ଖେଳ ସେମାନଙ୍କ ଚିରସାଥୀ, ପଡ଼ିଆ ତାଙ୍କର ଘର, ପ୍ରଶିକ୍ଷଣ ସେମାନଙ୍କ ନିଶା, ପ୍ରଶାସନ ସେମାନଙ୍କ ଅଭିଳାଷ, ସ୍ବପ୍ନ ଦେଖିବା ଓ ସାକାର କରିବା ସେମାନଙ୍କ ସଂକଳ୍ପ। ତେବେ ବିବାହ? ବିବାହକୁ ନା କହି ଖେଳ ପାଇଁ ଉତ୍ସର୍ଗୀକୃତ ଏମିତି କିଛି ଚିହ୍ନା ଚେହେରାଙ୍କୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...

Advertisment

ସୁରେଶ ସ୍ବାଇଁ

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପାଦଚିହ୍ନ ଛାଡ଼ିବା ଲାଗି ପ୍ରତି ଖେଳାଳିର ସ୍ବପ୍ନ ଥାଏ। ପୁଣି ସମ୍ଭବ ହେଲେ ଅଲିମ୍ପିକ୍ସ କି ବିଶ୍ବକପ୍‌ ଭଳି ଶୀର୍ଷ ମଇଦାନରେ ବି ସ୍ମରଣୀୟ ପ୍ରଦର୍ଶନ କରିବାର ଇଚ୍ଛା ଥାଏ। ଏମିତି ସୌଭାଗ୍ୟ କିନ୍ତୁ ସବୁ ଖେଳାଳିଙ୍କ ଜୀବନରେ ଜୁଟି ନଥାଏ। ଅନେକ ସମୟରେ ସଫଳତାର ଏଇ ଭଳି ସ୍ବପ୍ନ ସବୁ ସମୟ ସ୍ରୋତରେ ଉଜୁଡ଼ି ଯାଏ। ଖେଳ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ‌ଖେଳାଳିଟିଏ ସ୍ବାଭାବିକ ଭାବେ ସଂସାର ଗଢ଼ିବାରେ ମନଦିଏ ଏବଂ ପରିବାରକୁ ଗୁରୁତ୍ବ ଦିଏ । ଏହା ଏକ ସାଧାରଣ ପ୍ରକ୍ରିୟା, ବହୁ ଖେଳାଳିଙ୍କ ଜୀବନରେ ଏହା ଦେଖିବାକୁ ମିଳିଛି। କିନ୍ତୁ ଏମିତି ବି ଖେଳାଳି ଅଛନ୍ତି, ଯେଉଁମାନେ ଖେଳକୁ ନେଇ ନିଜର ଅଧୁରା ସ୍ବପ୍ନକୁ ସାକାର କରିବା ପ‌ାଇଁ ସାଂସାରିକ ଜୀବନକୁ ଆପଣାଇ ନାହାନ୍ତି। ଅମଡ଼ାବାଟର ପଥିକ ସାଜି ଅବିବାହିତ ରହିଯାଇଛନ୍ତି। ଭିନ୍ନ ଭିନ୍ନ କାରଣ ପାଇଁ ହେଲେ ବି ଓଡ଼ିଶାରେ ଏମିତି କେତେଜଣ ଅବିବାହିତ ଖେଳାଳି ଅଛନ୍ତି, ଯେଉଁମାନେ ଖେଳ ପାଇଁ ନିଜର ମନ, ତନ ଓ ଧ୍ୟାନକୁ ଏକତ୍ର କରିଦେଇଛନ୍ତି ଏବଂ କ୍ରୀଡ଼ା ସମର୍ପିତ ଜୀବନ ଅତିବାହିତ କରୁଛନ୍ତି। ଖେଳ ସେମାନଙ୍କ ଚିରସାଥୀ, ପଡ଼ିଆ ତାଙ୍କ ପାଇଁ ଘର, ପ୍ରଶିକ୍ଷଣ ସେମାନଙ୍କ ନିଶା, ପ୍ରଶାସନ ସେମାନଙ୍କ ଅଭିଳାଷ, ସ୍ବପ୍ନ ଦେଖିବା ଓ ସାକାର କରିବା ସେମାନଙ୍କ ସଂକଳ୍ପ ହୋଇଯାଇଛି। ବିବାହକୁ ନା କହି ଖେଳ ସଂସାର ପାଇଁ ଉତ୍ସର୍ଗୀକୃତ ଭାବେ କାମ କରୁଥିବା କିଛି ଚିହ୍ନା ଚେହେରାଙ୍କ ଉପରେ ଆସନ୍ତୁ ନଜର ପକାଇନେବା।

‘କାଟଭାଇ’ଙ୍କ ନିଆରା କାହାଣୀ
ଓଡ଼ିଶା କ୍ରୀଡ଼ାର ଅତି ପରିଚିତ ନାମଟିଏ ଡକ୍ଟର ହରିପ୍ରସାଦ ପଟ୍ଟନାୟକ। ବିବିଧ କ୍ରୀଡ଼ା, ବିଶେଷ କରି ଶକ୍ତିଭିତ୍ତିକ ଖେଳର ଜଣେ ‘ଏକଲା ଚଲୋ’ ସଂଗ୍ରାମୀ ଓ ସଫଳ ଯୋଦ୍ଧା। କରାଟେ ପ୍ରଶିକ୍ଷକ ଭାବେ ପ୍ରତିଷ୍ଠା ଓ ପରିଚିତି ହାସଲ କରିଥିବା ଡକ୍ଟର ପଟ୍ଟନାୟକଙ୍କ ବ୍ୟକ୍ତିଗତ ପ୍ରୟାସର ଫଳଶ୍ରୁତି ହେଉଛି ‘ଉତ୍କଳ କରାଟେ ସ୍କୁଲ୍‌’। ସ୍କୁଲ୍ ନାମଯୋଡ଼ି ହୋଇଥିଲେ ମଧ୍ୟ ଏହା ଏକ ବିଶ୍ବବିଦ୍ୟାଳୟଠାରୁ ବି ଉଚ୍ଚରେ ଥିବା ଭଳି ମନେହୁଏ। ଏହି ମାର୍ସାଲ୍‌ ଆର୍ଟ ଖେଳାଳି କାରଖାନା ରାଜ୍ୟବାସୀଙ୍କୁ ତାଙ୍କର ଅନନ୍ୟ ଉପହାର। ୫୬ ବର୍ଷୀୟ ଏହି ଅଭିଜ୍ଞ ଖେଳାଳି-ପ୍ରଶିକ୍ଷକ ଏକାଧିକ ଖେଳାଳିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ସହ ପ୍ରତିଷ୍ଠା ଦେଇଛନ୍ତି। ଜଣେ ବ୍ୟକ୍ତି ବିଶେଷ ଭାବେ ରାଜ୍ୟ ଖେଳ ଦୁନିଆକୁ ଡକ୍ଟର ପଟ୍ଟନାୟକଙ୍କର ଯୋଗଦାନ ଅତୁଳନୀୟ। ଖେଳାଳି ଜୀବନ ପରେ ନିରନ୍ତର ଉତ୍କଳ କରାଟେ ସ୍କୁଲ୍ ମଞ୍ଚରେ ତାଲିମକୁ ଅବ୍ୟାହତ ରଖିବା ସହ ବିଭିନ୍ନ ଖେଳକୁ ଉତ୍ତମ ପ୍ରଶାସନ ଯୋଗାଇବାରେ ଅଗ୍ରଣୀ ରହିଛନ୍ତି। ସମ୍ପ୍ରତି ସେ ରାଜ୍ୟ କରାଟେ ଡୋ ସଂଘର