ପହଲଗାମ୍‌ ଗଣହତ୍ୟା ପରେ ପାକ୍ ସେନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୈନ୍ୟ ମୁତୟନ ବଢ଼ାଇ ଅଧିକାଂଶ ଆଗୁଆ ଘାଟିରେ ସେମାନଙ୍କୁ ସଜାଗ ଓ ସତର୍କ କରାଇଥିଲା। ପାକିସ୍ତାନ ପକ୍ଷରୁ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଥିଲା। ତେଣୁ ପାକିସ୍ତାନୀ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା। ଏଥିସହ ଖୁବ୍ ଅଳ୍ପ ସମୟ ମଧ୍ୟରେ ପ୍ରତିପକ୍ଷକୁ ପ୍ରତିଆକ୍ରମଣ କରିବା ସକାଶେ ସବିଶେଷ ଯୋଜନା ବି ପ୍ରସ୍ତୁତ କରାଯାଇଥିଲା। ଏହି କ୍ରମରେ ‘ଅପରେସନ୍‌ ସିନ୍ଦୂର’ କାର୍ଯ୍ୟକାରୀ କରିବା ଲାଗି ତିନି ସେନା ସମନ୍ବିତ ଭାବେ କାର୍ଯ୍ୟ କରିଥିଲେ। ଫଳରେ ଭାରତ ସଫଳତାର ସହ ଆତଙ୍କବାଦୀ ଓ ସେମାନଙ୍କ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିପାରିଲା। ‘ଅପରେସନ୍‌ ସିନ୍ଦୂର’ର ଅନାଲୋଚିତ ଦିଗ, ପାକିସ୍ତାନର ପରମାଣୁ ଧମକ, ଆତଙ୍କବାଦୀଙ୍କୁ ପ୍ରୋତ୍ସାହନରେ ପାକ୍ ସେନାର ଭୂମିକା ଏବଂ ପାକିସ୍ତାନରେ ଏୟାର୍‌ ଷ୍ଟ୍ରାଇକ୍‌ କରିବାର ନିଷ୍ପତ୍ତି  ପ୍ରସଙ୍ଗରେ ୱେଷ୍ଟର୍ଣ୍ଣ କମାଣ୍ଡ୍‌ ଜେନେରାଲ୍‌ ତଥା କମାଣ୍ଡିଂ-ଇନ୍-ଚିଫ୍ ଲେଫ୍ଟ୍‌ନାଣ୍ଟ୍‌ ଜେନେରାଲ୍‌ ମନୋଜ କୁମାର କଟିୟାର୍‌ଙ୍କ ସହ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ପାକିସ୍ତାନର ପରମାଣୁ ଧମକ, ଆତଙ୍କବାଦୀ ଆକ୍ରମଣ ଏବଂ ‘ଅପରେସନ୍‌ ସିନ୍ଦୂର’ ପରବର୍ତ୍ତୀ ଆଭିମୁଖ୍ୟକୁ ଆପଣ କିପରି ଆକଳନ କରୁଛନ୍ତି?
ପାକିସ୍ତାନ ଦୃଢ଼ ନିଶ୍ଚିତ ଥିଲା ଯେ ସେମାନେ ଭାରତ ବିରୁଦ୍ଧରେ ଲଗାତାର ଆତଙ୍କବାଦୀ ଆକ୍ରମଣ କରୁଥିବେ ଏବଂ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ଆଶଙ୍କାରେ ଆନ୍ତର୍ଜାତିକ ସମୁଦାୟ ଦ୍ବାରା ଚାପର ବଶବର୍ତ୍ତୀ ହୋଇ ଭାରତ କେବେହେଲେ ପ୍ରତିଶୋଧ ନେବନାହିଁ। କିନ୍ତୁ ପାକିସ୍ତାନର ପରମାଣୁ ଧମକ ଏକ ଫମ୍ପା ଆଵାଜ୍‌ ବୋଲି ‘ଅପରେସନ୍‌ ସିନ୍ଦୂର’ ପ୍ରମାଣିତ କରିଛି। ପାକିସ୍ତାନ ପରମାଣୁ ଶକ୍ତିସଂପନ୍ନ ରାଷ୍ଟ୍ର ଘୋଷିତ ହେବାପରେ ଭାରତୀୟ ଉପମହାଦେଶରେ କଳାବାଦଲ ଘୋଟିଯାଇଛି। କିନ୍ତୁ ଏହାର ମୁକାବିଲା କରି ପ୍ରତିଆକ୍ରମଣ କରିବାକୁ ପାକିସ୍ଥାନଠାରୁ ଭାରତ ଯଥେଷ୍ଟ ଅଧିକ ଶକ୍ତିଶାଳୀ। ‘ଅପରେସନ୍‌ ସିନ୍ଦୂର’ ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଏବଂ ତା’ର ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଥିବା ସଂପର୍କକୁ ସର୍ବସମ୍ମୁଖରେ ସ୍ପଷ୍ଟ କରିଦେଇଛି। ୨୦୦୨ ମସିହାର ‘ଅପରେସନ୍‌ ପରାକ୍ରମ’ ପରଠାରୁ ଆତଙ୍କବାଦୀଙ୍କ ବିରୋଧରେ ଭାରତର ରଣନୈତିକ ସିଦ୍ଧାନ୍ତରେ ପରିବର୍ତ୍ତନ ଘଟିଛି।
 
ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି ପାକିସ୍ତାନ ଆଇ.ଏମ୍‌.ଏଫ୍‌.ରୁ ଋଣନେଇ ଆତଙ୍କବାଦୀ ମାସୁଦ୍‌ ଆଝାର୍‌କୁ ପ୍ରାୟ ୧୪ କୋଟି ଟଙ୍କା ପ୍ରଦାନ କରିଛି। ତେଣୁ ଆଗକୁ ପାକିସ୍ତାନ ନିଶ୍ଚିତ ଆତଙ୍କବାଦୀ ଆକ୍ରମଣ ଜାରିରଖିବ। ଯଦି ଏହା ସତ୍ୟ ହୋଇଥାଏ, ତେବେ ଆମର ପ୍ରତିକ୍ରିୟା କ’ଣ ହେବ?
ପାକିସ୍ତାନୀ ନାଗରିକମାନେ ନିଶ୍ଚିତ ଭାବେ ସେମାନଙ୍କ ଦେଶରେ ଓ ସୀମାରେ ଶାନ୍ତି ବିରାଜମାନ କରୁ ବୋଲି ଚାହୁଥିବେ। ଏହା ମୋର ଦୃଢ଼ ବିଶ୍ବାସ। ତେବେ ପାକିସ୍ତାନ ଦ୍ବାରା ପ୍ରତିପାଳିତ କେତେକ ଅନୁଷ୍ଠାନ, ଯେଉଁମାନେ ପଛରେ ରହି ପାକିସ୍ତାନରେ ସରକାର ଚଳାନ୍ତି ଏବଂ ଯାହାକୁ ‘ଡିପ୍ ଷ୍ଟେଟ୍’ କୁହାଯାଏ, ସେମାନେ ଆତଙ୍କବାଦୀଙ୍କୁୁ ଅସ୍ତ୍ରରୂପେ ବ୍ୟବହାର କରୁଛନ୍ତି। ସେମାନେ ନିଜର ଅସ୍ତିତ୍ବ ଜାହିର କରିବା ତଥା ପ୍ରାସଙ୍ଗିକତା ବଜାୟ ରଖିବା ସକାଶେ ନିଜ ଦେଶରେ ତଥା ସୀମାପାରି ଆତଙ୍କୀ ହିଂସା ବଳବତ୍ତର ରଖନ୍ତି। ମୁଁ ଭାବୁଛି ଭବିଷ୍ୟତରେ ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବାରୁ ନିବୃତ୍ତ ରହିବ। ଯଦି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ତା’ର ଦୃଢ଼ ଜବାବ ଦେଇ ଉପଯୁକ୍ତ ଶାସ୍ତି ଦେବାକୁ ଆମେ ସମର୍ଥ।

ଭାରତୀୟ ସେନାବାହିନୀର ‘ଅପରେସନ୍‌ ସିନ୍ଦୂର’ ଆକ୍ରମଣଜନିତ କ୍ଷୟକ୍ଷତିକୁ ପାକିସ୍ତାନ ଅସ୍ବୀକାର କରୁଛି। ଆପଣ ଏହି ବାସ୍ତବତାକୁ କିପରି ଆକଳନ କରିବେ?
