ବହୁଚର୍ଚ୍ଚିତ ହିନ୍ଦୀ ସିନେମା ‘ଦ କେରଲା ଷ୍ଟୋରି’ରେ ବାସ୍ତବଧର୍ମୀ ଚିତ୍ରଗ୍ରହଣ ଲାଗି ଶ୍ରେଷ୍ଠ ସିନେମାଟୋଗ୍ରାଫର୍‌ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର  ଲାଗି ମନୋନୀତ ହୋଇଛନ୍ତି ପ୍ରଶାନ୍ତନୁ ମହାପାତ୍ର। ବାଲେଶ୍ବର ଜିଲ୍ଲା ରୁପ୍‌ସାର ମୂଳବାସିନ୍ଦା ପ୍ରଶାନ୍ତନୁ କେବଳ ହିନ୍ଦୀ ନୁହେଁ, ବହୁ ଓଡ଼ିଆ ସିନେମାରେ ମଧ୍ୟ ସିନେମାଟୋଗ୍ରାଫି କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସଂପ୍ରତି ମୁମ୍ବାଇରେ ଅବସ୍ଥାପିତ ଶ୍ରୀ ମହାପାତ୍ରଙ୍କ ସହ ଏହି ଅବସରରେ  ବାର୍ତ୍ତାଳାପ କରିଛନ୍ତି ‘ସମ୍ବାଦ’ର ଫିଚର୍‌ ସଂପାଦକ ଧୃତିକାମ ମହାନ୍ତି

Advertisment

ପ୍ରଶାନ୍ତନୁୂଙ୍କ ନିଜକଥା
ପ୍ରଶାନ୍ତନୁ ମହାପାତ୍ରଙ୍କ ଜନ୍ମ ବାଲେଶ୍ବର ଜିଲ୍ଲା ରୁପ୍‌ସାରେ। ବାପା ହରିପଦ ମହାପାତ୍ର ଓ ମା’ ପରୀରାଣୀଙ୍କ କୋଳପୋଛା ପୁଅ ପ୍ରଶାନ୍ତନୁଙ୍କର ପିଲାବେଳୁ ସଂଗୀତ ପ୍ରତି ଆକର୍ଷଣ ଥିଲା। ତେଣେ  ଔଷଧ ବ୍ୟବସାୟ ଥିବାରୁ ବାପା ଚାହୁଥିଲେ, ପୁଅ ପାଠପଢ଼ି ଡାକ୍ତର ହେଉ। ହେଲେ ପ୍ରଶାନ୍ତନୁ ଭୁବନେଶ୍ବର ଆସି  କ୍ୟାମେରା ନିଶାରେ ଏମିତି ପଡ଼ିଗଲେ ଯେ ସିନେମାଟୋଗ୍ରାଫିରେ କ୍ୟାରିୟର୍‌ କରିବାକୁ ନିଷ୍ପତ୍ତି ନେଲେ। ତାଙ୍କ  ଚିତ୍ରୋତ୍ତଳିତ  ‘ହେଲୋ ଆର୍ସି’, ‘ନୀଳମାଧବ’, ‘ଅନୁକମ୍ପନ’ ଓ ‘ଆମୁଖ’ ଆଦି ଚଳଚ୍ଚିତ୍ର ଜାତୀୟସ୍ତରରେ ପୁରସ୍କୃତ ହୋଇଛି। କେବଳ ସିନେମାଟୋଗ୍ରାଫି ନୁହେଁ, ପ୍ରଶାନ୍ତନୁ ଏଫ୍‌ଟିଆଇଆଇ, ପୁନେର ୱାର୍ଲଡ୍‌ ପିସ୍‌ ୟୁନିଭର୍ସିଟି ଓ ରୋହତକ୍‌ ଡିଏଲ୍‌ସି ସୁପ୍‌ଭା ଆଦି ଅନୁଷ୍ଠାନରେ ଅତିଥି ଅଧ୍ୟାପକ ଭାବେ ଶିକ୍ଷାଦାନ କରୁଛନ୍ତି। ସେ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍ ଇଣ୍ଡିଆ (ଇଫି) ଓ ଭାରତୀୟ ପାନୋରାମାର ବିଚାରକ ମଣ୍ଡଳୀର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏଯାବତ୍‌ ଆପଣଙ୍କ କ୍ୟାରିୟର୍‌ର ସବୁଠୁ ବଡ଼ ଉପଲବ୍‌ଧି। କେମିତି ଲାଗୁଛି?
ଖୁସି ଲାଗିବା ତ ସ୍ବାଭାବିକ। ଆଶ୍ଚର୍ଯ୍ୟ ବି ଲାଗୁଛି। କାରଣ ସାରା ଭାରତର ବଡ଼ ବଡ଼ ସିନେମା ଏହି ପୁରସ୍କାର ଦୌଡ଼ରେ ଥିଲେ ଏବଂ ଶେଷରେ ଆମକୁ ଚୟନ କରାଗଲା। ଆଉ ମୋ କ୍ୟାରିୟର୍‌ର ଗୋଟାଏ କୌତୂହଳପ୍ରଦ ଘଟଣା ହେଉଛି, ମୁଁ କାମ କରିଥିବା ଅଧିକାଂଶ ସିନେମା ଓ ଡକ୍ୟୁମେଣ୍ଟାରି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି, କିନ୍ତୁ ମୋତେ କେବେ ପୁରସ୍କାର ମିଳି ନଥିଲା। ସେ ଦୃଷ୍ଟିରୁ ‘ଦ କେରଲା ଷ୍ଟୋରି’ରୁ ପ୍ରଥମ ସ୍ବୀକୃତି ଆସିଲା।    