ସଭାପତି, ଓଡ଼ିଶା ରାଇଫଲ୍ ସଂଘ, ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ, ଓଡ଼ିଶା ଜୁ ଜିତସୁ ସଂଘର ସାଧାରଣ ସମ୍ପାଦକ, ରାଜ୍ୟ କୁସ୍ତି ସଂଘର କାର୍ଯ୍ୟକାରୀ ସଭାପତି, ସର୍ବଭାରତୀୟ କରାଟେ ଡୋ ସଂଘର ତାଲିମ ଓ ବିକାଶ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। କେବଳ ବିବାହ କରି ନଥିବାରୁ ମୁଁ ୧୯୮୦ ମସିହାରୁ ଖେଳାଳି, ପ୍ରଶିକ୍ଷକ, ପ୍ରଶାସକ ଭାବେ କାର୍ଯ୍ୟ କରିପାରୁଛି ବୋଲି ଦୃଢ଼ତାର ସହ କହନ୍ତି ସର୍ବତ୍ର ‘କାଟଭାଇ’ ଭାବେ ପରିଚିତ ହରିପ୍ରସାଦ।

‘ଛବିଅପା’ଙ୍କ ଫୁଟ୍‌ବଲ୍‌ ସଂସାର
ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓରଫ୍ ଛବି ଓଡ଼ିଶାର ଘରେ ଘରେ ଏକ ପରିଚିତ ନାଁ। ବଡ଼ଭଉଣୀ ଗୀତାଞ୍ଜଳି ସାମନ୍ତରାୟଙ୍କୁ ସାଥି କରି ଓଡ଼ିଶାରେ ନବେ ଦଶକରୁ ମହିଳା ଫୁଟ୍‌ବଲ୍‌ର ମୂଳଦୁଆ ପକାଇଥିବା ଶ୍ରଦ୍ଧାଞ୍ଜଳି ସାଢ଼େ ତିନି ଦଶନ୍ଧି ପରେ ମଧ୍ୟ ଫୁଟ୍‌ବଲ୍ ପଡ଼ିଆରେ ସକ୍ରିୟ ଅଛନ୍ତି। ଓଡ଼ିଶାକୁ ମହିଳା ଫୁଟ୍‌ବଲ୍‌ରେ ଜାତୀୟ ପ୍ରତିଯୋଗିତା ଓ ଜାତୀୟ କ୍ରୀଡ଼ାରେ ଏକାଧିକ ଥର ବିଜେତା କରାଇବା ସହ ଡଜନେରୁ ଅଧିକ ଖେଳାଳିଙ୍କ ଖେଳ ଜୀବନ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ରାଜ୍ୟରେ ଯେଉଁ କୋଣରେ ମହିଳା ଫୁଟ୍‌ବଲ୍ ପ୍ରତିଯୋଗିତାଟିଏ ହେଉଥିଲେ ବି ଶ୍ରଦ୍ଧାଞ୍ଜଳିଙ୍କ ନାମ ଆଗ ଆସିଥାଏ। ଖେଳ ଜୀବନ ପରେ ସେ ପ୍ରଶିକ୍ଷକ ଭାବେ ଓଡ଼ିଶା ଓ ଭାରତୀୟ ଦଳ ସହ ଜଡ଼ିତ ଅଛନ୍ତି। ରାଜ୍ୟର ବହୁ ଖେଳାଳି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପରାକାଷ୍ଠା ଦେଖାଇଥିବା ବେଳେ ଅଧିକାଂଶ ‘ଛବିଅପା’ଙ୍କୁ ଅନୁସରଣ କରି ଆସିଥିବା ସ୍ବୀକାର କରନ୍ତି। ଖେଳ ପାଇଁ ସେ ବି ସମର୍ପିତ ଓ ଉତ୍ସର୍ଗୀକୃତ ଭାବେ କାମ କରି ସଂସାରିକ ଜୀବନରୁ ଦୂରେଇ ରହିଛନ୍ତି।

