ମୁମ୍ବାଇ: କିଛି ଦିନ ତଳେ ଏସିଆର ୧ନଂ ଧନୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ନିଜ ଜନ୍ମଦିନ ଖର୍ଚ୍ଚ କରିଥିବା ଟଙ୍କାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ୧୦ବର୍ଷ ପୂର୍ବେ ସେ ନିଜର ୫୦ତମ ଜନ୍ମଦିନକୁ ବେଶ ବିଳାସପୂର୍ଣ୍ଣ ଓ ରାଜକୀୟ ଢଙ୍ଗରେ ପାଳନ କରିଥିଲେ। ସେଥିରେ ୨୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସାମ୍ନାକୁ ଆସିଥିଲା। ଏବେ ନୀତା ନିଜର ଦିନକର ମେକଅପରେ କେତେ ଟଙ୍କା ଖର୍ଚ୍ଚ କରନ୍ତି, ତାହା ସାମ୍ନାକୁ ଆସିଛି।
ନୀତା କୌଣସି ବିବାହ କାର୍ଯ୍ୟକ୍ରମ ଥିଲେ ଦାମୀ ଶାଢ଼ି ଓ ଗହଣା ସହ ସୁନ୍ଦର ମେକଅପ ମଧ୍ୟ ନେଇଥାନ୍ତି। ତାଙ୍କର ପ୍ରତି କାର୍ଯ୍ୟକ୍ରମର ଲୁକ୍ ଭାଇରାଲ ହୋଇଥାଏ। ନିଜ ଶାଢ଼ି, ଗହଣା ଓ ମେକଅପ ପାଇଁ ଚର୍ଚ୍ଚାରେ ରହିଥାନ୍ତି ନୀତା। ଏବେ ନୀତା ତାଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମର ମେକଅପ ପାଇଁ କେତେ ଖର୍ଚ୍ଚ କରନ୍ତି, ତାହା ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ଅମରଉଜାଲା ମୁତାବକ, ନୀତାଙ୍କ ମେକଅପ କରନ୍ତି ମେକଅପ ଆର୍ଟିଷ୍ଟ ମିକି କଣ୍ଟ୍ରାକ୍ଟର। ମିକି, ନୀତାଙ୍କ ସମେତ ତାଙ୍କ ଝିଅ ଓ ବୋହୂଙ୍କ ମେକଅପ ବି କରନ୍ତି। ମିକି ନୀତାଙ୍କ ବ୍ୟକ୍ତିଗତ ମେକଅପ ଆର୍ଟିଷ୍ଟ ହୋଇଥିବା ବେଳେ ସେ ଥରକରେ ନୀତାଙ୍କ ମେକଅପ ପାଇଁ ୭୫ହଜାର ଟଙ୍କା ନିଅନ୍ତି। ମୁମ୍ବାଇ ବାହାରକୁ ଗଲେ ମିକି ୧ଲକ୍ଷରୁ ଅଧିକ ଟଙ୍କା ନେଉଥିବା ଜଣାପଡ଼ିଛି।
ତେବେ ୨୦୧୩ରେ ରାଜସ୍ଥାନର ଉମୈଦ ଭବନ ପ୍ୟାଲେସ୍ରେ ନୀତାଙ୍କ ଜନ୍ମଦିନ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଯୋଗଦେବା ଲାଗି ଦୁନିଆର ବିଭିନ୍ନ କୋଣରୁ ୨୪୦ରୁ ଅଧିକ ଅତିଥିଙ୍କୁ ୩୨ଟି ଚାର୍ଟର ବିମାନରେ ରାଜସ୍ଥାନ ନିଆଯାଇଥିଲା। ବଲିଉଡ୍ ଜଗତର ତାରକା ଶାହରୁଖ ଖାନ୍, ଅମିର ଖାନ୍, ରାଣୀ ମୁଖାର୍ଜୀ, କରିସ୍ମା କପୁର ଆଦି ସେଥିରେ ଯୋଗ ଦେଇଥିଲେ। ଉମୈଦ ଭବନ ପ୍ୟାଲେସ୍ର ବୁକିଂ, ଚାର୍ଟର ବିମାନ ଭଡ଼ା, ସାଜସଜ୍ଜା, ସେଲିବ୍ରିଟି ପ୍ରଦର୍ଶନ, ଆତସବାଜି ଆଦିରେ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।