ସ୍କୋପ୍ଜେ: ୟୁରୋପର ଏକ ଛୋଟ ଦେଶ ରିପବ୍ଲିକ୍ ଅଫ୍ ନର୍ଥ ମେସିଡୋନିଆର ରାଷ୍ଟ୍ରପତି ଏକ ମହାନ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଦେଶର ୧୧ ବର୍ଷୀୟ ମାନସିକ ଅନଗ୍ରସର ବାଳିକାକୁ ରାଷ୍ଟ୍ରପତି ବିଦ୍ୟାଳୟ ପର୍ଯ୍ୟନ୍ତ ତାକୁ ଛାଡିବାକୁ ଯାଇଛନ୍ତି।
ଖବର ଅନୁସାରେ, ୧୧ ବର୍ଷୀୟ ବାଳିକାର ନାମ ଏମ୍ବଲା ଏଡେମି। ସେ ରିପବ୍ଲିକ୍ ଅଫ୍ ନର୍ଥ ମେସିଡୋନିଆର ଏକ ବିଦ୍ୟାଳୟ ପଢେ। ଏମ୍ବଲା ଜନ୍ମରୁ ହିଁ ଅନ୍ୟ ଅନ୍ୟ ପିଲାମାନଙ୍କ ଭଳି ମାନସିକ ଓ ଶାରୀରିକ ଭାବେ ଚଳଚଞ୍ଚଳ ନୁହେଁ। ଏହାକୁ ଡାକ୍ତରୀ ଭାଷାରେ ଡାଉନ୍ ସିଣ୍ଡ୍ରୋମ୍ କୁହାଯାଏ। ଡାଉନ୍ ସିଣ୍ଡ୍ରୋମ୍ ଦ୍ଵାରା ସ୍ଵୀକାର ପିଲାମାନେ ମାନସିକ, ଶାରୀରିକ କିମ୍ବା ଉଭୟ ଭାବେ ଦୁର୍ବଳ ହୋଇଥାନ୍ତି। ରିପବ୍ଲିକ୍ ଅଫ୍ ନର୍ଥ ମେସିଡୋନିଆର ରାଷ୍ଟ୍ରପତି ଷ୍ଟିଭୋ ପେଣ୍ଡରଭସ୍କି ଦିନେ ଏମ୍ବଲା ଏଡେମି ବିଷୟରେ ଜାଣିବାକୁ ପାଇଥିଲେ। ତାଙ୍କୁ ଏହାବ ବି ଜାଣିବାକୁ ମିଳିଥିଲା ଯେ ଏମ୍ବଲାକୁ ବିଦ୍ୟାଳୟରେ କିଛି ଛାତ୍ର ହଇରାଣ କରନ୍ତି ଓ ତାର ମଜା ଉଡାଇଥାନ୍ତି।
ଏହାପରେ ଦିନେ ରାଷ୍ଟ୍ରପତି ଷ୍ଟିଭୋ ଏମ୍ବଲାର ମାତାପିତାଙ୍କୁ ଫୋନ କରିଥିଲେ। ଏମ୍ବଲା ବିଷୟରେ ସମସ୍ତ ତଥ୍ୟ ହାସଲ କରିଥିଲେ ଓ ଏମ୍ବଲାର ମାତାପିତାଙ୍କୁ ଏମ୍ବଲାର ଘରକୁ ଆସିବାକୁ ଅନୁମତି ମାଗିଥିଲେ। ଏହାପରେ ସେ ପେନ୍ସିଲ୍ ଓ ଡ୍ରଇଂ ଖାତା ଉପହାର ନେଇ ଏମ୍ବଲାର ଘରେ ପହଞ୍ଚିଯାଇଥିଲେ।
ନିତିଦିନିଆ ଜୀବନରେ ଏମ୍ବଲାକୁ କେଉଁ ପ୍ରକାର ସମସ୍ୟାର ସାମନା କରିବାକୁ ପଡିଥାଏ ଏହା ବିଷୟରେ ଏମ୍ବଲାର ପରିବାର ରାଷ୍ଟ୍ରପତିଙ୍କୁ କହିଥିଲେ। ଷ୍ଟିଭୋ ଏମ୍ବଲାର ମାତାପିତାଙ୍କୁ କହିଥିଲେ, ବିଦ୍ୟାଳୟରେ ଏପରି ପିଲାମାନଙ୍କ ସହ ଯେପରି କୌଣସି ପ୍ରକାର ଭେଦଭାବ ନହେବ ସେଥିପାଇଁ ସେ ଆଇନ ବନାଇବେ।
ଏମ୍ବଲା ଓ ତାଙ୍କ ପରିବାରକୁ ଉତ୍ସାହିତ କରିବା ପାଇଁ ଷ୍ଟିଭୋ ଏକ ନିଷ୍ପତ୍ତି ନେଇଥିଲେ। ଏମ୍ବଲାର ବାପାଙ୍କ ସହ ସେ ନିଜେ ତାର ଆଙ୍ଗୁଠି ଧରି ଚାଲିଚାଲି ସ୍କୁଲ ଛାଡିବାକୁ ଯାଇଥିଲେ। ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସମସ୍ତେ ଏମ୍ବଲା ବିଷୟରେ ଭଲଭଲ କମେଣ୍ଟ ଲେଖୁଛନ୍ତି। ରାଷ୍ଟ୍ରପତି ଷ୍ଟିଭୋ କହିଛନ୍ତି, ଏକ ରାଷ୍ଟ୍ର ଓ ଏକ ନାଗରିକ ଭାବରେ ଆମର ଦାୟିତ୍ଵ ହେଉଛି ସମସ୍ତଙ୍କୁ ସମାନ ଅଧିକାର ମିଳୁ। ଆମକୁ ଏମ୍ବଲା ଭଳି ପିଲାମାନଙ୍କ ପାଇଁ ଏକାଠି ହେବାକୁ ପଡିବ। ଯେତେବେଳେ ମାନସିକ ଅନଗ୍ରସର ପିଲାମାନେ ବିଦ୍ୟାଳୟରେ ପହଞ୍ଚୁଛନ୍ତି ସେତେବେଳେ ତାଙ୍କୁ ଖୁସିର ସହ ସ୍ଵାଗତ କରନ୍ତୁ।