ଖେଳ ଇଂଜିନିୟର ଚିତ୍ତବାବୁ
ଖେଳାଳିରୁ ଖେଳ ପ୍ରଶାସକ ଭାବେ ଇଂଜିନିୟର ଚିତ୍ତରଂଜନ ସ୍ବାଇଁଙ୍କ ପରିଚୟ ବ୍ୟାପ୍ତ ଓ ସ୍ବତନ୍ତ୍ର। ଭାରୋତ୍ତୋଳନ, ଶକ୍ତିଉତ୍ତୋଳନ, ସୁନ୍ଦର ସ୍ବାସ୍ଥ୍ୟ, ଜୁ ଜିତସୁ ଆଦି ଖେଳ ସହ ଜଡ଼ିତ ଇଂଜିନିୟର୍ ସ୍ବାଇଁଙ୍କ ତ୍ୟାଗ ଓ ନିଷ୍ଠା ତାଙ୍କୁ ସଫଳତା ଆଣି ଦେଇଛି। ସ୍ବଭାବରେ ଅତ୍ୟନ୍ତ ସରଳ ଓ ନିଷ୍କପଟ ଚିତ୍ତରଂଜନ କିନ୍ତୁ ଖେଳାଳି ଜୀବନରେ ଭାରୋ‌େତ୍ତାଳନ ଓ ଶକ୍ତିଉତ୍ତୋଳନ ଭଳି ବାହୁବଳୀ କ୍ରୀଡ଼ାକୁ ସାଥି କରିଥିଲେ। ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ବି ନିଜକୁ ପରଖିଥିଲେ। ବିଶେଷ ସଫଳ ହୋଇ ନଥିଲେ ମଧ୍ୟ ଏହାକୁ ସେ ଛାଡ଼ି ନଥିଲେ କି ଖେଳ ତାଙ୍କୁ ଛାଡ଼ି ପାରି ନଥିଲା। ଅବିବାହିତ ରହି ସେ ଏବେ ଏକାଧିକ ଖେଳର ପ୍ରଶାସକ ଭାବେ ନବପ୍ରତିଭାଙ୍କ ପ୍ରୋତ୍ସାହନର ମାଧ୍ୟମ ପାଲଟିଛନ୍ତି। ସମ୍ପ୍ରତି ସେ ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି, ଓଡ଼ିଶା ଶକ୍ତିଉତ୍ତୋଳନ ସଂଘର ଉପସଭାପତି, ଓଡ଼ିଶା ଜୁ ଜିତସୁ ସଂଘର ସଭାପତି ଅଛନ୍ତି। ପୂର୍ବରୁ ସେ ଭାରୋତ୍ତୋଳନ, ଶକ୍ତିଉତ୍ତୋଳନ ଓ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାପତି ବି ଥିଲେ। ଜଣେ ‌ସଫଳ ଖେଳ ସଂଗଠକ ଭାବେ ଇଂଜିନିୟର ସ୍ବାଇଁଙ୍କୁ ଖେଳାଳିମାନେ ଢେର‌୍‌ ଲୋଡ଼ିଥା’ନ୍ତି ଓ ସମ୍ମାନ କରିଥା’ନ୍ତି।

ମହିଳା ହକି ଖେଳାଳିଙ୍କ ଫାଦର୍‌!
