ନୂଆଦିଲ୍ଳୀ: ଖାଦ୍ୟରେ ଲୁଣର ମାତ୍ରା କମ୍‌ କରିବାକୁ ଆମକୁ ଅଧିକାଂଶ ସମୟରେ ପରାମର୍ଶ ଦିଆଯାଇଥାଏ। କମ୍‌ ଲୁଣ ଖାଇବା ଶରୀର ପାଇଁ ଭଲ ବୋଲି ଆମେ ସମସ୍ତେ ଜାଣନ୍ତି। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ୨୦୨୫ ସୁଦ୍ଧା ୩୦ ପ୍ରତିଶତ ଲୁଣ ସେବନ କମ୍‌ କରିବାର ଯେଉଁ ଲକ୍ଷ୍ୟ ରହିଥିଲା ସେଥି‌ରୁ ଆମେ ଅନେକ ଦୂରରେ ଅଛନ୍ତି।

Advertisment

ଲୁଣ ବା ସୋଡିୟମ୍‌ ଏକ ଆବଶ୍ୟକ ପୋଷକ ତତ୍ବ, ଯାହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ହୃଦ୍‌ରୋଗ ଓ ଷ୍ଟ୍ରୋକ୍‌ ଆଦିର ମାତ୍ରା ଖୁବ୍ ଅଧିକ ବଢ଼ିଯାଏ। ସୋଡିୟମ୍‌ର ମୁଖ୍ୟ ସ୍ରୋତ ସୋଡିୟମ୍‌ କ୍ଲୋରାଇଡ୍‌ ହୋଇଥିବା ବେଳେ ଏହା ସୋଡିୟମ୍‌ ଗ୍ଲୁଟାମେଟ୍‌ ପରି ରସାୟନିକ ଯୌଗିକରେ ବି ମିଳିଥାଏ।

ଡବ୍ଲୁଚ୍‌ଓ ରିପୋର୍ଟରୁ ଜଣାପଡ଼ିଛି ଯେ ବିଶ୍ବ ଜନସଂଖ୍ୟାର ମାତ୍ର ୩ ପ୍ରତିଶତ ଲୋକ ସୋଡିୟମ୍‌ କମ୍‌ କରିବାର ଲକ୍ଷ୍ୟ‌ରେ ରହିଥିବା ବେଳେ ୭୩ ପ୍ରତିଶତ ଡବ୍ଲୁଏଚ୍‌ଓ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ଏଭଳି ନୀତି ଲାଗୁ କରାଯାଇନାହିଁ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଖାଦ୍ୟରେ ସୋଡିୟମ୍‌ କମ୍‌ କରିବାର ନୀତି ଲାଗୁ କରିବା ଦ୍ବାରା ୨୦୩୦ ମସିହା ସୁଦ୍ଧା ୭୦ ଲକ୍ଷ ଲୋକଙ୍କ ଜୀବନ ବଞ୍ଚା ଯାଇପାରେ। ଏହି ନୀତି ଅଣସଂକ୍ରାମକ ରୋଗରେ ହେବାକୁ ଥିବା ମୃତ୍ୟୁ ଆଶଙ୍କାକୁ ହ୍ରାସ କରିବ।

ଏବେ ସୁଦ୍ଧା କେବଳ ୯ଟି ଦେଶ ଯଥ‌ା: ବ୍ରାଜିଲ୍‌, ଚିଲି, ଚେକ୍‌ ଗଣରାଜ୍ୟ, ଲିଥୁଆନିୟା, ମାଲେସିଆ, ମେକ୍ସିକୋ, ସାଉଦି ଆରବ, ସ୍ପେନ୍‌ ଏବଂ ଉର୍ଗୁଭେରେ ସୋଡିୟମ୍‌ର କମ୍‌ ବ୍ୟବହାର ନୀତି ରହିଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍‌ ଅଦନୋମ ଘେବ୍ରେୟସସ୍‌ କହିଛନ୍ତି ଯେ ଅସୁସ୍ଥକର ଖାଦ୍ୟ ବେମାରୀ ଓ ମୃତ୍ୟୁର ଏକ ମୁଖ୍ୟ କାରଣ ହୋଇଥିବା ବେଳେ ସୋଡିୟମ୍‌ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ।