ଭୁବନେଶ୍ବର: ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତେବେ ରେଜଲ୍ଟ ବାହାରିବା ପରେ ପରେ ନିଆଁ ଭଳି ଖବର ଚାରିଆଡେ ବ୍ୟାପି ଯାଇଛି । ପରିଶ୍ରମ କରି ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଅନେକ ପ୍ରଶଂସା କରୁଛନ୍ତି । ଗଣମାଧ୍ଯମରେ ଟପ୍ପରଙ୍କ ସମେତ କୃତକାର୍ଯ୍ଯ ହୋଇଥିବା ପରୀକ୍ଷାର୍ଥୀଙ୍କ ପ୍ରତିକ୍ରିୟା ମଧ୍ଯ ନିଆଯାଉଛି । ସେମାନେ ନିଜ ନିଜର ସଂଘର୍ଷ ଓ ସଫଳତାର କାହାଣୀ କହୁଛନ୍ତି । କିଏ କେତେ ସମୟ ପରିଶ୍ରମ କରୁଥିଲେ… କିଏ ଭୋକ ଉପାସରେ ରହି ନିଜ ଘରର ଆର୍ଥିକ ଅବସ୍ଥା ଦୁର୍ବଳ ଥାଇ ବି କେମିତି ମନୋବଳ ବଢାଇ ଏହି ଅଗ୍ନିପରୀକ୍ଷାରେ ବିଜୟ ହାସଲ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ତାହା ବି କହୁଛନ୍ତି । 

Advertisment

New Project (11)

ଖାଲି ଏଥର ନୁହେଁ ଯେବେଯେବେ ବି ଓସିଏସ ପରୀକ୍ଷା ଫଳ ପ୍ରକାଶ ପାଏ କିଛି ଏମିତି କାହାଣୀ ସାମ୍ନାକୁ ଆସେ । ସଫଳ ହୋଇଥିବା ପିଲା ସେମାନଙ୍କର ପ୍ରେରଣାଦାୟୀ କାହାଣୀ କହି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜନ୍ତି ଏବଂ ଅନ୍ୟ ପାଇଁ ପ୍ରେରଣା ସାଜନ୍ତି । ଟ୍ରେନିଂ ସମୟରେ ହେଉ କି ରେଜଲ୍ଟ ବାହାରିବା ବେଳେ ଲୋକଙ୍କ ପାଇଁ କାମ କରିବାର ଶପଥ ନିଅନ୍ତି । ସେମାନଙ୍କ ଜୀବନର ଲକ୍ଷ୍ୟ କେବଳ ଆଉ କେବଳ ଲୋକଙ୍କ ସେବା ଏବଂ ସମାଜରେ ପରିବର୍ତ୍ତନ ବୋଲି କୁହନ୍ତି । ଦୁର୍ନୀତିର ପାଖ ମାଡିବେନି ବୋଲି ରାଣ ବି ଖାଆନ୍ତି । ଏକ ସ୍ବଚ୍ଛ ଏବଂ ଲୋକାଭିମୁଖୀ ସେବାରେ ନିଜର ସବୁତକ ଚାକିରି ଜୀବନ କାଟିବାକୁ ପଣକରନ୍ତି । ମିଡିଆ ଆଗରେ ସେମାନଙ୍କ ପ୍ରତିକ୍ରିୟା ଅନେକ ଲୋକଙ୍କୁ ଖୁସି ବି ଦିଏ- ଲୋକେ ଭାବନ୍ତି ଯାହା ହେଉ ଆଜିର ପିଲାଗୁଡା ଲୋକସେବାକୁ ଗୁରୁତ୍ବ ଦେଉଛନ୍ତି ।