‘ଅପରେସନ୍‌ ସିନ୍ଦୂର’ ଅଭିଯାନ ସଂପର୍କରେ ୭ ତାରିଖ ରାତିରେ ହିଁ ଆମେ ବିଶ୍ୱବାସୀଙ୍କ ନିକଟରେ ସମସ୍ତ ବିବରଣୀ ଉପସ୍ଥାପନ କରିଥିଲୁ। ଏହା ସହିତ ଆତଙ୍କବାଦୀଙ୍କ ଭିତ୍ତିଭୂମିର କ୍ଷୟକ୍ଷତି ସଂପର୍କିତ ଭିଡିଓ ରିପୋର୍ଟ ମଧ୍ୟ ସେନା ପକ୍ଷରୁ ଜାରି କରାଯାଇଥିଲା। ଉପଗ୍ରହ ଚିତ୍ର ମାଧ୍ୟମରେ ଏହି ଅଭିଯାନ ଏବଂ ପରବର୍ତ୍ତୀ ସମୟରେ କରାଯାଇଥିବା ଅନ୍ୟାନ୍ୟ ଅଭିଯାନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଇଥିଲା। ଏଥିସହ ପାକିସ୍ତାନ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଥିବା ଫଟୋ ଓ ଭିଡିଓଗୁଡ଼ିକ ମଧ୍ୟ ଭାରତୀୟ ଅଭିଯାନର ସଫଳ ପରିଚାଳନା ଏବଂ ଲକ୍ଷ୍ୟସ୍ଥଳରେ ହୋଇଥିବା କ୍ଷୟକ୍ଷତିର ପ୍ରମାଣ ଦେଇଛି। ଅନ୍ୟପକ୍ଷରେ, ପାକିସ୍ତାନର ଡ୍ରୋନ୍ ଓ କ୍ଷେପଣାସ୍ତ୍ରଗୁଡ଼ିକ ମୂଳତଃ ବିଫଳ ହୋଇଛି। ସେସବୁ ଭାରତୀୟ ସୀମାରେ ଆଦୌ କିଛି କ୍ଷତି କରିନାହିଁ, ଅଥବା ସାମାନ୍ୟ କ୍ଷତି କରିଛି। ପାକିସ୍ତାନ ଉପଗ୍ରହ ଚିତ୍ର ଓ ଫଟୋଗୁଡ଼ିକୁ ପରିବର୍ତ୍ତନ କରି କିମ୍ବା ଆକ୍ରମଣ ସହ ସଂପର୍କ ନ ଥିବା ଘଟଣାଗୁଡ଼ିକର ସଂପାଦିତ କ୍ଲିପ୍ ଦେଖାଇ ସତ୍ୟକୁ ବିକୃତ କରିବାର ପ୍ରୟାସ କରୁଛି ଏବଂ ଏପରି କରିବା ସ୍ବାଭାବିକ ମଧ୍ୟ। ଏଥିପାଇଁ ନିଜ ଦେଶରେ ବି ପାକିସ୍ତାନ ଲୋକହସା ହୋଇଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି।

‘ଅପରେସନ ସିନ୍ଦୂର’ର ଅସଲ ଆଭିମୁଖ୍ୟ କ’ଣ? ଏହା ସଂପୂର୍ଣ୍ଣ ସଫଳ ହୋଇଛି?
