ବେଲୁନ୍ ପରି ଫୁଲିପାରୁଥିବା ସାମଗ୍ରୀ ବ୍ୟବହାର କରି ମହାକାଶରେ ବସତି ସ୍ଥାପନର ପରିକଳ୍ପନା କରାଯାଉଛି। ଏହାର କାରଣ ହେଲା ସମ୍ପ୍ରସାରଣଯୋଗ୍ୟ ସାମଗ୍ରୀକୁ କୌଣସି ମହାକାଶଯାନ ଭିତରେ ସହଜରେ ରଖାଯାଇପାରିବ ଏବଂ ଚନ୍ଦ୍ରପୃଷ୍ଠ ହେଉ କି ମହାକାଶ, ସହଜ ଓ ସୁବିଧାରେ ତାହାକୁ ବଡ଼ କରି ବ୍ୟବହାରଯୋଗ୍ୟ କରାଯାଇପାରିବ। ଏ ପରିପ୍ରେକ୍ଷୀରେ ‘ମାକ୍ସ ସ୍ପେସ୍’ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନି ଏକ ବିଶାଳ ବେଲୁନ୍ ସଦୃଶ ମଡ୍ୟୁଲ୍ର ଉଚ୍ଚାଭିଳାଷୀ ଯୋଜନା ସମ୍ପର୍କରେ ଘୋଷଣା କରିଛି, ଯାହାକୁ ଏକ ବଡ଼ ଷ୍ଟାଡିଅମ୍ ଆକାରର ମହାକାଶ କେନ୍ଦ୍ରରେ ରୂପାନ୍ତରିତ କରିହେବ।
ସଂପ୍ରତି ‘ମାକ୍ସ ସ୍ପେସ୍’ ନାମକ ଷ୍ଟାର୍ଟଅପ୍ ୨୦୨୬ରେ ତାହାର ପ୍ରଥମ ସଂପ୍ରସାରଣଯୋଗ୍ୟ ମଡ୍ୟୁଲ୍କୁ ‘ସ୍ପେସ୍ଏକ୍ସ’ ରକେଟ୍ ଜରିଆରେ ଅନ୍ତରୀକ୍ଷକୁ ପଠାଇବାର ଲକ୍ଷ୍ୟ ରଖିଛି। ମହାକାଶରେ ଏହା ବେଲୁନ୍ ପରି ଫୁଲିଯାଇ
ଏକ ବଡ଼ ଷ୍ଟାଡିଅମ୍ ଆକାରର
ମହାକାଶ କେନ୍ଦ୍ରରେ ପରିଣତ ହେବ!
ମାକ୍ସ ସ୍ପେସ୍ ୨୦୨୬ରେ ତାହାର ପ୍ରଥମ ମଡ୍ୟୁଲ୍କୁ ‘ସ୍ପେସ୍ଏକ୍ସ’ ରକେଟ୍ ଜରିଆରେ ଅନ୍ତରୀକ୍ଷକୁ ପଠାଇବାର ଲକ୍ଷ୍ୟ ରଖିଛି। କମ୍ପାନିର ଉଦ୍ଦେଶ୍ୟ ହେଉଛି ମହାକାଶରେ ମନୁଷ୍ୟ ଓ ସାମଗ୍ରୀ ରହିବା ପାଇଁ ବିସ୍ତାରଯୋଗ୍ୟ ବାସସ୍ଥାନ ସୃଷ୍ଟି କରିବା। ଏହା ଉଚ୍ଚ ଗୁଣବତ୍ତା ଓ ବିଶାଳ ଆୟତନ ବିଶିଷ୍ଟ ହେବା ସହ ତାହାକୁ ମହାକାଶରେ ସ୍ଥାପନ ଓ ରକ୍ଷଣାବେକ୍ଷଣ କରିବାରେ କମ୍ ଖର୍ଚ୍ଚ ହେବ। ଉଲ୍ଲେଖଯୋଗ୍ୟ, ମହାକାଶରେ ଏକ ଭାସମାନ ମହାକାଶ କେନ୍ଦ୍ର ସ୍ଥାପନ କରିବା ଏକ ଶ୍ରମ ତଥା ସମୟ ସାପେକ୍ଷ ଓ ବ୍ୟୟବହୁଳ କାର୍ଯ୍ୟ। ବର୍ତ୍ତମାନ ପୃଥିବୀ ଚାରିପଟେ ଘୂରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ର ସ୍ଥାପନ ଓ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ୧୯୯୮ ମସିହାରୁ ୨୦୧୧ ମସିହା ଭିତରେ ୪୦ରୁ ଅଧିକ ଥର ମହାକାଶ ଯାତ୍ରାର ଆବଶ୍ୟକତା ପଡ଼ିଥିଲା ଏବଂ ୧୦ ହଜାର କୋଟି ଡଲାର ଖର୍ଚ୍ଚ ହୋଇଥିଲା। ଏଣେ ଆଇଏସ୍ଏସ୍ର କାର୍ଯ୍ୟକାଳ ଚଳିତ ଦଶନ୍ଧିର ଶେଷ ଆଡ଼କୁ ସମାପ୍ତ ହେବ। ତେଣୁ ଆଉ ଏକ ନୂତନ ମହାକାଶ କେନ୍ଦ୍ରର ଆବଶ୍ୟକତା ପଡ଼ିବ। ମାକ୍ସ ସ୍ପେସ୍ କମ୍ପାନି ମାତ୍ର ୨୦ କୋଟି ଡଲାର ବ୍ୟୟରେ ଆଇଏସ୍ଏସ୍ ଆକାରର ଏକ ମହାକାଶ କେନ୍ଦ୍ର ସ୍ଥାପନ କରିପାରିବ ବୋଲି କହିଛି। ପ୍ରସ୍ତାବିତ ମହାକାଶ କେନ୍ଦ୍ର ପାଇଁ ଉଦ୍ଦିଷ୍ଟ ସମସ୍ତ ମଡ୍ୟୁଲ୍କୁ କମ୍ପାନି ଏକାଥରକେ ମହାକାଶକୁ ପଠାଇବ। ଏହି ବିସ୍ତାରଯୋଗ୍ୟ ମଡ୍ୟୁଲ୍ଗୁଡ଼ିକ ପୃଥିବୀର ଏକ ନିମ୍ନ କକ୍ଷପଥରେ ଅତ୍ୟୁଚ୍ଚ ଶକ୍ତିଶାଳୀ କଠିନ ସଂରଚନାରେ ରୂପାନ୍ତରିତ ହେବ। ୨୦୩୦ ମସିହା ସୁଦ୍ଧା କମ୍ପାନି ମହାକାଶରେ ୨୦ ଘନମିଟରରୁ ଆରମ୍ଭ କରି ହଜାରେ ଘନମିଟରଯାଏ ବାସଯୋଗ୍ୟ ସ୍ଥାନ ନିର୍ମାଣ କରିବାର ଲକ୍ଷ୍ୟ ରଖିଛି।