cm

କିନ୍ତୁ ଚାକିରି ଜୀବନ ଆରମ୍ଭ ହେଉ ହେଉ କେହି କେହି ନିଜ ଅସଲ ରୂପ ଦେଖାଉଥିବା ବେଳେ କେହି କେହି ଚାକିରି ଜୀବନର ୫ରୁ ୭ ବର୍ଷ ପରେ ଲାଞ୍ଚ ନେଇ ଧରାପଡନ୍ତି । ରେଜଲ୍ଟ ବାହାରିଲା ବେଳେ ଯେଉଁ କଥା ସେମାନେ ଦେଇଥାନ୍ତି ସେ କଥା ସେମାନେ ଭୁଲି ଯାଆନ୍ତି । ଅବଶ୍ୟ ଟଙ୍କା ଲୋଭ ଆଗରେ ସବୁ କିଛି ଫିକା ବୋଲି କଥାରେ କୁହାଯାଉ ଥିବା ବେଳେ ଟଙ୍କା ଦେଖି ସବୁ ପଣ, ସବୁ ଶପଥକୁ ପାଶୋରି ଦିଅନ୍ତି ସେହି ସଫଳ ପରୀକ୍ଷାର୍ଥୀମାନେ, ଯେଉଁମାନେ କୃତକାର୍ଯ୍ଯ ହେବା ପରେ ସେବା କରିବାକୁ ଛାତିରେ ହାତ ରଖି ପଣ କରିଥାନ୍ତି । ଦୁର୍ନୀତିର ପାଖ ମାଡିବେନି କି ଦୁର୍ନୀତିକୁ ପ୍ରଶୟ ଦେବେନି ବୋଲି ଯେଉଁମାନେ ବଡ଼ ବଡ଼ ପାଟିରେ କହିଥାନ୍ତି ସେମାନେ ହିଁ କେଇ ମାତ୍ର ଟଙ୍କା ପାଇଁ ଦୁର୍ନୀତିର ଦୁନିଆ ଭିତରେ ପଶିଯାଆନ୍ତି । ଅବଶ୍ୟ କେହି କେହି ଧରାପଡନ୍ତି ଆଉ କେହି କେହି ଧରାନପଡି ଖସି ଯାଆନ୍ତି । ପରୀକ୍ଷାରେ କୃତକାର୍ଯ୍ଯ ହୋଇଥିବା ସମସ୍ତ ପ୍ରାର୍ଥୀ ଯେ ପରବର୍ତ୍ତୀ ସମୟରେ ଲାଞ୍ଚୁଆ ଅଫିସର ସାଜନ୍ତି ତାହା ନୁହେଁ । କୃତକାର୍ଯ୍ଯ ହୋଇଥିବା କିଛି ପିଲା ପ୍ରଥମେ ବାହାଦୂରୀ ମାରୁଥିଲେ ବି ପରେ ଲାଞ୍ଚୁଆ ବୋଲି ପ୍ରମାଣିତ ହୋଇଥାନ୍ତି ।

Screenshot 2025-09-26 220146

ଯାହାର ବଡ଼ ଉଦାହରଣ ହେଉଛି ୨୦୧୯ ବ୍ୟାଚ୍‌ର ଓଏଏସ୍‌ ଟପର୍‌ ତଥା ସମ୍ବଲପୁରଜିଲ୍ଲା ବାମରାର ପୂର୍ବତନ ତହସିଲଦା ଅଶ୍ୱିନୀ କୁମାର ପଣ୍ଡା  । ଯିଏ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଏବଂ ତାଙ୍କୁ ପରେ ଗିରଫ କରାଯାଇଥିଲା । ଏକ ଜମି ମ୍ୟୁଟେସନ୍‌ ଓ କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଥିଲେ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମରେ ତାଙ୍କ ଘର ଥିବା ବେଳେ ସେ କମ ଦିନରେ ଅନେକ ସମ୍ପତ୍ତିର ଅଧିକାରୀ ହୋଇଥିବା କୁହାଯାଉଥିଲା । ଆଉ ଏସବୁ ପର ଟଙ୍କା, କଳା ଟଙ୍କା ବୋଲି ଅଭିଯୋଗ ହୋଇଥିଲା ।

