ଲକଡାଉନ ବଢିଲେ ୪ ମାସ ଘୁଞ୍ଚିବ ବିବାହ, ନାହିଁ ଅନୁକୂଳ ତିଥି

ତଥ୍ୟ : ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ନଜରରେ ରଖି ବର୍ତ୍ତମାନ ସାରା ଭାରତରେ ଲକଡାଉନ ସ୍ଥିତି ଜାରି ରହିଛି | ଏହି ସମୟରେ ସାମାଜିକ ଦୂରତ୍ୱକୁ ନଜରରେ ରଖି ଜନସମାଗମ ନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି | ମାର୍ଚ୍ଚ ୨୪ ତାରିଖରୁ କେନ୍ଦ୍ର ସରକାର ସାରା ଦେଶରେ ଘୋଷଣା କରିଥିବା ଲକଡାଉନ ପାଇଁ ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା | ଏହି ସମୟରେ ପୂର୍ବରୁ ଯେଉଁମାନେ ବିବାହ କରିବାକୁ ସ୍ଥିର କରିଥିଲେ ସେମାନେ କଟକଣା ପାଇଁ ଏପ୍ରିଲ ୧୪ ପରେ ଲକଡାଉନ ଖୋଲିଲେ ବିବାହ କରିବେ ବୋଲି ସ୍ଥିର କରିଥିଲେ | ଳକ୍‌ଡାଉନ ଅବଧି ମଧ୍ୟରେ ଖୁବ କମ ବର କନ୍ୟା ବିନା ବାଜା-ରୋଷଣିରେ ମାସ୍କ ପିନ୍ଧି ବିବାହ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା | କିନ୍ତୁ ଅଧିକାଂଶ ବର-କନ୍ୟାଙ୍କ ପରିବାର ବିବାହକୁ ସ୍ଥଗିତ ରଖିବା ସହ ଲକଡାଉନ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ |

ବିନା ସମ୍ପର୍କୀୟ ଓ ବାଜା -ରୋଷଣିରେ ବିବାହ କରିବା ଅପେକ୍ଷା କିଛି ଦିନ ଘୁଞ୍ଚାଇ ପରେ ବିଵାହ କରାଇବାକୁ ମନସ୍ଥ କରିଥିଲେ | ତେବେ ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ଆସନ୍ତା ମେ ୩ ତାରିଖ ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ବଢାଇବାକୁ ଘୋଷଣା କରିଥିଲେ | ଏହି ଘୋଷଣା ପରେ ମେ ୩ ତାରିଖ ପରେ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିବା ବର-କନ୍ୟାଙ୍କ ସମ୍ପର୍କୀୟ ହୁଏତ ଆଉ କିଛି ମାସ ଅପେକ୍ଷା କରିବାକୁ ପଡିପାରେ | କାରଣ ମେ ୩ ରେ ଲକଡାଉନ କଟକଣା ହଟିଲେ ବି ଗହଳିପୁର୍ଣ୍ଣ ବାହାଘରର ଅନୁମତି ନ ମିଳିପାରେ | ଅଧିକ ସଂଖ୍ୟାରେ ଲୋକଙ୍କ ଜନସମାଗମକୁ ସରକାର ଅନୁମତି ଦେଇ ନ ପାରନ୍ତି | କାରଣ କରୋନାକୁ ନେଇ ଲମ୍ବା ଲଢେଇ ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି | ଆଉ ଲକଡାଉନ ଯଦି ମେ ଶେଷ ଯାଏଁ ସମ୍ପ୍ରସାରିତ ହୁଏ ତେବେ ଜୁନ ମାସ ଓ ଜୁଲାଇ ୧୬ ପୂର୍ବରୁ ନଭେମ୍ବର ମାସ ଶେଷ ସପ୍ତାହ ଯାଏଁ ଆଉ ବିବାହ ତିଥି ନାହିଁ |

ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଗଣନା ଅନୁସାରେ ଜୁନ ମାସରେ (୧-୨-୩-୬-୭-୮-୯-୧୦-୧୧-୧୩-୧୭-୨୫-୨୬-୨୭-୨୮-୨୯-୩୦ ) ଦିନ ଓ ଜୁଲାଇ ମାସରେ (୧-୨-୬-୭-୮-୧୧-୧୨-୧୩-୧୪) ବିବାହ ତିଥି ରହିଛି | ଏତିକି ଦିନକୁ ଛାଡିଦେଲେ ନଭେମ୍ବର ୨୪ ମଧ୍ୟରେ ଆଉ ବିବାହ ତିଥି ନାହିଁ | ସେ କହିଛନ୍ତି ରବିଗ୍ରହ ଜୁଲାଇ ୧୬ ତାରିଖ(କର୍କଟ ସଂକ୍ରାନ୍ତି)ଠାରୁ ଦକ୍ଷିଣାୟନ ହେବେ | ରବି ଦକ୍ଷିଣାୟନ ହେଲେ ୯ଟି ନକ୍ଷତ୍ରକୁ ଅତିକ୍ରମ ପରେ ହିଁ ବିବାହ ଯୋଗ ଅଛି | ଅର୍ଥାତ ନଭେମ୍ବର ୧୬ ତାରିଖରେ ରବି ତୁଳା ରାଶିକୁ ଅତିକ୍ରମ କରି ବିଛା ରାଶିକୁ ଆସିବେ | ଏହା ପରଠାରୁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବ | ଜୁଲାଇ ୧୬ ତାରିଖଠାରୁ ନଭେମ୍ବର ୧୬ ମଧ୍ୟରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ହୋଇପାରିବ ନାହିଁ |

ସମ୍ବନ୍ଧିତ ଖବର