ନୂଆଦିଲ୍ଳୀ: ଆମ ଶରୀର ପାଇଁ ମହୁ ସୁସ୍ଥକର। ଏହାର ଅନେକ ଔଷଧୀୟ ଗୁଣ ରହିଛି। ମାତ୍ର ବଜାରରେ ମିଳୁଥିବା ମହୁରେ ଯଦି ଚିନିର ମିଶ୍ରଣ କରାଯାଉଥାଏ ତ ତାହା କିପରି ଭାବେ ସୁସ୍ଥକର ହେଲା କୁହନ୍ତୁ ତ ? ନିକଟରେ ଜଣାପଡ଼ିଥିବା ଏପରି ଏକ ଘଟଣା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କରୋନା ଭାଇରସ୍ ଏମିତିରେ ବି ଆମ ଶରୀରକୁ ଦୁର୍ବଳ କରି ପକାଇଥିବା ବେଳେ ଅପମିଶ୍ରିତ ଖାଦ୍ୟ ଚିନ୍ତାର କାରଣ ପାଲଟୁଛି। ଜାଣିବାକୁ ମିଳିଛି ଯେ ଚୀନର କିଛି କମ୍ପାନି ଚିନିର ସିରପ୍କୁ ଏପରି ଭାବେ ପ୍ରସ୍ତୁତ କରୁଛନ୍ତି ଯେ ତାହା ଭାରତୀୟ ଲାବୋରେଟୋରି ପରୀକ୍ଷଣରେ ଚିହ୍ନଟ ହୋଇପାରିବ ନାହିଁ।
କରୋନା ଆସିବା ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଦେଶରେ ମହୁର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ମହୁରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ଥିବା ଜଣାପଡିଛି। କିନ୍ତୁ ମହୁ ବଦଳରେ ଆମେ ଚିନି ଖାଉଛୁ, ଯାହା ଆମର ଓଜନ ବୃଦ୍ଧି କରାଏ ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ। ଆମେ ଆଗରୁ ବି ପ୍ରମାଣ ପାଇଛନ୍ତି ଯେ ଅଧିକ ଓଜନ ଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଭିଡ୍-୧୯ ସଂପର୍କିତ ବିପଦ ଅଧିକ ରହିଥାଏ। ଏବେ ଭାବନ୍ତୁ, ଏହି ନକଲି ମହୁ ଆମ ଉପରେ କିଭଳି ଭାବେ କୁପ୍ରଭାବ ନ ପକାଇପାରେ !
ଏହି ଅପମିଶ୍ରଣର ପ୍ରଭାବ ମହୁ ପ୍ରସ୍ତୁତକାରୀ ବ୍ୟବସାୟୀଙ୍କ ଉପରେ ବି ପଡୁଛି। ଯଦି ଏହି କାରଣରୁ ସେମାନଙ୍କ ବ୍ୟବସାୟ ବନ୍ଦ ରହେ ତ ଆମେ ଭବିଷ୍ୟତରେ ଆଉ ମହୁମାଛି ଏବଂ ପରିବେଶ ଉପରେ ଥିବା ତାଙ୍କର ସୁପ୍ରଭାବରୁ ବଞ୍ଚିତ ରହିବା। ଏହାର ପ୍ରଭାବ ଖାଦ୍ୟ ଉତ୍ପାଦନ ଉପରେ ବି ପଡ଼ିବ, ସେହି ଦୃଷ୍ଟିରୁ ଦେଖିଲେ ଅପମିଶ୍ରଣ ଏକ ଅପରାଧ।
ଜାଣିବାକୁ ମିଳିଛି ଯେ ଆମର ଖାଦ୍ୟ ନିୟାମକ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଏହି ପ୍ରସଂଗରେ ଏଯାଏ କୌଣସି ପଦକ୍ଷେପ ନେଉନାହିଁ। ଯଦିଓ ଏହା କହିବା ଅସମୀଚିନ ହେବ ଯେ ଏଫ୍ଏସ୍ଏସ୍ଏଆଇର ଏହି ପ୍ରସଂଗରେ କୌଣସି ଜ୍ଞାନ ନାହିଁ।
ଆଗରୁ ଚୀନର କମ୍ପାନି ଏବଂ ଚିନି ସିରପ ବିଷୟରେ କିଛି ଅସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସୁଥିଲା। କିନ୍ତୁ ଏହି ରହସ୍ୟମୟ ସିରପ ଏବଂ କମ୍ପାନିଗୁଡିକ ବିଷୟରେ ଠୋସ୍ ପ୍ରମାଣ ମିଳିପାରିନଥିଲା। ଗତ ମେ ମାସରେ ଏଫ୍ଏସ୍ଏସ୍ଏଆଇ ଚିନି ସିରପ ଆମଦାନୀକାରୀଙ୍କୁ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ଏହାର ବ୍ୟବହାରରେ ମହୁରେ ଅପମିଶ୍ରଣ ପ୍ରମାଣ ମିଳିଛି। ଖାଦ୍ୟ କମିସନର ଏହାର ତଦନ୍ତ କରିବା ଉଚିତ ବୋଲି ମଧ୍ୟ କୁହାଯାଇଛି।
ଗତ ଫେବ୍ରୁଆରିରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ମହୁ ରପ୍ତାନି ପାଇଁ ଅତିରିକ୍ତ ଲାବୋରେଟୋରି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲା ଯାହାକୁ ନ୍ୟୁକ୍ଲି୍ୟର୍ ମାଗ୍ନେଟିକ୍ ରିଜୋନାନ୍ସ ସ୍ପେକ୍ଟ୍ରସ୍କୋପି (ଏନ୍ଏମ୍ଆର୍) କୁହାଯାଏ। ମହୁରେ ଅପମିଶ୍ରଣ ହେଉଥିବା ସନ୍ଦେହ ଉପୁଜିବା ପରେ ସରକାର ଏହାକୁ ଗମ୍ଭୀର ସହକାରେ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/0e1f39ec-3695-44a4-b557-c345805b9c21.jpg)