ଭଲ୍ଲୁକ ପାଶକୁ ନ ଯାଅ ବାବୁ,
ଚାଟି ଖାଇଦେବ ମାଉଁସ ସବୁ।
ଧୁସୂଦନ ରାଓଙ୍କ ପ୍ରଣୀତ ବର୍ଣ୍ଣବୋଧରୁ ଉଦ୍ଧୃତ ଏ ଦୁଇ ପଙ୍କ୍ତି କବିତା ସର୍ବଜନ ବିଦିତ। ଦେଖିଥାଉ କି, ନ ଦେଖି ଥାଉ ଏହାକୁ ପଢ଼ି ଜଣେ ପିଲାଦିନରୁ ଜାଣିଥାଏ- ଭଲ୍ଲୁକ ଓରଫ୍ ଭାଲୁ ଗୋଟାଏ ଶ୍ବାପଦ ବା ହିଂସ୍ରଜନ୍ତୁ। କେବଳ ଏ କବିତା ପଙ୍କ୍ତି ନୁହେଁ, ଓଡ଼ିଆ ସମେତ ବିଶ୍ବର ବିଭିନ୍ନ ଭାଷାର ପୁରାଣ, ଲୋକସାହିତ୍ୟ ଓ ଅନ୍ୟାନ୍ୟ ସାହିତ୍ୟ କୃତିରେ ଭାଲୁ ଚରିତ୍ର ରହିଛି। ଚଳଚ୍ଚିତ୍ରରେ ମଧ୍ୟ ଭାଲୁ ବାଦ୍ ପଡ଼ିନାହିଁ। ୧୯୭୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ‘ତ୍ରିନାଥ ମେଳା’ରେ ସୁବାସ ଦାଶ ଓ ସିପ୍ରା ବୋଷ ଗାଇଥିବା ଗୀତ ‘ଆଲୋ ସୁନ୍ଦରୀ ତୋ କଥାରେ ମୁଁ ନାଚିବି ଭାଲୁ ସାଥିରେ...’ ମଧ୍ୟ ଲୋକପ୍ରିୟ ହୋଇଥିଲା।
ଆଜିକାଲି ଅରଣ୍ୟ ଆଖପାଖ ଜନବସତି ଅଞ୍ଚଳ ଓ କ୍ଷେତବାଡ଼ିରେ ମନୁଷ୍ୟ ଓ ଭାଲୁ ମଧ୍ୟରେ ସଂଘର୍ଷ ବଢ଼ିଚାଲିଛି। କିନ୍ତୁ, ଆଗେ କିଛି ଲୋକ ଭାଲୁକୁ ପୋଷା ମନାଇ ନାଚ ଶିଖାଉଥିଲେ। ଭାଲୁନାଚ ଥିଲା ସେମାନଙ୍କର ବେଉସା। କ୍ରମଶଃ ବନ୍ୟଜନ୍ତୁ ଆଇନ କଠୋର ହେଲା ଏବଂ ୧୯୭୨ରେ ଭାରତ ସରକାର ଭାଲୁ ପାଳିବା ଏବଂ ତାକୁ ରାସ୍ତାଘାଟରେ ନଚାଇ ଉପାର୍ଜନ କରିବା ବେଆଇନ ବୋଲି ଘୋଷଣା କଲେ। ତା’ ସତ୍ତ୍ବେ ଆଉ କିଛି ଦଶନ୍ଧିଯାଏ ଦେଶରେ ଭାଲୁନାଚ ପଥପାର୍ଶ୍ବ ମନୋରଞ୍ଜନ ହୋଇ ରହିଲା। ପ୍ରାୟ ତିନିଚାରି ଦଶନ୍ଧି ତଳେ ଗାଁଗଣ୍ଡା ଓ ସହରାଞ୍ଚଳ ଲୋକେ ନିଶ୍ଚୟ ନାଟୁଆ ଭାଲୁ ଦେଖିଥିବେ। ଇତିହାସ କହେ, ଭାରତରେ ଭାଲୁନାଚ ପ୍ରାୟ ୪୦୦ ବର୍ଷ ତଳେ ଆରମ୍ଭ ହୋଇଥିଲା। ସେତେବେଳେ ପାରସ୍ୟରୁ ଭାରତକୁ ଅନୁପ୍ରବେଶ କରିଥିବା ‘କଲନ୍ଦର୍’ ଯାଯାବର ସମ୍ପ୍ରଦାୟ ମୋଗଲ ସମ୍ରାଟଙ୍କ ମନୋରଞ୍ଜନ ପାଇଁ ଭାଲୁନାଚ କରାଉଥିଲେ। କାଳକ୍ରମେ ମୋଗଲ ସମ୍ରାଟ ଚାଲିଗଲେ। ସେମାନଙ୍କ ରାଜ୍ୟ ବି ଚାଲିଗଲା। କିନ୍ତୁ, ସୁଲଭ ପଥପାର୍ଶ୍ବ ମନୋରଞ୍ଜନ ହୋଇ ରହିଗଲା ଭାଲୁନାଚ।
ଯାଯାବରମାନେ ଗାଁଗଣ୍ଡା, ରାସ୍ତାଘାଟରେ ବୁଲି ବାଇଦ ବଜାଇ ଭାଲୁନାଚ କରନ୍ତି। ଭାଲୁର ଡିଆଁକୁଦା ଦେଖି ଆମୋଦିତ ଜନତା ପ୍ରତିବଦଳରେ ତା’ ମୁନିବକୁ କିଛି ପଇସା ଦିଅନ୍ତି। ପ୍ରକୃତ କଥା ହେଲା, ଭାଲୁ ବିଚରା ଯନ୍ତ୍ରଣାରେ ଉପରତଳ ହୋଇ ଡିଆଁକୁଦା କରୁଥାଏ। ଏହାକୁ ନାଚ ଭାବି ଲୋକେ ମୁଗ୍ଧ ହେଉଥାଆନ୍ତି। ଭାଲୁ ପ୍ରତି ମନୁଷ୍ୟର ଏ ଅତ୍ୟାଚାର ବଡ଼ ଦାରୁଣ ଓ ନିଷ୍ଠୁର। ଯାଯାବରମାନେ ଅରଣ୍ୟରୁ ଭାଲୁଛୁଆ ଧରିଆଣି ନାଚ ଶିଖାନ୍ତି। କିନ୍ତୁ, ଭାଲୁଛୁଆ ଧରିବା କି ସହଜ ବ୍ୟାପାର! ଆଗ ସେମାନେ ମାଆ ଭାଲୁକୁ ନିର୍ମମ ଭାବେ ହତ୍ୟା କରନ୍ତି। ତା’ପରେ ଛୁଆମାନଙ୍କୁ ଧରି ଆଣି ପାଳନ୍ତି। ଏଥର ସେମାନେ ଲୁହାଛଡ଼ ପଚାଇ ପାଳିତ ଭାଲୁଛୁଆର କଅଁଳ ନାକଦଣ୍ଡିରେ ଫୋଡ଼ିଦିଅନ୍ତି ଏବଂ ସେଥିରେ ରଶି ଗଳାଇ ଦିଅନ୍ତି। ସେବେଠାରୁ ଆରମ୍ଭ ହୋଇଥାଏ ଭାଲୁଛୁଆର ନୃତ୍ୟଶିକ୍ଷା।
ଏ ସଂକ୍ରାନ୍ତରେ ‘ଡ୍ୟାନ୍ସିଙ୍ଗ୍ ବିୟର୍ ଅଫ୍ ଇଣ୍ଡିଆ’ ଏବଂ ‘େଟ୍ରଡ୍ ଇନ୍ ବିୟର୍ସ ଆଣ୍ଡ୍ ଦେୟାର୍ ପାର୍ଟସ୍ ଇନ୍ ଇଣ୍ଡିଆ: ଥ୍ରେଟ୍ସ୍ ଟୁ କନ୍ଜର୍ଭେସନ୍ ଅଫ୍ ବିୟର୍ସ’ର ସହ-ଲେଖିକା ଗୀତା ଶେଷମଣି ଥରେ ଗୋଟାଏ ସାକ୍ଷାତ୍କାର ସମୟରେ କହିଥିଲେ, ଖଦଡ଼ା ରଶିରେ ଟଣା ହୋଇ ହୋଇ ବିଚରା ଭାଲୁର କ୍ଷତବିକ୍ଷତ ଥୋମଣି ସଂକ୍ରମିତ ହୋଇଯାଇଥାଏ। କିନ୍ତୁ, ସେଥିପ୍ରତି ନିଘା ନ ଦେଇ ତା’ର ମୁନିବ ଦେଖଣାହାରିଙ୍କଠାରୁ ଅର୍ଥ ଆଦାୟ କରୁଥାଏ। ଏ ତ ମନୋରଞ୍ଜନ ନୁହେଁ ବିଲୟମୁଖୀ ବନ୍ୟଜନ୍ତୁଙ୍କ ପ୍ରତି ଅକଥନୀୟ ଅତ୍ୟାଚାର।
୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ ଗୀତା, ତାଙ୍କର ଘନିଷ୍ଠ ମିତ୍ର କାର୍ତ୍ତିକ ସତ୍ୟନାରାୟଣନ୍ ଏବଂ ସେମାନଙ୍କଦ୍ବାରା ସଂସ୍ଥାପିତ ‘ୱାଇଲ୍ଡ୍ଲାଇଫ୍ ଏସ୍ଓଏସ୍’ରେ ଥିବା ତାଙ୍କ ଟିମ୍ ‘କଲନ୍ଦର’ ଯାଯାବରଙ୍କ କବଳରୁ ପ୍ରାୟ ୬୨୮ ନାଟୁଆ ଭାଲୁ ଉଦ୍ଧାର କରିଥିଲେ। ଏହାଛଡ଼ା, ପୁରୁଷାନୁକ୍ରମେ ଭାଲୁ ଧରି ନାଚ ଶିଖାଉଥିବା ସେ ସମ୍ପ୍ରଦାୟଙ୍କ ରୋଜଗାର ନିମିତ୍ତ ସେମାନେ ବିକଳ୍ପ ବ୍ୟବସ୍ଥା ମଧ୍ୟ କରିଥିଲେ। ବେଆଇନ ଭାଲୁନାଚ ବ୍ୟାପାର ତଦନ୍ତ କରିବା ଲାଗି ଗୀତା ଓ କାର୍ତ୍ତିକ ବିହାର, ଓଡ଼ିଶା, କର୍ଣ୍ଣାଟକ, ହରିୟାଣା ଓ ରାଜସ୍ଥାନ ଆଦି ରାଜ୍ୟର ୬୦ଟି ଗାଁ’ରେ ରହିଥିଲେ।
୧୯୯୬ରେ ସେମାନେ କରିଥିବା ତଦନ୍ତରୁ ସୂଚନା ମିଳିଥିଲା କି, ଭାରତର ବିଭିନ୍ନ ପ୍ରାନ୍ତରେ ୧୨୦୦ରୁ ଅଧିକ ନାଟୁଆ ଭାଲୁ ଅଛନ୍ତି। ଦୁହେଁ ୧୯୯୭ରେ ଭାରତ ସରକାରଙ୍କୁ ତଦନ୍ତ ରିପୋର୍ଟ ଦାଖଲ କଲେ। ସମସ୍ତ ବିଷୟ ଅବଗତ ହେବା ପରେ ଭାରତ ସରକାର ସେମାନଙ୍କୁ ସାହାଯ୍ୟ ସହଯୋଗ କଲେ। ତାଙ୍କରି ଉଦ୍ୟମ ବଳରେ ୨୦୦୨ରେ ଆଗ୍ରାରେ ସ୍ଥାପିତ ହେଲା ବିଶ୍ବର ବୃହତ୍ତମ ଭଲ୍ଲୁକ ଥଇଥାନ କେନ୍ଦ୍ର। ପରିଶେଷରେ ୨୦୦୯ରେ ଦେଶରୁ ଭଲ୍ଲୁକ ନୃତ୍ୟ ବିଲୋପ ହେଲା।