ଆଜି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଓ ବିଶ୍ବର ଦୂରଦର୍ଶୀ ଜନନେତା ଶ୍ରୀ ନରେନ୍ଦ୍ର ମୋଦିଜୀ ଦ୍ବାରା ଉଦ୍ଘାଟିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା ସମ୍ମିଳନୀ–୨୦୨୫। ଏଥିପାଇଁ ଆମେ ଚୂଡାନ୍ତ ପ୍ରସ୍ତୁତି କରି ସାରିଛୁ। ଆମ ଦେଶର ତଥା ବିଦେଶର ଅନେକ ବୃହତ୍ ଶିଳ୍ପସଂସ୍ଥାର ସର୍ବୋଚ୍ଚ ପ୍ରତିନିଧି ଓ ଶିଳ୍ପପତି ଏଥିରେ ଯୋଗ ଦେବେ। ପ୍ରାୟ ୧୨ଟି ଦେଶର ନିବେଶକ, ୨୦ଟି ଦେଶର ପ୍ରତିନିଧିମାନେ ମଧ୍ୟ ଏଥିରେ ଭାଗନେବେ। ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମହାକୁମ୍ଭ। ୨୭ ତାରିଖରେ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧି ଆସି ପହଞ୍ଚିଲା ପରେ ଆମ ସହ ଅଣଆନୁଷ୍ଠାନିକ ଆଲୋଚନା କରି ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ପ୍ରଥମ ସଫଳତା ଦେବେ। ସେଦିନ ପ୍ରାରମ୍ଭିକ ଭାବେ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ୫ ଟି ଅଧିବେଶନ ସମ୍ପନ୍ନ ହେବ, ଯେଉଁଥିରେ ନିମନ୍ତ୍ରିତ ଶିଳ୍ପପତି, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଯୋଗ ଦେବେ। ସେଦିନ ଶିଳ୍ପ ସମୂହର ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ଉଦ୍ୟୋଗପତି ଉପସ୍ଥିତ ରହିବେ।
ପ୍ରଧାନମନ୍ତ୍ରୀ ମୋଦିଜୀ ଉତ୍କର୍ଷ ଓଡ଼ିଶାକୁ ୨୮ ତାରିଖ ସକାଳ ୧୧ଟାରେ ଉଦ୍ଘାଟନ କରି ନିମନ୍ତ୍ରିତ ଶିଳ୍ପପତିଙ୍କୁ ସମ୍ବୋଧିତ କରିବେ। ଶିଳ୍ପ ପ୍ରତିଷ୍ଠା ପାଇଁ ଅପାର ସୁଯୋଗ ରହିଥିବା ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାରେ ନୂତନ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କଲେ, କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ସହଯୋଗ ଯୋଗାଇଦେବେ, ତାହା କହିବେ। ତାଙ୍କର ପୂର୍ବୋଦୟ ବିକାଶ ପରିକଳ୍ପନା ବିଷୟରେ ମଧ୍ୟ ସୂଚନା ଦେବେ। ସେ ୨୦୦୩ ମସିହାରେ ଗୁଜରାଟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲାବେଳେ ଦେଶରେ ପ୍ରଥମ ଥର ପାଇଁ ଶିଳ୍ପ ସମାବେଶ ଆରମ୍ଭ କରିଥିଲେ, ଯାହାର ନାମ ‘ଭାଇବ୍ରାଣ୍ଟ ଗୁଜରାଟ୍’। ସେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଇପାରୁଥିବା ତଥା