ଜର୍ମାନୀର ଡ୍ରେସଡେନ୍‌ ସହରର ମୁଖ୍ୟ ରେଳପଥ କଡ଼ରେ ଦଣ୍ଡାୟମାନ ‘ତମାଖୁ ମସଜିଦ’ ହେଉଛି ଏକ ଆକର୍ଷଣୀୟ ନିର୍ମାଣ। ସୁଦୃଶ୍ୟ ଅଟ୍ଟାଳିକା ଉପରେ ଶୋଭାବର୍ଦ୍ଧନ କରୁଥିବା ୬୦ ଫୁଟ ଉଚ୍ଚ ଗମ୍ବୁଜ ଏବଂ ଚାରିକଡ଼ରେ ରହିଥିବା ସୁଦୀର୍ଘ ମିନାରଗୁଡ଼ିକ ଏକ ମସଜିଦର ଭ୍ରମ ସୃଷ୍ଟି କରୁଥିଲେ ହେଁ ପ୍ରକୃତରେ ତାହା ଉପାସନା ସ୍ଥଳୀ ନୁହେଁ, ଅତୀତରେ ସେଠାରେ ଏକ ତମାଖୁ ଓ ସିଗାରେଟ୍‌ କାରଖାନା ଚାଲୁଥିଲା। ୟେନିଜେ ନାମକ ତମାଖୁ ଓ ସିଗାରେଟ୍‌ କମ୍ପାନିର ପ୍ରତିଷ୍ଠାତା ହୁଗୋ ଡିଏଜ୍‌ ପ୍ରଥମେ ସେଠାରେ ଏକ ତମାଖୁ କାରଖାନା ସ୍ଥାପନ ପାଇଁ ୧୯୦୭ ଓ ୧୯୦୯ ଭିତରେ ଏହି ଅଟ୍ଟାଳିକାକୁ ନିର୍ମାଣ କରିଥିଲେ। ମାତ୍ର ସେତେବେଳେ ଡ୍ରେସଡେନ୍‌ ସହରର କେନ୍ଦ୍ରସ୍ଥଳରେ ତମାଖୁ କାରଖାନା ଖୋଲିବା ପାଇଁ ବାରଣ ରହିଥିଲା। ତେଣୁ ସେ ଜଣେ ପ୍ରଖ୍ୟାତ ସ୍ଥପତିଙ୍କ ଦ୍ବାରା ଉକ୍ତ ଅଟ୍ଟାଳିକାକୁ ଏକ ମସଜିଦ ଶୈଳୀରେ ପୁନର୍ନିର୍ମାଣ କରାଇଥିଲେ। ତାହାର ମିନାରଗୁଡ଼ିକ ପ୍ରକୃତରେ କାରଖାନାର ଚିମିନୀ ଥିଲା।

Advertisment

ଶେଷରେ ସେଠାରେ ଏକ ତମାଖୁ ଓ ସିଗାରେଟ୍‌ କାରଖାନା ଆରମ୍ଭ ହୋଇଥିଲା। ସେଠାରେ ପ୍ରସ୍ତୁତ ତମାଖୁ ଓ ସିଗାରେଟ୍‌ ଜର୍ମାନୀ ସାରା ଲୋକପ୍ରିୟ ହୋଇଥିଲେ ହେଁ ତାହା ବେଶୀ ଦିନ ତିଷ୍ଠିନଥିଲା। ୧୯୫୩ ଯାଏ ତମାଖୁ କାରଖାନା ଚାଲିବା ପରେ ତାହା ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଥିଲା। ସୌଭାଗ୍ୟକୁ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ତାହା ଅକ୍ଷତ ରହିଥିଲା। ତେବେ ୧୯୯୦ ଦଶକରେ ଉକ୍ତ ଅଟ୍ଟାଳିକାର ପୁନର୍ବିନ୍ୟାସ ସହ ୧୯୯୬ରେ ସେଠାରେ ଏକ ଆନୁଷ୍ଠାନିକ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ଏବେ ତାହାର ବିଶାଳ ଗମ୍ବୁଜ ଭିତରେ ଏକ ଭୋଜନାଳୟ ଖୋଲିଛି, ଯେଉଁଠି ଗ୍ରାହକମାନେ ସହରର ଏକ ୩୬୦ ଡିଗ୍ରି ଦୃଶ୍ୟ ଉପଭୋଗ କରିପାରୁଛନ୍ତି। ‘ତମାଖୁ ମସଜିଦ’ ନାମରେ ପରିଚିତ ଉକ୍ତ ଅଟ୍ଟାଳିକା ଏବେ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଛି।