ସାମାନ୍ୟ ଥଣ୍ଡା ହେବା ପରେ ମା’କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇ ଚାଲିଗଲା ପୁଅ, ୬ଦିନ ବିତିଯିବା ପରେ ମଧ୍ୟ କେହି ଆସିଲେ ନାହିଁ, ତା’ପରେ….

ନୋଏଡା : ନୋଏଡାରେ କୈଳାସ ହସ୍ପିଟାଲରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଠାରେ ଜଣେ ଯୁବକ ନିଜ ୮୭ବର୍ଷୀୟ ମା’ଙ୍କୁ ଆଣି ଭର୍ତ୍ତି କରାଇଲା ସତ, କିନ୍ତୁ ନେବା ପାଇଁ ଆସିଲା ନାହିଁ । ୬ ଦିନ ପର୍ଯ୍ୟନ୍ତ ବୃଦ୍ଧା ନିଜ ପୁଅର ବାଟକୁ ଅନାଇ ବସିଥିଲେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମଧ୍ୟ କେହି ଆସି ନଥିଲେ । ଏହା ଦେଖି ଡ଼ାକ୍ତର ପୁଲିସକୁ ଖବର ଦେଇଥିଲେ । ପୁଲିସ ହସ୍ପିଟାଲରେ ପହଞ୍ଚି ପଚରାଉଚରା କରିବା ପରେ ବୃଦ୍ଧା ପ୍ରତିରକ୍ଷା ମନ୍ତ୍ରାଳୟରେ କାମ କରୁଥିବା ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟାରୀଙ୍କ ପତ୍ନୀ ବୋଲି ଜଣାପଡ଼ିଥିଲା । ପୁଲିସ ସୂଚନା ପାଇ ତାଙ୍କ ଝିଅକୁ ଯୋଗାଯୋଗ କରିବା ପରେ ବୃଦ୍ଧାଙ୍କ ଝିଅ ଆସି ତାଙ୍କୁ ଡ଼ାକ୍ତରଖାନାରୁ ଘରକୁ ନେଇଥିଲେ ।

ପୁଲିସ ଦେଇଥିବା ସୂଚନା ମୁତାବକ, ବୃଦ୍ଧାଙ୍କ ନାମ ଉର୍ମିଲା ଗର୍ଗ । ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ସେ ଆସି ନୋଏଡାରେ ରହିବାକୁ ଲାଗିଥିଲେ । ମୃତ୍ୟୁ ପୂର୍ବରୁ ଉର୍ମିଲାଙ୍କ ସ୍ୱାମୀ ସତ୍ୟପ୍ରକାଶ ସମସ୍ତ ସମ୍ପତି ଏବଂ ଘର ପୁଅ ରମାକାନ୍ତ ନାଁରେ କରି ଦେଇଥିଲେ । ସତ୍ୟପ୍ରକାଶଙ୍କ ଯିବା ପରେ ରମାକାନ୍ତ ପୁରୁଣା ଘର ଛାଡ଼ି ନିଜ ପରିବାର ଏବଂ ମା’ଙ୍କ ସହ ନୂଆ ଘରକୁ ଚାଲି ଆସିଥିଲେ । ରମାକାନ୍ତ ଉର୍ମିଲାଙ୍କ ପେନ୍‌ସନ୍‌ ଟଙ୍କା ଏବଂ ଫିକ୍ସ ଡ଼ିପୋଜିଟ୍‌ ଥିବା ସମସ୍ତ ଟଙ୍କା ନେବା ସହ ତାଙ୍କ ପ୍ରତି ଅବହେଳା କରିବା ଆରମ୍ଭ କରିଥିଲେ । ଦିନେ ଉର୍ମିଲାଙ୍କ ଦେହ ଟିକେ ଖରାପ ହେବାରୁ ରମାକାନ୍ତ ତାଙ୍କୁ କୈଳାସ ହସ୍ପିଟାଲରେ ଭର୍ତ୍ତି କରି ଚାଲି ଯାଇଥିଲେ ।

ABP News

ଘଟଣାର କିଛି ଦିନ ପରେ ତାଙ୍କୁ ନେବା ପାଇଁ ନ ଆସିବାରୁ ଉର୍ମିଲା ରମାକାନ୍ତଙ୍କୁ ଫୋନ କରିଥିଲେ। ମାତ୍ର ସେ ମୁଁ ନିଜେ ବୁଢ଼ା ହେଲାଣି ଏ ବୟସରେ ମୁଁ ତୁମ ଦାୟିତ୍ୱ ନେଇ ପାରିବି ନାହିଁ ବୋଲି କହି ଫୋନ ରଖି ଦେଇଥିଲେ। ସବୁ ଜାଣି ଶେଷରେ ଉର୍ମିଲାଙ୍କ ଝିଅକୁ ସଂପର୍କ କରାଯାଇଥିଲା । ସେ ଆସି ଡ଼ାକ୍ତରଖାନାର ବିଲ୍‌ ଭରି ଉର୍ମିଲାଙ୍କୁ ଘରକୁ ନେଇଥିଲେ ।

ସମ୍ବନ୍ଧିତ ଖବର