ସତ୍ୟ କାହାଣୀ ଆଧାରିତ ଛବି ‘ଦ କେରଲା ‌ଷ୍ଟୋରି’ ସହ ଆପଣ କେମିତି ଯୋଡ଼ିହେଲେ?
‘ଦି କେରଲା ଷ୍ଟୋରି’ର ନିର୍ଦ୍ଦେଶକ ସୁଦୀପ୍ତ ସେନ୍‌ଙ୍କ ସହିତ ମୁଁ ‘ଦ ଲାଷ୍ଟ୍‌ ମଙ୍କ୍‌’ ଚଳଚ୍ଚିତ୍ରରେ କାମ କରିଥିଲି। କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ଝିଅମାନଙ୍କୁ ଇସ୍‌ଲାମ୍‌ରେ ଦୀକ୍ଷିତ କରାଇ ବିଦେଶୀ ଆତଙ୍କବାଦୀ ସଂଗଠନରେ ସାମିଲ୍‌ କରାଯାଉଥିବା ଘଟଣା ଆମେ ଶୁଣିଥିଲୁ। ସୁଦୀପ୍ତ ସେଇ ଘଟଣାକୁ ନେଇ ଗୋଟିଏ ଡକ୍ୟୁମେଣ୍ଟାରି ‘ଇନ୍‌ ଦ ନେମ୍‌ ଅଫ୍‌ ଲଭ୍‌’ କରିବାକୁ ମନସ୍ଥକଲେ। କ୍ୟାମେରାମ୍ୟାନ୍ ଭାବରେ ମୋତେ ଚୟନ କଲେ। ଏହାପରେ ସୁଦୀପ୍ତ ଓ ମୁଁ ଏକ ଛୋଟ ଟିମ୍‌ ନେଇ କେରଳ ଯାଇ ଡକ୍ୟୁମେଣ୍ଟାରିର ସୁଟିଂ କଲୁ। ପୂରା ଗ୍ରାମାଞ୍ଚଳକୁ ଯାଇ ଝିଅମାନଙ୍କୁ ଭେଟି ସେମାନଙ୍କ ବୟାନ ରେକର୍ଡ କରିଥିଲୁ। ଏହି କାମ ମୋ ପାଇଁ ବଡ଼ ଚାଲେଞ୍ଜ୍‌ ଥିଲା। କାରଣ ପୀଡ଼ିତାମାନେ ନିଜ ମୁହଁ ଦେଖାଇବାକୁ ପ୍ରସ୍ତୁତ ନଥିଲେ। ସମସ୍ତଙ୍କର ପଛପଟୁ ସୁଟ୍‌ କରିବା ବି କାମ ଦୃଷ୍ଟିରୁ ଠିକ୍‌ ହୋଇ ନଥାନ୍ତା। ସେତେବେଳେ ମୋ ମନକୁ ଆସିଥିଲା, ଅନ୍ଧାରରେ ବି ଆଖିର ଡୋଳା ଓ ଅଙ୍ଗପ୍ରତ୍ୟଙ୍ଗ ସଂଚାଳନର ଛବି ଉତ୍ତୋଳନ କରାଯାଇପାରେ। ତାହା ହିଁ ସେମାନଙ୍କ ଆବେଗକୁ ଦର୍ଶ‌ାଇବାକୁ ସକ୍ଷମ ହେବ। ମୋର ଏହି ପରୀକ୍ଷା ସଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ସୁଦୀପ୍ତ ଏହି ବିଷୟବସ୍ତୁକୁ ନେଇ ଫିଲ୍ମ କରିବାକୁ  ଯୋଜନା କଲେ ମୁଁ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲି।

ପୂରା ଫିଲ୍ମର ସୁଟିଂ କ’ଣ କେରଳରେ ହୋଇଥିଲା?
ନା... ନା... ଆମେ ମୁମ୍ବାଇରେ କେରଳ ଶୈଳୀର ଘର ନେଇ ସେଠାରେ ସୁଟିଂ କରିଥିଲୁ। ଯେହେତୁ ଫିଲ୍ମର ବଜେଟ୍‌ ଅଧିକ ନଥିଲା ତେଣୁ ସେଟ୍‌ସ୍‌ରେ ହିଁ ଅଧିକାଂଶ ସୁଟିଂ କରିଥିଲୁ। ଆଉ ପାକିସ୍ତାନ ସୀମା ଓ ଆଫ୍‌ଗାନିସ୍ତାନର ପାହାଡ଼ୀ ଇଲାକାର ଯେଉଁ ସବୁ ଦୃଶ୍ୟ ରହିଛି, ସେସବୁ ଆମେ ଲଦାଖ୍‌ର ସାମଞ୍ଜସ୍ୟ ଥିବା ଲୋକେସନ୍‌ ଚୟନ କରି କରିଥିଲୁ। କେରଳରେ ବି ଅଳ୍ପ କିଛି ଅତ୍ୟାବଶ୍ୟକ ସିନ୍‌ ସୁଟ୍‌ କରିଛୁ। କେରଳର ଗାଁଗଣ୍ଡାରେ ଯଦି ସୁଟିଂ କରିଥାଆନ୍ତୁ, ତେବେ ଖର୍ଚ୍ଚ ତ ଅଧିକ ହୋଇଥାଆନ୍ତା, ତା’ସହ ୟୁନିଟ୍‌ର ସୁରକ୍ଷା କଥା ବି ଚିନ୍ତା କରିବାକୁ ପଡ଼ିଥାଆନ୍ତା।

ସୁରକ୍ଷା ଚିନ୍ତା ମାନେ? ସେଠାରେ ଆପଣମାନଙ୍କ ଜୀବନ ପ୍ରତି ବିପଦ ଥିଲା ନା କ’ଣ?
ହଁ। ଆମେ ଡକ୍ୟୁମେଣ୍ଟାରି ସୁଟିଂ ବେଳେ ବିପଦର ସାମ୍ନା କରିଛୁ। ଥରେ ଆମେ କେରଳର ଗୋଟେ ଛୋଟ ସହରରେ କାମ କରୁଥିଲୁ। ହଠାତ୍‌ ପୁଲିସ୍ ପକ୍ଷରୁ ଆମକୁ କୁହାଗଲା କି ରାତାରାତି ହୋଟେଲ୍‌ ଛାଡ଼ି ପଳାଇ ଆସନ୍ତୁ। ଆମେ ଦୁଇଟି ଗାଡ଼ିରେ ଯାଇଥିଲୁ। ଗୋଟିଏ ଗାଡ଼ିରେ ଗୁରୁତ୍ବପୂର୍ଣ୍ଣ ଜିନିଷପତ୍ର ଧରି ସେଠାରୁ ପଳାଇ ଆସିଥିଲୁ। ପୁଲିସକୁ ପକ୍କା ଖବର ମିଳିଥିଲା କି ଆମ ଉପରେ ଆକ୍ରମଣ ହେବାର ଅଛି।

