ସାଧାରଣ ଥଣ୍ଡା ଜ୍ବର (କମନ କୋଲଡ) ମନୁଷ୍ୟ ଶରୀରରେ ସର୍ବାଧିକ ପରିମାଣରେ ଦେଖାଦେଉଥିବା ରୋଗ। ପ୍ରାୟ ପ୍ରତ୍ୟେକ ବୟସ୍କ ବ୍ୟକ୍ତି ବର୍ଷକୁ ୨/୩ ଥର ଓ ଛୋଟ ପିଲା (୭ବର୍ଷରୁ କମ) ବର୍ଷକୁ ୬ରୁ ୮ଥର ଏହି ରୋଗରେ ପୀଡିତ ହୋଇଥା’ନ୍ତି। ଏହା ଏକ ଭୂତାଣୁ ବା ଭାଇରସ ଜନିତ ରୋଗ। ସର୍ବାଧିକ ଭାବେ ଏହା ରାଇନୋ ଭାଇରସ ଓ କରୋନା ଭାଇରସ ଦ୍ବାରା ହୋଇଥାଏ। ପ୍ରାୟ ଶତକଡା ୩୦ ଭାଗ ଥଣ୍ଡା ଜ୍ବର ରୋଗୀ କରୋନା ଭାଇରସ ଦ୍ବାରା ପୀଡିତ ହୋଇଥା’ନ୍ତି। କରୋନା ଭାଇରସ ସର୍ବଦା ମନୁଷ୍ୟକୁ ପୀଡିତ କରୁଥିଲା, ଏବେ କରୁଛି ଓ ଭବିଷ୍ୟତରେ ମଧ୍ୟ କରୁଥିବ। ଜୀବନ କାଳ ମଧ୍ୟରେ ଆମେ ଅତିକମରେ ଥରୁଟିଏ କରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥାଉ।
ଏକବିଂଶ ଶତାଦ୍ଦୀରେ ୪ର୍ଥ ବିଶ୍ବ ମହାମାରୀ ଭାବେ କୋଭିଡ-୧୯(କୋରନା ଭାଇରସ ଡିଜିଜ୍-୨୦୧୯) ଦେଖାଦେଇଛି। ଏହା ପୂର୍ବରୁ ଏସଏଆରସ କଶରୋନ-୧(୨୦୦୩) ସ୍ବାଇନ ଫ୍ଲୁ(୨୦୦୯), ଏମଇଆରଏସ –କୋରୋନା(୨୦୧୨) ଆଦି ମହାମାରୀ, ବିଶ୍ବକୁ ତାଙ୍କର କରାଳ ରୂପ ଦେଖାଇ ସାରିଛନ୍ତି। ତେବେ ପ୍ରଶ୍ନ ଉଠେ ଯଦି କରୋନା ଭାଇରସ ଦ୍ବାରା ଆମେ ପୂର୍ବରୁ ଆକ୍ରାନ୍ତ ହେଉଥିଲେ ତେବେ କୋଭିଡ-୧୯କୁ ଏତେ ଗୁରୁତ୍ବ କାହିଁକି?। କିଭଳି ଏହା ଏକ ସର୍ବଜନଗ୍ରାସୀ ମହାମାରୀ ରୁପ ଧାରଣ କରିଛି। ବୈଜ୍ଞାନିକମାନଙ୍କ ମତରେ ଚିନର ହୁବାଇ ପ୍ରଦେଶର ଉହାନ ସହରର ଜୀବନ୍ତ ପଶୁ ମାର୍କେଟ ଏହାର ଉତ୍ପତିସ୍ଥଳ। କୋରୋନା ଭାଇରସ କୌଣସି ଉପାୟରେ ପେଚା ବା ବଜ୍ରକାପ୍ତା ଶରୀରରେ ପ୍ରବେଶ କରି ଏହାର ଜୈବିକ ତତ୍ତ୍ବ (ଜେନେଟିକ୍ ଷ୍ଟ୍ରକଚର)କୁ ପରିବର୍ତ୍ତନ କରି ଏକ ନୂଆ କୋରୋନା ଭୂତାଣୁ(ନୋଭେଲ କରୋନା ଭାଇରସ)ରେ ନିଜକୁ ପ୍ରକାଶ କରିଛି। ଯେହେତୁ ଏହା ନୂଆ, ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ଏହି ଭୂତାଣୁ ପାଇଁ ନଗଣ୍ୟ। ତେଣୁ ଏହା ଚିନ୍ତାଜନକ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ଏହା ଦ୍ବାରା ହେଉଥିବା ରୋଗକୁ କରୋନା ଭାଇରସ ଡିଜିଜ୍-୧୯ (କୋଭିଡ-୧୯) ନାମରେ ନାମିତ କରିଛି। ୧୧ମାର୍ଚ୍ଚ ୨୦୨୦ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ରୋଗକୁ ବିଶ୍ବମହାମାରୀ ଆଖ୍ୟା ଦେଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, କେନ୍ଦ୍ର ଓ ରାଜ୍ୟ ସରକାର, ବିଭିନ୍ନ ସ୍ବାସ୍ଥ୍ୟ ସଂଗଠନ, ଅନ୍ୟ ବେସରକାରୀ ସଂଗଠନ, ଚିକିତ୍ସକ, ସ୍ବାସ୍ଥ୍ୟ କର୍ମୀ ଓ ଚିକିତ୍ସା ବିଜ୍ଞାନୀମାନେ ଏହି ମହାମାରୀକୁ ପ୍ରତିହତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ ସମଗ୍ର ବିଶ୍ବ ଏହାକୁ ନେଇ ପ୍ରାୟତଃ ସଚେତନ, ଯତ୍ନବାନ ଓ ସମ୍ବେଦନଶୀନ। ତେବେ ଏହି ରୋଗ ଆମକୁ ଆତ୍ମଅନୁଶୀଳନ କରିବାକୁ ଖୋରାକ ଯୋଗାଇଛି। ନିଜକୁ ଚିହ୍ନିବା ଓ ଜାଣିବାର ଏକ ଅବକାଶ ଦେଇଛି। ଚେତନା ଓ ବିଜ୍ଞାନର ମିଳନ ପାଇଁ ଏହା ବାର୍ତ୍ତା ଦେଇଛି। କୋଭିଡ-୧୯ ମହାମାରୀକୁ ନେଇ ବିବ୍ରତ ନ ହୋଇ ଏହାର ସକରାତ୍ମକ ଦିଗକୁ ଗୁରୁତ୍ବ ଦେବାର ସମୟ ଆସିଛି।
ଏହି ଘଡିସନ୍ଧି ସମୟରେ ସାମାଜିକ ଦୂରତ୍ବ ବା ସୋସିଆଲ ଡିଷ୍ଟାସନସିଂ ବଜାୟ ରଖିବା ଜରୁରୀ । ତେବେ ଏହି ଦୂରତା ଆଳରେ ଆମେ ସମସ୍ତେ ପୁଣି ପୂର୍ବଭଳି ବାନ୍ଧି ହୋଇଯାରଛୁ। ଦୂରେଇ ଯାଇଥିବା ଆମ ପରିବାର ପୁଣି ପାଖକୁ ଫେରିଛି, ବ୍ୟସ୍ତ ବହୁଳ ଜୀବନରେବ ବଂଚିବା ଭୁଲିଯାଇଥିବା ମଣିଷ ପୁଣିଥରେ ବଂଚିବା ଶିଖିଛି। କୋଭିଡ-୧୯ ପରୋକ୍ଷରେ ଦେଇଥିବା ଏ ସକରାତ୍ମକ ଦିଗ ଚିନ୍ତନସାପେକ୍ଷ।
ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ନିଜ ପରିବାରକୁ ସମୟ ଦେବା, ନିଜପ୍ରତି ଧ୍ୟାନ ଦେବା, ସ୍ବାସ୍ଥ୍ୟର ଯତ୍ନ ନେବା, ଆତ୍ମଚିନ୍ତନ, ଯୋଗାଭ୍ୟାସ, ଶାରୀରିକ ବ୍ୟାୟାମକୁ ପ୍ରାଧାନ୍ୟ ଦେବା। ଚରମ ସୀମାରେ ପହଞ୍ଚିଥିବା ଆମର ଯାନ୍ତ୍ରିକ ଆଶକ୍ତିକୁ ହ୍ରାସ କରି ପୁସ୍ତକ ପଠନର ଅଭ୍ୟାସକୁ ଜାଗ୍ରତ କରିବା। ପରିବାର ସହିତ ଏ ନେଇ ଚର୍ଚ୍ଚା କରିବା। କେବେ ଆମେ ପରିବାର ସହିତ ଲୁଡୋ, କ୍ୟାରମ ଖେଳିଥିଲେ? କେବେ ନିଜ ପ୍ରିୟ ସଉକ(ହବି) କୁ କିଛି ସମୟ ଦେଇଥିଲେ? ସାମାଜିକ ଦୂରତ୍ବର ଏହି ସମୟରେ ତାକୁ ଆବିଷ୍କାର କରିବାର ସୁଯୋଗ ଆସିଛି। ବୃଦ୍ଧ ପିତା ମାତା ବା ବୟସ୍କଙ୍କ ସେବା ପାଇଁ ମନ ଥିଲେ ମଧ୍ୟ ସମୟ ନଥିଲା, ଏବେ ତା’ର ସଦୁପଯୋଗ କରି ସେମାନଙ୍କ ଆଶୀର୍ବାଦ ନେବା। ପ୍ରକାରନ୍ତରେ ପରିବେଶ ସୁରକ୍ଷା ପାଇଁ ଏହା ଏକ ସ୍ବର୍ଣ୍ଣିମ ସୁଯୋଗ। ଗାଡି ମୋଟର, କଳ କାରଖାନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ପାଇବ, ବାୟୁମଣ୍ଡଳ ନିର୍ମଳ ହେବ। ବାଧ୍ୟବାଧକତାରେ ହେଉ ପଛେ ଖର୍ଚ୍ଚକାଟ ବା ସଂଚୟ ମାନସିକତାକୁ ଏହା ଉତ୍ସାହିତ କରିବ। ମୁଁ ଏକା କ’ଣ କରିପାରିବି ଏ ପ୍ରକାର ମାନସିକତାରେ ଆମେ ଗ୍ରସ୍ତ। କିନ୍ତୁ ଏ ମହାମାରୀକୁ ପ୍ରତିହତ କରିବାକୁ ପ୍ରତି ବ୍ୟକ୍ତିର ସଂଯମ, ଯତ୍ନଶୀଳତା ଜରୁରୀ। ପ୍ରତ୍ୟେକ ବ୍ୟକ୍ତିର ସାବଧାନତା ସମଗ୍ର ମାନବଜାତି ପରିପ୍ରେକ୍ଷୀରେ ଅତି ଗୁରୁତ୍ବପୂର୍ଣ୍ଣ।
କୋଭିଡ-୧୯ ଆମକୁ ଚେତାଇ ଦେଇଛି କି, କେହି ଧନି ନିର୍ଧନ, ବଡ ସାନ ନାହାନ୍ତି। ମନୁଷ୍ୟକୃତ ଯେ କୌଣସି ପ୍ରାଚୀର, ସେ ଧାର୍ମିକ ହେଉ ବା ପେଶାଗତ, ଆର୍ଥିକ ବା ସାମାଜିକ ସବୁ କ୍ଷଣସ୍ଥାୟୀ । ଏହି ନିକଟରେ ଆମର ପରସ୍ପର ପ୍ରତି ଭ୍ରାତୁଭାବ, ସ୍ନେହ, ପ୍ରେମ, ଯତ୍ନବାନ ହେବା ବଢିଛି। ଏହା ନିଶ୍ଚିତ ଭାବେ ଉତ୍ସାହଜନକ। ପେଟ୍ରୋଲିୟମ ଜାତ ଦ୍ରବ୍ୟ ବା ଇନ୍ଧନର ବ୍ୟବହାର ହ୍ରାସ ଦ୍ବାରା ଅର୍ଥନୀତିର ଅବ୍ୟବସ୍ଥାକୁ ମଧ୍ୟ କିଛିମାତ୍ରାରେ ଲାଘବ କରିବ।
ଏହି ଅକଳ୍ପନୀୟ ସଙ୍କଟ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ବଚନ ଚିନ୍ତନୀୟ। ‘ତୁମେମାନେ ମୋ ଭିତରେ ଅଛ’ ‘ମୁଁ ସମସ୍ତଙ୍କଠାରେ ଅଛି’। କୋଭିଡ-୧୯ ଆମ ସମସ୍ତଙ୍କୁ ଏହା ସ୍ମରଣ କରାଇ ଦେଉଛି। ଆମେ ସମସ୍ତେ ସମାଜର ଅଙ୍ଗ। ଆମ ସମସ୍ତଙ୍କୁ ନେଇ ସମାଜ ଗଠିତ। ଆମର ପ୍ରତିଟି କାର୍ଯ୍ୟ, ଟିକକ ସାବଧାନତା, କିଞ୍ଚିତ ସାଧାରଣ ଜ୍ଞାନ, ସମାଜ ମଙ୍ଗଳରେ ସହାୟକ ହେବା ନିଶ୍ଚିତ। ଆସନ୍ତୁ ଆମେ ସମସ୍ତେ ସକରାତ୍ମକ ଚିନ୍ତା ନେଇ ଯତ୍ନବାନ, ସମ୍ବେଦନଶୀଳ ହେବା ଏବଂ ପ୍ରକୃତିର ମାନବଜାତି ଉପରେ ରୋଷକୁ ଶାନ୍ତ କରିବାରେ ସହାୟକ ହେବା। ଏହି ଅନୁଶୀଳନ କରିବା ସହିତ ଆମେ କରୋନାକୁ ପ୍ରତିହତ କରିବାକୁ କିଛି ସାଧାରଣ ନିୟମ ପାଳନ କରିବା ବିଧେୟ। ବାରମ୍ବା ହାତକୁ ସାବୁନ ଓ ପାଣିରେ ଅତି କମରେ ୨୦ ସେକେଣ୍ଡ ପାଇଁ ଧୋଇବା। ନିଜର ମୁହଁକୁ ଯଥା ସମ୍ଭବ ସ୍ପର୍ଶ ନ କରିବା ( ଅତି ଜରୁରୀ ବେଳେ ହାତ ଧୋଇ ସ୍ପର୍ଶ କରିବା) ଗହଳିରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବା ଓ ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କଠାରୁ ୧ ମିଟର ଦୂରତା ବଜାୟ ରଖିବା।
ସାଧାରଣ ଶିଷ୍ଟାଚାର ପାଳନ କରିବା। ଶ୍ବାସନଳୀ ସମ୍ବନ୍ଧୀୟ ସାଧାରଣ ନିୟମ, କାଶ ଛିଙ୍କ ହେଉଥିଲେ, ଦୁଇ ହାତରେ ନାକ ଓ ପାଟିକୁ ଘୋଡାଇ ରଖି ବା କହୁଣିକୁ ଭାଂଗି ସେହି ଭାଗରେ କାଶିବା, ଛିଙ୍କିବା। ନାଗରିକବୋଧ(ସିଭିକ ସେନସ) ପାଳନ କରି ଛେପ, ଖଙ୍କାର ଏଠି ସେଠି ନ ପକାଇବା। ‘ମୁଁ’ ବଦଳରେ ଆମେ( ସମାଜ) ବିଷୟରେ ଏହା ଚିନ୍ତା କରିବା। ପ୍ରକୃତିକୁ ସମ୍ମାନ ଦେବା କୋଭିଡ-୧୯ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଶିକ୍ଷା। ପ୍ରକୃତିକୁ ଅବଜ୍ଞା କଲେ କଠୋର ଦଣ୍ଡପ୍ରାପ୍ତି, ଏହାକୁ ହେଜିବା।
ବିଜ୍ଞାନ କେବଳ ଏକ ସାଧନମାତ୍ର। ଆଇନଷ୍ଟାଇନଙ୍କଠାରୁ ଅତି ପ୍ରିୟ କଲାମ ସାହେବଙ୍କ ପର୍ଯ୍ୟନ୍ତ ମହାନୁଭବମାନେ ବିଜ୍ଞାନ ସହିତ ସଂଯମ, ସହନଶୀଳତା, ସାଧାରଣଜ୍ଞାନ ଓ ପ୍ରେମର ମିଳନ ଜରୁରୀ ବୋଲି କହିଛନ୍ତି। ପ୍ରାତଃ ସ୍ମରଣୀୟ ଶ୍ରୀ ମନୋଜ ଦାସଙ୍କ ଅତିପ୍ରିୟ ଶବ୍ଦ ‘ଚେତନା’ ର ଆମ ସମସ୍ତଙ୍କ ମଧ୍ୟେ ଆଜିର ବିପଦପୂର୍ଣ୍ଣ ସମୟରେ ଜାଗ୍ରତ ହେବା ଜରୁରୀ। ଏ ବିପଦ କେବଳ ସରକାରଙ୍କ ଦ୍ବାରା ଟଳିବ ନାହିଁ। ସମାଜର ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ବର୍ଗର ଅବଦାନ ହିଁ ଏହାର ସମାଧାନ। ହି ଯତ୍ନରୁ ହିଁ କୋରନା ହାରିବ, ବିଶ୍ବ ବିପଦମୁକ୍ତ ହେବ। ଆଇସିୟୁ ନୁହେଁ ବରଂ ବରଂ ସମାଜ ଭିତରେ ହିଁ ଏହାର ପ୍ରତିକାର ନିହିତ। ସମାଜ ସଚେତନ ହେଲେ ଏ ଯୁଦ୍ଧରେ ଆମର ବିଜୟ ନିଶ୍ଚିତ।
ଆସୋସିଏଟ ପ୍ରଫେସର,
ଶିଶୁ ରୋଗ ଚିକିତ୍ସା ବିଶେଷଜ୍ଞ
ହାଇଟେକ୍ ମେଡିକାଲ କଲେଜ, ଭୁବନେଶ୍ବର
ଯୋଗାଯୋଗ:୯୪୩୭୦-୨୩୪୩୪