କେହି ନୁହେଁ, କିନ୍ତୁ ସଭିଙ୍କ ପ୍ରିୟ: ଫେଲୁଦା!

ଫେଲୁଦା ସମ୍ଭବତଃ ଭାରତର ସୁପ୍ରସିଦ୍ଧ କାଳ୍ପନିକ ଗୁଇନ୍ଦାମାନଙ୍କ ମଧ୍ୟରୁ ଜଣେ। ବଙ୍ଗର ପ୍ରତ୍ୟେକ ବ୍ୟକ୍ତି ଓ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଅନେକେ ତାଙ୍କ ବିଷୟରେ ଜାଣନ୍ତି। ବଙ୍ଗଳାରୁ ଇଂରାଜୀକୁ ଅନୁବାଦିତ ହୋଇଥିବା ଫେଲୁଦା କାହାଣୀ ପୁସ୍ତକର ଚାହିଦା କିଛି କମ୍‌ ନୁହେଁ । ଇଂରାଜୀ ବ୍ୟତିରେକେ, ଓଡ଼ିଆ, ଗୁଜରାଟୀ, ମରାଠୀ, ମଲୟାଲମ୍‌, ହିନ୍ଦୀ, ଜର୍ମାନ୍‌, ଜାପାନୀ ଓ ଫରାସୀ ଭାଷାରେ ଫେଲୁଦା ସିରିଜ୍‌ର କାହାଣୀ ସବୁ ଅନୁବାଦିତ ହୋଇ ପାଠକମାନଙ୍କର ପ୍ରିୟଭାଜନ ହୋଇପାରିଛି।

ଫେ ଲୁଦାଙ୍କର ବୟସ ପ୍ରାୟ ୨୭। ଡେଙ୍ଗା ଓ ଖେଳୁଆଡ଼ଙ୍କ ପରି ନିଦା ତାଙ୍କ ଚେହେରା। ମାର୍ସାଲ୍‌ ଆର୍ଟସ୍‌ରେ ପ୍ରବୀଣ ଗୁଇନ୍ଦା ଫେଲୁଦାଙ୍କର .୩୨ କଲ୍‌ଟ୍‌ ରିଭଲ୍‌ଭର୍‌ ଥିଲେ ବି ସେ କୌଣସି ମାମଲାର ରହସ୍ୟ ଭେଦ କରିବା ଲାଗି ପର୍ଯ୍ୟବେକ୍ଷଣ ଓ ଅନୁଶୀଳନ ପଟୁତା ଉପରେ ନିର୍ଭର କରନ୍ତି। ଅର୍ଥାତ୍‌ ନିଜସ୍ବ ତୀକ୍ଷ୍ଣ ବୁଦ୍ଧି (ମଗଜର ବୁଦ୍ଧିମତ୍ତା) ପ୍ରୟୋଗ କରନ୍ତି। ସାଧାରଣ ଲୋକଙ୍କ ସହିତ ମିଳାମିଶା କରି କେଉଁ ବାଗରେ ମାମଲାର ରହସ୍ୟ ଭେଦ ସୂତ୍ର ଧରି ହେବ, ସେ ବିଦ୍ୟ‌ାରେ ଫେଲୁଦା ଖୁବ୍‌ ଧୁରନ୍ଧର।

