ଦୁବାଇ: ଖେଳ କଲା ପାକିସ୍ତାନ ହେଲେ ଫାଇନାଲ ଯାଏଁ ଖେଳି ପାରିଲାନି ଆଉ ବାଜି ମାରିନେଲା ଭାରତ । ସେମିରେ ମଉଳିଯାଇଥିଲା ପାକିସ୍ତାନ ସ୍ବପ୍ନ । ଆଉ ଗତକାଲି ଟିମ୍ ଇଣ୍ଡିଆ ଚାମ୍ପିୟନ ହେବା ପରେ ପୁଣି ଏକ ଝଟକା ପାକିସ୍ତାନକୁ ଲାଗିଛି । କ୍ରିକେଟରେ ଭାରତ-ପାକିସ୍ତାନକୁ ଚୀର ପ୍ରତିଦ୍ବନ୍ଦ୍ବି କୁହାଯାଉଥିବା ବେଳେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ଥିବା ବେଳେ ଭାରତ କିନ୍ତୁ ବାଜି ମାରି ନେଇଛି ।
ଆଇସିସି ଚାମ୍ପିୟନ୍ସ ଟ୍ରଫି-୨୦୨୫ର ଆୟୋଜକ ପିସିବି ଥିବା ବେଳେ ସବୁ ମ୍ୟାଚ୍ ପାକିସ୍ତାନରେ ହେବା କଥା ମାତ୍ର ଭାରତ ସହ ଥିବା ମ୍ୟାଚ୍ ଗୁଡିକ ପାକିସ୍ତାନ ବାହାରେ ହୋଇଛି । ନିଜ ଦେଶ ଛାଡି ଦୁବାଇରେ ଭାରତ ସହ ପାକିସ୍ତାନ ଖେଳିବା ଏବଂ ଭାରତ ଫାଇନାଲକୁ ଯିବା, ତାସହ ଦୁବାଇରେ ହିଁ ଭାରତ ଜିତି ପାକିସ୍ତାନ କରୁଥିବା ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ବନିବା ପାକିସ୍ତାନ ପାଇଁ ହଜମ ହୋଇନଥିବା ଚର୍ଚ୍ଚା ହେଉଛି ।
ଯେଉଁଥିପାଇଁ ଗତକାଲି ବିଜୟ ପରେ ସେଲିବ୍ରେସନ ଉତ୍ସବରେ ପାକିସ୍ତାନର କୌଣସି ପ୍ରତିନିଧି ଯୋଗ ଦେଇନଥିଲେ । ଭାରତ ଯେତେବେଳେ ବିଜେତା ହେଉଛି ଏବଂ ଟ୍ରଫି ଗ୍ରହଣ କରୁଛି ନିୟମ ଅନୁସାରେ ଆୟୋଜକ ଦେଶର ପ୍ରତିନିଧି ରହିବା କଥା ମାତ୍ର କାହାକୁ ଦେଖିବାକୁ ମିଳି ନଥିଲା । ତେଣୁ ଭାରତ ହିଁ ଦେଲା ଭାରତୀୟ ଖେଳାଳିଙ୍କୁ ଟ୍ରଫି ।
ଭାରତର ବିଜୟ ଉତ୍ସବରେ ପିସିବି ଚେୟାରମ୍ୟାନ ଅନୁପସ୍ଥିତ ରହିବା ନେଇ ସାରା ବିଶ୍ବରେ ପାକିସ୍ତାନର ଏ ନିମ୍ନ ଚିନ୍ତାଧାରାକୁ ନିନ୍ଦା କରାଯାଉଛି । ଆଉ ବିଶ୍ବବ୍ୟାପୀ ନିନ୍ଦା ପରେ ଏବେ ପାକିସ୍ତାନର ମୁଣ୍ଡ ତଳକୁ ହୋଇଯାଇଛି ।