ଫାଦର୍‌ ରାଜେନ୍ଦ୍ର କୁଜୁରଙ୍କ ଚର୍ଚ୍ଚା ଖୁବ୍ କମ୍ ‌‌ହୋଇଛି ଓଡ଼ିଶା କ୍ରୀଡ଼ାରେ। କାରଣ ସେ ଜଣେ ନିରବ ସାଧକ। ବୃତ୍ତିରେ ଶିକ୍ଷକତା କରୁଥିଲେ ମଧ୍ୟ ସମ୍ବଲପୁରଠାରୁ ୯୦ କିଲୋମିଟର୍ ଦୂର ଅମ୍ଲିଖମନ ମିସନ୍ (ଏମ୍ଇ) ସ୍କୁଲ୍‌ ଓ ଏହାର ଆଖପାଖ ଅଞ୍ଚଳର ବାଳିକା ହକି ପ୍ରତିଭାଙ୍କ ପାଇଁ ସେ ଆଲୋକବର୍ତ୍ତିକା ଭାବେ ଉଭା ହୋଇଛନ୍ତି। ଗତ ୧୨/୧୩ ବର୍ଷ ଭିତରେ ୪୦ରୁ ଊର୍ଦ୍ଧ୍ବ ଖେଳାଳି ତାଙ୍କ ପ୍ରଶିକ୍ଷଣରେ ଆଗକୁ ବଢ଼ିଛନ୍ତି ଏବଂ ଜାତୀୟ ସ୍ତରରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଡଜନେ ଉପରେ କ୍ରୀଡ଼ାବିତ୍‌ ଖେଳକୋଟାରେ ନିଯୁକ୍ତି ମଧ୍ୟ ପାଇଛନ୍ତି। ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ତାଙ୍କ ପିଲାମାନେ ବିଜେତା ହେବା ରାଜେନ୍ଦ୍ର କୁଜୁରଙ୍କ ପାଇଁ ପରମ ଆତ୍ମସନ୍ତୋଷ ଆଣିଦେଇଛି। ପ୍ରୀତି ଟୋପ୍ପୋ, ପ୍ରିୟାଂଶୁ ମିଞ୍ଜ୍‌, ଗାୟତ୍ରୀ କିଶାନ, ମେରି କଣ୍ଡୁଲିନାଙ୍କ ଭଳି ଖେଳାଳି ବି ଭାରତୀୟ ଦଳର ଦ୍ବାର‌ଦେଶରେ ପହଞ୍ଚିପାରିଛନ୍ତି। ନିଜେ ଜିଲ୍ଲା ଓ ବିଶ୍ବବିଦ୍ୟାଳୟ ସ୍ତରରେ ଖେଳିବାରେ ସୀମିତ ରହିଯାଇଥିଲେ ମଧ୍ୟ ଅହରହଃ ପରିଶ୍ରମ କରି ନିଜ ଅଧୁରା ସ୍ବପ୍ନକୁ ସାକାର କରୁଛନ୍ତି ଏହି ଅବିବାହିତ ଫାଦର୍‌। ‘‘ପାଠ ପ୍ରଭାବିତ ହେବ ବୋଲି ବାପା ମୋତେ କ୍ରୀଡ଼ା ଛାତ୍ରାବାସକୁ ଛାଡ଼ି ନଥିଲେ। ମୋ ଅଲିମ୍ପିକ୍ସ ଖେଳିବାର ସ୍ବପ୍ନ ସାକାର ହୋଇପାରି ନଥିଲା। ଏବେ ମହିଳା ‌ହକି ଖେଳାଳିଙ୍କୁ ସେ ପର୍ଯ୍ୟନ୍ତ ପହଞ୍ଚାଇବା ମୋ ପାଇଁ ବ୍ରତ ପାଲଟିଛି’’ ବୋଲି ‘ରବିବାର ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ ୪୯ ବର୍ଷୀୟ ରାଜେନ୍ଦ୍ର କୁଜୁର। କିଛି ବର୍ଷ ତଳେ ଫାଦର୍‌ଙ୍କ ତ୍ୟାଗପୂର୍ଣ୍ଣ କାହାଣୀ ଉପରେ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ‘ଦ ମାଉଣ୍ଟେନ୍ ହକି’ ଓଟିଟି ପ୍ଲାଟ୍‌ଫର୍ମରେ ବେଶ୍ ଆଦୃତି ଲାଭ କରିଥିଲା ଓ ସେ ବେଶ୍‌ ଚର୍ଚ୍ଚା ସାଉଁଟି ଥିଲେ।