ବାସ୍ତବ ନୁହେଁ, କଳ୍ପନା-ପ୍ରସୂତ
ପଶ୍ଚିମବଙ୍ଗର ରାଜଧାନୀ କୋଲ୍‌କତାର ବାଲିଗଞ୍ଜ ଅଞ୍ଚଳର ୨୧ ରଜନୀ ଷ୍ଟ୍ରିଟ୍‌ରେ ଦାଦାଙ୍କ ଘରେ ରହୁଥିବା ଗୁଇନ୍ଦା ଫେଲୁଦାଙ୍କର ଭଲ ନାଁ ପ୍ରଦୋଷ ଚନ୍ଦ୍ର ମିତ୍ର ବା ମିତ୍ତର। କିନ୍ତୁ, ପ୍ରକୃତରେ ଏଭଳି ନାମଧାରୀ କୌଣସି ଗୁଇନ୍ଦା ନ ଥିଲେ। ଏ ହେଉଛନ୍ତି ପ୍ରଖ୍ୟାତ ଚିତ୍ରକର, ଲେଖକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସୁରକାର ସତ୍ୟଜିତ ରାୟଙ୍କ କଳ୍ପନା-ପ୍ରସୂତ ଜଣେ ଘରୋଇ ଗୁଇନ୍ଦା। ଜେଜେ ଉପେନ୍ଦ୍ରକିଶୋର ରାୟଚୌଧୁରୀଙ୍କ ଦ୍ବାରା ସଂସ୍ଥାପିତ ବଙ୍ଗଳା ଭାଷାର ପିଲାଙ୍କ ପତ୍ରିକା ‘ସନ୍ଦେଶ’ର ପୁନରୁତ୍ଥାନ ନିମନ୍ତେ ସତ୍ୟଜିତ ରାୟ ଗୋଟାଏ ଗୁଇନ୍ଦା କାହାଣୀ ସିରିଜ୍‌ ପରିକଳ୍ପନା କରିଥିଲେ। ପ୍ରକାଶନ ସଂସ୍ଥା ଦେବାଳିଆ ହୋଇଯିବାରୁ ୧୯୨୭ରେ ‘ସନ୍ଦେଶ’ ପ୍ରକାଶନ ବନ୍ଦ ହୋଇଯାଇଥିଲା। ପରେ ପୁନଃପ୍ରକାଶିତ ଏହି ପତ୍ରିକାର ପ୍ରସାରଣ ବୃଦ୍ଧି ଆଶା କରି ୧୯୬୫ରେ ପ୍ରଥମ ଗୁଇନ୍ଦା କାହାଣୀ ‘ଫେଲୁଦାର ଗୋଏନ୍ଦାଗିରି’ ଛାପା ହେଲା। ସେହି କାହାଣୀରେ ହିଁ ସର୍ବପ୍ରଥମେ ଦେଖା ଦେଇଥିଲେ ଫେଲୁଦା। ୧୦ ବର୍ଷର ପିଲାଠାରୁ ଆରମ୍ଭ କରି ୮୦ ବର୍ଷର ବୁଢ଼ା ପର୍ଯ୍ୟନ୍ତ ଫେଲୁଦା ଚରିତ୍ର ସମସ୍ତଙ୍କର ଖୁବ୍‌ ଶ୍ରଦ୍ଧାଭାଜନ ହେଲା। ସଭିଏଁ ପ୍ରଦୋଷ ଚନ୍ଦ୍ର ମିତ୍ତରଙ୍କର ପ୍ରଶଂସକ ହୋଇଗଲେ। ସେ ଯେ ଜଣେ କାଳ୍ପନିକ ଚରିତ୍ର ଏକଥା ସେମାନଙ୍କର ଖିଆଲ୍‌ ରହିଲା ନାହିଁ। ସେମାନଙ୍କର ମନେ ହେଲା, ସତେଅବା ସେ ପଡ଼ିଶାରେ ରହୁଥିବା କେହି ଜଣେ ସାଧାରଣ ଲୋକ।