କମ୍‌ ବଜେଟ୍‌ର ଫିଲ୍ମ ହୋଇଥିଲେ ବି ‘ଦ କେରଲା ଷ୍ଟୋରି’  ଦର୍ଶକଙ୍କ ଦ୍ବାରା ଆଦୃତ ହେଲା?  
ହଁ, ବିଷୟବସ୍ତୁକୁ ଲୋକେ ପସନ୍ଦ କଲେ। ଏହା ଏକ ଥଟ୍‌ ପ୍ରୋଭୋକିଙ୍ଗ୍ ରିଅଲିଷ୍ଟିକ୍ ଫିଲ୍ମ ଥିଲା। ଆମେ ଭାବିଥିଲୁ ସପ୍ତାହେ କି ଦି’ସପ୍ତାହ ଚାଲିବ। କିନ୍ତୁ ଦର୍ଶକଙ୍କୁ ଭଲ ଲାଗିଲା। ମାତ୍ର ୧୫ କୋଟିର ଫିଲ୍ମ ୩୨୦ କୋଟି ଟଙ୍କାର ବ୍ୟବସାୟ କଲା। ମୁଁ ସୁଟିଂ ସମୟରେ ବିଷୟବସ୍ତୁର ଅବତାରଣା ବା ‌ଷ୍ଟୋରି ଟେଲିଂ ଉପରେ ଗୁରୁତ୍ବ ଦେଇଥିଲି। କ୍ୟାମେରାର କରାମତି ଦେଖାଇବା ବଦଳରେ ଚରିତ୍ରଙ୍କ ଚଉହଦି, ଯଥା ଆତଙ୍କବାଦୀଙ୍କ ଆଡ୍ଡା ଓ ବନ୍ଦିନୀଙ୍କ କାଳକୋଠରି ଆଦିର ନିଚ୍ଛକ ଚିତ୍ର ଜରିଆରେ କାହାଣୀକୁ ଜୀବନ୍ତ ଓ ଗତିଶୀଳ କରାଇଥିଲି। ଚରିତ୍ରମାନଙ୍କ ଅବେଗ ଭରା ଅଭିନୟ ଏଥିରେ ଆହୁରି ବାସ୍ତବିକତା ଭରି‌ଥିଲା। ଜୁରିଙ୍କୁ ଏହା ପ୍ରଭାବିତ କରିଥିଲା।

ମୁଁ ସିନେମାଟୋଗ୍ରାଫିରେ ଆହୁରି ଅନେକ ପରୀକ୍ଷାନିରୀକ୍ଷା କରିବାକୁ ଚାହୁଁଛି। ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ନୂଆ ନୂଆ ଟେକ୍‌ନୋଲଜି ଆସିଗଲାଣି। ସେଗୁଡ଼ିକୁ ବ୍ୟବହାର କରି ବହୁତ ଭଲ କାମ କରିବାକୁ ଲକ୍ଷ୍ୟ ରଖିଛି।