ଉପଲବ୍ଧ କଞ୍ଚାମାଲକୁ ବ୍ୟବହାର କରି ରପ୍ତାନୀ ଯୋଗ୍ୟ ଶିଳ୍ପଜାତ ପଦାର୍ଥ ଉତ୍ପାଦନ କରିପାରୁଥିବା ଶିଳ୍ପ ପ୍ରତିଷ୍ଠାରେ ସଫଳ ହୋଇଥିଲେ। ତାଙ୍କର ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସଫଳ ପ୍ରାଶାସନିକ ଅଭିଜ୍ଞତା ବିଶ୍ବବିଦିତ। ଏଣୁ, ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଉଦ୍ଘାଟନ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲି। ତାଙ୍କର ଗରିମାମୟ ଉପସ୍ଥିତି ଓ ଦିଗ୍ଦର୍ଶନ ଆମପାଇଁ ପ୍ରେରଣାଦାୟକ ସାବ୍ୟସ୍ତ ହେବା ସହିତ ନିବେଶକଙ୍କ ବିଶ୍ବାସ ବଢାଇବ ବୋଲି ମୋର ବିଶ୍ବାସ। ବିପୁଳ ସମ୍ଭାବନାକୁ ବ୍ୟବହାର କରି ଆମ ରାଜ୍ୟକୁ ବିକଶିତ ଓଡ଼ିଶାରେ ପରିଣତ କରିବାକୁ ସେ ଚାହାନ୍ତି। ମୁଁ ଏହି ଅବସରରେ ଓଡ଼ିଶା ମାଟିରେ ପଦାର୍ପଣ କରୁଥିବା ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଗଣ, ଶିଳ୍ପପତି, ନିବେଶକ, ଷ୍ଟାର୍ଟଅପ୍ -ୟୁନିକର୍ଣ୍ଣ ଉଦ୍ୟୋଗୀ, ଫର୍ଚ୍ୟୁନ ୫୦୦ କମ୍ପାନିର ଶତାଧିକ ପ୍ରତିନିଧି, ଶିଳ୍ପ ସଂଘ ପ୍ରତିନିଧି ଏବଂ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବାକୁ ଆଗ୍ରହୀ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ହାର୍ଦ୍ଦିକ ସ୍ବାଗତ କରୁଛି।
ଉଦ୍ଘାଟନ କାର୍ଯ୍ୟକ୍ରମ ପରେ, ଅପରାହ୍ଣରେ ଶିଳ୍ପପତିଙ୍କ ଉପସ୍ଥିତିରେ ୫ଟି କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା ପ୍ରସଙ୍ଗରେ ପର୍ଯ୍ୟାଲୋଚନା କରାଯିବ। ୨୯ ତାରିଖ ପୂର୍ବାହ୍ନରେ ୫ଟି ଓ ଅପରାହ୍ଣରେ ୫ଟି ଅଧିବେଶନ ଅନୁଷ୍ଠିତ ହେବ। ଆମେ ଉତ୍କର୍ଷ ଓଡ଼ିଶା ମହାକୁମ୍ଭରେ ରାଜ୍ୟର ବଛା ବଛା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବୁ। ୨୯ ତାରିଖ ଉଦ୍ଯାପନୀ ଉତ୍ସବରେ ରାଜ୍ୟର ୩୦ଟି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ, ୬୦ ଜଣ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବୁ, ଯାହା ସେମାନଙ୍କୁ ସମ୍ମାନ ଦେବା ସହିତ ଉଦ୍ୟୋଗ ସ୍ଥାପନ କରି ଆତ୍ମନିଯୁକ୍ତିର ସ୍ବପ୍ନ ଦେଖୁଥିବା ଭାଇ ଭଉଣୀମାନଙ୍କୁ ଉତ୍ସାହିତ କରିବ। ଏହି ମହାକୁମ୍ଭ ଉପଲକ୍ଷେ ଶିଳ୍ପ ପ୍ରଦର୍ଶନୀ ବା ‘ଏକ୍ସପୋ’ ଅନୁଷ୍ଠିତ ହେବ, ଯାହା ୩୦ ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏଥିରେ ପ୍ରାୟ ୧୫୦ଟି ସଂସ୍ଥା ନିଜର ଉତ୍ପାଦ, ପ୍ରଦତ୍ତ ସେବା ଓ ତାଙ୍କର ନବସୃଜନ ସମ୍ଭାର ପ୍ରଦର୍ଶନ କରିବେ। ଏହାସହିତ ‘ଷ୍ଟାର୍ଟ ଅପ୍ ଓଡ଼ିଶା’, ‘ସ୍କିଲଡ୍ ଇନ୍ ଓଡ଼ିଶା’ ଓ ‘ସୁଭଦ୍ରା ଜରିଆରେ ମହିଳା ଉଦ୍ୟୋଗ’ ଭଳି ତିନୋଟି ବିଷୟରେ ଆଲୋଚନା କରାଯିବ। ଏହି ସମାବେଶ ସମସ୍ତ ଦୃଷ୍ଟିକୋଣରୁ ଐତିହାସିକ ହେବା ସହିତ ରାଜ୍ୟ ପାଇଁ ଏକ ସୁଦୃଢ଼ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଓଡ଼ିଶାକୁ ଅର୍ଥନୀତି ଦୃଷ୍ଟିରୁ ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାକୁ ଆମର ଯେଉଁ ସଂକଳ୍ପ, ତାହା ନିଶ୍ଟୟ ପୂରଣ ହେବ ବୋଲି ଆମେ ଆଶାବାଦୀ। ଏହା ସମ୍ଭବ ହୋଇପାରିବ ପ୍ରତିଯୋଗିତାମୂଳକ ଶିଳ୍ପାୟନ ମାଧ୍ୟମରେ। ଏହା ଶ୍ରମିକ, କୃଷକ ଓ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି କରିବା ସହିତ ଓଡ଼ିଶାକୁ କୃଷି, ଶିଳ୍ପ, ସେବା ଓ ବ୍ୟବସାୟ କ୍ଷେତ୍ରରେ ସମୃଦ୍ଧି ଆଣିଦେବ। ଉତ୍କର୍ଷ ଓଡ଼ିଶା ସମାବେଶ କାଳରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିବାର ସମ୍ଭାବନା ରହିଛି। ଏଥିରେ ପ୍ରଚୁର ନିଯୁକ୍ତି ଓ ରୋଜଗାର ର ସୁଯୋଗ ସୃଷ୍ଟି ହେବ। ଶତାଧିକ ନିବେଶକ ଆମ ସହିତ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଶିଳ୍ପବିକାଶରେ ଭାଗୀଦାର ରହିଥିବା ଦେଶମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନରେ ରହିଛନ୍ତି ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ। ଏଣୁ ସେହି ସମସ୍ତ ଦେଶରୁ ଅଧିକ ଶିଳ୍ପପତି ଓ ପୁଞ୍ଜିନିବେଶକ ଉତ୍କର୍ଷ ଓଡ଼ିଶା ମହାକୁମ୍ଭରେ ଯୋଗଦେବାକୁ ଓଡ଼ିଶା ଆସିବା ସ୍ବାଭାବିକ; ଯାହା ଆମ ରାଜ୍ୟର ଶିଳ୍ପବିକାଶ ପାଇଁ ମହତ୍ବପୂର୍ଣ୍ଣ। କେତେକ ବିକଶିତ ଦେଶକୁ ଆମେ କଣ୍ଟ୍ରି ଅଫ୍ ଫୋକସ୍ ବା ଅଗ୍ରାଧିକାର ସହଯୋଗୀ ରାଷ୍ଟ୍ର ଭାବେ ଉତ୍କର୍ଷ ଓଡ଼ିଶାରେ ଗୁରୁତ୍ବ ଦେବୁ। ସେମାନେ ଓଡ଼ିଶା ପାଇଁ କିଭଳି ଅବଦାନ ଦେଇ ପାରିବେ, ତାହାର ସୂଚନା ଦେବେ। ଏହା ଦ୍ୱାରା ଆନ୍ତର୍ଜାତିକ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ପାଇବ।