‘ଫାଇଟ୍‌ ଫେଲୁଦା, ଫାଇଟ୍‌!’
ଫେଲୁଦା କାହାଣୀ ଆଧାରରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ବିଭିନ୍ନ ସମୟରେ ନିର୍ମିତ ଫେଲୁଦା ଚଳଚ୍ଚିତ୍ରରେ ସୌମିତ୍ର ଚାଟାର୍ଜୀ, ସବ୍ୟସାଚୀ ଚକ୍ରବର୍ତ୍ତୀ, ଅହମଦ୍‌ ରୁବେଲ୍‌, ଶଶୀ କପୁର, ଅବିର ଚାଟାର୍ଜୀ, ପରମବ୍ରତ ଚାଟାର୍ଜୀ, ତୋତା ରାୟଚୌଧୁରୀ ଓ ଇନ୍ଦ୍ରନୀଲ୍‌ ସେନଗୁପ୍ତ ଫେଲୁଦା ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ, ଏମାନଙ୍କ ମଧ୍ୟରୁ ସୌମିତ୍ର ଓ ସବ୍ୟସାଚୀ ହିଁ ଫେଲୁଦା ଚରିତ୍ରକୁ ଅଧିକ ଜୀବନ୍ତ କରିଛନ୍ତି। ସେଥିପାଇଁ ଲୋକେ ସେ ଦୁହିଁଙ୍କୁ ଫେଲୁଦା ଡାକନ୍ତି। ନିଜେ ସତ୍ୟଜିତ ରାୟ ‘ସୋନାର୍‌ କେଲ୍ଲା’ (୧୯୭୪) ଓ ‘ଜୟ ବାବା ଫେଲୁନାଥ’ (୧୯୭୮) ଶୀର୍ଷକ ୨ଟି ଫେଲୁଦା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଫେଲୁଦା ଚରିତ୍ରରେ ଅଭିନୟ କରିଛନ୍ତି ବଙ୍ଗଳା ଚଳଚ୍ଚିତ୍ରର ଅନ୍ୟତମ ଚମତ୍କାର ଅଭିନେତା ସୌମିତ୍ର ଚାଟାର୍ଜୀ। ତାଙ୍କ ଚେହେରା ସହିତ ସତ୍ୟଜିତ ରାୟଙ୍କ ବର୍ଣ୍ଣିତ ଫେଲୁଦା ଚେହେରା ଏକବାର ମେଳ ଖାଇଯାଇଛି। କହିବାକୁ ଗଲେ, ସୌମିତ୍ରଙ୍କ ଜରିଆରେ ହିଁ ରାୟଙ୍କ କାଳ୍ପନିକ ଚରିତ୍ର ଜୀବନ୍ୟାସ ପାଇ କାଳକାଳକୁ ଅମର ହୋଇଗଲା। ପ୍ରାୟ ୫ ଦଶନ୍ଧି ହୋଇଗଲାଣି ସେ ଅଭିନୟ କରିଥିବା ଫେଲୁଦା ଚରିତ୍ରକୁ ଆଜି ବି ଲୋକେ ମନେରଖିଛନ୍ତି। ୨୦୨୦ରେ କୋଭିଡ୍‌-୧୯ ଆକ୍ରାନ୍ତ ହୋଇ ସୌମିତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଲୋକେ ବାର୍ତ୍ତା ପଠାଉଥିଲେ, ‘ଫାଇଟ୍‌ ଫେଲୁଦା, ଫାଇଟ୍‌!’ (ଯୁଝ ଫେଲୁଦା, ଯୁଝ!) ସତ୍ୟଜିତ ରାୟଙ୍କ ଦେହାନ୍ତ ପରେ ପୁଅ ସନ୍ଦୀପ ରାୟ ମଧ୍ୟ ମୂଳ ଫେଲୁଦା ସିରିଜ୍‌ ବଜାୟ ରଖିବାକୁ ଯାଇ ପ୍ରଥମେ ‘ବାକ୍ସ ରହସ୍ୟ’ (୧୯୯୬) ନିର୍ମାଣ କରିଥିଲେ। ଏହି ସିରିଜ୍‌ରେ ସେ ଟେଲିଭିଜନ୍‌ ପ୍ରସାରଣ ପାଇଁ ୧୦ଟି ଓ ପ୍ରେକ୍ଷାଳୟରେ ଚାଲିବା ଲାଗି ୬ଟି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

