମ୍ପରିକ ଜାଳେଣିର ଆବଶ୍ୟତକାକୁ ୬୦୦ ପ୍ରତିଶତ ହ୍ରାସ କରିପାରିବ ବୋଲି ସେମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଉଦଜାନ ବାଷ୍ପ ବହୁଦିନରୁ ଏକ ଅତ୍ୟନ୍ତ ଭରସାଯୋଗ୍ୟ ସ୍ଥାୟୀ ଶକ୍ତି ଉତ୍ସ ଭାବରେ ବିବେଚିତ ହୋଇ ଆସୁଛି। ମାତ୍ର ତାହାର ପ୍ରସ୍ତୁତି ପଦ୍ଧତି ପ୍ରଦୂଷଣମୁକ୍ତ ନୁହେଁ। କାରଣ ବିଦ୍ୟୁତ୍ ବିଶ୍ଳେଷଣ ପ୍ରକ୍ରିୟାରେ ଜଳକୁ ବିଭାଜନ କରି ଉଦଜାନ ଓ ଅମ୍ଳଜାନ ପାଇବା ଲାଗି ବିନିଯୋଗ ହେଉଥିବା ଉଚ୍ଚସ୍ତରର ବିଦ୍ୟୁତ୍ ଶକ୍ତି ନିମନ୍ତେ କୋଇଲା ବା ପ୍ରାକୃତିକ ବାଷ୍ପ ଜାଳିବାକୁ ପଡୁଛି। ତେବେ ଇଲିନଏ ବିଶ୍ବବିଦ୍ୟାଳୟର ଗବେଷକମାନେ ପ୍ରଦୂଷଣକାରୀ କୋଇଲା କି ପ୍ରାକୃତିକ ବାଷ୍ପ ବଦଳରେ ଗୋବର ଓ ଅନ୍ୟାନ୍ୟ କୃଷି ବର୍ଜ୍ୟ ସହ ସଲଫ୍ୟୁରିକ୍‌ ଅମ୍ଳ ମିଶାଇ ‘ବାୟୋଚାର’ ନାମରେ ଏକ ସ୍ବତନ୍ତ୍ର ଜାଳେଣି ପ୍ରସ୍ତୁତ କରିପାରିଛନ୍ତି। ଏହା ବିଦ୍ୟୁତ ବିଶ୍ଳେଷଣ ପ୍ରକ୍ରିୟା ପାଇଁ ଏକ ଉନ୍ନତମାନର ଶସ୍ତା ଜାଳେଣି ବୋଲି ପ୍ରମାଣିତ ହୋଇଛି। ତେବେ ଏହି ପ୍ରକ୍ରିୟାରେ ମଧ୍ୟ ସଂପୂର୍ଣ୍ଣ ନିର୍ମଳ ଉଦଜାନ ପ୍ରସ୍ତୁତି ହୋଇପାରୁନାହିଁ। କାରଣ ଏହି ‘ବାୟୋଚାର୍’ ଜଳିବା ଯୋଗୁଁ ମଧ୍ୟ କିଛି ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ମିଶୁଛି। ତେବେ ତାହାକୁ ହ୍ରାସ କରିବା ପାଇଁ ଅଧିକ ଗବେଷଣା ଲୋଡ଼ା ବୋଲି ସେମାନେ କହିଛନ୍ତି।