ବଲିଉଡ୍‌ରେ ଆପଣ କେବେଠାରୁ କାମ କରୁଛନ୍ତି? ଏଥିସହ ଅନେକ ଓଡ଼ିଆ ଚଳଚ୍ଚିତ୍ର ବି କରିଛନ୍ତି?
ମୁଁ ୧୯୯୦ରେ ପୁନା ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରୁ ପାସ୍‌ କଲି। ତା’ପରେ ସେଠି ରହି ଆସିଷ୍ଟାଣ୍ଟ୍‌ ଭାବେ କାମ ଶିଖିଲି। ମୋର ପ୍ରଥମ ଫିଲ୍ମ ଥିଲା ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ‘ଇଡିଅଟ୍‌’। ଏହାର ନିର୍ଦ୍ଦେଶକ ଥିଲେ ମଣି କାଉଲ୍‌। ସୁଧୀର ମିଶ୍ରଙ୍କ ‘ଇସ୍‌ ରାତ୍‌ କୀ ସୁବହ ନେହିଁ’ରେ କ୍ୟାମେରା ଆସିଷ୍ଟାଣ୍ଟ୍‌ ଭାବେ କାମ କରିଛି। ତା’ପରେ ମୁଁ ଓଡ଼ିଆ ଫିଲ୍ମରେ ସୁଯୋଗ ପାଇଲି। ୧୯୯୯ରେ ରିଲିଜ୍‌ ହୋଇଥିବା ସନକ ଦେବତାଙ୍କ ‘ମା ଓ ମମତା’ର ସିନେମାଟୋଗ୍ରାଫି କଲି। ଏହା ମୋର ପ୍ରଥମ ଓଡ଼ିଆ ସିନେମା। ତା’ପରେ ମୁଁ ଜନ୍ମମାଟି ଓଡ଼ିଶା ଓ କର୍ମଭୂମି ମୁମ୍ବାଇ ଭିତରେ ଏପଟସେପଟ ହେଉଥିଲି। ମୋ ସିନେମାଟୋଗ୍ରାଫିରେ ଶେଷ ଓଡ଼ିଆ ସିନେମା ହେଉଛି ୨୦୨୪ରେ ରିଲିଜ୍‌ ହୋଇଥିବା ‘ଅପରେସନ୍‌ ୧୨/୧୭’। ଏହା ପୂର୍ବରୁ ଦିବଂଗତ ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ସହ ଦୁଇଟି ସିନେମା ମୁଁ କରିଛି- ‘କେବେ ତୁମେ ନାହଁ, କେବେ ମୁଁ ନାହିଁ’ ଓ ‘ମୀମାଂସା’। ୨୦୧୮ରେ ରିଲିଜ୍‌ ହୋଇଥିବା ‘ହେଲୋ ଆର୍ସି’ ବି ମୋ କାମ।