ଫେଲୁଦାଙ୍କ ସହଚର
ଫେଲୁଦାଙ୍କ ସହଚର ତଥା ସହକାରୀ ଥିଲେ ଦାଦାପୁଅ ଭାଇ ତପେଶରଞ୍ଜନ ମିତ୍ତର ଯାହାଙ୍କୁ ଶ୍ରଦ୍ଧାରେ ସେ ଡାକୁଥିଲେ ତୋପ୍‌ଶି। ଫେଲୁଦାଙ୍କ ବୟସ ଯେତେ, ସ୍କୁଲ୍‌ପଢୁଆ ପିଲା ତୋପ୍‌ଶିଙ୍କ ବୟସ ତା’ର ଅଧା। ଫେଲୁଦା ସିରିଜ୍‌ର ଷଷ୍ଠ କାହାଣୀ ‘ସୋନାର୍‌ କେଲ୍ଲା’ରୁ ଦୁହେଁ ‘ଜଟାୟୁ’ ନାମଧାରୀ ଜନପ୍ରିୟ ରହସ୍ୟ କାହାଣୀ ଲେଖକ ଲାଲ୍‌ମୋହନ ଗାଙ୍ଗୁଲୀଙ୍କ ସହିତ ଯୋଗ ଦେଇଛନ୍ତି।
ସେର୍‌ଲକ୍‌ ହୋମ୍‌ସ୍‌ଙ୍କ ପ୍ରଭାବ
ଅପରାଧ କାହାଣୀ ପାଠ କରିବା ଥିଲା ସତ୍ୟଜିତ ରାୟଙ୍କର ଝୁଙ୍କ୍‌। ତେଣୁ, ସ୍କୁଲ୍‌ରେ ପଢ଼ିବା ସମୟରେ ସେ ସେର୍‌ଲକ୍‌ ‌ହୋମ୍‌ସ୍‌ର ସମସ୍ତ କାହାଣୀ ପଢ଼ିଥିଲେ। ପରବର୍ତ୍ତୀ ସମୟରେ ସତ୍ୟଜିତ ରାୟ ନିଜେ ଅପରାଧ କାହାଣୀ ଲେଖିବା ଆରମ୍ଭ କଲା ବେଳେ ସେର୍‌ଲକ୍‌ ହୋମ୍‌ସ୍‌ ଚରିତ୍ର ତାଙ୍କ ଲେଖାକୁ ପ୍ରଭାବିତ କଲା। ତେଣୁ, ରାୟଙ୍କ କାହାଣୀର ମୁଖ୍ୟ ଚରିତ୍ର ଫେଲୁଦା ଓ ସହଯୋଗୀ ତପେଶଙ୍କ ଚରିତ୍ର ସହିତ ଯଥାକ୍ରମେ ସେର୍‌ଲକ୍‌ ହୋମ୍‌ସ୍‌ ଓ ଡକ୍ଟର୍‌ ୱାଟ୍‌ସନ୍‌ଙ୍କର ସାମଞ୍ଜସ୍ୟ ରହିଛି। ଏକଥା କେତେକ କାହାଣୀରେ ଫେଲୁଦା ଚରିତ୍ର ମଧ୍ୟରେ ରାୟ ସ୍ବୀକାର କରିଛନ୍ତି। ଗୋଟିଏ ମାମଲା ତଦନ୍ତ କରିବାକୁ ଫେଲୁଦା ଲଣ୍ଡନ୍‌ ଯାଇଥିବା ବେଳେ ସେର୍‌ଲକ୍‌ ହୋମ୍‌ସ୍‌ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଲାଗି ୨୨୧ବି ବେକର୍‌ ଷ୍ଟ୍ରିଟ୍‌କୁ ଯାଉଛନ୍ତି।

ଅନାଥ ବାଳକ
ଫେଲୁଦା ଜଣେ ସାଧାରଣ ବଙ୍ଗୀୟ ଯୁବକ। ୯ ବର୍ଷ ବୟସରେ ବାପାମାଆ ଛେଉଣ୍ଡ ହୋଇଯିବାରୁ ଦାଦା ତାଙ୍କୁ ପାଳିପୋଷି ମଣିଷ କରିଥିଲେ। ଫେଲୁଦାଙ୍କ ବାପା ଜୟକୃଷ୍ଣ ମିତ୍ତର ଢାକା କଲିଜିଏଟ୍‌ ସ୍କୁଲ୍‌ରେ ଗଣିତ ଓ ସଂସ୍କୃତ ଅଧ୍ୟାପନା କରୁଥିଲେ। ‘ରୟାଲ୍‌ ବେଙ୍ଗଲ୍‌ ରହସ୍ୟ’ କାହାଣୀରୁ ଜଣାପଡ଼େ, ଫେଲୁଦାଙ୍କ ପୂର୍ବଜଙ୍କ ନିବାସ ହେଉଛି ଢାକାର ବିକ୍ରମପୁର ଅଞ୍ଚଳର ସୋନାଦିଘୀ ଗ୍ରାମରେ। ଦେଶ ବିଭାଜନ ହେବା ପରେ ତାଙ୍କ ପରିବାର ଢାକାରୁ କୋଲ୍‌କାତା ଚାଲିଆସିଥିଲେ।

