ଏହି କାରଣ ପାଇଁ ୧୦ଦିନ ପର୍ଯ୍ୟନ୍ତ ତିହାର ଜେଲ୍‌ରେ ରହିଥିଲେ ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ : ୨୦୧୯ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାକୁ ଯାଉଥିବା ଭାରତୀୟ-ଆମେରିକୀୟ ଅଭିଜିତ୍‌ ବାନାର୍ଜୀଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଜବାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ସେ ୧୦ଦିନ ପାଇଁ ତିହାର ଜେଲ୍‌ ଯାଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜଣେ ନୋବେଲ ପୁରସ୍କାର ବିଜେତା କ’ଣ ପାଇଁ ତିହାର ଜେଲ୍‌ ଯାଇଥିଲେ ସେ ନେଇ ପ୍ରଶ୍ନ ଉଠୁଥିବା ବେଳେ ତାହାର ଉତ୍ତର ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଅଭିଜିତ୍‌ ବାନାର୍ଜୀ ଜବାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନର ଅଧ୍ୟକ୍ଷ ଏନ୍‌ଆର୍‌ ମହାନ୍ତିଙ୍କୁ ବିଶ୍ୱବିଦ୍ୟାଳୟରୁ ନିଷ୍କାସିତ କରି ଦିଆଯାଇଥିଲା । ଯାହାର ବିରୋଧ ଅଭିଜିତ୍‌ ବାନାର୍ଜୀଙ୍କ ସମେତ ଅନେକ ଛାତ୍ର-ଛାତ୍ରୀ କରିଥିଲେ । ବିରୋଧ ପ୍ରଦର୍ଶନ ତୀବ୍ର ହେବାରୁ ବିରୋଧ କରୁଥିବା ଛାତ୍ର-ଛାତ୍ରୀଙ୍କୁ ତିହାର୍‌ ଜେଲ୍‌କୁ ପଠାଇ ଦିଆଯାଇଥିଲା । ପ୍ରାୟ ୭୦୦ଛାତ୍ର-ଛାତ୍ରୀ ତିହାର ଜେଲକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ୨୫୦ଜଣ ଛାତ୍ରୀ ଥିଲେ ବୋଲି ଜଣା ପଡ଼ିଛି । ୧୦ଦିନ ସେଠାରେ ରହିବା ପରେ ସେମାନଙ୍କୁ ଛଡ଼ା ଯାଇଥିଲା ।

Image result for nobel-laureate-abhijit-banerjee-went-to-jail-in-support-of-non-left-president-nr-mohanty
Chambaproject.in

ତେବେ ବାନାର୍ଜୀଙ୍କ ସହିତ ତାଙ୍କ ପତ୍ନୀ ଇସ୍ତର ଡୁଫ୍‌ଲୋ ଏବଂ ମାଇକେଲ୍‌ କ୍ରେମରଙ୍କୁ ମଧ୍ୟ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଦିଆଯିବ। ବିଶ୍ବରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏମାନଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟକୁ ବିଚାରକୁ ନିଆଯାଇ ଏହି ୩ ଜଣଙ୍କ ନାମ ନୋବେଲ୍‌ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି ବୋଲି ନୋବେଲ୍‌ କମିଟି ସୂଚନା ଦେଇଛି। ୫୮ ବର୍ଷୀୟ ଅଭିଜିତ୍‌ ବାନାର୍ଜୀ ୧୯୬୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ବେଳେ କୋଲକାତା ବିଶ୍ବବିଦ୍ୟ‌ାଳୟ ଓ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟରୁ ଉଚ୍ଚ ଶିକ୍ଷାଲାଭ କରିଥିଲେ। ସେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ୧୯୮୮ ମସିହାରେ ପିଏଚ୍‌ଡି ପାଇଥିଲେ।

ସମ୍ବନ୍ଧିତ ଖବର