ସବୁ ଦେଶର କିଛି ନିୟମ କାନୁନ ଥାଏ। ଆଉ ସେଠାକୁ ଗଲେ ତାକୁ ମାନିବାକୁ ହୁଏ। ତେବେ ଅନେକ ଦେଶରେ ଏମିତି ବି କିଛି ଛୋଟ ଛୋଟ କଥାଉପରେ କଟକଣା ଅଛି, ଯାହା ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହେବେ। ଆଉ ଯଦି ନ ମାନିବେ ତେବେ ଦଣ୍ଡ ଭୋଗିବାକୁ ପଡ଼ିବ।
ବେବି ୱାକର୍: ପିଲାଙ୍କୁ ଚାଲିବା ଶିଖିବା ପାଇଁ ଅନେକେ ବେବି ୱାକର୍ ବ୍ୟବହାର କରନ୍ତି। କିନ୍ତୁ ଆପଣ ଯଦି କାନାଡାରେ ଅଛନ୍ତି ତେବେ ଏହାକୁ ଜମାରୁ ବ୍ୟବହାର କରିବେ ନାହିଁ। କାରଣ ୨୦୦୪ରୁ ଏଠାରେ ଏହାକୁ ବ୍ୟବହାର କରିବା ନିଷିଦ୍ଧ କରାଯାଇଛି। ୯୦ ଦଶକରେ ଏଠାରେ ଅନେକ ପିଲା ବେବି ୱାକର୍ ଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିଲେ। ତେଣୁ ଏଠାରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି କେହି ଏହାକୁ ବ୍ୟବହାର କରୁଥିବା ଜଣାପଡ଼େ ତେବେ ତାଙ୍କୁ ୭୫୦୦୦ ଟଙ୍କା ଜରିମାନା ଦେବାକୁ ହେବ। ଚୁଇଂଗମ୍ ଖାଇବା: ସିଙ୍ଗାପୁରରେ ଚୁଇଂଗମ୍ ଖାଇବା ମନା। କେବଳ କିଛି ଚୁଇଂଗମ୍ ଯାହାକୁ ମେଡିକାଲ୍ ଟ୍ରିଟ୍ମେଣ୍ଟରେ ବ୍ୟବହାର କରାଯାଏ ସେଗୁଡ଼ିକୁ ଖାଇହେବ। ଯଦି କେହି ଅନ୍ୟ ସାଧାରଣ ଚୁଇଂଗମ୍ ଖାଉଥିବାବେଳେ ଧରାପଡ଼ନ୍ତି ତେବେ ୫୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
ହାଇ ହିଲ୍ସ: ୨୦୦୯ ପରଠାରୁ ଗ୍ରୀସ୍ର ସବୁ ଐତିହାସିକ ସ୍ଥଳରେ ହାଇ ହିଲ୍ସ ପିନ୍ଧିବା ନିଷେଧ କରାଯାଇଛି। ଏଠାକାର ସଂସ୍କୃତି ମନ୍ତ୍ରୀଙ୍କ ମତରେ ଐତିହାସିକ କୀର୍ତ୍ତିରାଜିଗୁଡ଼ିକ ହାଇହିଲ୍ସ ପାଇଁ କ୍ଷତିଗ୍ରସ୍ତ ହୋଇପାରନ୍ତି। ତେଣୁ ଏହା ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି। ବଡ଼ ପାଟିରେ କଥା ହେବା: ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ବଡ଼ ପାଟିରେ କଥା ହେବା କିମ୍ବା ଜୋର୍ ଭଲ୍ୟୁମ୍ ଦେଇ ଗୀତ ଶୁଣିବା ଉପରେ କଟକଣା ଜାରି କରାଯାଇଛି। ଖାସ୍କରି ରାତିରେ ଲୋକ ଶୋଇଥିବାବେଳେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁହୁଏ। ଏହାକୁ ନ ମାନିଲେ ଜରିମାନା ଦେବାକୁ ପଡ଼ିବ। ଜୋର୍ ପାଟିରେ ଗୀତ ଗାଇବା: ହାୱାଇକୁ ପୃଥିବୀର ସର୍ବୋତ୍ତମ ସମର୍ ଡେଷ୍ଟିନେସନ୍ ଭାବେ ଗଣନା କରାଯାଏ। ତେବେ ଏଠାକୁ ଯାଇଥିବା ବେଳେ ଖୁସିରେ ଜୋର୍ ପାଟିରେ ଗୀତ ଜମାରୁ ଗାଇବେ ନାହିଁ। ଖାସ୍କରି ସୂର୍ଯ୍ୟାସ୍ତ ପରେ ତ ଏପରି ଆଦୌ କରିବେ ନାହିଁ। କାରଣ ସୂର୍ଯ୍ୟାସ୍ତ ପରେ ଏଠାରେ ଜୋର୍ ପାଟିକରି ଗୀତ ଗାଇବା ବେଆଇନ୍ ଘୋଷଣା କରାଯାଇଛି।
ପାରାଙ୍କୁ ଦାନା ଦେବା: ଭେନିସ୍ରେ ପାରାଙ୍କୁ ଖାଇବାକୁ ଦେବା ଦଣ୍ଡନୀୟ ଅପରାଧ। ଆଉ ଏଥିପାଇଁ ଜରିମାନା ଦେବାକୁ ପଡ଼ିବ। ଏଠାକାର ସୁନ୍ଦର ପ୍ରତିମୂର୍ତ୍ତି ଓ ସ୍ଥାପତ୍ୟଗୁଡ଼ିକ ଉପରେ ପାରା ମଳତ୍ୟାଗ କରୁଥିବାରୁ ଖାସ୍କରି ଐତିହାସିକ କଳାକୃତି ଥିବା ସ୍ଥାନରେ ପାରାଙ୍କୁ ଖାଇବାକୁ ଦେବା ନିଷେଧ।
ନୀଳ ଜିନ୍ସ: ଉତ୍ତର କୋରିଆରେ ବ୍ଲୁ ଜିନ୍ସ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି। ତେବେ ଲୋକେ ଅନ୍ୟ ରଙ୍ଗର ଜିନ୍ସ ପିନ୍ଧିପାରିବେ। ନୀଳ ରଙ୍ଗ ଆମେରିକା ସହ ଜଡ଼ିତ ହୋଇଥିବାରୁ ଏହା ଉପରେ କଟକଣା ଲଗାଯାଇଛି।