ଟଙ୍କା ପାଇଁ ଏଟିଏମ୍‌ରୁ ଏଟିଏମ୍‌ ବୁଲି ବୁଲି ଉପଭୋକ୍ତା ହତାଶ, ବଢୁଛି ଅସନ୍ତୋଷ!

ଗତ କିଛିଦିନ ହେଲା ସାରା ରାଜ୍ୟରେ ଏଟିଏମ୍‌ଗୁଡ଼ିକରେ ଟଙ୍କାର ଘୋର ଅଭାବ ଦେଖାଦେବାରେ ଲାଗିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଏଟିଏମ୍‌ଗୁଡ଼ିକରେ ସଟର ପଡିରହିଥିବା ବେଳେ ଆଉ ଯେଉଁ ଏଟିଏମ୍‌ଗୁଡ଼ିକ ଖୋଲା ରହିଛି ସେଥିରୁ ଟଙ୍କା ବାହାରୁ ନାହିଁ। ଫଳରେ ଲୋକମାନେ ଟଙ୍କା ନ ପାଇ ଗୋଟିଏ ଏଟିଏମ୍‌ରୁ ଅନ୍ୟ ଏକ ଏଟିଏମ୍‌ ଦୌଡି ଦୌଡି ଶେଷରେ ନିରାଶ ହେଉଛନ୍ତି।

ଗୋଟିଏ ପଟେ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ଅତିଷ୍ଠ ହୋଇପଡିଥିବା ବେଳେ ଏହି ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଦେଇଛି ଏଟିଏମ୍‌ରେ ଟଙ୍କା ନ ପାଇଁ ଖରାରେ ଗୋଟିଏ ଏଟିଏମ୍‌ରୁ ଅନ୍ୟ ଏକ ଏଟିଏମ୍‌କୁ ଦୌଡିବା। ଲୋକମାନେ ଅନେକଗୁଡ଼ିଏ ଏଟିଏମ୍‌ ଦୌଡିବା ଫଳରେ ଟଙ୍କା ନ ପାଇଁ ନିରାଶ ହୋଇ ଘରକୁ ଫେରୁଛନ୍ତି। ଏହାକୁ ନେଇ ଏବେ ଲୋକମାନଙ୍କ ମଧ୍ୟରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଦେଶର ସବୁଠୁ ନିର୍ଭରଶୀଳ ବ୍ୟାଙ୍କ କୁହାଯାଉଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଏଟିଏମର ଇଏ ହେଉଛି ଅସଲ ଚିତ୍ର। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ଏହି ସମସ୍ୟା ଗୁରୁତର ହୋଇପଡିଛି। କେଉଁଠି ସଟର ପଡିଛି ତ’ ଆଉ କେଉଁଠି ଏଟିଏମ୍‌ କାଁଉଟର ଖୋଲା ଥିଲେ ମଧ୍ୟ ଟଙ୍କା ନାହିଁ ବୋଲି ଲେଖା ହୋଇଛି। ଏହା ଦିନେ ଦୁଇ ଦିନର କଥା ନୁହଁ ଗତ କିଛି ଦିନ ହେବ ଏସ୍ୱିଆଇ ଏଟିଏମରେ ଏଭଳି ଅବସ୍ଥା ଲାଗି ରହିଛି।

କଣ ରହିଛି ଏଟିଏମରେ ଟଙ୍କା ନମିଳିବାର ପ୍ରକୃତ କାରଣ

୨୦୦୦ ଟଙ୍କିଆ ନୋଟ ଛପା ବନ୍ଦ ହେବା ଫଳରେ ୨୦୦୦ ଟଙ୍କାର ଘୋର ଅଭାବ

କେବଳ ୫୦୦ ଏବଂ ୧୦୦ ଟଙ୍କିଆ ନୋଟ୍‌ ଅଧିକ ସଂଖ୍ୟାରେ ମିଳିଲେ ମଧ୍ୟ ସେଗୁଡ଼ିକ ମଧ୍ୟରେ ଅନେକ ୧୦୦ ଟଙ୍କିଆ ନୋଟ୍‌ ଅତ୍ୟନ୍ତ ପୁରୁଣା ହୋଇଥିବାରୁ ଏଟିଏମ୍‌ରେ ରଖାଯାଇ ପାରୁନାହିଁ

ବ୍ୟାଙ୍କରୁ ଯେତିକି ଟଙ୍କା ଯାଉଛି, ବ୍ୟାଙ୍କକୁ ତା’ଠାରୁ ବହୁତ କମ୍‌ ଟଙ୍କା ଫେରୁଛି

୧୦ ପ୍ରତିଶତରୁ ଅଧିକ ଏସବିଆଇ ଏଟିଏମ୍‌ କାର୍ଯ୍ୟକ୍ଷମ ନୁହେଁ

ଦେଶରେ ପ୍ରାୟ ୫୯ ହଜାର ଏସବିଆଇ ଏଟିଏମ୍‌ ମଧ୍ୟରୁ ଓଡ଼ିଶାରେ ରହିଛି ପ୍ରାୟ ୩ ହଜାରରୁ ଅଧିକ ଏଟିଏମ୍‌। ଅଧିକାଂଶ ଏଟିଏମରେ ଟଙ୍କା ନାହିଁ । ହେଲେ ଏସବିଆଇ ଅଧିକାରୀ କହୁଛନ୍ତି-ଖୁବଶୀଘ୍ର ସମାଧାନ ହୋଇଯିବ। ତେବେ କେବେ ଅବସ୍ଥା ସୁଧୁରିବ, ଏ ନେଇ ଚିନ୍ତାରେ ଗ୍ରାହକ।

ସମ୍ବନ୍ଧିତ ଖବର