କେଉଁ ଧରଣର କାମରେ ଆପଣ ଆତ୍ମସନ୍ତୋଷ ପାଇଛନ୍ତି?  
ଫିଚର୍‌ ଫିଲ୍ମକୁ ଛାଡ଼ି ମୁଁ ଓଡ଼ିଶା ସଂପର୍କିତ କେତେଟି ଭଲ ଡକ୍ୟୁଫିଲ୍ମରେ ସିନେମାଟୋଗ୍ରାଫି କରିଛି। ମୁଣ୍ଡପୋତା କେଳାଙ୍କ ଜୀବନଧାରାକୁ ନେଇ ନିର୍ମିତ କପିଳାସ ଭୂୟାଁଙ୍କ ‘ବ୍ରିଦିଂ ଉଇଦାଉଟ୍‌ ଏୟାର୍‌’(୨୦୦୪), ସ୍ବରସମ୍ରାଜ୍ଞୀ ସୁନନ୍ଦା ପଟ୍ଟନାୟକଙ୍କ ଜୀବନୀ ଆଧାରିତ ଦିଲୀପ ପଟ୍ଟନାୟକଙ୍କ ‘ନୀଳମାଧବ’(୨୦୧୧) ଓ ରାବଣଛାୟା ଲୋକନୃତ୍ୟ ସମ୍ବଳିତ ଗିରିଜା ପଟ୍ଟନାୟକଙ୍କ ‘ଡିଭାଇନ୍‌ ସ୍ୟାଡୋ’(୨୦୧୨)ରେ କାମ କରି ମୁଁ ବହୁତ କିଛି ଶିଖିଛି। ବିଶେଷ କରି କୋଲକାତାରେ ‘ନୀଳମାଧବ’ର ସୁଟିଂ ମୋ ପାଇଁ ଅନନ୍ୟ ଅନୁଭୂତି ଥିଲା। କାରଣ ଏଥିରେ ଆମେ ବହୁ ପରୀକ୍ଷାନିରୀକ୍ଷା କରିଛୁ। ଏମିତି କି ‘ନୀଳମାଧବ’ ନିର୍ମାଣ ହେବା ବେଳେ ମୋତେ ଟଙ୍କା ‌ଯୋଗାଡ଼ଠାରୁ ନେଇ ପ୍ରଡକ୍‌ସନ୍‌ ପର୍ଯ୍ୟନ୍ତ ସବୁ କିଛି ଦେଖିବାକୁ ପଡ଼ିଥିଲା। ମୁଁ ନିର୍ଦ୍ଦେଶକ ଦିଲୀପବାବୁଙ୍କୁ କହିଥିଲି କି ଆପଣ ଚିନ୍ତାର ନାୟକ ହୋଇଥାଆନ୍ତୁ ମୁଁ ବାକି ସବୁ ସମ୍ଭାଳୁଛି। ଏହି ଫିଲ୍ମ ଆମକୁ ବହୁ ପ୍ରଶଂସା ଓ ସ୍ବୀକୃତି ଦେଇଥିଲା।

ଆପଣ ଉଭୟ ବଲିଉଡ୍‌ ଓ ଓଡ଼ିଶାରେ କାମ କରୁଛନ୍ତି? ଦୁଇଟି ଶିଳ୍ପ ଭିତରେ କିପରି ପାର୍ଥକ୍ୟ ଅନୁଭବ କରନ୍ତି?
ଆମର ଏଠି ଭାଇଚାରା ଅଧିକ। କେହି କାହା ମୁହଁରେ କାମକୁ ନେଇ କିଛି କହନ୍ତି ନାହିଁ। ସେଠି କିନ୍ତୁ ଆପଣ କାମ ଠିକ୍‌ ନକଲେ ବା ସିନ୍‌ସିଅର୍‌ ନହେଲେ ଇଣ୍ଡଷ୍ଟ୍ରି ଆପଣଙ୍କୁ ଫୋପାଡ଼ି ଦେବ। ଆମର ଏଠି ସମସ୍ତଙ୍କ ଭିତରେ ନିଷ୍ଠାପର ଭାବେ କାର୍ଯ୍ୟ କରିବା ମାନସିକତା ବା ସିନ୍‌ସିଅରିଟି ବଢ଼ାଇବାକୁ ପଡ଼ିବ। ଏହାର ଅଭାବ ମୁଁ ଓଡ଼ିଶାରେ ଅନୁଭବ କରିଛି। ଏଠି କାମ କରିବାକୁ ଯିବା ବେଳେ ବହୁ କ୍ଷେତ୍ରରେ କ୍ଲାରିଟି ନଥାଏ ଓ ପୂର୍ବ ପ୍ରସ୍ତୁତି ବି ଠିକ୍‌ଠାକ୍‌ ନଥାଏ। ଏହା ଦୂର ହେବା ଦରକାର।