ଆମ ମା’ଭଉଣୀଙ୍କ ‘ସିନ୍ଦୂର’ ହାନିର ପ୍ରତିଶୋଧ ନେବା ଏବଂ ଦେଶର ନେତୃତ୍ବ ଓ ସଶସ୍ତ୍ରବାହିନୀ ଉପରେ ରାଷ୍ଟ୍ରର ବିଶ୍ବାସକୁ ପୁନଃପ୍ରତିଷ୍ଠିତ କରିବା ଥିଲା ‘ଅପରେସନ୍‌ ସିନ୍ଦୂର’ର ମୂଳ ଉେଦ୍ଦଶ୍ୟ। ସେନାରେ ଆମେ ସର୍ବଦା ‘ନାମ-ଆନୁଗତ୍ୟ-ଧ୍ବଜା’ ପାଇଁ ଲଢ଼ିବା‌େର ଗର୍ବ ଅନୁଭବ କରିଥାଉ। ‘ସିନ୍ଦୂର’ ଏହି ମୂଲ୍ୟବୋଧର ବାର୍ତ୍ତା ବାଣ୍ଟିଥାଏ। ‘ଅପରେସନ୍‌ ସିନ୍ଦୂର’ ପ୍ରାୟ ୧୫୦ କୋଟିରୁ ଊର୍ଦ୍ଧ୍ବ ଭାରତୀୟଙ୍କ ସମ୍ମାନକୁ ବି ସୂଚୀତ କରେ। ଏହି ସମ୍ମାନ ରକ୍ଷା କରିବା ସହିତ ଆତଙ୍କବାଦ ବିରୁଦ୍ଧରେ ଆମର ଲଢ଼େଇ ଏହାର ମୂଳୋତ୍ପାଟନ ପର୍ଯ୍ୟନ୍ତ ଜାରିରହିବ ବୋଲି ‘ଅପରେସନ୍‌ ସିନ୍ଦୂର’ ପ୍ରମାଣ କରିଛି।

‘ଅପରେସନ୍‌ ପରାକ୍ରମ’ର ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ବ୍ୟବଧାନ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ସମୟ ତୁଳନାରେ ଏବେ ୱେଷ୍ଟର୍ଣ୍ଣ କମାଣ୍ଡ୍‌ର ରଣନୈତିକ ଦକ୍ଷତା କିପରି ବୃଦ୍ଧି ହୋଇଛି?
୨୦୦୧ ଡିସେମ୍ବରରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପରେ ଭାରତୀୟ ସେନା ଦୀର୍ଘ ୧୦ ମାସଧରି ପଶ୍ଚିମ ସୀମାନ୍ତରେ ସଜାଗ ରହିଥିଲେ ବି ଗୋଟିଏ ହେଲେ ଗୁଳି ଫୁଟାଯାଇ ନଥିଲା! ୨୦୦୨ ମସିହାର ‘ଅପରେସନ୍‌ ପରାକ୍ରମ’ ପରଠାରୁ ଆତଙ୍କବାଦୀଙ୍କ ବିରୋଧରେ ଭାରତର ରଣନୈତିକ ସିଦ୍ଧାନ୍ତରେ ପରିବର୍ତ୍ତନ ଘଟିଛି। ‘ଭୟ ଦେଖାଇ ପ୍ରତିରୋଧ’ କୌଶଳ ଆପଣାଇବା ବଦଳରେ ଭାରତ ‘ଦଣ୍ଡ ଦେଇ ପ୍ରତିଶୋଧ’ ନେବା ମାର୍ଗ ଗ୍ରହଣ କରିଛି। ଉରି, ପୁଲ୍‌ୱାମା, ବାଲାକୋଟ୍ ଓ ବର୍ତ୍ତମାନ ପହଲଗାମ୍‌ ଆତଙ୍କୀ ଆକ୍ରମଣ ଘଟଣା ପରେ ଆମେ ଏହି ପରିବର୍ତ୍ତିତ ଆଭିମୁଖ୍ୟ ଦେଖିଆସୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ଭାବରେ କହିଥିଲେ, ଆତଙ୍କବାଦ ଦମନ ପାଇଁ ଆତଙ୍କବାଦୀଙ୍କୁ ନିଶ୍ଚିତ କଠୋର ଦଣ୍ଡ ଦିଆଯିବ। ‘ଅପରେସନ୍‌ ସିନ୍ଦୂର’ ମାଧ୍ୟମରେ ଆତଙ୍କୀଙ୍କ ଉପରେ ଆକ୍ରମଣର ସ୍ତର ସଂପୂର୍ଣ୍ଣ ଭିନ୍ନ ଏବଂ ଦଣ୍ଡ ଦେବାର ପରିସର ଓ ଦୃଶ୍ୟପଟ୍ଟ ବହୁତ ବ୍ୟାପକ। ଆତଙ୍କବାଦୀଙ୍କୁ ଓ ସେମାନଙ୍କ ପୃଷ୍ଠପୋଷକଙ୍କୁ ଦଣ୍ଡିତ କରିବା ବେଳେ ଏଥର ଆମେ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲୁ। ପାକିସ୍ତାନକୁ ସତର୍କ କରିବାକୁ ‘ଅପରେସନ୍‌ ସିନ୍ଦୂର’ ଥିଲା ଏକ ନୂଆ ଲକ୍ଷ୍ମଣରେଖା। ଯଦି ପାକିସ୍ତାନ ଏହି ଲାଲ୍‌ ଲକ୍ଷ୍ମଣରେଖାକୁ ଅଣଦେଖା କରେ ତେବେ ସେ ନିଜେ ହିଁ ନିଜର ସର୍ବନାଶକୁ ଡାକି ଆଣିବ।