ଜ୍ଞାନପିପାସୁ
ଜ୍ୟାମିତି, ଭୂଗୋଳ, ଇତିହାସ ଏବଂ ଆହୁରି ଅନେକ ବିଷୟରେ ରହିଛି ଫେଲୁଦାଙ୍କର ଆଗ୍ରହ। ସେଥିପାଇଁ ସେ ଅସଂଖ୍ୟ ବହି ପଢ଼ନ୍ତି। ବହୁ ମାମଲା ତଦନ୍ତ ସମୟରେ ତୋପ୍‌ଶି ଓ ଜଟାୟଙ୍କୁ ସାଥିରେ ଧରି ଫେଲୁଦା ଦାର୍ଜିଲିଙ୍ଗ୍‌, ଗ୍ୟାଙ୍ଗ୍‌ଟକ୍‌, ଜୟସାଲ୍‌ମେର୍‌, ଲକ୍ଷ୍ନୌ, ଶିମ୍‌ଲା, ବାରାଣସୀ, ମୁମ୍ବାଇ ଓ ଲଣ୍ଡନ୍‌ ମଧ୍ୟ ବୁଲି ଯାଇଛନ୍ତି। ପ୍ରତ୍ୟକ୍ଷ ଭାବେ ସେ ସବୁ ସ୍ଥାନ ବିଷୟରେ ଅନେକ କିଛି ଜାଣିବାର ଅବସର ପାଇଛନ୍ତି। ତାଙ୍କର ଦୁଇଟି ବଦଭ୍ୟାସ ହେଲା ମଧ୍ୟାହ୍ନ ଭୋଜନ ପରେ ଚାର୍‌ମିନାର୍‌ ସିଗାରେଟ୍‌ ଟାଣିବା ଓ ମିଠାପାନ ଚୋବାଇବା।

ଲୋକପ୍ରିୟ ସଂସ୍କୃତି
ଫେଲୁଦା ସିରିଜ୍‌ରେ ରହିଛି ସମୁଦାୟ ୩୬ଟି ପ୍ରକାଶିତ ଏବଂ ୪ଟି ଅପ୍ରକାଶିତ କାହାଣୀ। ଫେଲୁଦା ଏପରି ଏକ ଲୋକ ଚରିତ୍ର ହୋଇଯାଇଛି ଯେ, କୋଲ୍‌କାତାରେ ‘ସୋନାର୍‌ କେଲ୍ଲା’ ବୋଲି ପିଲାମାନଙ୍କ ପାଇଁ ‘ଥିମ୍‌ ପାର୍କ’ଟିଏ କରାଯାଇଛି। ସେଠ‌ାରେ ଅଛି ଫେଲୁଦା, ତୋପ୍‌ଶି ଓ ଜଟାୟୁଙ୍କ ଉପରେ ଆଧାରିତ ଅନେକ ପେଣ୍ଟିଙ୍ଗ୍‌ ଓ ପ୍ରତିମୂର୍ତ୍ତି। ପଶ୍ଚିମବଙ୍ଗର କଲ୍ୟାଣୀରେ ‘ମଗଜାସ୍ତ୍ର’ ନାମରେ ଗୋଟାଏ ଫେଲୁଦା-ଥିମ୍‌ ରେସ୍ତୋରାଁ ବି ଅଛି।

ସମ୍ବନ୍ଧିତ ଖବର