ଆପଣ ଚଳଚ୍ଚିତ୍ର ଦୁନିଆକୁ ଆସିବାକୁ କାହିଁକି ଇଚ୍ଛାକଲେ? ପୁଣି ସିନେମାଟୋଗ୍ରାଫିକୁ କାହିଁକି ବାଛିଲେ?
ସତ କହିଲେ ସିନେମାଟୋଗ୍ରାଫିକୁ ମୁଁ ବାଛିନାହିଁ, ସେ ମୋତେ ବାଛିଛି। ସ୍କୁଲ୍‌ ପଢ଼ା ସରିବା ପରେ ମୁଁ ରୁପ୍‌ସା ଛାଡ଼ି ଭୁବନେଶ୍ବର ଆସିଲି ଏବଂ ବିଜେବି କଲେଜ୍‌ରେ ପାଠ ପଢ଼ିଲି। ଏଇ ପଢ଼ିବା ଭିତରେ ମୋର ପିଲାଦିନୁ ଫଟୋଗ୍ରାଫି ପ୍ରତି ଥିବା ଆକର୍ଷଣ ଆହୁରି ବଢ଼ିଲା। କେମିତି ଫଟୋଗ୍ରାଫି ଶିଖିବି ସେଇ ବାଟ ଖୋଜୁଥାଏ। କେତେଜଣ ବନ୍ଧୁଙ୍କଠାରୁ ଜାଣିବାକୁ ପାଇଲି ଯେ ‘ସମ୍ବାଦ’ରେ ସଂପାଦନା ଦାୟିତ୍ବରେ ଥିବା ସଂପଦ ମହାପାତ୍ର ଜଣେ ଭଲ ଫଟୋଗ୍ରାଫର୍‌ ଓ ତାଙ୍କ ଠାରୁ ଫଟୋଗ୍ରାଫି ଶିଖିହେବ। ଏହି ସୁଯୋଗ ହାସଲ କରିବାକୁ ମୁଁ ‘ସମ୍ବାଦ’ରେ ଚାକିରି କଲି।

ଆପଣ ‘ସମ୍ବାଦ’ରେ ଚାକିରି କରିଥିଲେ? ତେବେ ପୁନା ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ କେବେ ଗଲେ?
୧୯୮୬-୮୭ ମସିହାରେ ମୁଁ କିଛି ମାସ ପାଇଁ ‘ସମ୍ବାଦ’ରେ ସବ୍‌ଏଡିଟର୍‌ ଭାବେ ଚାକିରି କରିଥିଲି। ମୁଖ୍ୟ ଉଦ୍ଦେଶ୍ୟ ଥିଲା ଫଟୋଗ୍ରାଫି ଶିଖିବା। କିଛି କିଛି ଫଟୋଗ୍ରାଫି ଶିଖିଲି ଏବଂ ଲେଖାଲେଖି ବି କଲି। ଏଣେ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ ଯାଇ ସିନେମାଟୋଗ୍ରାଫି ପଢ଼ିବା ଲାଗି ନିଷ୍ପତ୍ତି କରିଥିଲି ଓ ଫର୍ମ ପକାଇଥିଲି। ‘ସମ୍ବାଦ’ରେ ଥିବା ଭିତରେ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ ଏଣ୍ଟ୍ରାନ୍ସ ଦେଲି। ଭାଗ୍ୟକୁ ପ୍ରଥମ ପ୍ରଚେଷ୍ଟାରେ ସଫଳତା ମିଳିଗଲା। ସେଇଠୁ ଚାକିରି ଛାଡ଼ି ସିନେମାଟୋଗ୍ରାଫି ପଢ଼ିବା ପାଇଁ ପୁନା ଚାଲି ଆସିଲି।

କେବେ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ଇଚ୍ଛା ହୁଏନା?
ମୁଁ ନିର୍ଦ୍ଦେଶନାରେ ଅଛି କହିଲେ ଭୁଲ୍‌ ହେବନାହିଁ। କାରଣ ଗୋଟିଏ ଫିଲ୍ମର ନିର୍ମାଣରେ ଦୁଇଜଣ ନିର୍ଦ୍ଦେଶକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଫିଲ୍ମର ନିର୍ଦ୍ଦେଶକଙ୍କ ଚିନ୍ତାଧାରାକୁ ବୁଝି ତାକୁ ଛବିରେ କାର୍ଯ୍ୟକାରୀ କରନ୍ତି ଫଟୋଗ୍ରାଫି ନିର୍ଦ୍ଦେଶକ ବା ମୁଖ୍ୟ ସିନେମାଟୋଗ୍ରାଫର୍‌।