କ୍ରୀଡ଼ା ବନ୍ଧନରେ ରଶ୍ମିତା
ଓଡ଼ିଶାର ପ୍ରଥମ ପେସାଦାର ମହିଳା କ୍ରିକେଟ୍ ପ୍ରଶିକ୍ଷକ ହେଉଛନ୍ତି ରଶ୍ମିତା ମହାନ୍ତି। ଖେଳାଳିରୁ ପ୍ରଶିକ୍ଷକ ହୋଇଥିବା ରଶ୍ମିତା ଓଡ଼ିଶା ଦଳକୁ ଜାତୀୟସ୍ତରରେ ସଫଳ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଖେଳାଳି ଜୀବନରେ ଜଣେ ଅଲ୍‌ରାଉଣ୍ଡର୍ ଭାବେ ସେ ଯେତିକି ପରିଚିତ ଥିଲେ ଜଣେ ପ୍ରଶିକ୍ଷକ ଓ କ୍ରୀଡ଼ା ପ୍ରଶାସକ ଭାବେ ଏବେ ତା’ଠାରୁ ଢେର୍‌ ଅଧିକ ପରିଚିତ। ରାଜ୍ୟ ମହିଳା କ୍ରିକେଟର୍‌ଙ୍କ ପାଇଁ ପ୍ରେରଣାର ଉତ୍ସ ଓ ଦିଗ୍‌ଦର୍ଶକ ସାଜିଥିବା ରଶ୍ମିତା ମହାନ୍ତି ସମ୍ପ୍ରତି ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ମହିଳା ଚୟନ ସମିତି ଅଧ୍ୟକ୍ଷ ଦାୟିତ୍ବରେ ରହିଛନ୍ତି। କ୍ରୀଡ଼ାକୁ ପ୍ରୋତ୍ସାହିତ ତଥ‌‌ା ଉତ୍ସାହିତ କରୁଥିବା ଦେଶର ଅନ୍ୟତମ ପ୍ରମୁଖ ବିଶ୍ବବିଦ୍ୟାଳୟ କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଭାବେ କ୍ରିକେଟ୍ ବ୍ୟତୀତ ଅନ୍ୟ ଖେଳର ପ୍ରଚାର ଓ ପ୍ରସାରରେ କ୍ଷେତ୍ରରେ ନିରନ୍ତର ଯୋଗଦାନ କରୁଛନ୍ତି। ଏସବୁ ଭିତରେ ସେ କ୍ରୀଡ଼ା ବନ୍ଧନକୁ ଭାଙ୍ଗି ବିବାହ ବନ୍ଧନକୁ ଆପଣାଇ ପାରିନାହାନ୍ତି। ୨୦୧୮ ମସିହାରେ ଏହି ସ୍ପୋର୍ଟସ୍ ବ୍ୟାଚ୍‌ଲରଙ୍କୁ ମିଳିସାରିଛି କମଲ ଗାଙ୍ଗୁଲୀ ସ୍ମାରକୀ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ।

ଓଡ଼ିଶା କ୍ରୀଡ଼ାର ମିସ୍‌ ଜୁଲି!
ଓଡ଼ିଶା ଖେଳ ଦୁନିଆ ସହ ମିଡିଆ ମାର୍କେଟିଂର ଅନ୍ୟତମ ପରିଚିତ ଚେହେରା ‌େହଲେ ଡକ୍ଟର ଗୌରୀ ମହାନ୍ତି ଓରଫ୍ ଜୁଲି। ଏକାଧିକ ଥର ଜାତୀୟ କରାଟେରେ ବିଜୟିନୀ ହୋଇଥିବା ଗୌରୀ ବଂଧୁକଚାଳନାରେ ମଧ୍ୟ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଜାପାନରେ ଅନୁଷ୍ଠିତ ବିଶ୍ବ ସୁକୋକାଇ କରାଟେ ପ୍ରତିଯୋଗିତାରେ ସେ ଭାରତର ପ୍ରତିନିଧିତ୍ବ କରିଥିଲେ। ଉଚ୍ଚଶିକ୍ଷିତା ଗୌରୀ ଏକାଧିକ ଟିଭି ଚ୍ୟାନେଲ୍‌ର ମାର୍କେଟିଂ କ୍ଷେତ୍ରରେ କାମ କରିବା ପରେ ସମ୍ପ୍ରତି ଓପିଟିସିଏଲ୍‌ର ଅନ୍ୟତମ ବରିଷ୍ଠ ପଦାଧିକାରୀ ଅଛନ୍ତି। କିନ୍ତୁ ଖେଳ ପାଇଁ ସେ ଏତେ ସମର୍ପିତ ଯେ ଉତ୍କଳ କରାଟେ ସ୍କୁଲ୍‌ର ମେରୁଦଣ୍ଡ ପାଲଟିଛନ୍ତି। ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରଶିକ୍ଷଣରେ ଆଗକୁ ବଢ଼ିଥିବା ଏହି ମାର୍ସାଲ୍ ଆର୍ଟ ପ୍ରତିଭା କରାଟେ ଓ ସୁଟିଂ ସଂଘର ବିଭିନ୍ନ ପଦପଦବିରେ ରହି ନିଜକୁ ଅଲ୍‌ରାଉଣ୍ଡର୍ ବୋଲି ପ୍ରମାଣିତ କରିଛନ୍ତି। ‌ଗୌରୀ ଏବେ ଓଡ଼ିଶା ରାଇଫଲ୍ ସଂଘର ସଭାନେତ୍ରୀ ଏବଂ ଓଡ଼ିଶା ଡୋ କରାଟେ ସଂଘର ସାଧାରଣ ସମ୍ପାଦିକା ଦାୟିତ୍ବ ତୁଲାଉଛନ୍ତି।

ଅଶ୍ବଚାଳନାର ଶୌର୍ଯ୍ୟ
ରାଜ୍ୟର ଫୁଟ୍‌ବଲ୍‌ ଓ ଅଶ୍ବଚାଳନା ଦୁନିଆର ଜଣେ ଜଣାଶୁଣା ବ୍ୟକ୍ତିତ୍ବ ହେଲେ ଡକ୍ଟର ଶୌର୍ଯ୍ୟରଂଜନ ପରିଜା। ଏକଦା ଅଶ୍ବଚାଳନାରେ ରିପବ୍ଲିକ୍ ଡେ’ ପଦକ ଜିତିଥିବା ଏହି ସ୍ପୋର୍ଟସ ବ୍ୟାଚ୍‌ଲର ଏନ୍‌ସିସି ପାଇଁ ‌ଅନେକ କୃତିତ୍ବ ଅର୍ଜନ କରିଥିଲେ। ରାଜ୍ୟରେ ଅଶ୍ବଚାଳନାକୁ ଆଗକୁ ନେବାକୁ ‌ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ମଧ୍ୟ ବିଶେଷ ସଫଳ ହୋଇପାରିନାହାନ୍ତି ସେ। କିନ୍ତୁ ଏହି ନିଶାକୁ ଛାଡ଼ିନାହାନ୍ତି। ଭୁବନେଶ୍ବରର ଅନ୍ୟତମ ସଫଳ କ୍ରୀଡ଼ାନୁଷ୍ଠାନ କିଶୋର କ୍ଲବ୍‌ର ମୁଖ୍ୟ ଭାବେ ଫୁଟ୍‌ବଲ୍ ଓ କ୍ରିକେଟ୍‌କୁ ରାଜଧାନୀରେ ଉତ୍ସାହିତ କରିବା ପରେ ପ୍ରାୟ ଦୁଇ ଦଶନ୍ଧି ହେବ ଭୁବନେଶ୍ବର ଦୌଡ଼କୁଦ ସଂଘ (ବିଏଏ)ର ସମ୍ପାଦକ (୨୦୦୭ରୁ) ରହିଛନ୍ତି। ରାଜଧାନୀରେ ସବୁ ଖେଳର ସାମଗ୍ରିକ ବିକାଶ ପାଇଁ କାମ କରିବା ଦିଗରେ କିନ୍ତୁ ଠିକଣା ସହଯୋଗ ପାଉନାହାନ୍ତି ବୋଲି କହନ୍ତି ଶୌର୍ଯ୍ୟରଂଜନ।