ତେବେ ଏଠି ପ୍ରଶ୍ନ ଉଠୁଛି ସେହି ଅଶ୍ୱିନୀ ପଣ୍ଡା ଯେତେବେଳେ ଟପ୍ପର ହୋଇଥିଲେ ସିଏ ବି ଲୋକଙ୍କ ସେବା କରିବାର ପଣ କରିଥିଲେ । କିନ୍ତୁ ପରେ ଲୋକସେବା ପଛ, ଲୋଭକୁ ଆଗରେ ରଖି ଲାଞ୍ଚ ନେଲେ । ଭାତ ହାଣ୍ଡିରୁ ଗୋଟିଏ ପରି ଅଶ୍ୱିନୀ କୁମାର ପଣ୍ଡାଙ୍କ ଉଦାହରଣ ଦୁର୍ନୀତିଖୋର ବାବୁଙ୍କ କାହାଣୀରୁ ଗୋଟିଏ ହୋଇଥିବା ବେଳେ ଆଜି ପ୍ରକାଶ ପାଇଥିବା ପରୀକ୍ଷା ଫଳ ଏବଂ ଏଥିରେ ଟପ୍ପର ହୋଇଥିବା ପ୍ରିୟାଂଶୁ ପାଲ ଏବଂ ଅନ୍ୟମାନଙ୍କ ପାଇଁ ୨୦୧୯ ବ୍ୟାଚ୍‌ର ଓଏଏସ୍‌ ଟପ୍ପର ଅଶ୍ୱିନୀ କୁମାର ପଣ୍ଡାଙ୍କ କାହାଣୀ ନିହାତି ଭାବେ ଏକ ବଡ଼ ଚାଲେଞ୍ଜ । ହୁଏତ ଅଶ୍ବିନୀଙ୍କ ଅତୀତର ପ୍ରେରଣାଦାୟୀ କାହାଣୀ ଦେଖି କେହି କେହି କଠିନ ପରିଶ୍ରମ କରି ଆଜି ସଫଳତା ପାଇଥିବେ କିନ୍ତୁ ତାଙ୍କ କ୍ୟାରିୟରର ଦୁର୍ନୀତିଗ୍ରସ୍ତ ଅଧ୍ୟାୟ ଜଣେ ଟପ୍ପର କେମିତି ଲୋଭର ବଶବର୍ତ୍ତୀ ହୁଏ ତାହା ନିହାତି ଜଣେ ନୂଆ ପିଢିର ଅଫିସରକୁ ଚେତାବନୀ ଦେବା ସହ ସତର୍କ କରାଇବ । 

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇଥିବା ସମସ୍ତ ପରୀକ୍ଷାର୍ଥୀ ଆଜି ଯେମିତି ଚାକିରି କରିବା ପୂର୍ବରୁ ଲୋକଙ୍କ କଥାକୁ ଅଗ୍ରାଧିକାର ଦେବେ ବୋଲି କହୁଛନ୍ତି ଆସନ୍ତାକାଲି ବି ଚାକିରି ପାଇଲା ପରେ ସେହିପରି ଲୋକଙ୍କ କାମକୁ ଅଗ୍ରାଧିକାର ଦିଅନ୍ତୁ । ଲୋକଙ୍କ ସେବା ଆଗ ଲୋଭ ପଛ ଏହା ହିଁ ଜଣେ ଭଲ ଅଫିସରର ଲକ୍ଷଣ ହେଉ । କୃତକାର୍ଯ୍ଯ ହୋଇଥିବା ପ୍ରାର୍ଥୀମାନେ ବୃତ୍ତିଗତ ଜୀବନରେ ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଅନ୍ତୁ । ଯେଉଁ ସଙ୍କଳ୍ପ, ଯେଉଁ ସ୍ବପ୍ନ ନେଇ ସେମାନେ ଆଜି ସଫଳତା ହାସଲ କରିଛନ୍ତି ସେମାନେ ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକାଇ ଦୁର୍ନୀତି ଠାରୁ ଦୂରେଇ ରୁହନ୍ତୁ । ଆଉ ବିନା ଦାଗର ଅଫିସର ହେବାକୁ ପ୍ରଚେଷ୍ଟା କରନ୍ତୁ... 

ଏତିକି ହିଁ ସେମାନଙ୍କ ଠାରୁ ଆଶା
ସମସ୍ତଙ୍କୁ ଶୁଭେଚ୍ଛା…

ଅଧିକ ପଢନ୍ତୁ-

ଓସିଏସ୍‌ ପରୀକ୍ଷା-୨୦୨୩: ପ୍ରିୟାଂଶୁ ପାଲ ଟପ୍ପର, ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଜଣେ ମହିଳା