ଏହି ଦୁଇ ଦିନରେ ବିଭିନ୍ନ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହେବ। ଏଥିରେ ଆଲୋଚନା ଜରିଆରେ ଶିେଳ୍ପାଦ୍ୟୋଗୀ ଓ ବିଶେଷଜ୍ଞମାନଙ୍କ ମଧ୍ୟରେ ଆଧୁନିକତମ ଜ୍ଞାନ ଓ ବୈଷୟିକ କୌଶଳ ସମ୍ପର୍କରେ ଭାବ ଆଦାନ ପ୍ରଦାନ ହେବ। ଆପଣମାନଙ୍କ ମନେ ଥାଇପାରେ ଯେ ସିଙ୍ଗାପୁରର ବୈଷୟିକ ସହାୟତାରେ ଓଡ଼ିଶାରେ ନୂଆ ସହର ନିର୍ମାଣ ହେବାକୁ ସ୍ଥିର ହୋଇଛି। ଏଥିପାଇଁ ଓଡ଼ିଶା ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀଯୁକ୍ତ ଥର୍ମନ୍ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଆମେ ଚଳିତ ମାସରେ ବୁଝାମଣାପତ୍ର ସ୍ବାକ୍ଷର କରିଛୁ। ଏଥିସହ ଇଣ୍ଡଷ୍ଟ୍ରିଆଲ ପାର୍କ, ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ସିପିଂ କରିଡର, ଦକ୍ଷତା ବିକାଶ ଓ ପେଟ୍ରୋକେମିକାଲ୍ ସମେତ ଆଠଟି ପ୍ରକଳ୍ପ ପାଇଁ ସିଙ୍ଗାପୁର ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇ ସାରିଛି । ଓଡ଼ିଶାରେ ଆର୍ସେଲର୍-ମିତ୍ତଲ-ନିପନ ଷ୍ଟିଲ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। କେନ୍ଦୁଝର ଜିଲ୍ଲାରେ ଦକ୍ଷିଣ କୋରିଆର ପ୍ରସିଦ୍ଧ ଇସ୍ପାତ୍ ଉତ୍ପାଦନକାରୀ ପୋସ୍କୋ ଏବଂ ଭାରତର ଜିନ୍ଦଲ୍ ଇସ୍ପାତ ମିଳିତ ଭାବେ ଏକ ବୃହତ୍ ଲୌହ-ଇସ୍ପାତ୍ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ। ଆମେ ଇତିମଧ୍ୟରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ପାଇ ସାରିଛୁ। କେନ୍ଦୁଝର ପ୍ରକଳ୍ପରୁ ମୋଟର୍ ଗାଡ଼ିର ବହିରାବରଣ ପାଇଁ ସର୍ବୋତ୍ତମ ଇସ୍ପାତ୍ ଚଦର ଉତ୍ପାଦନ ହେବ, ଯାହା ଓଡ଼ିଶାରେ ମୋଟରଯାନ ନିର୍ମାଣରେ ସାହାଯ୍ୟ କରିବ। ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି, ରସାୟନ, ବୟନ ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି ପାଞ୍ଚଟି କ୍ଷେତ୍ରକୁ ଆମେ ‘ଗୁରୁତ୍ବ କ୍ଷେତ୍ର’ ମାନ୍ୟତା ଦେଇଛୁ।
ଏହି ସମାବେଶରେ ଯୋଗଦେଇଥିବା ଜାତୀୟ ଓ ଆନ୍ତର୍ଜାତୀୟ ପୁଞ୍ଜିନିବେଶକାରୀଙ୍କ ସହିତ ମୁଁ ସିଧାସଳଖ କଥା ହୋଇ ‘ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର’ରେ ପୁଞ୍ଜିବିନିଯୋଗ କରିବା ପାଇଁ ଆମନ୍ତ୍ରଣ କରିବି। ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଆମର ଲକ୍ଷ୍ୟ। ଆମେ ସେହି ସଂକଳ୍ପ ନେଇ ଆଗକୁ ବଢୁଛୁ ଏବଂ ଜନସାଧାରଣଙ୍କର ଜୀବନଧାରଣର ମାନ ବୃଦ୍ଧି ଦିଗରେ ଅଗ୍ରଗତି କରି ଚାଲିଛୁ। ସ୍ୱାଧୀନତା ପୂର୍ବରୁ ଓ ପରେ ରାଜ୍ୟରେ ଯେଉଁସବୁ କୃଷି ଓ ଶ୍ରମଭିତ୍ତିକ କ୍ଷୁଦ୍ରଶିଳ୍ପ କାରଖାନା ଗଢ଼ିଉଠିଥିଲା ସେଗୁଡିକ ବିଗତ ବର୍ଷ ଗୁଡ଼ିକରେ ବନ୍ଦ ହୋଇଯାଇଥିବାରୁ, ଆମେ ସେଗୁଡିକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ସଂକଳ୍ପ ନେଇଛୁ। ଆଗାମୀ ଦିନରେ ଆମେ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବୁ। ଆମ ରାଜ୍ୟରେ ରହିଛି ୪୮୦ କିଲୋମିଟର ସମୁଦ୍ର ଉପକୂଳ, ଯାହାର ରଣନୈତିକ ସ୍ଥିତି ଉପଯୋଗ କରି ବାଣିଜ୍ୟ ବ୍ୟବସାୟ ପାଇଁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ଦ୍ୱାର କରିବୁ । ଆମର ସମୃଦ୍ଧ ଖଣିଜ ସମ୍ପଦ, ବନ୍ଦର ଉପଯୋଗୀ ସମୁଦ୍ର ତଟ ଓଡ଼ିଶାକୁ ପୂର୍ବ ଭାରତରେ ଏକ ପ୍ରମୁଖ ନିବେଶସ୍ଥଳ ଭାବେ ମାନ୍ୟତା ଦେଉଛି। ଶିଳ୍ପ ବ୍ୟତୀତ, ଓଡ଼ିଶାରେ ଥିବା ପାହାଡ଼ ପର୍ବତ, ଘଞ୍ଚ ଜଙ୍ଗଲ, ଶାନ୍ତ ବେଳାଭୂମି ଏବଂ ମନୋରମ ବନ୍ୟପ୍ରାଣୀ ଅଭୟାରଣ୍ୟ ଅତ୍ୟନ୍ତ ମନୋରମ। ରାଜ୍ୟର କୋଣ ଅନୁକୋଣରେ ରହିଛି ସମୃଦ୍ଧ ଇତିହାସ ଏବଂ ସଂସ୍କୃତିର ଝଲକ। ଓଡ଼ିଶାର ଐତିହ୍ୟ ସ୍ଥଳୀ ବିଶ୍ବବିଦିତ। ଆମର ସମୃଦ୍ଧ ହସ୍ତଶିଳ୍ପ କଳା ଓ ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ ଅତୁଳନୀୟ ଓ ଅନନ୍ୟ। ଏହାକୁ ନେଇ, ଆମେ ପର୍ଯ୍ୟଟନ ବିକାଶ କରିବାକୁ ସଂକଳ୍ପବଦ୍ଧ। ଆମେ କୃଷକଙ୍କ ସାଥିରେ ଅଛୁ। ରାଜ୍ୟ ବିକାଶରେ ମହିଳାଙ୍କ ଭାଗିଦାରୀ ବୃଦ୍ଧିପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ଉଲ୍ଲେଖନୀୟ। ଓଡ଼ିଶାକୁ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଭାବରେ ପରିଚୟ ଦେବା ପାଇଁ ଆମେ ସଙ୍କଳ୍ପବଦ୍ଧ। ସୂଚନା ପ୍ରଯୁକ୍ତିବିଦ୍ୟାରେ ସଫଳତା ମାଧ୍ୟମରେ ଭାରତର ଅର୍ଥନୀତିକୁ ପ୍ରମୁଖ ଯୋଗଦାନ ଦେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ରଖିବାକୁ ଆମେ ସଂକଳ୍ପବଦ୍ଧ। ଆମର ଯୁବସମାଜକୁ କୁଶଳୀକରି ନିଯୁକ୍ତି ଓ ଉଦ୍ୟୋଗୀ ହେବାର ସୁଯୋଗ ସୃଷ୍ଟି କରିବୁ । ରାଜ୍ୟବାସୀଙ୍କ ସଦିଚ୍ଛା ଓ ସହଯୋଗ ସହ ମୁଁ ସମସ୍ତ ଅତିଥିଙ୍କୁ ସ୍ବାଗତ ଜଣାଉଛି। ବନ୍ଦେ ଉତ୍କଳ ଜନନୀ।
ଶ୍ରୀ ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଭୁବନେଶ୍ବର