ସଂକ୍ଷେପରେ ମନୋଜ କୁମାର
ଭାରତୀୟ ସେନାର ଶୀର୍ଷ ପଦବିରେ ଥିବା ଅଧିକାରୀଙ୍କ ମଧ୍ୟରୁ ମନୋଜ କୁମାର କଟିୟାର୍‌ ଅନ୍ୟତମ। ପରମବିଶିଷ୍ଟ ସେବା ପଦକ ଏବଂ ଅତିବିଶିଷ୍ଟ ସେବା ପଦକପ୍ରାପ୍ତ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ କଟିୟାର୍‌ ସମ୍ପ୍ରତି ‘ୱେଷ୍ଟର୍ଣ୍ଣ କମାଣ୍ଡ୍‌’ର ଜେନେରାଲ୍‌ ଅଫିସର୍‌ କମାଣ୍ଡିଙ୍ଗ୍‌-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ସେ ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ମିଲିଟାରି ଅପରେସନ୍‌ସ (ଡିଜିଏମ୍‌ଓ) ଏବଂ ସେନାର ଅନ୍ୟାନ୍ୟ ଶୀର୍ଷ ପଦପଦବିରେ କାର୍ଯ୍ୟ କରିଛନ୍ତି।

ଘୋଡ଼ାଖାଲ ସୈନିକ ସ୍କୁଲ୍‌ର ପ୍ରାକ୍ତନ ଛାତ୍ର କଟିୟାର୍‌ ‘ନ୍ୟାସ୍‌ନାଲ୍‌ ଡିଫେନ୍‌ସ୍‌ ଏକାଡେମି’ ଓ ‘ଇଣ୍ଡିଆନ୍‌ ମିଲିଟାରି ଏକାଡେମି’ରେ ଅଧ୍ୟୟନ କରିଥିଲେ। ଏଥି ସହିତ ସେ ୱେଲିଙ୍ଗ୍‌ଟନ୍‌ରେ ‘ଡିଫେନ୍‌ସ୍‌ ସର୍ଭିସେସ୍‌ ଷ୍ଟାଫ୍‌ କୋର୍ସ’ ଓ ‘ନ୍ୟାସ୍‌ନାଲ୍‌ ଡିଫେନ୍‌ସ୍‌ କଲେଜ କୋର୍ସ’ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରଶିକ୍ଷଣ ଲାଭ କରିଛନ୍ତି। ଏହା ବ୍ୟତିରେକେ ସେ ଆମେରିକାସ୍ଥିତ ‘ନ୍ୟାସ୍‌ନାଲ୍‌ ୱାର୍‌ କଲେଜ୍‌’ରୁ ଡିଷ୍ଟିଙ୍କ୍‌ସନ୍‌ ସହିତ ସ୍ନାତକ ମଧ୍ୟ ହାସଲ କରିଛନ୍ତି। ଦେଶର ଜଣେ ଦକ୍ଷ ସେନାପତି ଭାବେ ପରିଚିତ ଜେନେରାଲ୍‌ କଟିୟାର୍‌୧୯୮୬ ଜୁନ୍‌ରେ ରାଜପୁତ ରେଜିମେଣ୍ଟ୍‌ର ତ୍ରୟୋବିଂଶ ବାଟାଲିୟନ୍‌ରେ ଯୋଗ ଦେଇ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ୩୭ ବର୍ଷରୁ ଊର୍ଦ୍ଧ୍ବ କାର୍ଯ୍ୟକାଳ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ସିଆଚୀନ୍‌ରେ ସେ ମୁତୟନ ହେବାସହ ଚୀନ୍ ଓ ପାକିସ୍ତାନ ବିରୋଧରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଅପରେସନ୍‌ରେ ସାମିଲ ହୋଇଛନ୍ତି।